କ୍ରମାଗତ ରେକର୍ଡ ସ୍ତରରେ ସଂଗ୍ରହ ହେଉଛି ବସ୍ତୁ ଓ ସେବା କର(GST) । ଚଳିତ ବର୍ଷ ଜୁଲାଇ ମାସରେ ୧ ଲକ୍ଷ ୪୮ ହଜାର ୯୯୫ କୋଟି ଟଙ୍କାର ସକଳ ବସ୍ତୁ ଓ ସେବା କର (GST) ରାଜସ୍ବ ସଂଗୃହିତ ହୋଇଛି । ଏଥିମଧ୍ୟରେ ସିଜିଏସଟି ୨୫,୭୫୧ କୋଟି ଟଙ୍କା ହୋଇଥିବା ବେଳେ ଏସଜିଏସଟି ପରିମାଣ ୩୨,୮୦୭ କୋଟି ଟଙ୍କା ରହିଛି ।
ସେହିପରି ଆଇଜିଏସଟି ସଂଗ୍ରହ ପରିମାଣ ୭୯,୫୧୮ କୋଟି ଟଙ୍କା (ବସ୍ତୁ ଆମଦାନୀ ଉପରେ ସଂଗୃହିତ ୪୧,୪୨୦ କୋଟି ଟଙ୍କା ସମେତ) ଏବଂ ସେସ ସଂଗ୍ରହ ପରିମାଣ ୧୦,୯୨୦ କୋଟି ଟଙ୍କା (ବସ୍ତୁ ଆମଦାନୀରୁ ସଂଗୃହିତ ୯୯୫ କୋଟି ଟଙ୍କା ସମେତ) ରହିଛି । ଜିଏସଟି ଲାଗୁ ହେବା ପରଠାରୁ ଏହା ଦ୍ବିତୀୟ ସର୍ବାଧିକ ରାଜସ୍ବ ସଂଗ୍ରହ ।
ଜୁଲାଇ ୨୦୨୨ରେ ଓଡ଼ିଶାରେ ୩,୬୫୨ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗୃହିତ ହୋଇଛି । ଏହା ଜୁଲାଇ ୨୦୨୧ରେ ସଂଗୃହିତ ଜିଏସଟି ରାଜସ୍ବ ୩,୬୧୫ କୋଟି ଟଙ୍କା ତୁଳନାରେ ୧% ଅଧିକ ।
ଅନ୍ୟପଟେ ସରକାର ସିଜିଏସଟି ବାବଦରେ ୩୨,୩୬୫ କୋଟି ଟଙ୍କା ଏବଂ ଆଇଜିଏସଟିରୁ ଏସଜିଏସଟି ବାବଦରେ ୨୬,୭୭୪ କୋଟି ଟଙ୍କା ପରିଶୋଧ କରିଛନ୍ତି । ନିୟମିତ ପରିଶୋଧ କରିବା ପରେ ୨୦୨୨ ଜୁଲାଇ ମାସରେ କେନ୍ଦ୍ର ଏବଂ ରାଜ୍ୟର ମୋଟ ରାଜସ୍ବ ସଂଗ୍ରହ ସିଜିଏସଟି ପାଇଁ ୫୮,୧୧୬ କୋଟି ଟଙ୍କା ଏବଂ ଏସଜିଏସଟି ପାଇଁ ୫୯,୫୮୧ କୋଟି ଟଙ୍କା ରହିଛି ।
ଗତବର୍ଷ ଜୁଲାଇ ମାସରେ ୧,୧୬,୩୯୩ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗୃହିତ ହୋଇଥିଲା । ଏହା ତୁଳନାରେ ଚଳିତ ବର୍ଷ ଅର୍ଥାତ୍ ଜୁଲାଇ ୨୦୨୨ରେ ୨୮% ଅଧିକ ଜିଏସଟି ସଂଗୃହିତ ହୋଇଛି । ଏହି ମାସରେ, ବସ୍ତୁ ଆମଦାନୀରୁ ସଂଗୃହିତ ଜିଏସଟି ଗତବର୍ଷ ସମାନ ମାସ ତୁଳନାରେ ୪୮% ଅଧିକ ରହିଛି । ସେହିପରି ଘରୋଇ କାରବାର (ସେବା ରପ୍ତାନି ସମେତ)ରୁ ସଂଗୃହିତ ରାଜସ୍ବ ପୂର୍ବବର୍ଷର ସମାନ ମାସ ତୁଳନାରେ ୨୨% ଅଧିକ ରହିଛି ।
GST Compensation: ପାଞ୍ଚ ବର୍ଷରେ ରାଜ୍ୟମାନଙ୍କୁ ୫୫୫୧୨୧ କୋଟି ଦେଇଛନ୍ତି କେନ୍ଦ୍ର ସରକାର