ଅନେକ ଲୋକ ପ୍ରକୃତି ସହ ସମୟ ବିତାଇବା ପାଇଁ ପସନ୍ଦ କରନ୍ତି । ଏହା କେବଳ ମନକୁ ଆନନ୍ଦ ଦେଇନଥାଏ, ବରଂ ବହୁ ସ୍ୱାସ୍ଥ୍ୟ ସମସ୍ୟାର ମଧ୍ୟ ନିରାକରଣ କରିଥାଏ । ସେହିପରି ‘ଫରେଷ୍ଟ ଥେରାପି’ ଏପରି ଏକ ଚିକିତ୍ସା, ଯାହା ମଣିଷର ଉଭୟ ମସ୍ତିଷ୍କ ଓ ଶରୀର ପାଇଁ ଖୁବ୍ ଉପକାରୀ ।
ଶୁଣିଲେ ହୁଏତ ଆପଣ ଆଶ୍ଚର୍ଯ୍ୟ ହେଉଥିବେ କିନ୍ତୁ ଏହା ଜାପାନର ଲୋକଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ଏକ ବିଶେଷ ପ୍ରଣାଳୀ । ଏହାକୁ ଜାପାନୀ ଭାଷାରେ ଶିଣ୍ରିଂ -ୟୋକୁ‘Shinrin-Yoku’ ମଧ୍ୟ କୁହାଯାଏ । ଯାହାର ଅର୍ଥ ଜଙ୍ଗଲୀ ସ୍ନାନ ।
ପ୍ରକୃତରେ ଏହା ଶରୀର ସୁସ୍ଥ ଓ ମନ ପ୍ରଫୁଲୀତା ରଖିବାର ଏକ ବିଶେଷ ପ୍ରଣାଳୀ । ଯେଉଁ ଲୋକମାନେ ଅଧିକାଂଶ ସମୟ ଚିନ୍ତାଗ୍ରସ୍ତ ରହିଥାନ୍ତି, ‘ଫରେଷ୍ଟ୍ ଥେରାପି’ ସେମାନଙ୍କ ପାଇଁ ଖୁବ୍ ଉପାଦେୟ । ଏହା ପ୍ରଥମେ ଜାପାନରେ ଆରମ୍ଭ ହୋଇଥିଲା ।
ବର୍ତ୍ତମାନ ଚଳଚଞ୍ଚଳ ସମୟରେ ମନୁଷ୍ୟ ପ୍ରକୃତି ଠାରୁ ବେଶ ଦୁରେଇ ସାରିଲାଣି ତେଣୁ ଶରୀରରେ ନାନା ବ୍ୟାଧି ,ମନରେ ଅଶାନ୍ତି ଏବଂ ଜୀବନର କ୍ଳେଶ ବହୁ ମାତ୍ରରେ ବଢି ଯାଇଛି । ଏହି ପରି ପ୍ରଣାଳୀ ଦ୍ୱାରା ଏହି ସମସ୍ତ ନକାରତ୍ମକ ଶକ୍ତିକୁ ଜୀବନରୁ ଦୁରେଇ ହେବ ବୋଲି ଜାପାନୀ ମାନେ ବିଶ୍ୱାସ କରନ୍ତି ।‘ଫରେଷ୍ଟ୍ ଥେରାପି’ ପାଇଁ ଆପଣଙ୍କୁ ଜଙ୍ଗଲକୁ ଯିବାକୁ ପଡ଼ିବ । ଏହି ଥେରାପିର ଉଦ୍ଦେଶ୍ୟ ହେଉଛି, ଲୋକଙ୍କୁ ପ୍ରାକୃତିକ ପରିବେଶ ପ୍ରତି ଆକୃଷ୍ଟ କରିବା । ଜଙ୍ଗଲର ପ୍ରାକୃତିକ ପରିବେଶ, ଧ୍ୱନି ଏବଂ ଗନ୍ଧ ଆପଣଙ୍କ ମସ୍ତିଷ୍କକୁ ଅନୁମାନ କରିବା, ମନେ ପକାଇବା ଓ ଚିନ୍ତା କରିବା ଆଦି ବନ୍ଦ କରିବାରେ ସହାୟକ ହୋଇଥାଏ ।
ଜଙ୍ଗଲରେ ଥିବା ଧ୍ୱନିକୁ ଶୁଣିଲେ ବ୍ୟକ୍ତି ଶାନ୍ତି ଅନୁଭବ କରିଥାନ୍ତି । ଏହା କେବଳ ମସ୍ତିଷ୍କ ନୁହେଁ, ଶରୀରକୁ ମଧ୍ୟ ଆରାମ ଦେଇଥାଏ । ‘ଫରେଷ୍ଟ୍ ଥେରାପି’ ମସ୍ତିଷ୍କରେ ଚିନ୍ତା କରିବାର ହର୍ମୋନ୍କୁ କମ୍ କରିବାରେ ସାହାଯ୍ୟ କରେ । ଏହା ସହ ଏହି ଥେରାପି ଦ୍ୱାରା ଶରୀରର ରକ୍ତଚାପ ଏବଂ ଆଡିପନେକ୍ଟିନ୍ ଗ୍ଲୁକୋଜ୍ ହର୍ମୋନ୍ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ । କେବଳ ଏତିକି ନୁହେଁ, ଏହା ରକ୍ତରେ ସୁଗାର୍ର ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଜଙ୍ଗଲରେ ଗାଧେଇବା ଦ୍ୱାରା ସକାରାତ୍ମକ ଭାବନାର ବୃଦ୍ଧି ହେବା ସହ ନକାରାତ୍ମକ ଭାବନା ହ୍ରାସ ହୁଏ । ଏହାଦ୍ୱାରା ଚିନ୍ତା, ଅବସାଦ ଏବଂ ଡିପ୍ରେସନ୍ରୁ ମୁକ୍ତି ମିଳିଥାଏ ।
Share your comments