1. ଉଦ୍ୟାନ କୃଷି

ଲିଲିୟମ୍ ଫୁଲ ଚାଷ ସମ୍ବନ୍ଧରେ କିଛି ଉପାଦେୟ ତଥ୍ୟ

ରଙ୍ଗବେରଙ୍ଗର ଲିଲିୟମ୍ ଫୁଲ ବିନା ଫୁଲତୋଡ଼ା ଯେମିତି ଅସମ୍ପୂର୍ଣ୍ଣ ମନେ ହୁଏ l ସତରେ ଏହାର ରଙ୍ଗ ରୂପର ସ୍ୱତନ୍ତ୍ର ଆକର୍ଷଣ ରହିଛି l କେବଳ ଏଇଥିପାଇଁ ବଜାରରେ ଲିଲିୟମ୍ ଫୁଲର ଚାହିଦା ସବୁବେଳେ ଉଚ୍ଚରେ ରହିଆସିଛି l ଲିଲିୟମ୍ ଫୁଲର ଆବଶ୍ୟକତା ପୂରଣ କରିବା ପାଇଁ ଆମ ରାଜ୍ୟ ବାହାର ରାଜ୍ୟଗୁଡ଼ିକରୁ ଏହାକୁ କିଣୁଛି l ଓଡ଼ିଶାର ଫୁଲଚାଷୀମାନେ ଏହି ଫୁଲ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରିଲେ ନିଶ୍ଚିତ ଭାବରେ ଲାଭବାନ ହୋଇପାରିବେ l ଫୁଲତୋଡ଼ା ତଥା ବିବାହ ଓ ଅନ୍ୟାନ୍ୟ ଉତ୍ସବରେ ସାଜସଜା ପାଇଁ ବ୍ୟବହୃତ ହୋଇଥାଏ ଲିଲିୟମ୍ ।

Sugyan Kumar Nayak
Sugyan Kumar Nayak
Lilium Farming

Lilium Farming

ରଙ୍ଗବେରଙ୍ଗର ଲିଲିୟମ୍ ଫୁଲ ବିନା ଫୁଲତୋଡ଼ା ଯେମିତି ଅସମ୍ପୂର୍ଣ୍ଣ ମନେ ହୁଏ l ସତରେ ଏହାର ରଙ୍ଗ ରୂପର ସ୍ୱତନ୍ତ୍ର ଆକର୍ଷଣ ରହିଛି l କେବଳ ଏଇଥିପାଇଁ ବଜାରରେ ଲିଲିୟମ୍ ଫୁଲର ଚାହିଦା ସବୁବେଳେ ଉଚ୍ଚରେ ରହିଆସିଛି l ଲିଲିୟମ୍ ଫୁଲର ଆବଶ୍ୟକତା ପୂରଣ କରିବା ପାଇଁ ଆମ ରାଜ୍ୟ ବାହାର ରାଜ୍ୟଗୁଡ଼ିକରୁ ଏହାକୁ କିଣୁଛି l ଓଡ଼ିଶାର ଫୁଲଚାଷୀମାନେ ଏହି ଫୁଲ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରିଲେ ନିଶ୍ଚିତ ଭାବରେ ଲାଭବାନ ହୋଇପାରିବେ l ଫୁଲତୋଡ଼ା ତଥା ବିବାହ ଓ ଅନ୍ୟାନ୍ୟ ଉତ୍ସବରେ ସାଜସଜା ପାଇଁ ବ୍ୟବହୃତ ହୋଇଥାଏ ଲିଲିୟମ୍ । ଓଡ଼ିଶାରେ ଏହି ଫୁଲର ଚାହିଦା ଦିନକୁ ଦିନ ବଢୁଛି । ମାତ୍ର ଚାହିଦା ଅନୁସାରେ ଓଡ଼ିଶାରେ ଏହାର ଉତ୍ପାଦନ କମ୍ । ଦେଖିବାକୁ କାହାଳୀ ସଦୃଶ ଏହି ଫୁଲଟି ବିଭିନ୍ନ ରଙ୍ଗରେ ଉପଲବ୍ଧ । ଫୁଲ ଚାଷରେ ଆଗ୍ରହ ରଖୁଥିବା ଚାଷୀମାନେ ବୈଜ୍ଞାନିକ ପ୍ରଣାଳୀରେ ଏହି ଚାଷ କଲେ ଅଧିକ ଦୁଇ ପଇସା ଲାଭ ପାଇପାରିବେ । ଧଳା, ଗୋଲାପୀ, ଲାଲ୍, ହଳଦିଆ, କମଳା, ମେରୁନ୍, ଗାଢ଼ ଲାଲ୍ ଆଦି ରଙ୍ଗର ଲିଲିୟମ୍ ରହିଛି । ଲିଲିୟମ୍ ଏକ ବିଦେଶୀ ପ୍ରଜାତିର ଫୁଲ ହୋଇଥିବାରୁ ଏହାକୁ ବ୍ୟବସାୟିକ ପଦ୍ଧତିରେ ସବୁଜ ଗୃହ ବା ଗ୍ରୀନ୍ ହାଉସରେ ଚାଷ କରାଯାଇ ପାରିବ । ଲିଲିୟମ୍ ଚାଷ ପାଇଁ ସବୁଜଗୃହ ଦରକାର ହୁଏ । ସବୁଜ ଗୃହରେ ବ୍ୟବହୃତ ଛାୟା ଜାଲିରେ ଶତକଡ଼ା ୪୦-୫୦ ଭାଗ ଛାୟା ପ୍ରଦାନ କରିବା ଉଚିତ୍ । ସବୁଜ ଗୃହର ଉର୍ଦ୍ଧରେ ବାୟୁ ପ୍ରଚଳନ ପାଇଁ ବ୍ୟବସ୍ଥା ରହିବା ଆବଶ୍ୟକ । ତେଣୁ କରତ ଦାନ୍ତିଆ ସବୁଜ ଗୃହ ଲିଲିୟମ୍ ଚାଷ ପାଇଁ ଉପଯୋଗୀ । ଗ୍ରୀନ୍ ହାଉସ୍‌ରେ ଏହି ଫୁଲ ଚାଷ କିପରି କରିବେ ଆସନ୍ତୁ ଜାଣିବା ।

 ଲିଲିୟମ୍ ଏକ କନ୍ଦ ଜାତୀୟ ଫୁଲ । ଏଣୁ ଏହାର ବଂଶବିସ୍ତାର କନ୍ଦ ଦ୍ଵାରା ହୋଇଥାଏ । କନ୍ଦ ଗୁଡ଼ିକ ୩ ମାସ ପର୍ଯ୍ୟନ୍ତ ୪ - ୭ ଡିଗ୍ରୀ ସେଣ୍ଟିଗ୍ରେଡ ତାପମାତ୍ରାରେ ଥଣ୍ଡା କରିବା ପରେ ଏଥିରୁ ଗଜା ବାହାରିଥାଏ । ଫଳରେ ଏହା କୁଣ୍ଡ କିମ୍ବା ସବୁଜ ଗୃହ ମଧ୍ୟରେ ଲଗାଇବା ଉପଯୋଗୀ ହୋଇଥାଏ । ଲିଲିୟମ୍ ଏକ ତିନି ମାସିଆ ଫସଲ । କନ୍ଦ ଲଗାଇବା ସମୟରେ ବାୟୁମଣ୍ଡଳର ତାପମାତ୍ରା ୧୨ ଡ଼ିଗ୍ରୀ - ୧୩ ଡ଼ିଗୀ ସେଲସିୟସ୍ ହେଲେ ଗଛର ଚେର ତଥା କାଣ୍ଡ ଭଲ ବଢ଼େ । ଚାଷ ସମୟରେ ଦିନର ତାପମାତ୍ରା ୧୮-୨୫ ଡ଼ିଗ୍ରୀ ସେଲସିୟସ୍ ଏବଂ ରାତିର ତାପମାତ୍ରା ୧୨-୧୩ ଡ଼ିଗ୍ରୀ ସେଲସିୟସ୍ ହେଲେ ଗଛ ଭଲ ଭାବରେ ବଢ଼େ ଏବଂ ଏହାର ଫୁଲ ଉନ୍ନତମାନର ହୋଇଥାଏ । ବାୟୁମଣ୍ଡଳର ହାରାହାରି ଆର୍ଦ୍ରତା ଶତକଡ଼ା ୭୦-୮୦ ପ୍ରତିଶତ ହେବା ଦରକାର । ଲିଲିୟମ୍ ଚାଷ ପାଇଁ ୪ ଭାଗ ଦୋରସା ମାଟି, ୨ଭାଗ ନଡ଼ିଆ କତା ଗୁଣ୍ଡ, ୧ ଭାଗ ସଢ଼ା ଗୋବର ଖତ ଦରକାର । ଲିଲିୟମ୍ କନ୍ଦକୁ ମାଟିକୁଣ୍ଡ କିମ୍ବା ଶଯ୍ୟାରେ ସବୁଜଗୃହରେ ଲଗାଯାଏ । ଉପର ଲିଖିତ ମୃତ୍ତିକା ମିଶ୍ରଣକୁ ଫର୍ମାଲିନ୍‌ରେ ବିଶୋଧନ କରି କୁଣ୍ଡରେ ଭରାଯାଏ କିମ୍ବା ଶଯ୍ୟା ପ୍ରସ୍ତୁତ କରାଯାଏ । ଶଯ୍ୟାଗୁଡ଼ିକର ଓସାର ୧ମି. ଏବଂ ଲମ୍ବା ସବୁଜ ଗୃହର ଲମ୍ବା ଅନୁସାରେ ତିଆରି କରାଯାଏ । କନ୍ଦଗୁଡ଼ିକ ୨୦ ସେ.ମି. ୧୫ ସେ.ମି ଦୂରତାରେ ଶର୍ଯ୍ୟାରେ ଲଗାଇବା ଦ୍ଵାରା ପ୍ରାୟ ବର୍ଗ ମିଟର ପ୍ରତି ୩୦ କନ୍ଦ ଲଗାଯାଏ । ଜଳରେ ଦ୍ରବୀଭୂତ ହେଉଥିବା ଏନ୍.ପି.କେ. ସାରର ଶତକଡ଼ା ୦.୨ ଭାଗ (୨ଗ୍ରା

ଏକ ଲିଟର ପାଣିରେ) ମିଶାଇ ସିଞ୍ଚନ କରି ପ୍ରୟୋଗ କରାଯାଏ । ସପ୍ତାହରେ ଥରେ ଏହିପରି ସିଞ୍ଚନ କରି ପ୍ରୟୋଗ କରିବା ଆବଶ୍ୟକ । ପାଣି ଝରା ସାହଯ୍ୟରେ ମଧ୍ୟ ଏହା ପ୍ରଯୋଗ କରାଯାଇପାରେ । କିସମ ଅନୁସାରେ ଲିଲିୟମ୍ ଗଛରେ ୨-୮ଟି ଫୁଲ କଢ଼ ରହୁଥିବାରୁ ଏହାର ଓଜନ ଅଧିକ ହୋଇ ଗଛ ଭାଙ୍ଗିଯିବାର ସମ୍ଭାବନା ଥାଏ, ତେଣୁ ଗଛକୁ ବାଉଁଶ କାଠିର ଠେସ ଦିଆଯାଇପାରେ । ଝୋଟ ସୁତୁଲୀ ଓ ବାଉଁଶ ବତା ସାହାଯ୍ୟରେ ଠେସ ଦିଆଯାଏ । ତେଣୁ ଫୁଲ ଚାଷ କରୁଥିବା ବ୍ୟକ୍ତି ଝୋଟ ସୁତୁଲୀ ଓ ବାଉଁଶକୁ ପୂର୍ବରୁ ଆଣି ରଖିବା ଦରକାର l ପୁଷ୍ପ ସ୍ତବକର ପ୍ରଥମ କଢ଼ଟି ସଂପୂର୍ଣ୍ଣ ରୂପେ ବୃଦ୍ଧିପାଇ ତାର ପ୍ରକୃତ ରଂଗ ଦେଖାଦେଲେ ଭୂମି ଉପରୁ ୮-୧୦ ସେ.ମି ଛାଡ଼ି ଫୁଲ ସ୍ତବକଟି କଟାଯାଏ । ଏବଂ ଯଥାଶୀଘ୍ର ତାହାକୁ ପାଣି ବାଲଟିରେ ରଖିଦିଆଯାଏ । ପୁଷ୍ପ ସ୍ତବକର କଟା ଅଂଶରୁ ୧୦ ସେ.ମି ଉପର ପର୍ଯ୍ୟନ୍ତ ସମସ୍ତ ପତ୍ରଗୁଡ଼ିକୁ ବାହାର  କରିଦିଆଯାଏ । ଏହାପରେ ଫୁଲ ସ୍ତବକ ଗୁଡ଼ିକୁ  ରବର ବ୍ୟାଣ୍ଡରେ ବନ୍ଧାଯାଇ ବଜାରକୁ ପଠାଯାଏ ।  ମାତ୍ର ଦୂରବର୍ତ୍ତୀ ସ୍ଥାନକୁ, ଅନ୍ୟ ରାଜ୍ୟ କିମ୍ବା ଦେଶକୁ ପଠାଇବାର ଥିଲେ। ଏହାକୁ ଭଲ ଭାବରେ ଗ୍ରେଡିଂ କରି ସି.ଏଫ୍. ବି ବାକ୍ସରେ ପ୍ୟାକ୍ କରି ପଠାଯାଏ ।

ଫୁଲ ସ୍ତବକ କଟା ହେଲା ପରେ ଗଛକୁ ୪-୫ ସପ୍ତାହ ପର୍ଯ୍ୟନ୍ତ କୁଣ୍ଡ କିମ୍ବା ସବୁଜଗୃହରେ କନ୍ଦ ବୃଦ୍ଧି ହେବା ପାଇଁ ଛାଡ଼ି ଦିଆଯାଏ । ଜଳସେଚନ କମ ପରିମାଣରେ କରାଯାଏ । ଏହାପରେ କାଣ୍ଡ ଶୁଖିଯାଏ। ଏହି ଶୁଖିଲା କାଣ୍ଡକୁ ବାହାର  କରିଦିଆଯାଏ । ଏହାପରେ କନ୍ଦ ଗୁଡ଼ିକୁ ଅମଳ କରି ପାଣିରେ  ଧୋଇ ଶତକଡ଼ା ୦.୨ ଭାଗ ବାଭିଷ୍ଟିନ୍ ପାଣିରେ ୧୦ ମିଟର ପର୍ଯ୍ୟନ୍ତ ବିଶୋଧିତ କରାଯାଏ । କନ୍ଦଗୁଡ଼ିକୁ ଛାଇରେ ଶୁଖାଇବା  ପରେ ଜଣାଥିବା ପଲିଥିନ୍ ବା ଆର୍ଦ୍ର ଥିବା ନଡ଼ିଆକତା ଗୁଣ୍ଡ ମଧ୍ୟରେ କନ୍ଦଗୁଡ଼ିକୁ ପୁରାଇ କ୍ରେଟ୍‌ରେ ସଜାଇ ରଖାଯାଏ । ଏହି କ୍ରେଟଗୁଡ଼ିକୁ ଶୀତଳ ଭଣ୍ଡାରରେ ୨ ଡ଼ିଗ୍ରୀ ସେ ତାପମାତ୍ରାରେ  ଲଗାଇବା ପର୍ଯ୍ୟନ୍ତ ସାଇତି ରଖାଯାଏ । ଲିଲିୟମ୍ ତିନିମାସିଆ ଫସଲ  ହୋଇଥିବାରୁ ଏହା ଶୀତଋତୁ ତଥା ବର୍ଷା ଋତୁରେ ଆମ ରାଜ୍ୟରେ ଚାଷ କରାଯାଏ । ସବୁଜ ଗୃହରେ ଅତିକମରେ ପାଞ୍ଚବର୍ଷ ପର୍ଯ୍ୟନ୍ତ  ଲିଲିୟମ୍ ଚାଷ କରାଯାଇପାରିବ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments