
Big Opportunity for the one lakh Ayurveda students in the Country
ଆୟୁର୍ବେଦ(Ayurveda) କ୍ଷେତ୍ରରେ ଦେଶରେ ପ୍ରତିଭାବାନ ବିଦ୍ୟାର୍ଥୀମାନଙ୍କୁ ଗବେଷଣା କ୍ଷେତ୍ରରେ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ରୀୟ ଆୟୁର୍ବେଦ(Ayurveda) ବିଜ୍ଞାନ ଗବେଷଣା ପରିଷଦ (ସିସିଆର୍ଏଏସ୍) ଏକ ଅନୁପମ ପ୍ରୟାସ ଆରମ୍ଭ କରିଛି । ଏହି ଯୋଜନାରେ ଦେଶର ମାନ୍ୟତାପ୍ରାପ୍ତ ଆୟୁର୍ବେଦ କଲେଜରେ ଅଧ୍ୟୟନ କରୁଥିବା ପ୍ରତିଭାବାନ ବିଦ୍ୟାର୍ଥୀଙ୍କୁ ନବ ସୃଜନାତ୍ମକ ଗବେଷଣା ପାଇଁ ‘SPARK’ କାର୍ଯ୍ୟକ୍ରମ ମାଧ୍ୟମରେ ଆର୍ଥିକ ଓ ଅନ୍ୟାନ୍ୟ ପ୍ରୋତ୍ସାହନ ଯୋଗାଇ ଦିଆଯିବ ।
ଏହା ମୂଳତଃ ଗବେଷଣା ପାଇଁ ଏକ ଫେଲୋସିପ୍ କାର୍ଯ୍ୟକ୍ରମ । ଆଜି ନୂଆଦିଲ୍ଳୀଠାରେ ଆୟୁଷ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଶ୍ରୀ ପ୍ରମୋଦ କୁମାର ପାଠକ ଏବଂ ଭାରତୀୟ ଭେଷଜ ପଦ୍ଧତିର ଜାତୀୟ ଆୟୋଗର ଅଧ୍ୟକ୍ଷ ବୈଦ୍ୟ ଜୟନ୍ତ ଯଶୋବନ୍ତ ଦେବପୂଜାରୀ ଏହି ଫେଲୋସିପ୍ର ଶୁଭାରମ୍ଭ କରିଛନ୍ତି । ଏଥିସହିତ ଆବେଦନ କରିବା ନିମନ୍ତେ ଏକ ଆପ୍ଲିକେସନ ପୋର୍ଟାଲର ଶୁଭାରମ୍ଭ ହୋଇଛି ।
ଏହି କାର୍ଯ୍ୟକ୍ରମରେ ଜୟପୁରସ୍ଥିତ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା କାର୍ଯ୍ୟକାରୀ କୁଳପତି ପ୍ରଫେସର ସଞ୍ଜୀବ ଶର୍ମା, ସିସିଆରଏଏସ୍ର ମହାନିର୍ଦ୍ଦେଶକ ପ୍ରଫେସର ଆର.ଏନ୍ ଆଚାର୍ଯ୍ୟ, ସିଏଆରଆଇ ବେଙ୍ଗାଲୁରର ନିର୍ଦ୍ଦେଶକ ଡକ୍ଟର ସୁଲୋଚନା ଭଟ୍ଟ, ଭୁବନେଶ୍ୱର ସିଏଆର୍ଆଇର ନିର୍ଦ୍ଦେଶକ ଡକ୍ଟର ଏମ୍ଏମ୍ ରାଓ ଏବଂ ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନର ଗବେଷଣା ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ ନବସୃଜନାତ୍ମକ ଗବେଷଣା ପାଇଁ ଆୟୁର୍ବେଦ ଗବେଷକ, ବିଶେଷକରି ପ୍ରତିଭାଧାରୀ ବିଦ୍ୟାର୍ଥୀମାନଙ୍କୁ ପଚାଶ ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବ । ଏହାଛଡା ସମ୍ପୃକ୍ତ ଗବେଷକଙ୍କୁ ତୁଙ୍ଗ ଉଦ୍ୟୋଗ ବିଶେଷଜ୍ଞଙ୍କ ସହାୟତା, ପରାମର୍ଶ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳିବ ।
ଦେଶର ଏକ ଲକ୍ଷ ଆୟୁର୍ବେଦ ବିଦ୍ୟାର୍ଥୀଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ । ଯେଉଁମାନେ ଏ କ୍ଷେତ୍ରରେ ଗବେଷଣା ପାଇଁ ଆଗ୍ରହୀ ସେମାନେ ଆଜିଠାରୁ ଉନ୍ମୁକ୍ତ ହୋଇଥିବା ପୋର୍ଟାଲ ମାଧ୍ୟମରେ ନିଜ ନିଜର ଆବେଦନପତ୍ର ପ୍ରେରଣ କରିପାରିବେ । କେବଳ ମାନ୍ୟତାପ୍ରାପ୍ତ ଆୟୁର୍ବେଦ କଲେଜରେ ସ୍ନାତକସ୍ତରରେ ପାଠ ପଢୁଥିବା ବିଦ୍ୟାର୍ଥୀମାନଙ୍କୁ ଏହି ଗବେଷଣାର ସୁଯୋଗ ମିଳିବ । ଏ ସଂକ୍ରାନ୍ତ ସମସ୍ତ ସୂଚନା www.spark.ccras.nic.in ରୁ ମିଳିପାରିବ । ଏଥି ପାଇଁ ପ୍ରାରମ୍ଭିକଭାବେ ୧୦୦ ଫେଲୋସିପ୍ ପ୍ରଦାନର ବ୍ୟବସ୍ଥା କରାଯାଇଛି । ଏଥିରେ ପ୍ରତ୍ୟେକ ଗବେଷକଙ୍କୁ ୫୦ହଜାର ଟଙ୍କାର ଫେଲୋସିପ ପ୍ରଦାନ କରାଯିବ ।
Share your comments