ଜୈବିକ କୃଷି ସମ୍ପର୍କରେ ସବିଶେଷ ଆଲୋଚନା କରିବାକୁ ହେଲେ ଆମକୁ କେଇ ଦଶନ୍ଧି ପଛକୁ ଫେରିବାକୁ ପଡ଼ିବ l କୃଷି କାର୍ଯ୍ୟରେ ଉନ୍ନତ ଶଙ୍କର ଜାତୀୟ ବିହନ, କୃଷି ଯନ୍ତ୍ରପାତି, ଜଳସେଚନର ଉପଯୋଗ ବୃଦ୍ଧି ପାଇଛି l କୃଷିକ୍ଷେତ୍ରରେ ସବୁଜ ବିପ୍ଳବର ସଫଳ ରୂପାୟନ ହୋଇଛି, କିନ୍ତୁ ଏହା ସମସ୍ତଙ୍କ ଆଗରେ ରଖିଦେଇଗଲା ଏହାର ଏକ ବିକଟାଳ ଚିତ୍ର l ଆଜିର ବଜାରରେ ମିଳୁଥିବା ପନିପରିବା ଖାଇ ଲୋକମାନେ ଦିନକୁ ଦିନ ରୋଗାକ୍ରାନ୍ତ ହେଉଛନ୍ତି l ଏହାର ଏକ ମାତ୍ର କାରଣ ହେଉଛି ଅଧିକ ପରିମାଣର ସାର, ଔଷଧ ପ୍ରୟୋଗ l ଲୋକମାନେ ବର୍ତ୍ତମାନ କାମ କୀଟନାଶକ ବ୍ୟବହାର ହେଉଥିବା ପନିପରିବା ବ୍ୟବହାର କରିବାକୁ ମନ ବଳାଉଛନ୍ତି l ସେଇଥିପାଇଁ ଜୈବିକ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି l
ଜୈବିକ କୃଷିରେ ଜୈବିକ ଉପାୟରେ ମିଳୁଥିବା ଖତ ସାରକୁ ଅଧିକ ପ୍ରୟୋଗ କରାଯାଏ, ଯେମିତିକି ଗୋବର ଖତ, କମ୍ପୋଷ୍ଟ ଖତ, ସବୁଜ ସାର, ହାଡ଼ ପିଡ଼ିଆ ଇତ୍ୟାଦି l ଜୈବିକ କୃଷିକୁ କେବଳ ଭାରତ ଆପଣାଉଛି ତାହା ନୁହେଁ ବିଶ୍ୱର ଅଧିକାଂଶ ଦେଶ ବର୍ତ୍ତମାନ ଜୈବିକ କୃଷି ପଦ୍ଧତିକୁ ଆପଣାଉଛନ୍ତି l ଭବିଷ୍ୟତରେ କୃଷି କହିଲେ କେବଳ ଜୈବିକ କୃଷିକୁ ବୁଝାଇବ ବୋଲି ଏକ ଆକଳନ କରାଯାଉଛି l ଏହି ପଦ୍ଧତିରେ ଫସଲ ଚକ୍ର, ମିଶ୍ର ଫସଲ ପ୍ରଣାଳୀକୁ ପ୍ରୟୋଗ କରାଯାଏ l କୃଷି କ୍ଷେତ୍ରରେ କୀଟ ପରିଚାଳନା କରିବା ପାଇଁ କୀଟନାଶକ ବ୍ୟବହାର କରିବା ପରିବର୍ତ୍ତେ ଶିକାରୀ ପୋକ ପାଳନ କରାଯାଏ l ଏହାକୁ ସମନ୍ବିତ କୀଟ ପରିଚାଳନା କୁହାଯାଏ l ଏହା ଫଳରେ କୃଷିକାର୍ଯ୍ୟ ଧୀରେ ଧୀରେ ପରିବେଶ ଉପଯୋଗୀ ହୋଇପାରିବ ଏବଂ ଜୀବଜଗତ ନିମନ୍ତେ ବ୍ୟାପକ ଭାବରେ ଅନୁକୂଳ ହେବ l ବିଶିଷ୍ଟ କୃଷି ବୈଜ୍ଞାନିକ ସାର ଆଲବର୍ଟ ହାୱାର୍ଡ ତାଙ୍କର ରଚିତ ପୁସ୍ତକ An Agricultural Testamentରେ ଜୈବିକ କୃଷି ଉପରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଛନ୍ତି l
ଜୈବିକ କୃଷିକୁ ଭାରତୀୟ କୃଷକମାନେ ଧୀରେ ଧୀରେ ଅବଲମ୍ବନ କରୁଛନ୍ତି l ତୁଳନାତ୍ମକ ଭାବରେ ଏହି ପ୍ରକ୍ରିୟାରେ ସ୍ୱଳ୍ପ ଖର୍ଚ୍ଚ କରିବାକୁ ହୋଇଥାଏ l ଏହି କୃଷି ପଦ୍ଧତିକୁ ଅବଲମ୍ବନ କରି ଭାରତର କୃଷକମାନେ ଅଳ୍ପ ଖର୍ଚ୍ଚରେ ଅଧିକ ଲାଭ ଅର୍ଜନ କରିପାରୁଛନ୍ତି l ଜୈବିକ କୃଷି ଦ୍ୱାରା ଅଧିକ ଅମଳ ମିଳିବ ସଙ୍ଗେ ସଙ୍ଗେ ଉତ୍ତମ ମାନର ଖାଦ୍ୟ ଉତ୍ପାଦନ ହୋଇଥାଏ l ଆଧୁନିକ ସମୟରେ ଜୈବିକ କୃଷିଜାତ ସାମଗ୍ରୀଗୁଡ଼ିକ ନିମନ୍ତେ ବଜାର ସୃଷ୍ଟି କରିବା ପାଇଁ କେତେକ ପୋର୍ଟାଲ ଏବଂ ୱେବସାଇଟ ମଧ୍ୟ କାମ କରୁଛନ୍ତି l ଜୈବିକ କୃଷିରୁ ଆମେ ମଣିଷମାନେ ଯେତିକି ପରିମାଣରେ ଲାଭ ପାଉଛେ, ତାହା ଠାରୁ ବହୁତ ଅଧିକ ଗୁଣରେ ଆମର ପରିବେଶ ଲାଭ ପାଉଛି l ଏହା ଦ୍ୱାରା ମୃତ୍ତିକା, ଜଳ ଭଳି ପ୍ରାକୃତିକ ପରିସଂସ୍ଥାଗୁଡ଼ିକ ସୁଦୃଢ଼ ହୋଇପାରୁଛି l ଜୈବିକ କୃଷିକୁ ଆହୁରି ଆଗକୁ ନେଇଯିବା ପାଇଁ ଆହୁରି ଗବେଷଣା ଚାଲୁ ରହିଛି l
Share your comments