
Health Benefits of Coconut
ନଡ଼ିଆ ସହିତ ଆମେ ସମସ୍ତେ ପରିଚିତ, କିନ୍ତୁ ଏହାର ଗୁଣ ବିଷୟରେ ଆମେ କେତେ ଜାଣୁ। ଆଜି ଆମେ ନଡ଼ିଆର କେତେକ ବିଶେଷ ଉପାଦେୟତା ବିଷୟରେ ସମ୍ୟକ ସୂଚନା ଦେବା। ନଡ଼ିଆରୁ ପ୍ରସ୍ତୁତ ତେଲକୁ ଆମେ ପ୍ରତିଦିନ ବ୍ୟବହାର କରୁ। ଭାରତର କେରଳ ରାଜ୍ୟରେ ନଡ଼ିଆ ପ୍ରଚୁର ପରିମାଣରେ ଉପଲବ୍ଧ ହୁଏ ଏବଂ ଏହାର ବ୍ୟବହାର ମଧ୍ୟ ପ୍ରଚୁର ପରିମାଣରେ କରାଯାଏ। କେରଳରେ ଖାଇବା ତେଲ ଭାବରେ ନଡ଼ିଆର ତେଲ ବ୍ୟବହାର କରାଯାଏ। ନଡ଼ିଆ ପ୍ରକୃତିର ଏକ ବରଦାନ ସ୍ୱରୂପ। ଏହା ଭଲଗୁଣ ଗୁଡ଼ିକରେ ଭରପୁର। ସେଇଥିପାଇଁ ତ ଏହାର ନାମ ଶ୍ରୀଫଳ। ପୂଜା ପାର୍ବଣ, ହୋମ ଯଜ୍ଞ ଏବଂ ସମସ୍ତ ଶୁଭ କାର୍ଯ୍ୟରେ ନଡ଼ିଆ ଦରକାର ହୁଏ। ନଡ଼ିଆରୁ ପ୍ରସ୍ତୁତ ତେଲ ଆମର ତ୍ୱଚା ଏବଂ କେଶ ପାଇଁ ମହୌଷଧି ଭଳି କାମ କରେ। ନଡ଼ିଆ ତେଲରେ ଭିଟାମିନ ଏବଂ ମିନେରାଲସ ଥିବାରୁ ବୟସର ଦାଗକୁ ଏହା ଦୁରକରେ। କେବେ କେଉଁ ଅତୀତ କାଳରେ ନଡ଼ିଆର ନାମ ଶ୍ରୀ ଫଳ ରଖାଗଲା ତାହା ଆମକୁ ଜଣାନାହିଁ, କିନ୍ତୁ ଆଜି ବିଜ୍ଞାନ ତାହାର ସମସ୍ତ ଗୁଣାବଳୀକୁ ପ୍ରକାଶ କରୁଛି। ଆଜି ଏହା ନିଶ୍ଚିତ ଭାବରେ ସ୍ୱୀକାର କରିବାକୁ ପଡି଼ବ ଯେ ଏହି “ଶ୍ରୀଫଳ” ନାମଟିର ଯଥାର୍ଥ ରହିଛି। ଆଜି ଆମେ ଶ୍ରୀଫଳର କିଛି ସୁଗୁଣ ଆଲୋଚନା କରିବା। ନଡ଼ିଆରେ ଆଣ୍ଟିବାକ୍ଟେରିଆଲ, ଆଣ୍ଟିଫଙ୍ଗାଲ ଏବଂ ଆଣ୍ଟିସେପ୍ଟିକ ଗୁଣ ଭରପୁର ହୋଇ ରହିଛି। ଏହି କାରଣରୁ ନଡ଼ିଆକୁ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ଉପଚାରରେ ବହୁଳ ଭାବରେ ବ୍ୟବହାର କରାଯାଏ। ବିଭିନ୍ନ ପ୍ରକାରର ପୋଷକତତ୍ତ୍ୱ ନଡ଼ିଆରେ ରହିଛି । ନଡ଼ିଆ ତେଲରେ ପ୍ରାକୃତିକ ପ୍ରୋଟିନ ରହିଥିବାରୁ ଏହା ଆମର କେଶ ପାଇଁ ବହୁତ ଉପାଦେୟ ଅଟେ। ନଡ଼ିଆ ତେଲ ଆମର କେଶକୁ ପୋଷଣ ଯୋଗାଏ ଏବଂ କେଶକୁ ଦୃଢ଼ କରେ। ନଡ଼ିଆ ତେଲର ବ୍ୟବହାର କେବଳ ଏତିକିରେ ସୀମିତ ନୁହେଁ, ଏହାକୁ ଆମେ ବିଭିନ୍ନ ଭାବରେ ବ୍ୟବହାର କରିପାରିବା। ଆମେ ଆଜି ଆମର କେଶ ନିମନ୍ତେ ବିଜ୍ଞାପନର ଅନ୍ଧ ମୋହରେ ପଡ଼ି ବଜାରରୁ କେତେ କଣ କ୍ଷତିକାରକ ରାସାୟନିକ ସାମଗ୍ରୀ କିଣୁଛେ। କିନ୍ତୁ ନିୟମିତ ଭାବରେ ନଡ଼ିଆ ତେଲ ବ୍ୟବହାର କରନ୍ତୁ ଏବଂ ଏହାର ଯାଦୁକରୀ ଫଳାଫଳ ପାଆନ୍ତୁ। ନଡ଼ିଆ ତେଲ କେଶ ପାଇଁ ପ୍ରାକୃତିକ କଣ୍ଡିସନର ଭଳି କାର୍ଯ୍ୟ କରେ।
ଶୀତ ଋତୁରେ ଆମର ସମସ୍ତଙ୍କର ଦେହ, ହାତ, ଗୋଡ଼, ମୁହଁ ଚିଡ଼ି ଚିଡ଼ା ହୋଇଥାଏ, ତ୍ୱଚା ରୁକ୍ଷ ହୋଇଥାଏ।ଏ ସବୁର ସମାଧାନ ନଡ଼ିଆ ତେଲରେ ରହିଛି । ଆମର ଶରୀରର ମାଲିସ ନିମନ୍ତେ ଆମେ ନଡ଼ିଆ ତେଲକୁ ବ୍ୟବହାର କରି ପାରିବ। ରାତିରେ ଶୋଇବା ପୂର୍ବରୁ ନିୟମିତ ଭାବରେ ନିଜ ଦେହରେ ଆପଣ ନଡ଼ିଆ ତେଲ ମାଲିସ କରି ଶୁଅନ୍ତୁ। ଏହା ଦ୍ୱାରା ଆପଣଙ୍କର ମାଂସପେଶୀ ସୁସ୍ଥ ରହିବ ଏବଂ ଆପଣଙ୍କର ତ୍ୱଚାରେ ଚମକ ଫେରି ଆସିବ।
ଆପଣଙ୍କର ଆଖିର ମେକ୍ଅପ୍କୁ ଛଡ଼ାଇବା ନିମନ୍ତେ ଗୋଟିଏ ତୁଳାରେ ଟିକେ ନଡ଼ିଆ ତେଲ ନିଅନ୍ତୁ ଏବଂ ଧୀରେ ଧୀରେ ଲଗାଇ ମେକ୍ଅପ୍ ଛଡ଼ାଇ ଦିଅନ୍ତୁ। ଆପଣଙ୍କୁ ଏହା ନୂଆ ଲାଗିପାରେ ଯେ ନଡ଼ିଆ ତେଲକୁ ପାଟି ଭିତରକୁ ସୁସ୍ଥ ରଖିବାକୁ ବ୍ୟବହାର କରାଯାଏ। ଏହା ଦ୍ୱାରା ମାଢି ଏବଂ ଦାନ୍ତର ସଂକ୍ରମଣକୁ ଦୁର କରାଯାଇ ପାରେ। ପ୍ରତିଦିନ କିଛି ନଡ଼ିଆ ତେଲକୁ ପାଟିରେ କୁଳି କରିଲା ପରି କରନ୍ତୁ ଏହା ଦ୍ୱାରା ଆପଣଙ୍କର ଦାନ୍ତ ଧଳା ଚକ୍ଚକ୍ କରିବ ଏବଂ ଦାନ୍ତର ହଳଦିଆ ରଙ୍ଗ ଦୂର ହୋଇଯିବ। ଯଦି ଆପଣଙ୍କର ଗୋଇଠି ଫାଟୁଛି କିମ୍ବା କହୁଣୀର ଚର୍ମ ଶୁଷ୍କ ରହୁଛି ତେବେ ନିୟମିତ ଭାବରେ ନଡ଼ିଆ ତେଲ ଲଗାନ୍ତୁ ଆପଣ ଏହାର ସୁଫଳ ପାଇପାରିବେ। କିଛି ଲୋକମାନଙ୍କ କ୍ଷେତ୍ରରେ ଦେଖାଯାଏ ଯେ ସେମାନଙ୍କର ମୁହଁରେ ଭାଙ୍ଗ ପଡିଯାଇଥାଏ, ତ୍ୱଚା କୁଞ୍ଚିତ ହୋଇଯାଇଥାଏ। ଯଦି ଆପଣଙ୍କର ଚେହେରାରେ ବୟସର ଦାଗ ଦେଖାଯାଉଛି ତେବେ ଶୋଇବା ପୂର୍ବରୁ ନିୟମିତ ଭାବରେ ନଡ଼ିଆ ତେଲ ଲଗାନ୍ତୁ। ଏହା ନିଶ୍ଚିତ ଭାବରେ ଆପଣଙ୍କୁ ସୁଫଳ ପ୍ରଦାନ କରିବ। ସାଧାରଣତଃ ଶୀତ ଦିନରେ ଓଠ ଫାଟେ। ଓଠ ଶୁଖିଲା ରହୁଥିବାରୁ ଓଠ ଫଟିଥାଏ। ଓଠରେ ନଡ଼ିଆ ତେଲ ଲଗାଇଲେ ଓଠ ଓଦାଳିଆ ରହେ ଏବଂ ନରମ ରହେ। ଚର୍ମରୋଗ ଗୁଡ଼ିକର ଉପଚାରରେ ନଡ଼ିଆ ତେଲ ବହୁତ ଫଳପ୍ରଦ ଅଟେ। କିଛି ଲୋକଙ୍କ ଶରୀରରେ ଶିର ଗୁଡ଼ିକ କୁଞ୍ଚିତ ହୋଇଥିବାର ଦେଖାଯାଏ। ନଡ଼ିଆ ତେଲ ନିୟମିତ ଭାବରେ ସେହି ସ୍ଥାନରେ ମାଲିସ କରିଲେ ଧୀରେ ଧୀରେ ଏହି ସମସ୍ୟାର ସମାଧାନ ହୋଇଥାଏ। ନଡ଼ିଆ ତେଲର ଏତେ ସବୁ ସୁଗୁଣ ଆଲୋଚନା କରିବ ପରେ ଗୋଟିଏ କଥା ମନକୁ ଆସୁଛି ଯେ, ନଡ଼ିଆର ତେଲ ଅସଲି ହୋଇଥିବା ଆବଶ୍ୟକ। ତାହା ହେଲେ ଆମେ ଆମର ଇପ୍ସିତ ସୁଫଳ ପାଇପାରିବା।
Share your comments