1. ଉଦ୍ୟାନ କୃଷି

ବ୍ୟବସାୟିକ ଭିତିରେ କରନ୍ତୁ ଡାଳଚିନି ଚାଷ

ଆମର ନିତିଦିନିଆ ମସଲା ମଧ୍ୟରେ ଡାଳଚିନି ଅନ୍ୟତମ l ଡାଳଚିନିକୁ ମସଲା ଭାବରେ ବ୍ୟବହାର କରାଯିବା ସଙ୍ଗେ ସଙ୍ଗେ ଏଥିରୁ ବିଭିନ୍ନ ସୁଗନ୍ଧୀ ଦ୍ରବ୍ୟ ଏବଂ ଔଷଧ ମଧ୍ୟ ପ୍ରସ୍ତୁତ କରାଯାଉଛି l ବଜାରରେ ଡାଳଚିନିର ଦର ଉଚ୍ଚ ରହିବ ସଙ୍ଗେ ସଙ୍ଗେ ଏହାର ଚାହିଦା ମଧ୍ୟ ଭଲ ରହୁଛି l

Sugyan Kumar Nayak
Sugyan Kumar Nayak
Cinnamon Farming

Cinnamon Farming

ଆମର ନିତିଦିନିଆ ମସଲା ମଧ୍ୟରେ ଡାଳଚିନି ଅନ୍ୟତମ l ଡାଳଚିନିକୁ ମସଲା ଭାବରେ ବ୍ୟବହାର କରାଯିବା ସଙ୍ଗେ ସଙ୍ଗେ ଏଥିରୁ ବିଭିନ୍ନ ସୁଗନ୍ଧୀ ଦ୍ରବ୍ୟ ଏବଂ ଔଷଧ ମଧ୍ୟ ପ୍ରସ୍ତୁତ କରାଯାଉଛି l ବଜାରରେ ଡାଳଚିନିର ଦର ଉଚ୍ଚ ରହିବ ସଙ୍ଗେ ସଙ୍ଗେ ଏହାର ଚାହିଦା ମଧ୍ୟ ଭଲ ରହୁଛି l ବ୍ୟବସାୟିକ ଭିତିରେ କୃଷକମାନେ ଏହାର ଚାଷ କରି ନିଶ୍ଚିତ ଭାବରେ ଲାଭବାନ ହୋଇପାରିବେ l  ଆସନ୍ତୁ ଜାଣିବା ଏହି ଡାଲଚିନି ଚାଷ ସମ୍ପର୍କିତ ସବିଶେଷ ବିବରଣୀ l ଡାଳଚିନି ଭାରତରେ ଦେଖାଯାଉଥିବା ୧୭ ପ୍ରକାର ମସଲା ଜାତୀୟ ବୃକ୍ଷ ମଧ୍ୟରୁ ଅନ୍ୟତମ  । ମୁଖ୍ୟତଃ ମସଲା ଶିଳ୍ପ ଓ ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତି ବ୍ୟବହାର କରାଯାଉଥିବାରୁ ଉଭୟ ଦେଶୀୟ ଓ ବିଦେଶ ବଜାରରେ ଏହାର ଚାହିଦା ଅଧିକ । ବ୍ୟବସାୟିକ ଭିତ୍ତିରେ ଏହି ବୃକ୍ଷକୁ ଅଧିକ ପରିମାଣରେ ରୋପଣ କରାଗଲେ ଏଥିରୁ ଦୀର୍ଘକାଳୀନ ଆର୍ଥିକ ଲାଭ ମିଳିଥାଏ। ଡାଳଚିନି ଏକ ସାଧାରଣ ଉଚ୍ଚତା ବିଶିଷ୍ଟ ଚିରହରିତ ବୃକ୍ଷ ଅଟେ । ଶ୍ରୀଲଙ୍କା ତଥା ଦକ୍ଷିଣ ଭାରତରେ ଏହି ବୃକ୍ଷ ଅଧିକ ପରିମାଣରେ ଦେଖାଯାଏ ।  ଜାମାଇକା, ବ୍ରାଜିଲ ଓ ସେଚିଲସ ପ୍ରଭୃତି ଦେଶମାନଙ୍କରେ ଏହାକୁ ବହୁଳ ପରିମାଣରେ ଚାଷ କରାଯାଏ । ଡାଳଚିନି ଗଛର ଛେଲି, କାଣ୍ଡ, ପତ୍ର, ଏବଂ ଫୁଲକୁ ବିଭିନ୍ନ ପ୍ରକାରର ମସଲା, ଔଷଧ ଏବଂ ସୁଗନ୍ଧ ସାମଗ୍ରୀ ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଏ l 

ଡାଲ ଚିନି ମଧ୍ୟମ ଉଚ୍ଚତା ବିଶିଷ୍ଟ ସୁଗନ୍ଧଯୁକ୍ତ ଚିରହରିତ ବୃକ୍ଷ ଅଟେ l ଏହି ବୃକ୍ଷର ଛେଲି ସାମାନ୍ୟ ମୋଟା, ଚିକ୍କଣିଆ ଏବଂ ଧୂସର ରଙ୍ଗ ବିଶିଷ୍ଟ ହୋଇଥାଏ। ଗଛର ପ୍ରଧାନ ଡାଳ ସିଧା ବଢିବା ସମୟରେ ଶାଖା ଓ ପ୍ରଶାଖା ଡାଳଗୁଡିକ ଗଛକୁ ସମାନ ବ୍ୟାସ ବ୍ୟବଧାନରେ ଚତୁଃପାର୍ଶ୍ଵକୁ ମୂଳଠାରୁ ଅଗ ପର୍ଯ୍ୟନ୍ତ ସମତାଳ ଦେଇ ବଢିବାରେ ଲାଗେ  । ପ୍ରଥମେ ଗଛରୁ ରଙ୍ଗୀନ ଯଥା ଲାଲ, ଫିକା, ଫିକା ସବୁଜ କିମ୍ବା ଫିକା ହଳଦିଆ ରଙ୍ଗର ପତ୍ର ବାହାରେ ଓ ପରେ ଗାଢ ସବୁଜ ରଙ୍ଗ ହୋଇଥାଏ। ଫୁଲ ପେନ୍ଥା ପେନ୍ଥା ହୁଏ ଓ ସୁଗନ୍ଧଯୁକ୍ତ ଅଟେ । ଡାଳଚିନିର ଡାଳ ଓ ପତ୍ରରୁ ପାତନ ପ୍ରଣାଳୀରେ ସୁଗନ୍ଧି ଅର୍କ ବା ତୈଳ ପ୍ରସ୍ତୁତ କରାଯାଏ  । ଏହି ଅର୍କରେ ୭୦-୮୦ ଭାବ ସିନାମିକ ଆଲଡିହାଇଡ  ଥାଏ । ପତ୍ର ଅର୍କକୁ ଇଉଜିନଲ, ବେନଜାଇଲ ମିଳିଥାଏ ଏବଂ ଏହା ଚର୍ମରୋଗର ପ୍ରତିଷେଧକ ରୂପେ ବ୍ୟବହୃତ ହୁଏ । ଏହାର ଛେଲିରୁ ମିଳୁଥିବା ସିନାମନକୁ ଔଷଧ ରୂପେ ବ୍ୟବହାର କରାଯାଏ । ଡାଳଚିନିର ତୈଳ ବାତହର , ବେଦନାହର , ବ୍ରଣଶୋଧକ ଅଟେ ।

ଜଳବାୟୁ ଓ ମୃତ୍ତିକା

ଉଷ୍ଣ ଓ ଆର୍ଦ୍ର ଜଳବାୟୁ ଡାଲଚିନି ବୃକ୍ଷ ଚାଷ ପାଇଁ ଉପଯୁକ୍ତ ଅଟେ । ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳମାନଙ୍କରେ ମଧ୍ୟ ଏହି ଗଛ ଭଲ ବଢିଥାଏ  । ସେଥିପାଇଁ ଦକ୍ଷିଣ ଭାରତରେ ଏହି ଗଛ ଅଧିକ ପରିମାଣରେ ଦେଖାଯାଇଥାଏ  । ଗବେଷଣାରୁ ଉପଲ୍ଲବ୍ଧ ହୋଇଛି ଏହା ଓଡିଶାର ପାର୍ବତ୍ୟ ଅଞ୍ଚଳରେ ଓ ଉପକୂଳ ଅଞ୍ଚଳରେ ମଧ୍ୟ ଡାଲଚିନି ଚାଷ କରାଯାଇପାରିବ। ମୃତ୍ତିକାକୁ ବିଚାର କଲେ ବାଲିଆ ଦୋରସା ଓ ହାଲୁକା ମାଟି ଡାଳଚିନି ଗଛ ପାଇଁ ଉପଯୁକ୍ତ ଅଟେ  । ଡାଳଚିନି ଗଛର ମଞ୍ଜିଦ୍ଵାରା ନୂତନ ଗଛ ତିଆରି ହୁଏ । ଏହି ଗଛର ଫୁଲରୁ ଫଳ ହେବାପାଇଁ ପ୍ରାୟ ସଂପୂର୍ଣ୍ଣ ପରାଗ ଉପରେ ନିର୍ଭର କରୁଥିବାରୁ ମଞ୍ଜିରୁ ପ୍ରସ୍ତୁତ ଗଛରେ ଭିନ୍ନ ଭିନ୍ନ ପ୍ରକାର ଓ ଗୁଣ ମିଳିଥାଏ  । ଏଣୁ ଉପଯୁକ୍ତ ଗୁଣଥିବା କିସମ ଗଛରୁ କଲମି କରି ନୂତନ ଗଛ ତିଆରି କରାଯାଇ ପାରେ ଯାହାକି ତାହାର ମା ଗଛ ପରି ହୋଇଥାଏ । ତେଣୁ ଉନ୍ନତ ବିହନ ପାଇଁ ଉତ୍କୃଷ୍ଟ ଗଛ ମଧ୍ୟରେ ପରାଗ ସଙ୍ଗମ କରାଇ ମଞ୍ଜି ପ୍ରସ୍ତୁତ କରାଯିବ କିମ୍ବା କଲମୀରୁ ଗଛ ତିଆରି କରାଯିବ । ପାକଳ ମଞ୍ଜିକୁ ସଙ୍ଗେ ସଙ୍ଗେ ପୂର୍ବ ପ୍ରସ୍ତୁତି ପଲିଥିନ ବ୍ୟାଗରେ ପୋତି ପାଣି ଦେଲେ ନୂତନ ଗଛ ୧୦-୧୫ ଦିନ ମଧ୍ୟରେ ବୃଦ୍ଧିପ୍ରାପ୍ତ ହୁଏ । ଡାଲଚିନି  ଲଗାଯାଇଥିବା ଜମିରେ ପ୍ରଥମ ୨ ବର୍ଷ ପର୍ଯ୍ୟନ୍ତ ଦୁଇ ଗଛର ମଝିରେ ଖାଲିପଡିଥିବା ଜମିରେ ମୁଗ, ବିରି, ହରଡ, ଅଦା ଓ ହଳଦୀ ଆଦି ଚାଷ କରାଯାଇପାରିବ । ପ୍ରଥମ ବର୍ଷ ହରଡ ଗଛ ଲଗାଇ ଗଛକୁ ଛାଇ ଦେବା କିମ୍ବା ନଡାଛପର ଦେଇ ଖରା ତାପରୁ ରକ୍ଷା କରାଯାଏ  ।

ଘାସ ବଛାବଛି ଓ ରୋଗପୋକ ନିୟନ୍ତ୍ରଣ

ଗଛ ଲଗାଇବାର ଏକମାସ ପରେ ଜମିକୁ ଖୁସାଇ ଘାସ ବାଛିବାକୁ ପଡେ ଏବଂ ପୂର୍ବପରି ଗଛ ପ୍ରତି ୫୦ ଗ୍ରାମ ଯବକ୍ଷାରଜାନ ସାର ପ୍ରୟୋଗ କରାଯାଏ  । ବର୍ଷାଦିନେ ଏହି ଚାରାଗଛଗୁଡିକ ଶୀଘ୍ର ବଢିବାକୁ ଲାଗେ  । ମୌସୁମୀ ବର୍ଷା ପ୍ରାରମ୍ଭ ଓ ଶେଷରେ ଥରେ ଲେଖାଏଁ ଗଛ ମୂଳରୁ ୧/୨ ସିଫଟ ପରିମାଣରେ କମ୍ପୋଷ୍ଟ ଖତ ପ୍ରୟୋଗ କରିବା ଉଚିତ  । ପ୍ରତି ୧ ମାସ ଅନ୍ତରରେ ଯବକ୍ଷାରଜାନ ସାର ସମ ଅନୁପାତରେ ପ୍ରୟୋଗ କରାଯାଇପାରେ । ଡାଲଚିନି ଗଛରେ ବିଶେଷ ରୋଗପୋକ ଲାଗନ୍ତି ନାହିଁ କେବଳ କଅଁଳିଆ ପତ୍ରକୁ ସମ୍ବାଳୁଆ ଖାଇଯାଆନ୍ତି। ଡେମିକ୍ରେନ ୦.୩% ସ୍ପ୍ରେ କଲେ ଗଛ ସୁସ୍ଥ ରହେ  । ଗଛଟି ୪ ବର୍ଷ ହେଲେ ତାର ଛେଲି ମସଲା ପାଇଁ ଉପଯୋଗୀ ହୋଇଥାଏ  ।

ଏହାକୁ ଚାଷ କରିବା ପାଇଁ ସର୍ବପ୍ରଥମେ ଜମିକୁ ୩-୪ ଓଡ଼ ଚାଷ କରିବାକୁ ହୁଏ  । ଜମି ଚାଷ କରିବା ପରେ ପ୍ରତି ଧାଡ଼ିରୁ ଧାଡ଼ି ଓ ଗଛରୁ ଗଛ ୨ ମିଟର ବ୍ୟବଧାନରେ ୪୫ x ୪୫ x ୪୫ ସେ.ମି ଲମ୍ବ ପ୍ରସ୍ଥ ଓ ଗଭୀର ଗାତ ଖୋଲାଯାଏ । ଖୋଳା ଯାଇଥିବା ମାଟି ସହିତ ପ୍ରତି ଗାତ ପିଛା ୪ କି.ଗ୍ରା ଖତ ମିଶାଇ ଦିଆଯାଏ । ଗାତଟିକୁ ପ୍ରଥମେ କିଛି ଶୁଖିଲା କୁଟା ଦେଇ ପୋଡ଼ି ଦିଆଯାଏ। ଖତମାଟି ମିଶାଇ ପୁନର୍ବାର ଗାତଟିକୁ ପୋତିଦେବାକୁ ହୁଏ । ପ୍ରତି ଗାତରେ ୫୦ ଗ୍ରାମ ଯବକ୍ଷାରଜାନ ଓ ୩୦ ଗ୍ରାମ ପଟାସ ସାର ମିଶାଇ ଦିଆଯାଏ । ଏହା ସହିତ ୧୦ ଗ୍ରାମ ଆଲଡ୍ରିନ ଡଷ୍ଟ ପକାଇଲେ ଉଈ ଆକ୍ରମଣରୁ ରକ୍ଷା ମିଳେ । ଏକ ଏକରରେ ୬୦୦ ଚାରା କଗାଯାଇପାରିବ । ଜୁଲାଇ ମାସର ପ୍ରଥମ ସପ୍ତାହ ହେଉଛି ବୃକ୍ଷ ରୋପଣ କରିବା ସମୟ । ବର୍ଷା ସମୟରେ ବୃକ୍ଷରୋପଣ କଲେ ଜଳସେଚନର ଆବଶ୍ୟକତା ପଡେ ନାହିଁ, କିନ୍ତୁ ୮-୧୦ ଦିନରୁ ଅଧିକ ଦିନ ବର୍ଷା ବନ୍ଦ ହୋଇଗଲେ ଚାରାଗଛ ମୂଳରେ ପାଣି ଦେବାକୁ ପଡେ । ବର୍ଷାଦିନ ପରେ ମାଟିର ଆବଶ୍ୟକତାକୁ ନେଇ ମାସକୁ ୨-୩ ଥର ଜଳସେଚନ କଲେ ଭଲ ।  ଗଛର ସମସ୍ତ ଛୋଟ ଶାଖା ଡାଳ ପତ୍ରକୁ ବାହାର କରାଯାଏ । ଏହା ପରେ ସବୁଜ ରଙ୍ଗର ବଳକା ପ୍ରତି ୨୦ ସେମି  ବ୍ୟବଧାନରେ ଛୁରୀ ଦ୍ଵାରା କାଟି କାଠରୁ ଅଲଗା କରି ବାହାର କରାଯାଏ  । ଗଛକୁ କାଟିଦେଲାପରେଲ ତାହାର ମୂଳରୁ କୁଆଁ ବାହାରିଥାଏ  । ମୂଳ ଗଛକୁ କାଟିବା ପରେ ଗୋବର ମାଟି ସହିତ ଅଳ୍ପ ଆଲଡ୍ରିନ ଡଷ୍ଟ ଦେଇ ଚକଟି କଟାଅଂଶ ଉପରେ ଘୋଳ ଦିଆଯାଏ । ୨୦-୨୫ ଦିନ ମଧ୍ୟରେ ନୂଆ ଗଜା ବାହାରିଥାଏ  । ପ୍ରତି ମୂଳ ଗଛରେ ୫-୮ ନୂଆ ଡାଳ ବଢିବାକୁ ଛଡ଼ାଯାଏ  । ଏହା ତିନିବର୍ଷ ବଢିଲାପରେ ଡାଲଚିନି ଉତ୍ପାଦନ ପାଇଁ ଉପଯୁକ୍ତ ହୋଇଥାଏ  ।

ଡାଲଚିନି ଗଛ ଚାଷରୁ ଏକର ପିଛା ୧୦୦ କିଗ୍ରା ଡାଲଚିନି ମସଲା ଓ ୪୦ କିଗ୍ରା ଡାଲଚିନି ପତ୍ର ତେଲ ମିଳିଥାଏ । ଉନ୍ନତ ପ୍ରଣାଳୀରେ ଚାଷ କଲେ ଭଲ ଲାଭ ହୋଇଥାଏ  । ଡାଲଚିନି ଚାଷ ମଝିରେ ଅନ୍ୟ ଫସଲ କରି ଏଥିରୁ ଅଧିକ ଲାଭ ଉପାର୍ଜନ କରିହେବ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments