
Kewda cultivation added to state scheme , image source - @CMO_Odisha
ରାଜ୍ୟ ସରକାର ଚାଷୀ ଓ ଚାଷ କୁ ସର୍ବଦା ଅଗ୍ରାଧିକାର ଦେଇ ଆସିଛନ୍ତି l ଚାଷୀଙ୍କୁ ତାଙ୍କ ଚାଷ କାର୍ଯ୍ୟ ପାଇଁ ସବସିଡି ରୁ ଆରମ୍ଭ କରି ମାଗଣା ଋଣ ,ମାଗଣା ବିହନ ଭଳି ସମସ୍ତ ସାହାଯ୍ୟ ପ୍ରଦାନ କରାଯାଉଛି l ଯାହାଦ୍ୱାରା ଜଣେ ଚାଷୀ ନିଜ ଚାଷ କ୍ଷେତ୍ରରେ ଅଧିକ ଟଙ୍କା ରୋଜଗାର କରିପାରିବ l ତେବେ ଗତକାଲି ଆଉ ଏକ ବଡ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର l ଯାହା ପାନ ଚାଷୀ ଏବଂ କିଆ ଫୁଲ ଚାଷୀଙ୍କୁ ଆର୍ଥିକ ସ୍ଥିତିରେ ମଜବୁତ କରିବ l
ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପାନବରଜ ଚାଷୀ ଓ କିଆ ଫୁଲ ଚାଷୀ ମାନଙ୍କ ପକ୍ଷରୁ ବିଭିନ୍ନ ଅସୁବିଧା ସଂପର୍କରେ ଆପତ୍ତି ଅଭିଯୋଗ ଆସିଥିଲା । ଯାହାର ସମ୍ପୂର୍ଣ୍ଣ ସୁବିଧା ପାଇଁ ଚିନ୍ତା କରିଛନ୍ତି ରାଜ୍ୟ ସରକାର l ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ କରିଥିଲେ । ଯେଉଁଥିରେ ଚାଷୀଙ୍କୁ ଏହି ସାହାଯ୍ୟ ପ୍ରଦାନ ପାଇଁ ଚିନ୍ତା ତଥା ନିଷ୍ପତି ହୋଇଛି l ତେବେ ସେହି ବୈଠକରେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସହିତ ଅନ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢୀ, ସମବାୟ ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।
ସେହିପରି ବୈଠକର ନିଷ୍ପତ୍ତି ଅନୁଯାୟୀ ସମସ୍ତ ପାନ ଚାଷୀଙ୍କୁ ରାଜ୍ୟ ଯୋଜନାର ସ୍ବତନ୍ତ୍ର ଫଳଭିତ୍ତିକ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଅତି କମ୍ରେ ପ୍ରାୟ ୨୦୦ ବର୍ଗମିଟର ପରିଧିର ପାନ ବରଜ ଥିବା ଚାଷୀ ସହାୟତା ପାଇଁ ଯୋଗ୍ୟ ବିବେଚିତ ହେବେ । ତେବେ ଏହି ଅନୁଦାନ ପ୍ରଦାନ ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସ୍ବତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରିବ । ସୂଚନା ଅନୁଯାୟୀ, ପାନ ବରଜ ଥିବା ଚାଷୀଙ୍କୁ ଏହାର ପରିଚାଳନା ପାଇଁ ୟୁନିଟ ପିଚ୍ଛା ୨୫୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ । ତେବେ ଜଣେ ଚାଷୀକୁ ସର୍ବାଧିକ ଦୁଇଟି ୟୁନିଟ ପାଇଁ ସହାୟତା ମିଳିବ ବୋଲି ରାଜ୍ୟ ସରକାର କହିଛନ୍ତି । ପାନ ଚାଷ ପାଇଁ କିଶାନ କ୍ରେଡିଟ କାର୍ଡ ଜରିଆରେ ମଧ୍ୟ ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ ରାଜ୍ୟରେ ।
ତେବେ ପାନ ପତ୍ର ବ୍ୟବସାୟରେ ଜି.ଏସ୍.ଟି ଲାଗୁ ସଂପର୍କରେ ଜିଏସଟି କମିଶନରଙ୍କୁ ଠାରୁ ମଧ୍ୟ ସ୍ପଷ୍ଟୀକରଣ ମଗାଯାଇଛି l ଏହା ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ ବୋଲି ମଧ୍ୟ ରାଜ୍ୟ ସରକାର କହିଛନ୍ତି । ବଡ କଥା ହେଲା , ପାନ ପତ୍ର ପ୍ରକ୍ରିୟାକରଣ ୟୁନିଟ ଗୁଡିକୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସବ୍ସିଡି ଯୋଗାଇ ଦିଆଯିବ ବୋଲି କହିଛନ୍ତି ରାଜ୍ୟ ସରକାର । ଏଥିପାଇଁ ଆପିକଲ୍ ପକ୍ଷରୁ ଏକ ଡି.ପି.ଆର ମଧ୍ୟ ପ୍ରସ୍ତୁତ କରାଯିବ । ତେବେ ଗଂଜାମ ରେ ପ୍ରସିଦ୍ଧ କିଆ ଫୁଲ ଚାଷୀଙ୍କୁ ମଧ୍ୟ ଏହି ନିଷ୍ପତି ମାଧ୍ୟମରେ ସାହାଯ୍ୟ ଯୋଗାଇ ଦିଆଯିବ l ଏହି ଚାଷୀ ମାନଙ୍କୁ ଜାତୀୟ ଉଦ୍ୟାନ କୃଷି ଅଧୀନରେ ପ୍ରୋତ୍ସାହନ ଦିଆଯିବ ବୋଲି ଜଣାପଡିଛି । ସେହିପରି ଉଦ୍ୟାନ କୃଷି ମିଶନର ସହାୟତା ସହିତ ରାଜ୍ୟ ବଜେଟରୁ ଅତିରିକ୍ତ ସହାୟତା ମଧ୍ୟ ଦିଆଯିବ ଚାଷୀଙ୍କୁ । କିନ୍ତୁ ସରକାରଙ୍କ କହିବା ଅନୁଯାୟୀ କିଆଫୁଲ ଚାଷ ସ୍ଥାନ ଗୁଡିକର scientific mapping କରିବା ପରେ ଏହି ସହାୟତା ଦିଆଯିବ ।
ନିକଟରେ ଅନେକ ଚାଷୀଙ୍କ ଚାଷ କ୍ଷତିଗ୍ରସ୍ତ ହୋଇଥିଲା ଯାହାର ରିପୋର୍ଟ ରହିଛି ଜିଲ୍ଲାପାଳଙ୍କ ପାଖରେ l ସେହି ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗସ୍ତ ହୋଇଥିବା କିଆଫୁଲ ଫସଲ ପାଇଁ ରିପୋର୍ଟକୁ ଭିତ୍ତି କରି ସହାୟତା ଦିଆଯିବ ବୋଲି କୁହାଯାଇଛି । ଏଥିପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସହିତ ମିଳିତ ଭାବେ ଗଞ୍ଜାମ ଜିଲ୍ଲାପାଳ modality ପ୍ରସ୍ତୁତ କରିବେ । ତେବେ ଏହି ନିଷ୍ପତ୍ତି ଅନୁଯାୟୀ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କିଆଫୁଲ ପ୍ରକ୍ରିୟାକରଣ ୟୁନିଟକୁ ମଧ୍ୟ ସାମିଲ କରାଯିବ l କିନ୍ତୁ ଯୋଜନାର ନିୟମାବଳୀ ଅନୁଯାୟୀ ଆବଶ୍ୟକ ପରିବର୍ତ୍ତନ ମଧ୍ୟ କରାଯିବ । ପୂର୍ବରୁ ମଧ୍ୟ ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲାରେ ହେଉଥିବା କିଆଫୁଲ ଚାଷକୁ ଅଧିକ ରୁ ଅଧିକ ପ୍ରୋତ୍ସାହିତ କରିବାକୁ ବୈଷୟିକ ସହାୟତା ଯୋଗାଇ ଦେବା ପାଇଁ OUAT କିମ୍ବା ଅନ୍ୟ କୌଣସି ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନର ସହାୟତା ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।
Share your comments