ମଞ୍ଜୁଆତି ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଗାଁ ଦଣ୍ଡରେ ବାଡିବଗିଚାରେ ବାଡକଡରେ ଏହି ଗଛସବୁ ଲାଗିଥିବାର ଦେଖାଯାଏ। ଏହାର ଔଷଧୀୟ ଗୁଣ ଓ ଉପଯୋଗ ବିଷୟରେ ଆମ ଦେଶରେ ସାଧାରଣ ଲୋକେ ଅଳ୍ପବହୁତେ ଜାଣିଥାଆନ୍ତି । ଗ୍ରାମାଞ୍ଚଳର ଝିଅମାନେ ହାତକୁ ମେହେନ୍ଦି ରଙ୍ଗରେ ସଜାଇବା ପାଇଁ ଏହାର ପତ୍ରକୁ ବ୍ୟବହାର କରିଥାନ୍ତି । ଏହାଛଡା, ଏହାର ବହୁମୁଖୀ ଔଷଧୀୟ ଗୁଣ ବିଷୟରେ ମଧ୍ୟ ଆମ ଦେଶର ବୈଦ୍ୟ ଓ କବିରାଜମାନେ ଭଲ ଭାବରେ ପରିଚିତ । ସବୁଜ ସମ୍ପଦଗୁଡିକ ଧ୍ଵଂସ ପାଇଯାଉଥିବାରୁ ପୂର୍ବରୁ ପ୍ରାକୃତିକ ଭାବରେ ଗ୍ରାମାଞ୍ଚଳମାନଙ୍କରେ ଉପଲ୍ଲବ୍ଧ ହେଉଥିବା ଏହି ଗଛଟି ଏବେ ଏକ ବିରଳ ବୃକ୍ଷରେ ପରିଗଣିତ ହେଲାଣି । ସୁତରାଂ ଭବିଷ୍ୟତରେ ଏହାର ଔଷଧୀୟ ଉପଯୋଗୀତା ଓ ପ୍ରାକୃତିକ ରଙ୍ଗ ଲାଭ ଆସାରେ ଏହାର କୃଷିକରଣ କଥା ଚିନ୍ତା କରାଯାଉଛି।
ଉଦ୍ଭିଦ ପରିଚୟ:
ଏହା ଏକ ବହୁଶାଖାୟିତ ଗୁଳ୍ମ । ବେଳେବେଳେ ଏହା ଛୋଟ ଆକୃତିର ହୋଇଥାଏ । କାଣ୍ଡରେ ଲେନ୍ସ ଆକାର ଛୋଟ ଛୋଟ ସବୁଜ ପତ୍ରଗୁଡିକ କାଣ୍ଡର ଗଣ୍ଠିମାନଙ୍କରୁ ବାହାରିଥାଏ । ପତ୍ରର ଲମ୍ବ ୧.୫ ସେମିରୁ ୨.୫ ସେମି ଏବଂ କାଣ୍ଡର ପ୍ରତ୍ୟେକ ଗଣ୍ଠି ବା ପବରୁ ଦୁଇଟି ଲେଖାଏଁ ପତ୍ର ପରସ୍ପରକୁ ବିପରୀତ ଦିଗକରି ବାହାରିଥାନ୍ତି । ବକ୍କଳ ପାଉଁସିଆ- ନୀଳ, ଶାଖାଗୁଡିକ ଚତୁଃଶୋଣିକ ଏବଂ ଶାଖାର ଅଗ୍ରଭାଗ ସୂକ୍ଷ୍ମ ହୋଇଥାଏ । ପୁଷ୍ପ ଧବଳ କିମ୍ବା ଗୋଲାପି ରଙ୍ଗର ହୋଇଥାଏ । ଏହି ଗଛରେ ଫୁଲ ଅକ୍ଟୋବର-ନଭେମ୍ବର ମାସରେ ଏବଂ ଫଳ ନଭେମ୍ବର ମାସରେ ଦେଖାଯାଏ।
ଔଷଧୀୟ ଗୁଣ ଓ ପ୍ରୟୋଗ:
ମଞ୍ଜୁଆତି ବା ମେହେନ୍ଦି ପତ୍ର ସ୍ଵରସ ଅଳ୍ପ କଷାୟ ମିଶ୍ରିତ, ସ୍ଵର ପରିଷ୍କାରକ ଏବଂ ଦେହର କାନ୍ତି ବର୍ଦ୍ଧିକାରକ ଅଟେ । ବ୍ରଣ, କୁଷ୍ଠ, କଣ୍ଡୁ, ବିସର୍ପ ପ୍ରଭୃତି ସମସ୍ତ ପ୍ରକାର ଚର୍ମରୋଗନାଶକ ଅଟେ । ଏହା ବ୍ୟତୀତ ଏହା ଜ୍ଵରନାଶକ । କାମଳରୋଗ ନିବାରକ, ରକ୍ତବିକାର ନାଶକ, କର୍ଣ୍ଣରୋଗହର ଏବଂ ଚକ୍ଷୁରୋଗହର ଅଟେ । ସାଧାରଣତଃ ଯେକୌଣସି ପ୍ରକାର ଚର୍ମରୋଗରେ ମଞ୍ଜୁଆତି ପତ୍ର ଓ ହଳଦୀ ସମପରିମାଣରେ ଏକତ୍ରିତ କରି ବାଟି ଚର୍ମରୋଗ ହୋଇଥିବା ଲୋକ ଦେହରେ ଲେପନ କାଲେ ଚର୍ମରୋଗ ବିନଷ୍ଟ ହୁଏ । କାମଳ ରୋଗରେ ମଞ୍ଜୁଆତି ଗଛର କଞ୍ଚା ଚେର ଚେର ଖଣ୍ଡେ ଆଣି ଚାଉଳଧୁଆ ପାଣିରେ ଘୋରି ମହମ ପରି ବହଳିଆ କରି , ସେହି ଘୋରାରୁ ଦୁଇଚାମଚ ଆଣି ଦଶଚାମଚ ପାଣି ସହିତ ଖାଇଲେ କାମଳ ବା ଜଣ୍ଡିସ ରୋଗ ଭଲ ହୁଏ ।
ଏହା ଛଡା, ଝାଡା କଠିନ ହେଲେ ମଞ୍ଜୁଆତି ଚେରକୁ ପାଣିରେ ସିଝାଇ ତାର ପାଣିକୁ ପିଇଲେ ମଳ ପରିଷ୍କାର ହୁଏ । ଆହୁରି ମଧ୍ୟ ଏହାର ଜ୍ଵରନାଶକ ଗୁଣ ରହିଛି । ମଞ୍ଜୁଆତି ଡାଳ ଓ ପତ୍ରକୁ ଏକତ୍ର କରି ଜଳରେ ସିଝାଇ ସେହି ଜଳ ସାଙ୍ଗରେ ଅଦାରସ ଓ ମହୁ ମିଶାଇ ସେବନ କାଲେ ଶ୍ଲେଷ୍ମ ଦୋଷ ଓ ତଦଜନିତ ଜ୍ଵର ନିବାରିତ ହୁଏ । ସେହିପରି ଏହି ଗଛର ମୂଳକୁ ମଧ୍ୟ ନେତ୍ରରେ ଅଞ୍ଜନ କରି ଲଗାଇବା ଦ୍ଵାରା ସମସ୍ତ ପ୍ରକାର ନେତ୍ରରୋଗ ଭଲ ହୋଇଯାଏ ଏବଂ ଦୃଷ୍ଟିଶକ୍ତି ବଢେ । ଆଜିକାଲି ପ୍ରସାଧନ ଦ୍ରବ୍ୟ ଭାବରେ ହାତକୁ ରଙ୍ଗ କରିବା ପାଇଁ ଝିଅମାନେ ମେହେନ୍ଦି ପାଉଡର କିଣି ହେଉଛନ୍ତି, ତେଣୁ ଏହାର ଯଥେଷ୍ଟ ବଜାର ଚାହିଦା ରହିଛି ।
ଚାଷ ପଦ୍ଧତି:
ମଞ୍ଜୁଆତିକୁ ବ୍ୟବସାୟିକ ଭିତ୍ତିରେ ଚାଷକରି ଅଧିକ ପତ୍ର ଅମଳ କରିବା ପାଇଁ ନଭେମ୍ବର ମାସରେ ମଞ୍ଜି ସଂଗ୍ରହପରେ ତାକୁ ଭାବରେ ଶୁଖାଇ କାଚ ଜାରରେ ରଖାଯାଏ ।ପ୍ରଥମେ ଚାରା ପଟାଳିକୁ ୧୫ ସେମି ଗଭୀରତାରେ ଖୁସାଇ ୨.୧.୧ ଅନୁପାତରେ ମାଟି,ବାଲି, ଜୈବଖତ ଭଲ ରୂପେ ମିଶାଇ ସମତଳ କରି ଦିଆଯାଏ । ଫେବୃୟାରି ମାସରେ ମଞ୍ଜିକୁ ବାଲି ସାଙ୍ଗରେ ୩.୧ ଅନୁପାତରେ ମିଶାଇ ଚାରା ପଟାଳିରେ ବିକ୍ଷିପ୍ତ ପ୍ରଣାଳୀରେ ବୁଣାଯାଏ। ତାପରେ ବହଳ ପରିମାଣର ବାଲି ଗୋଡାଇ ଦିଆଯାଏ ।ତା ଉପରେ ନଡା ଘୋଡାଇ ପ୍ରତିଦିନ ଦୁଇଥର ପାଣି ଦିଆଯାଏ। ମଞ୍ଜି ଗଯା ହେବାଆରଏଲ ଦେଖାଗଲେ ନଡା ବାହାର କରି ପୂର୍ବପରି ପାଣି ଦିଆଯାଏ। ଚାରାଗୁଡିକ ୨୦-୨୫ ସେମି ଉଚ୍ଚ ହୋଇଗଲେ ଜମିରେ ଲଗାଯାଇଥାଏ।
ରୋପଣ ଜମିକୁ ଭଲ ଭାବରେ ହଲକରି ମାଟି ଖୁସାଇ ଜୈବଖତ ଦେଇ ସମତଳ କରାଯାଏ । ବର୍ଷାଋତୁ ଗୋଟିଏ ଦୁଇଟି ଭଲ ବର୍ଷା ହୋଇଗଲେ ଚାରାଗୁଡିକ ଯତ୍ନରେ ଚାରା ପଟାଳିରରୁ ଉପାଡି ୨x୨ ମିଟର ବ୍ୟବଧାନରେ ଜମିରେ ରୋପଣ କରାଯାଏ । ବର୍ଷା ନ ହେଲେ ଗଛରେ ପ୍ରଥମ ୭ ଦିନ ପର୍ଯ୍ୟନ୍ତ ପାଣି ଦେବା ଦରକାର ପଡେ । ପ୍ରତି ମାସରେ ଥରେ ମାଟିକୁ ଖୁସାଇ ଅନାବନା ଘାସ ବାହାର କରିଦିଆଯାଏ।