1. ଉଦ୍ୟାନ କୃଷି

ଢିପ ଜମିର ଉନ୍ନତ ପ୍ରଣାଳୀରେ ଧାନଚାଷ ବିଷୟରେ ଜାଣନ୍ତୁ...

ଆଜି ଆମେ ଢିପ ଜମିରେ ଉନ୍ନତ ପ୍ରଣାଳୀରେ ଧାନଚାଷ କରିବା ବିଷୟରେ ଆଲୋଚନା କରିବା ।

Sudesna Nayak
Sudesna Nayak
shallow land paddy cultivation

shallow land paddy cultivation

ପୃଥିବୀର ମୋଟ ଧାନ ଜମିର ଶତକଡା ୩୦ ଭାଗ କେବଳ ଭାରତରେ ଅଛି । ଭାରତର ପ୍ରତ୍ୟକ ରାଜ୍ୟରେ ଧାନଚାଷ ହେଉଥିଲେ ମଧ୍ୟ ବିହାର, ଓଡିଶା, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କେରଳରେ ଏବଂ ଉତ୍ତର ପ୍ରଦେଶରେ ଏହା ବିସ୍ତ୍ରୁତ ଅଞ୍ଚଳରେ ଚାଷ କରାଯାଏ ।

ସାଧାରଣତଃ ଆମ ରାଜ୍ୟରେ ଚାଷୀମାନେ ୩ କିସମ ଜମିରେ ଧାନ ଚାଷ କରିଥାନ୍ତି । ଯଥା-ଢିପ ଜମି, ମଝାଳିଆ ଜମି ଓ ଖାଲ ଜମି । ଅତି ଢିପ କିମ୍ବା ଗଡ଼ାଣିଆ ଜମିରେ ଧାନଚାଷ ଲାଭଜନକ ହୁଏ ନାହିଁ । ତେଣୁ ସେସବୁ ଜମିରେ ଚିନାବାଦମ, ମାଣ୍ଡିଆ, ମକା, ହରଡ଼, ବରଗୁଡ଼ି ପ୍ରଭୃତି ଫସଲ ଚାଷ କରିବା ଉଚିତ୍ । ଢିପ ଜମିରେ ୭୦ ରୁ ୮୦ ଦିନ ଭିତରେ ଅମଳ ହେଉଥିବା ବିଆଳି ଧାନ ଚାଷ କରାଯାଏ । ବାଲେଶ୍ଵର, କଟକ, ପୁରୀ ଓ ଗଞ୍ଜାମ ପ୍ରଭୃତି ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ୧୦୦ ଦିନ ଭିତରେ ପାଚୁଥିବା ଧାନ ମଧ୍ୟ ଚାଷ କରାଯାଇପାରିବ । ଆଜି ଆମେ ଢିପ ଜମିରେ ଉନ୍ନତ ପ୍ରଣାଳୀରେ ଧାନଚାଷ କରିବା ବିଷୟରେ ଆଲୋଚନା କରିବା ।

ଢିପ ଜମିକୁ ମାଇ ବା ବିଆଳି ଜମି କୁହାଯାଏ । ଏହିସବୁ ଜମିକୁ ପହିଲି ବର୍ଷାପରେ ଲୁହା ଲଙ୍ଗଳରେ ଥରେ ବା ଦୁଇଥର ଚାଷ କରିଦେଲେ ମାଟି ଖରା ପାଇଯାଏ ଓ ଅନାବନା ଗଛ ମରିଯାଏ । ମାଟି ଖରାଖାଇ ଶୁଖିଗଲେ । ପରବର୍ତ୍ତୀ ଫସଲରେ ଘାସ କମ୍ ହୁଏ, ରୋଗ କମ୍ ହୁଏ, ପୋକ କମ୍ ହୁଏ, ଏବଂ ପରବର୍ତ୍ତୀ ଫସଲକୁ ଅଧିକ ଖାଦ୍ୟସାର ମିଳେ । ଏହା ବାଦ୍ ପ୍ରତି ଅସରା ବର୍ଷାର କିଛିଦିନ ପରେ ବିଲରେ ଅବା ଅନାବନା ଘାସର ମଞ୍ଜି ଗଜା ହୋଇ ଉପରକୁ ଉଠି ଆସିବା ପରେ ହଳ କରି ସେସବୁ ଘାସକୁ ନଷ୍ଟ କରିଦେବା ଉଚିତ୍ । ଜମି ପ୍ରସ୍ତୁତି ସମୟରେ ଏକର ପ୍ରତି ୪-୫ ଗାଡ଼ି ସଢା ଖତ କିମ୍ବା କମ୍ପୋଷ୍ଟ ପ୍ରୟୋଗ କରିବା ଉଚିତ୍ ।

ଆମ ରାଜ୍ୟର ଚାଷୀମାନେ ଢିପ ଜମିରେ ଛାଟିକରି ଧାନ ବୁଣିଥାନ୍ତି । ଏହାଦ୍ଵାରା ଅଧିକ ବିହନ ଖର୍ଚ୍ଚ ହୁଏ । ଉପରେ ପଡ଼ିଥିବା ବିହନକୁ ଚଢ଼େଇ ଖାଇଯାନ୍ତି । ଅତି ଗଭୀରରେ ପଡ଼ିଥିବା ବିହନ ଗଜା ହୁଏ ନାହିଁ । ସବୁ ବିହନରୁ ଏକାବେଳେ ଗଜା ବାହାରେ ନାହିଁ ଏବଂ ଜମିର ସବୁଆଡ଼େ ସମାନ ସଂଖ୍ୟକ ଗଛ ରହେ ନାହିଁ । ଏହି ସବୁ ଅସୁବିଧାରୁ ରକ୍ଷା ପାଇବା ପାଇଁ ଧାନକୁ ଧାଡ଼ିରେ ବୁଣିବା ଉଚିତ୍ । ଆଜିକାଲି ଅନେକ ପ୍ରକାରର ଧାଡ଼ିବୁଣା ଯନ୍ତ୍ର ବାହାରିଲାଣି । ଏହିସବୁ ଯନ୍ତ୍ର ସାହାଯ୍ୟରେ ଧାନ ବୁଣିଲେ ସମାନ ଦୂରତାରେ ଓ ସମାନ, ଗହୀରରେ ବିହନ ପଡ଼େ, ଫଳରେ ଏକ ସମୟରେ ସବୁ ବିହନରୁ ଗଛ ଉଠେ । ଧାଡ଼ିରେ ବୁଣାଯାଉଥିବାରୁ ଘାସ ବଛା, କୋଡ଼ାଖୁସା, ସାର ଦେବା ଓ କାଟିବା ସୁବିଧାଜନକ ହୁଏ । 

ଧାନ ବୁଣିଲା ବେଳେ ଧାଡ଼ି ଧାଡ଼ି ଭିତରେ ୧୫ ସେ.ମି. ବ୍ୟବଧାନ ରହିବା ଉଚିତ୍ ଏବଂ ବିହନ ୪ ରୁ ୬ ସେ.ମି. ଗଭୀରତାରେ ପଡ଼ିବା ଉଚିତ୍ । ସରୁ ଓ ମୋଟା କିସମ ଭେଦରେ ଏକର ପ୍ରତି ୨୪ ରୁ ୩୨ କିଲୋଗ୍ରାମ୍ ବିହନ ଆବଶ୍ୟକ ହୁଏ । ବିହନ – ଜନିତ ରୋଗରୁ ଫସଲକୁ ରକ୍ଷା କରିବା ପାଇଁ ବିହନ ବିଶୋଧନ କରି ବୁଣିବା ଉଚିତ୍ । 

ଢିପ ଜମିରେ ଠିଆପାଣି ଗ୍ରହୁ ନଥିବାରୁ ଘାସ ସମସ୍ୟା ଅଧିକ ହୁଏ । ଘାସ, ଛୋଟ ଧାନ ଗଛ ସହିତ ସ୍ଥାନ, ଆଲୋକ, ଖାଦ୍ୟ ଓ ପାଣି ପାଇଁ ପ୍ରତିଯୋଗିତା କରେ । ଏଣୁ ଧାନ ବୁଣିବାର ୨ ସପ୍ତାହ ଭିତରେ ଢିପ ଜମିରୁ ଘାସ ବାଛି ଦେବା ଆବଶ୍ୟକ । ଘାସ ବଛା ଯନ୍ତ୍ର ବ୍ୟବହାର କରି ଧାଡ଼ି ବୁଣା ଧାନରୁ ଅଳ୍ପ ଖର୍ଚ୍ଚରେ ଘାସ ନିୟନ୍ତ୍ରଣ କରିହେବ । ଧାନ ବୁଣିବା ବେଳେ ଜମିରେ ପାଗ ନ ଥିଲେ ବର୍ଷା ହେବାର ଦିନକ ପରେ ଲଟାମାରୀ ପ୍ରୟୋଗ କରିବା ଉଚିତ୍ ।

ଢିପଜମି ଧାନକୁ କାଟି ସଙ୍ଗେ ସଙ୍ଗେ ଅମଳ କରିବା ଉଚିତ୍ । କାରଣ ଏହିସବୁ ଧାନକୁ ଗଦାମାରି ରଖିଲେ, ତାହା ଗମ ହୋଇ ନଷ୍ଟ ହୋଇ ଯିବାର ସମ୍ଭାବନା ଥାଏ । ଅଧିକ ଆଦାୟ ପାଇବାକୁ ହେଲେ ଭଲ ବିହନ, ଆବଶ୍ୟକ ପରିମାଣର ଖତ ଓ ସାର, ପୋକ ଓ ରୋଗ ପାଇଁ ଉପଯୁକ୍ତ ପ୍ରତିକାର ବ୍ୟବସ୍ଥା ସଙ୍ଗେ ସଙ୍ଗେ ଠିକ୍ ପ୍ରଣାଳୀରେ ଚାଷ କଲେ ଆଦାୟ ଅଧିକ ହୁଏ, ଏକଥା ଆମ ଚାଷୀ ଭାଇମାନେ ଭଲ କରି ଜାଣନ୍ତି ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments