
31st National Review Meeting held at OUAT
ଓୟୁଏଟି ପରିସର ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ସର୍ବଭାରତୀୟ ସମନ୍ବିତ ତୃଣକ ପରିଚାଳନା ଗବେଷଣା ପ୍ରକଳ୍ପର ୩୧ତମ ଜାତୀୟ ବାର୍ଷିକ ସମୀକ୍ଷା ସଭା କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି l ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନର ଜାତୀୟ ସମ୍ବଳ ପରିଚାଳନା ବିଭାଗର ଉପ ନିର୍ଦ୍ଦେଶକ ଏସ.କେ ଚୌଧରୀ କୃଷି କ୍ଷେତ୍ରରେ ତୃଣକ ଦମନର ନୂତନ ଓ ସୃଜନାତ୍ମକ ଗବେଷଣା ପ୍ରତି ଗୁରୁତ୍ତ୍ୱାରୋପ କରିଥିଲେ l
ସେ କ୍ଷତିକାରକ ଗାଜର ଘାସ ବରଝାଞ୍ଜି ଦଳର ଦମନ ସମ୍ପର୍କରେ ଅଧିକ ଗବେଷଣାକୁ ଗୁରୁତ୍ତ୍ଵ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ICAR ର ଏଡିଜି ପ୍ରଫେସର ରାଜଵୀର ସିଂ ବିବିଧ ଜଳବାୟୁ ଭିତ୍ତିକ ପରିବେଶରେ ତୃଣକ ଦମନର ପଦ୍ଧତି ଓ ଯାନ୍ତ୍ରିକ ପ୍ରଣାଳୀ ଦମନ ସମ୍ପର୍କରେ ଆଲୋକପାତ କରିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଭାବରେ ତୃଣକ ଗବେଷଣା ଅନୁଷ୍ଠାନ, ଜବଲପୁରର ନିର୍ଦ୍ଦେଶକ ପ୍ରଫେସର ଜେ.ଏସ ମିଶ୍ର ସମନ୍ବିତ ତୃଣକ ଦମନ ପଦ୍ଧତି ଓ ନୂତନ ତୃଣନାଶକର ନୂତନ ସିଞ୍ଚନ ପଦ୍ଧତି ତଥା ଡ୍ରୋନ୍ ପଦ୍ଧତିରେ ସିଞ୍ଚନ ବିଷୟରେ ସୂଚନା ପ୍ରଦାନ କରିଥିଲେ l
ଉକ୍ତ ଉଦଘାଟନୀ ଆସରର ପ୍ରାରମ୍ଭରେ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନର ସଂଗୀତ ପରିବେଷଣ କରାଯାଇଥିଲା l ଅତିଥିମାନେ ପବିତ୍ର ଅଶୋକ ଗଛରେ ଜଳଦାନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ କରିଥିଲେ l ବିଶ୍ୱବିଦ୍ୟାଳୟ ଗବେଷଣା ଅଧ୍ୟକ୍ଷ ପ୍ରଫେସର ସୁଶେନ କୁମାର ପ୍ରଧାନ ସ୍ୱାଗତ ଭାଷଣ ଓ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ l
ସମ୍ମାନିତ ଅତିଥି ଜାତୀୟ ଧାନ ଗବେଷଣା କେନ୍ଦ୍ର, କଟକର ନିର୍ଦ୍ଦେଶକ ପ୍ରଫେସର ଏ.କେ ନାୟକ ତୃଣକର ବିଷ ସହନଶୀଳତା ଓ ବୁଣା ଧାନରେ ଘାସ ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ l ଘାସ ନିରାକରଣ ପ୍ରକଳ୍ପ ସଂଯୋଜକ ଆର.ପି ଦୁବେ ୨୦୨୩ ବର୍ଷର ଗବେଷଣା ଫଳାଫଳ ଉପସ୍ଥାପନା କରିଥିଲେ l ନିଜସ୍ୱ ସଭାପତିୟ ଅଭିଭାଷଣରେ କୁଳପତି ପ୍ରଫେସର ରାଉଳ ସମୟାନୁବର୍ତ୍ତୀ କୃଷିକାର୍ଯ୍ୟ , ପରିବର୍ତ୍ତିତ ଜଳବାୟୁ ପରିପ୍ରେକ୍ଷୀରେ ଘାସ ସମସ୍ୟାର ଗବେଷଣା ତଥା ଓୟୁଏଟି ଅଧିନସ୍ଥ ୫୧ଟି ଗବେଷଣା ପ୍ରକଳ୍ପର ଗ୍ରାମାଞ୍ଚଳରେ ନିଆଯାଇଥିବା ଗୁରୁ ଗୌରବ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l
ଉକ୍ତ ଆସରରେ ଓଡ଼ିଶାର ଅବସରପ୍ରାପ୍ତ ତୃଣକ ବୈଜ୍ଞାନିକ ତଥା ଜେ.ସି ପୃଷ୍ଟି , ସୁଧାଂଶୁ ମିଶ୍ର , ବାସୁଦେବ ବେହେରା ଓ କେ.ଏନ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏଠାରେ ଭାରତର ବିଭିନ୍ନ ତୃଣକ ଗବେଷଣା କେନ୍ଦ୍ରରୁ ପ୍ରକାଶିତ ପୁସ୍ତିକା ଗୁଡିକ ଉନ୍ମୋଚିତ କରାଯାଇଥିଲା l ପରିଚାଳନା ସମ୍ପାଦକ ରବିରତ୍ନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l ତୃଣକ ବୈଜ୍ଞାନିକ ଅବଦୁଲ ଆଲମ ଓ ପିଏଚଡି ଛାତ୍ରୀ ଶୁଭଶ୍ରୀ ରଥ ସଭାକାର୍ଯ୍ୟ ସଂଯୋଜନା କରିଥିଲେ l
Share your comments