1. ଉଦ୍ୟାନ କୃଷି

ଫଣୀ ବାତ୍ୟା ରେ ନଡ଼ିଆ ଗଛ କ୍ଷତିଗ୍ରସ୍ତ ହୋଇଛି କି ?

ଫଣୀ ବାତ୍ୟା ରେ ନଡ଼ିଆ ଗଛ କ୍ଷତିଗ୍ରସ୍ତ ହୋଇଛି କି ?

KJ Staff
KJ Staff

କେତୋଟି ପରାମର୍ଶ
(୧) ମୂଳରୁ ଉପୁଡି ପଡିଥିବା ଓ ଆଗ ଭାଙ୍ଗିଥିବା ଗଛ ଗୁଡିକୁ ଜମି ବା ବଗିଚାର ସ୍ୱଚ୍ଛତା ଦୃଷ୍ଟିରୁ ବାହାର କରିଦେବା ଆବଶ୍ୟକ | ଯଦି ପଡି ଯାଇଥିବା ଗଣ୍ଡି ବା ଡାଳ ଗୁଡିକ ବଗିଚାରେ ରହିବ ତେବେ ଗଣ୍ଡା ପୋକ ଭଳି ଶତ୍ରୁ ପୋକ ଗୁଡିକର ବଂଶ ବିସ୍ତାର ପାଇଁ ସହାୟକ ହେବ | ତେଣୁ ଏହାକୁ ତୁରନ୍ତ ସଫା କରିବା ଆବଶ୍ୟକ |


(୨) ନଇଁ ପଡିଥିବା ଫଳନ୍ତି ଗଛ ଗୁଡିକୁ ଅଧିକ ପ୍ରଭାବିତ ନ କରିବା ଭଲ | ବାତ୍ୟା ଦ୍ୱାରା କ୍ଷତି ପାଇଥିବା ପରିମାଣକୁ ଦୃଷ୍ଟିରେ ରଖି ମୂଳ ଆଡୁ ମାଟି ଘୋଡାଇ ଏହାକୁ ଶକ୍ତ କରିବା ବାଞ୍ଛନିୟ | ୬ରୁ ୮ ବର୍ଷର କମ ବୟସର ଗଛ ଗୁଡିକୁ ପୁଣି ଟାଣି ସିଧା କରାଯାଇ ମୂଳରେ ମାଟି ପିନ୍ଧାଇ ପାରିଲେ ଗଛ ସୁରକ୍ଷିତ ରହି ପାରିବ|


(୩) ପବନରେ ମୋଡି ହେଇଥିବା କନ୍ଦ ବରଡ଼ା ଓ ଏହାର ଚାରିପଟ ବରଡ଼ାକୁ ମୋଡ ଅଂଶ ଠାରୁ ୬ ଇଂଚ ତଳକୁ କାଟିଦେବା ଦରକାର | ଏଥିରେ କପର ଅକ୍ସିକ୍ଲୋରାଇଡ ୦.୩% (ଲିଟରକୁ ୩ ଗ୍ରାମ) କିମ୍ବା ବୋଡେ଼କ୍ସ ମିକ୍ସଚର ୧% ପ୍ରୟୋଗ କଲେ କନ୍ଦ ସଢା ରୋଗର ଆଶଙ୍କା ରୁହେ ନାହିଁ | ତେବେ ନଇଁ ଥିବା ଗଛର ଅଗ୍ର ଭାଗକୁ ଚଢ଼ିବାର ଅସୁବିଧା ଥିଲେ ଶକ୍ତିଶାଳୀ ସ୍ପ୍ରେୟର ସାହାଯ୍ୟରେ ସ୍ପ୍ରେ କରାଯାଇପାରିବ|

(୪) ଅଧିକ ବୃଷ୍ଟିପାତ ହୋଇଥିବା ଅଂଚଳରେ ନଡ଼ିଆ ଗଛରେ କପର ଅକ୍ସିକ୍ଲୋରାଇଡ ୦.୩% ଯଥାଶୀଘ୍ର ପ୍ରୟୋଗ କରିବା ନିତ୍ୟାନ୍ତ ଆବଶ୍ୟକ|

ନିକଟ ଭବିଷ୍ୟତରେ ଆବଶ୍ୟକ ହେଉଥିବା ଯତ୍ନ ସମ୍ପର୍କରେ ପରାମର୍ଶ
(୧) ବାତ୍ୟା ସମୟରେ ନଡ଼ିଆ ଗଛ ଗୁଡିକ ଅତ୍ୟଧିକ ପ୍ରତିକୂଳ ଅବସ୍ଥା ସଂସ୍ପର୍ଶରେ ଆସିଥିବାରୁ ଗଛ ଗୁଡିକୁ ପ୍ରାକୃତିକ ଅବସ୍ଥାକୁ ଶୀଘ୍ର ଫେରାଇବା ପାଇଁ ସାର ଓ ଅଣୁସାର ପ୍ରୟୋଗର ଆବଶ୍ୟକ ରହିଛି | ଏଥିରେ ଗଛ ପ୍ରତି ୦.୫ କିଗ୍ରା ୟୁରିଆ, ୧ କିଗ୍ରା ସିଙ୍ଗଲ ସୁପର ଫସଫେଟ, ଓ ୧.୫ କିଗ୍ରା ପଟାସ ଦେବା ବାଞ୍ଛନିୟ | ଏଥିପାଇଁ ଗଛ ମୂଳରୁ ୪ ଫୁଟ ବ୍ୟବଧାନରେ ୬ ଇଞ୍ଚ ଗଭୀରର ଏକ ରିଙ୍ଗ ଗାତ ଖୋଳି ସାର ଦେବା ବିଧେୟ | ସାର ପ୍ରୟୋଗ ପରେ ଜଳସେଚନ ନିତ୍ୟାନ୍ତ ଆବଶ୍ୟକ|


(୨) ତେବେ ଜଳସେଚନ ସୁବିଧା ନ ଥିବା ସ୍ଥାନରେ ୨ କିଗ୍ରା ଡି.ଏ.ପି. ସାରକୁ ୧୦ ଲିଟର ପାଣିରେ ମିଶ୍ରଣ କରି ଗଛ ମୂଳରେ (୫ ବର୍ଷରୁ ଅଧିକ ବୟସର ଗଛ) ଦିଆଯାଇପାରେ| ଏହା ଦ୍ୱାରା ଗଛ ଶୀଘ୍ର ସୁସ୍ଥ ହେଇ ଆସେ|


(୩) ସେହିପରି ଗଛ ପିଛା ୧୦୦ ଗ୍ରାମ ବୋରନ କୁ ବୋରାକସ ଭାବରେ ଦେଲେ ମାଟିର ଅଣୁସାର ଗୁଣ ବଢିବା ସଙ୍ଗେ ସଙ୍ଗେ ଉପକାର ମିଳିଥାଏ |

(୪) ମାଟିର ଆର୍ଦ୍ରତାକୁ ଧରି ରଖିବା ପାଇଁ ହେଲେ ଗଛ ମୂଳରୁ ୨ ମିଟର ବ୍ୟବଧାନରେ ୦.୪ ମି. ଗଭୀର ବିଶିଷ୍ଟ ଏକ ରିଙ୍ଗ ଗାତ ଖୋଳନ୍ତୁ ସେହି ଗାତରେ ଗୋଟିଏ ସ୍ତର ନଡ଼ିଆ କତା ଉପରମୁହାଁ କରି ରଖନ୍ତୁ ଓ ତା ଉପରେ ଆଉ ଗୋଟିଏ ସ୍ତର ତଳମୁହାଁ କରି ରଖନ୍ତୁ ଏବଂ ଦୁଇ ସ୍ତରକୁ ମାଟି ଘୋଡାଇ ଦିଅନ୍ତୁ |


(୫) ଗଣ୍ଡା ପୋକ ଆଶଙ୍କାକୁ ଦମନ କରିବା ପାଇଁ ଆଖ ପାଖରେ ପଡିଥିବା ଗଣ୍ଡି ଓ ଅନ୍ୟାନ୍ୟ ଅଂଶକୁ ସଫା କରିଦେବା ଆବଶ୍ୟକ | ଏଥି ସହିତ ୧୫୦ ଗ୍ରାମ ବାଲିରେ ୧୦୦ ଗ୍ରାମ ନିମ ପିଡିଆ ମିଶାଇ ବରଡ଼ା କନ୍ଦିରେ ୪ ମାସରେ ଥରେ ପ୍ରୟୋଗ କଲେ ଗଣ୍ଡାପୋକ ଓ ଅନ୍ୟ ଶତ୍ରୁ କୀଟମାନେ ମୁକୁଟକୁ ଆକ୍ରମଣ କରି ପାରନ୍ତି ନାହିଁ |ଆହୁରି ମଧ୍ୟ ଗଛପ୍ରତି ୧୨ ଗ୍ରାମ ର ନେପୋଥେଲେନ ବଲ ପ୍ରୟୋଗ କଲେ ପୋକ ଆକ୍ରମଣରୁ ରକ୍ଷା ମିଳିଥାଏ |


(୬) ଗଣ୍ଡା ପୋକ ଦାଉରୁ ଗଛକୁ ରକ୍ଷା କରିବା ପାଇଁ ହେକ୍ଟର ପିଛା ଗୋଟିଏ ଫେରମୋନ ଟ୍ରାପ ଲଗାଇଲେ ସୁଫଳ ମିଳିଥାଏ |
(7) ଯଦି ମାଟି ହାଲୁକା ପ୍ରକାରର ହୋଇଥାଏ ତେବେ ନଡ଼ିଆ ଗଛ ଗୁଡିକୁ ଅଳ୍ପ ଗଭୀରରେ ପୋତିବା ଠିକ ନୁହେଁ |

ସୌଜନ୍ୟ
ନାରିକେଳ ଉନ୍ନୟନ ବୋର୍ଡ, ରାଜ୍ୟ କେନ୍ଦ୍ର
ପିତାପଲ୍ଲୀ, ଖୋର୍ଦ୍ଧା, ଓଡିଶା

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments