Krishi Jagran odia
Menu Close Menu

ଫଳ ଚାଷର ଭିତିରି କଥା, ଜାଣି ରଖନ୍ତୁ !!!

Friday, 25 June 2021 11:42 AM , by: Sugyan Kumar Nayak
Fruits

Fruits

ଭୋଜନରେ ପନିପରିବା ଖାଇବା ଛଡ଼ା ଆମ ଶରୀର ପାଇଁ ଫଳ ମଧ୍ୟ ବହୁତ ଉପକାରୀ ଅଟେ l କିନ୍ତୁ ଫଳର ମୂଲ୍ୟ ବୃଦ୍ଧି ଯୋଗୁଁ ହେଉ ବା ସ୍ୱଳ୍ପ ପରିମାଣ ଉପଲବ୍ଧତା କାରଣରୁ ଆମେ ଯଥେଷ୍ଟ ପରିମାଣର ଫଳ ପାଇପାରୁନାହୁଁ l

ଓଡ଼ିଶାର ଫଳ ବଜାରକୁ ଲକ୍ଷ୍ୟ କଲେ ଜାଣିପାରିବେ ପ୍ରାୟତଃ ଅଧିକାଂଶ ଫଳ ବାହାର ରାଜ୍ୟରୁ ଆସୁଛି l ଆସନ୍ତୁ ଆଜି ଏଠାରେ ଫଳ ଚାଷ ଉପରେ ଏକ ବିଶେଷ ଆଲୋଚନା ହୋଇପାରିବେ ଯାହା ଆମର ଓଡ଼ିଶାର ଚାଷୀଭାଇମାନଙ୍କ ନିମନ୍ତେ ବହୁତ ଉପଯୋଗୀ ହୋଇପାରିବ l

ଫଳ ଖାଦ୍ୟସାର ଓ ଭିଟାମିନରେ ଭରପୂର । ରୋଗୀମାନଙ୍କ ପାଇଁ ଏହା ସହଜସାଧ୍ୟ ଖାଦ୍ୟ । ଫଳ ଭୋଜନ ଦ୍ଵାରା ସୁସ୍ଥ ଓ ନିରୋଗ ଶରୀରପ୍ରାପ୍ତ ହୋଇଥାଏ । ଏହା ଦେହରୁ ଅଧିକ ବର୍ଜ୍ୟବସ୍ତୁ ଓ କ୍ଳୋରାଇଡ ପରିସ୍ରା ଦ୍ଵାରା ନିର୍ଗତ କରାଇଥାଏ । ଫଳ ଆହାର ଅନ୍ତ୍ର ନଳୀକୁ ସଫା ରଖିବାରେ ସାହାଯ୍ୟ କରିବା ଦ୍ଵାରା ମଳକଣ୍ଟକ ଓ ଆନ୍ତ୍ରିକ ରୋଗ ଦୂର କରିଥାଏ ଏବଂ ଫଳ ଆହାର ଅମ୍ଳତ୍ଵରୁ ରକ୍ଷା କରିଥାଏ । ଏହାଦ୍ଵାରା ରକ୍ତ ପରିଷ୍କାର ରହେ । କାଗେଜି ଲେମ୍ବୁ, କମଳା, ଓ ଅଁଳା ଇତ୍ୟାଦି ଫଳ ଆମ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ପନିପରିବା ଓ ଶସ୍ୟ ଜାତୀୟ ଖାଦ୍ୟ ପାକକ୍ରିୟାରେ ଭିଟାମିନ ହରାଇବସନ୍ତି କିନ୍ତୁ ଫଳ ଆହାର ଦ୍ଵାରା ଆମକୁ ଭିଟାମିନ ସହଜରେ ମିଳିଥାଏ । ଏଣୁ ସୁସ୍ଥ ଶରୀର ପାଇଁ ଦୈନିକ ଖାଦ୍ୟ ସହ ଫଳ ଆହାର କରିବା ଅବଶ୍ୟକ ଅଟେ ।

ଆମ ଓଡିଶାରେ ଶତକଡା ୬୦ ଭାଗ ଜମିରେ ଜଳସେଚନ ସୁବିଧା ନାହିଁ । ଏସବୁ ଜମି ପାହାଡ ପର୍ବତ ଅଞ୍ଚଳ । ଏଥିରେ ମରୁଡ଼ି ଯୋଗୁଁ ବେଳେବେଳେ ଗୋଟିଏ ଫସଲ ଉତାରିବା କଷ୍ଟକର ହୋଇପଡେ । ଖାଦ୍ୟାଭାବ ଏ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କର ମୁଖ୍ୟ ସମସ୍ୟା । ମାଟି ଓ ପାଣି ଧୋଇ ହୋଇଯାଉଥିବା ମାଟିର ଉର୍ବରତା ବହୁତ କମ ଓ ଫସଲର ଉତ୍ପାଦନ ମଧ୍ୟ କମ ହୋଇଥାଏ । ଫଳ ଚାଷ ଏସବୁ ଅଞ୍ଚଳରେ ବାସ କରୁଥିବା ଅଧିବାସୀମାନଙ୍କ ପାଇଁ ଫଳଚାଷ ରକ୍ଷା କବଚ ସଦୃଶ ଅଟେ । ଫଳ ଗଛ ଲଗାଇବା ଦ୍ଵାରା ମାଟିରେ ପାଣି ସିଞ୍ଚନ ବୃଦ୍ଧିପାଏ । ୩୦ ଫୁଟ ଗଡାଣିର ବ୍ୟବଧାନରେ ବନ୍ଧ ଦେଇ ସେଥିରେ ଫଳ ଗଛ ଲଗାଇଲେ ଆମେ ଫସଲ ଚାଷ ସହ ଫଳଚାଷ ମଧ୍ୟ କରିପାରିବା । ଫଳଗଛ ମରୁଡି ସହିପାରେ । ଭୂତଳ ଜଳ ଓ ଖାଦ୍ୟସାର ଗ୍ରହଣ କରି ବଞ୍ଚେ । ମରୁଡି ସମୟରେ ଫସଲ ନଷ୍ଟ ହେଲେ ଚାଷୀ ଫଳଗଛରୁ ଅନାବୃଷ୍ଟି ସମୟରେ ଜଙ୍ଗଲରେ ଥିବା ଆମ୍ବ, ପଣସ, ଓ ଅନ୍ୟାନ୍ୟ ଫଳ ଖାଇ ଜୀବନଧାରଣ କରିଥାନ୍ତି । ଏଣୁ ଖାଦ୍ୟ ନିରାପତ୍ତା ପାଇଁ ଏସବୁ ଅଞ୍ଚଳରେ ବ୍ୟାପକ ଫଳଚାଷ କରିବା ସହ ବ୍ୟବସାୟିକ ଫଳଚାଷ କରିବା ଆବଶ୍ୟକ ଅଟେ । ଆମ ଓଡିଶାର ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ଆମ୍ବ, ପିଜୁଳି, ଲିଚୁ, ଡାଳିମ୍ବ, ରାମଫଳ, ଓ କାଗେଜି ଲେମ୍ବୁ ଇତ୍ୟାଦି ଫଳଚାଷ ପାଇଁ ବିଶେଷ ଉପଯୋଗୀ ।

ଆମ ଉପକୁଳବର୍ତ୍ତୀ ଅଞ୍ଚଳରେ ବନ୍ୟା ଓ ବାତ୍ୟା ଚିର ସାଥି ହୋଇଗଲାଣି । ସମୟ ସମୟରେ ଘରଦ୍ଵାର ଭାଙ୍ଗିବା ସହ ଘର ମଧ୍ୟରେ ସଞ୍ଚିତ ଖାଦ୍ୟ ନଷ୍ଟ ହୋଇଯାଇଥାଏ । ଏସବୁ ଅଞ୍ଚଳରେ ଫଳଚାଷ ବିଶେଷ ସହାୟକ ହୋଇଥାଏ । ବନ୍ୟାପ୍ଳାବିତ ଅଞ୍ଚଳରେ ନଡିଆ, ଆମ୍ବ, ପିଜୁଳି, ଓ ଅମୃତଭଣ୍ଡା ଇତ୍ୟାଦି ଚାଷ କଲେ ସେଥିରୁ ଆୟ ମିଳିବା ସହ ବିପଦ ବେଳେ ରକ୍ଷା କବଚ ପରି କାମ କରେ । ଏହାଛଡା ଚାଷୀମାନେ ବାର୍ଦ୍ଧକ୍ୟ ସମୟରେ ପରିଶ୍ରମ କରି ଚାଷ କରିବା କଷ୍ଟକର ହୋଇଥାଏ । ଏଣୁ ବାଡିବଗିଚାରେ କିଛି ଫଳ ଗଛ ଲଗାଇଥିଲେ ସେଥିରୁ ହେଉଥିବା ଆୟରେ ପରିଣତ ବୟସରେ ଚଳିହେବ l

ସାଧାରଣତଃ କ୍ଷେତରେ କ୍ଷେତ ଓ ସାର ଦେଇ ଫସଲ ଚାଷ କରାଯାଇଥାଏ । ଏହି ସାରର କିଛି ଅଂଶ ମାଟି ତଳକୁ ଚାଲିଯାଇ ପାଣିକୁ ଦୂଷିତ କରିଥାଏ । ହୁଡାରେ ଫଳଗଛ ଥିଲେ ଫଳଗଛ ମାଟି ତଳକୁ ଯାଇଥିବା ସାରକୁ ଗ୍ରହଣ କରିନିଏ ଓ ମାଟିତଳ ପାଣି ପ୍ରଦୂଷଣମୁକ୍ତ ହୋଇଥାଏ । ସାର ଗଛ ଦ୍ଵାରା ବିନିଯୋଗ ହୋଇ ପତ୍ର , ଫୁଲ ଫଳ ଓ କାଠରେ ପରିଣତ ହୋଇ ମାଟି ଉପରକୁ ଚାଲିଆସେ । ଏଣୁ ଗଛ ଲଗାଇବା ଦ୍ଵାରା ମାଟିର ଉର୍ବରତା ହ୍ରାସ ପାଇନଥାଏ ଏବଂ ସ୍ଥାୟିତ୍ଵ ବଜାୟ ରହିଥାଏ । ଗଛ ଲଗାଇବା ଦ୍ଵାରା ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପ ସବୁ ସମୟରେ ବ୍ୟବହାର ହୋଇ ଜୈବିକ ଅଙ୍ଗାରରେ ପରିଣତ ହୋଇଥାଏ । ଏହାଦ୍ଵାରା ବାୟୁମଣ୍ଡଳ ଉତ୍ତପ୍ତିକରଣରୁ ରକ୍ଷା ମିଳିଥାଏ । ସୁତରାଂ ଫଳ ରାଜ୍ୟର ଚାଷୀମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିବା ସହ ପରିବେଶ ପାଇଁ ମଧ୍ୟ ଅନୁକୂଳ ହେବ ।

English Summary: know the secrets of fruit farming. Fruit Farming Fruit Farming in Odisha
Krishi Jagran odia Magazine Subscription Online Subscription




CopyRight - 2021 Krishi Jagran Media Group. All Rights Reserved.