ବନ୍ଧାକୋବି ଆମ ଦେଶର ଏକ ମୁଖ୍ୟ ପରିବା । ଆମ ରାଜ୍ୟରେ ଏହା ମୁଖ୍ୟତଃ ଶୀତ ରୁତୁରେ ଚାଷ ହେଉଥିଲେ ମଧ୍ୟ ବଜାରରେ ବର୍ଷସାରା ବନ୍ଧାକୋବି ମିଳେ । ଶୀତଦିନ ଛଡ଼ା ଅନ୍ୟ ସମୟରେ ବାହାର ରାଜ୍ୟରୁ ଓଡ଼ିଶାକୁ କୋବି ଆସେ । ଏଥିରେ ଭିଟାମିନ୍ ‘କ’, ‘ଖ’, ‘ଗ’ ଏବଂ ଖଣିଜ ଲବଣ ପ୍ରଚୁର ପରିମାଣରେ ଥାଏ । ତେବେ ଏହି ଫସଲରେ କେତେକ ରୋଗ ପୋକ ଦେଖାଯାଏ । ଯାହାର ପ୍ରତିକାର ନକଲେ ଅମଳ ସମୟରେ ବହୁ କ୍ଷତିର ସମ୍ମୁଖୀନ ହେବାକୁ ପଡ଼େ । ନିମ୍ନରେ ବନ୍ଧାକୋବିର ରୋଗ ଓ ପ୍ରତିକାର ସମ୍ବନ୍ଧୀୟ ସୁଚନା ଦିଆଗଲା ।
ରୋଗ ପୋକ ଓ ତା’ର ପ୍ରତିକାର :
ବନ୍ଧାକୋବିରେ ସାଧାରଣତଃ ପତ୍ରପୋଡ଼ା ରୋଗ, ବନ୍ଧାକୋବି ପୋକ, ବନ୍ଧାକୋବି ପ୍ରଜାପତି ଓ ଠିକିରିପିଠିଆ ପୋକ ଦେଖାଯାଏ ।
ବନ୍ଧାକୋବି ବିନ୍ଧାପୋକ :
ଏହି ପୋକ କୋବି ଜାତୀୟ ଫସଲର ଏକ କ୍ଷତିକାରକ ପୋକ ଅଟେ ଏବଂ ଫୁଲକୋବି, ବନ୍ଧାକୋବି, ଉଲକୋବି ଓ ମୂଳା ଫସଲକୁ ଆକ୍ରମଣ କରିଥାଏ । ପୂର୍ଣ୍ଣାଙ୍ଗ ଶଲଭ ଦେଖିବାକୁ ଧୂସର ମିଶା ବାଦାମୀ ରଙ୍ଗର ଅଟେ । ଏହାର ଅଗ ଡେଣାରେ ଧୂସର ରଙ୍ଗର ତରଙ୍ଗାୟିତ ଗାର ଥାଏ । ପଛ ଡେଣା ଫିକା ପାଉଁଶିଆ ଅଟେ । ମା’ ପୋକ ପତ୍ରର ତଳପାଖରେ ଅଣ୍ଡା ଦିଏ । ଅଣ୍ଡାଗୁଡ଼ିକ ୨-୩ ଦିନରେ ଫୁଟି ସେଥିରେ ଶୂକ ବାହାରନ୍ତି । ଶୂକମାନେ ଦେଖିବାକୁ ଇଷତ୍ ହଳଦିଆ ରଙ୍ଗର ହୋଇଥାନ୍ତି । ଏମାନଙ୍କ ଶରୀର ଉପରେ ବାଇଗଣି ମିଶା ବାଦାମୀ ରଙ୍ଗର ୭ଟି ଗାର ଥାଏ । ଶୂକମାନେ ପ୍ରଥମେ ପତ୍ରକୁ କଣାକରି ସବୁଜ ଅଂଶ ଖାଆନ୍ତି । ସାମାନ୍ୟ ବଡ଼ ହେଲେ ସେମାନେ କୋବି ଭିତରେ କଣାକରି ପଶନ୍ତି ଓ ଭିତର କଅଁଳ ଅଂଶକୁ ଖାଆନ୍ତି । ଏହି ପୋକମାନଙ୍କ ଆକ୍ରମଣ ଯୋଗୁ ବନ୍ଧାକୋବି ଉପରେ ଅନେକ କଣା ଦେଖାଯାଏ । କୋବି ଭିତରେ ମଳ ତ୍ୟାଗ କରିଥିବା ହେତୁ କୋବି ସଢ଼ିଯାଏ । ଫୁଲ କୋବିର ଆକ୍ରାନ୍ତ ଅଂଶ ବାଦାମୀ ରଙ୍ଗ ଦେଖାଯାଏ । ଏହାଛଡ଼ା ସଂକ୍ରମିତ କୋବି ବିକୃତ ହୋଇଥାଏ ।
ପରିଚାଳନା :
- ଗଭୀର ଭାବରେ ଦୁଇ ତିନି ଓଡ଼ ଚାଷ କରିଦେଲେ ମାଟି ମଧ୍ୟସ୍ଥ କୋଷାଗୁଡ଼ିକ ବାହାରକୁ ଆସି ବିଭିନ୍ନ ଉପାୟରେ ନଷ୍ଟ ହୋଇଯାଆନ୍ତି ।
- କ୍ଷେତ ମଧ୍ୟରୁ ଅନାବନା ଗଛ ଓ ବିକଳ୍ପ ପୋଷକ ଗଛ ଇତ୍ୟାଦି ସଂଗ୍ରହ କରି ନଷ୍ଟ କରି ଦିଅନ୍ତୁ ।
- ଆକ୍ରାନ୍ତ କ୍ଷେତରୁ ଅଣ୍ଡା ପୁଞ୍ଜି ଓ ପ୍ରଥମ ନିର୍ମୋଚକପ ଶୂକ ଇତ୍ୟାଦି ସଂଗ୍ରହ କରି ନଷ୍ଟ କରି ଦିଅନ୍ତୁ ।
- କ୍ଷେତ ନିକଟରେ ରାତିରେ ନିଆଁହୁଳା ଜାଳନ୍ତୁ କିମ୍ବା କ୍ଷେତରେ ଆଲୋକ ଯନ୍ତା/ସଂଗ ଆକର୍ଷକ ଯନ୍ତା ବସାନ୍ତୁ ।
- ଉପକାରୀ ପୋକମାନଙ୍କ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଅନ୍ତୁ ।
- ଆକ୍ରାନ୍ତ କ୍ଷେତରେ ନିମ୍ବ ଆଧାରିତ କୀଟ ବିଷ ହେକ୍ଟର ପ୍ରତି ୧ ଲିଟିର ନିମ୍ବ ତେଲ ପ୍ରୟୋଗ କରନ୍ତୁ ।
- ଅଧିକ ଆକ୍ରାନ୍ତ କ୍ଷେତରେ ମାଲାଥିଅନ୍ / ଡିଡିଭିପି/କାରବାରିଲ୍ ସେଚିତ ଗୁଣ୍ଡ ଇତ୍ୟାଦିରୁ ଯେକୌଣସି ଗୋଟିକୁ ଅଦଳବଦଳ କରି ଅନୁମୋଦିତ ପରିମାଣରେ ପ୍ରୟୋଗ କରନ୍ତୁ ।
ବନ୍ଧାକୋବି ପ୍ରଜାପତି :
ପୋକଟି ଦେଖିବାକୁ ଧଳା ରଙ୍ଗର ଅଟେ । ଏହାର ଉପର ଡେଣାର ଅଗ୍ରଭାଗର ଧାର ନିକଟରେ ଗୋଟିଏ କଳା ଦାଗ ପଟି ଥାଏ । ମାଈ ପ୍ରଜାପତିର ଡେଣାରେ ଗୋଟିଏ କଳାବିନ୍ଦୁ ରହିଥାଏ । ଏମାନଙ୍କର ଶୂକ ଅବସ୍ଥା କ୍ଷତିକାରକ ଅଟେ । ଶୂକମାନେ ପତ୍ରର ସବୁଜ ଅଂଶକୁ କୋରି ଖାଆନ୍ତି ଏବଂ ପରେ ଏମାନେ ଧାରଆଡ଼ୁ ପତ୍ରକୁ ଖାଇଯାଆନ୍ତି । ଆକ୍ରାନ୍ତ ପତ୍ରରେ କେବଳ ପ୍ରଧାନ ଶିରାଗୁଡ଼ିକ ରହିଥାଏ । ଫଳରେ ଗଛ ପତ୍ରଶୂନ୍ୟ ଦିଶେ । ଗଛ ଛୋଟ ଅବସ୍ଥାରେ ଆକ୍ରାନ୍ତ ହେଲେ ଗଛର ସମସ୍ତ ପତ୍ର ନଷ୍ଟ ହୋଇଥାଏ ।
ପରିଚାଳନା :
- କ୍ଷେତକୁ ଭଲ ଭାବରେ ଚାଷକରି ଏହାକୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ ଏବଂ କ୍ଷେତ ମଧ୍ୟରୁ ଅନାବନା ଗଛ ଓ ବିକଳ୍ପ ପୋଷକ ଗଛ ଇତ୍ୟାଦି ସଂଗ୍ରହ କରି ନଷ୍ଟ କରି ଦିଅନ୍ତୁ ।
- ଆକ୍ରାନ୍ତ କ୍ଷେତରୁ ଅଣ୍ଡାପୁଞ୍ଜି, ସମବେତ ପ୍ରଥମ ନିର୍ମାଚିତ ଶୂକ ଓ କୋଷା ଇତ୍ୟାଦି ସଂଗ୍ରହ କରି ନଷ୍ଟ କରିଦିଅନ୍ତୁ ।
- ଉପକାରୀ ପୋକମାନଙ୍କ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଅନ୍ତୁ ।
- ନିମ୍ବ ଆଧାରିତ କୀଟବିଷ କିମ୍ବା ନିମ୍ବତେଲ ପ୍ରୟୋଗ କରିବା ନିରାପଦ ।
- ଅଧିକ ଆକ୍ରାନ୍ତ କ୍ଷେତରେ (ପ୍ରଥମାବସ୍ଥା ଆକ୍ରମଣ ସମୟରେ) ମନୋକ୍ରୋଟୋଫସ୍/କ୍ଲୋରୋପାଇରିଫସ୍/ଏଣ୍ଡୋସଲଫାନ୍/ଏସିଫେଟ୍/ଟ୍ରାୟାଜୋଫସ୍/ଫୋସାଲୋନ୍ ଅନୁମଦିତ ପରିମାଣରେ ପ୍ରୟୋଗ କରନ୍ତୁ । ଫସଲର ପରବର୍ତ୍ତୀ ଅବସ୍ଥାରେ ମାଲାଥିଅନ୍/ଡିଡିଭିପି/କାରବାରିଲ୍ ସେଚିତ ଗୁଣ୍ଡ ପ୍ରୟୋଗ କରିବା ଭଲ ।
ଠିକିରିଆ ପୋକ :
ଏହା ବନ୍ଧାକୋବିର ମଧ୍ୟ ଏକ ପ୍ରଧାନ ଶତ୍ରୁ । ତେବେ ଏ ପୋକକୁ ଦମନ କରିବା ପାଇଁ ଏକର ପ୍ରତି ୪୦୦୦ ମି.ଲି.ମାଲାଥିଅନ୍ (୨ମି.ଲି./ଏକ ଲିଟର) ସ୍ପ୍ରେ କଲେ ଭଲ କାମ ଦିଏ ।
ପତ୍ରପୋଡ଼ା ରୋଗ :
ଏ ରୋଗରୁ ଫସଲକୁ ରକ୍ଷା କରିବା ପାଇଁ ଏକର ପ୍ରତି ୮୦୦ ଗ୍ରାମ୍ ଇଣ୍ଡୋଫିଲ୍ ଏମ୍-୪୫ ସିଞ୍ଚନ କରିବା ଆବଶ୍ୟକ (୩ ଗ୍ରାମ୍/ଏକ ଲିଟର) ।
Share your comments