ଭୂଇଁନିମ୍ବର କଥା ଆଲୋଚନା କରିବା ସମୟରେ ମନକୁ ଗୋଟିଏ ପୁରୁଣା କଥା ଆପେ ଆପେ ଚାଲି ଆସେ l କଥାରେ ଅଛି 'ରୁଚୁ ନ ରୁଚୁ ଖାଅ ପିତା', ଅର୍ଥାତ ସ୍ଵାଦରେ ପିତା ହୋଇଥିବା ଜିନିଷରେ ମଧ୍ୟ ଶରୀର ଉପଯୋଗୀ ଗୁଣ ଭରି ରହିଥାଏ l ଭୂଇଁନିମ୍ବର ସ୍ୱାଦ ପାଟିକୁ ଅତ୍ୟନ୍ତ ପିତା ଅଟେ, କିନ୍ତୁ ଏହାର ଔଷଧୀୟ ଗୁଣ ଅନେକ l ଏହା ଆମର ବାଡ଼ି ବଗିଚାରେ ଅନାବନା ଭାବରେ ବଢିଥାଏ କିନ୍ତୁ ଆମେ ଏହାର ବ୍ୟବସାୟଭିତିକ ଚାଷ ଉପରେ କେବେ ଚିନ୍ତା କରି ନଥାଉ l ଆୟୁର୍ବେଦିକ ଔଷଧ ପ୍ରସ୍ତୁତିରେ ଦିନକୁ ଦିନ ଏହାର ଚାହିଦା ବଢୁଛି l ଏହାକୁ ବ୍ୟବସାୟିକ ଭିତିରେ ଚାଷ କରି ଜଣେ ବ୍ୟକ୍ତି ଲାଭବାନ ହୋଇପାରିବେ l ଆସନ୍ତୁ ଆଜି ଆମେ ଏହି ଭୂଇଁନିମ୍ବ ଚାଷ ବିଷୟରେ ସବିଶେଷ ଆଲୋଚନା କରିବା l
ଭୂଇଁନିମ୍ବ ଭାରତୀୟ ଜଳବାୟୁରେ ପ୍ରାକୃତିକ ଭାବରେ ଦେଖାଯାଉଥିବା ଏକ ଦରକାରୀ ଔଷଧୀୟ ଗୁଳ୍ମ । ଭାରତୀୟ ମୁନିଋଷି ଓ ଆୟୁର୍ବେଦ ଚିକିତ୍ସକମାନେ ଏହାର ମହତ୍ଵପୂର୍ଣ୍ଣ ଔଷଧୀୟ ଗୁଣ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛନ୍ତି । ଆୟୁର୍ବେଦୀୟ ଚିକିତ୍ସାରେ ଏହାକୁ ମୁଖ୍ୟତଃ ଯକୃତ ସମ୍ବନ୍ଧୀୟ ରୋଗ , କୃମିରୋଗ , ରକ୍ତହୀନତା , ଜ୍ଵର ଓ ପେଟ ରୋଗରେ ବ୍ୟବହାର କରାଯାଏ । ସାଧାରଣ ଜନତାଙ୍କ ମଧ୍ୟରେ ଦେଶୀୟ ଚିକିତ୍ସାରେ ମଧ୍ୟ ବହୁ ପ୍ରାଚୀନ କାଳରୁ ବ୍ୟବହୃତ ହୋଇଆସୁଛି । ଆଧୁନିକ ଚିକିତ୍ସାରେ ଯକୃତ ସମ୍ବନ୍ଧୀୟ ରୋଗର ଉପଚାର କ୍ଷେତ୍ରରେ ଏହାର ବହୁଳ ଉପଯୋଗୀତା ଦୃଷ୍ଟିରୁ ଏହାର ଚାହିଦା କ୍ରମାଗତ ଭାବରେ ବୃଦ୍ଧି ପାଉଛି । ତେଣୁ ଏହାକୁ ବ୍ୟବସାୟିକ ଭିତ୍ତିରେ ଚାଷ କରାଗଲେ ଚାଷୀମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିବାରେ ଏହା ନିଶ୍ଚିତ ଭାବରେ ସହାୟକ ହୋଇପାରିବ ।
ଭୂଇଁନିମ୍ବ ୩୦ ରୁ ୯୦ ସେମି ଉଚ୍ଚତା ବିଶିଷ୍ଟ ଏକବର୍ଷୀୟ ତୃଣ ଜାତୀୟ ଉଦ୍ଭିଦ । ଏହାର ପତ୍ରର ଲମ୍ବ ୭.୫ ସେମି ଏବଂ ଓସାର ୨.୫ ସେମି । ଏଥିରେ ଧଳାରଙ୍ଗର ଫୁଲ ଫୁଟିଥାଏ ଏବଂ ଫୁଲର ପାଖୁଡାରେ ବାଇଗଣି ରଙ୍ଗର ଦାଗ ପଡିଥାଏ । ଫଳଗୁଡିକ, ଲମ୍ବା କୃତି ପାଚିଗଲେ ଶୁଖି ଫାଟିଯାଏ । ଏଥିରେ କ୍ଷୁଦ୍ରାକୃତି ହଳଦିଆ ବର୍ଣ୍ଣର ମଞ୍ଜି ଥାଏ ।
ଭୂଇଁନିମ୍ବ ଭାରତର ଦକ୍ଷିଣ- ପୂର୍ବ, ରାଜ୍ୟ ସମୂହ ଯଥା- ପଶ୍ଚିମବଙ୍ଗ, ଓଡିଶା, ବିହାର, ଝାଡଖଣ୍ଡ, ଆସାମ, କେରଳ, କର୍ଣ୍ଣାଟକରେ ପ୍ରାକୃତିକ ରୂପେ ଜଙ୍ଗଲ ଓ ବାଡିବଗିଚାରେ ଉତ୍ପନ୍ନ ହୋଇଥାଏ । ଏହା ବ୍ୟତୀତ ଉତ୍ତରପ୍ରଦେଶର ଜଙ୍ଗଲମାନଙ୍କରେ ମଧ୍ୟ ଏହା ପ୍ରାକୃତିକ ରୂପରେ ପ୍ରଚୁର ପରିମାଣରେ ମିଳିଥାଏ । ବର୍ତ୍ତମାନ ଏହାକୁ ପ୍ରାୟ ଭାରତର ସମସ୍ତ ଅଞ୍ଚଳରେ ବ୍ୟବସାୟିକ ଭିତ୍ତିରେ ଚାଷ କରିବା ପାଇଁ ପ୍ରଯତ୍ନ କରାଯାଉଛି । ଭୂଇଁନିମ୍ବ ଗଛର ପତ୍ର ଏବଂ କାଣ୍ଡରେ ଆଣ୍ଡ୍ରୋଗ୍ରାଫୋଲାଇଡ ୨ରୁ ୨.୫ ପ୍ରତିଶତ ମାତ୍ରାରେ ଏହାଏ । ଏହା ବ୍ୟତିତ, ଏହିଗଛରେ ଫ୍ଲେବନାଇଡସ , ଫିନାଇଲପ୍ରୋ ପେଟାଇଡସ ଥାଏ ଏହିସବୁ କ୍ଷାରାଭ ତତ୍ତ୍ଵ ଯୋଗୁଁ ଏହାର ଔଷଧୀୟ ଗୁଣ ଶୀର୍ଷରେ ଥାଏ ।
ଭୂଇଁନିମ୍ବ କରିବା ପାଇଁ ଉଷ୍ମ କଟିବନ୍ଧୀୟ ଜଳବାଯୁ ଉପଯୁକ୍ତ । ତେଣୁ ଭାରତ ଏକ ଗ୍ରୀଷ୍ମପ୍ରଧାନ ଦେଶ ହୋଇଥିବାରୁ ଏହାକୁ ଭାରତର ଶୁଷ୍କ ପ୍ରଦେଶମାନଙ୍କରେ ଚାଷ କରାଯାଇପାରିବ । ଏହାଛଡା, ଏହା ନରମ ହାଲୁକା ମାଟି ବିଶେଷତଃ ବାଲିଆ ଦୋରସା ମାଟିରେ ଛାଇ ଜାଗାରେ ଭଲ ବଢିପାରେ । ଏଥିପାଇଁ ମାଟିର ପି.ଏଚ. ୬.୫ ରୁ ୮.୫ ହୋଇଥିବା ଦରକାର । ଭୂଇଁନିମ୍ବ ଚାଷ କରିବା ପାଇଁ ପ୍ରଥମେ ଜମିକୁ ଭଲଭାବରେ ଗଭୀର ଧାଡ଼ି ଓ ସିଧା ଚାଷ କରାଯାଇ ମାଟି ଗୁଣ୍ଡକରି ସମତଳ କରାଯିବା ଆବଶ୍ୟକ । ଏକର ପ୍ରତି ୫ ଟନ ଗୋବର ଖତ ମିଶାଇ ପୁଣି ତା ଉପରେ ମଇ ଦେବା ଆବଶ୍ୟକ । ବର୍ଷାଋତୁରେ ୧-୧ ଫୁଟ ବ୍ୟବଧାନରେ ଚାରା ଗଛକୁ ରୋପଣ କରାଯାଏ । ଏକ ଏକରରେ ୩୦ରୁ ୩୫୦୦୦ ଚାରା ରୋପଣ କରାଯାଇପାରିବ । ରୋପଣ କରିବାର ୨୦-୨୫ ଦିନ ମଧ୍ୟରେ ପ୍ରଥମ ଘାସ ବଛା ଓ ୪୦ ଦିନ ପରେ ଦ୍ଵିତୀୟ ଘାସ ବଛାବଛି କରିବା ଦରକାର । ଗଛ ଲଗାଇବା ପୂର୍ବରୁ ଜମିରେ ଘାସମରା ଔଷଧ ପ୍ରାୟଗ କରାଗଲେ ଏହା ଫଳପ୍ରଦ ହେବ । ବର୍ଷା ଋତୁରେ ରୋପଣ ଫସଲ ହେତୁ ଏହାର ଜଳସେଚନର ଅବଶ୍ୟକତା ନାହିଁ । କିନ୍ତୁ ଯଦି ବର୍ଷା ହୁଏ ନାହିଁ ତେବେ ୧୫-୨୦ ଦିନ ବ୍ୟବଧାନରେ ଜଳ ସିଞ୍ଚନ କରାଯିବା ଉଚିତ । ଏହା ଛଡା ଗଛର ଭଲ ଅଭିବୃଦ୍ଧି ପାଇଁ ଗଛ ଲଗାଇବାର ୩୦-୪୦ ଦିନ ମଧ୍ୟରେ ଏକର ପ୍ରତି ୧୨ କିଗ୍ରା ବାଇଓଜାଇମ ଗ୍ରେନୁଲସ ଦିଆଯିବା ଉଚିତ । ଏହି ଗଛ ଅତିରିକ୍ତ ତିକ୍ତ ହୋଇଥିବାର ଏଥିରେ ପ୍ରାୟ ପୋକ ଲାଗନ୍ତି ନାହିଁ ।
ଚାରା ରୋପଣର ୬୫ ଦିନ ପରେ ଏଥିରେ ଧଳାରଙ୍ଗର ଫୁଲ ଧରେ ଏବଂ ପ୍ରଥମ ଏହି ଗଛରେ ପତ୍ରାଧିକ୍ୟ ଦେଖାଯାଏ କିନ୍ତୁ ଗଛରେ ଫୁଲ ଫଳ ଧରିବା ପରେ ଉପର ପତ୍ରସବୁ ଝଡିଯାଏ । କେବଳ ଗଛ ତଳ ଅଂଶରେ ପତ୍ର ଥାଏ । ଫୁଲ ଫଳ ଧରିବା ଆରମ୍ଭ ହେଲେ ଗଛଗୁଡିକ ଉପାଡି ଅମଳ କରିବା ଉଚିତ । ଏହାକୁ ସେପ୍ଟେମ୍ବର – ଅକ୍ଟୋବର ମାସରେ ଅମଳ କରାଯାଏ । କିନ୍ତୁ ଯଦି କୃଷକ ମଞ୍ଜି ଅମଳ କରିବାକୁ ଚାହାଁନ୍ତି ତେବେ ଏହାକୁ ଫେବୃୟାରି – ମାର୍ଚ୍ଚରେ ମଞ୍ଜି ପାଚିଲା ପରେ ଅମଳ କରାଯାଏ । କିନ୍ତୁ ଏଥିରେ କମ ପରିମାଣର ଅମଳ ମିଳିଥାଏ । ସେପ୍ଟେମ୍ବର – ଅକ୍ଟୋବର ମାସରେ ଅମଳ କରିଲେ ଏକର ପ୍ରତି ୧୦ କ୍ଵିଣ୍ଟାଲ ଶୁଖିଲା ଭୂଇଁନିମ୍ଵ ମିଳିପାରିବ କିନ୍ତୁ ମାର୍ଚ୍ଚରେ ଅମଳ କରିଲେ ୮.୫ କ୍ଵିଣ୍ଟାଲ ଭୂଇଁନିମ୍ଵ ଏବଂ ୨୦ କିଗ୍ରା ମଞ୍ଜି ମିଳିପାରିବ । ଜମିରେ ଜଳସେଚନ କଲେ କଟା ଯାଇଥିବା ଗଛର ଚେରରୁ ପୁଣି ନୂତନ ଶାଖା ବାହାରିଥାଏ ଓ ୫୦ -୬୦ ଦିନ ମଧ୍ୟରେ ଫୁଲ ଫଳ ଧରିଥାଏ । ଏହି ଅବସ୍ଥାରେ ଗଛକୁ ଉପାଡି ମାର୍ଚ୍ଚ ମାସରେ ଅମଳ କରାଯାଏ । ଏହିପରି କୃଷକ ୧ ବର୍ଷରେ ୨ ଥର ଫସଲ ଅମଳ କରିପାରିବ ଓ ଫଳରେ (୧୫ କ୍ଵିଣ୍ଟାଲ ଫସଲ ) ପ୍ରତି ଏକର ପିଛା ପାଇପାରିବେ ।
Share your comments