ଭୁବନେଶ୍ବର : ଚାଷୀ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ଗମ୍ଭୀର ମୋଡ଼ ନେବାକୁ ଯାଉଛି। ଧାନ କିଣା ପ୍ରସଙ୍ଗରେ ବିଜେପି ରାଜ୍ୟ ସରକାରଙ୍କୁ ଯେଉଁ ୭୨ ଘଣ୍ଟାର କଣ୍ଟ ଦେଇଥିଲା, ତାହା ଆଜି ପୂରଣ ହୋଇଛି। ହେଲେ କୌଣସି ଠୋସ୍ ଉତ୍ତର ସରକାରଙ୍କ ଠାରୁ ମିଳିନଥିବା ପରିପ୍ରେକ୍ଷୀରେ ବିଜେପି ଆଜି ପୁଣି ଏକ ବୈଠକ କରି ଘୋଷଣା କରିଛି ଯେ ୨୯ ତାରିଖ ଦିନ ୩୭ଟି ବିଧାନସଭା ଆସନ (ପଶ୍ଚିମ ଓଡ଼ିଶାର ୫ଟି ସଂସଦୀୟ କ୍ଷେତ୍ର ଯଥା ବଲାଙ୍ଗୀର, ବରଗଡ, କଳାହାଣ୍ଡି, ସୁନ୍ଦରଗଡ, ସମ୍ବଲପୁର ଅଧୀନରେ ଥିବା ୩୫ଟି ନିର୍ବାଚନ ମଣ୍ଡଳୀ ଓ ବୌଦ୍ଧ ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀ) ଅନ୍ତର୍ଗତ ସବୁ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବ। ତଥାପି ଯଦି ସରକାର ନ ଶୁଣନ୍ତି, ତେବେ ଦଳ ରାସ୍ତା ଅବରୋଧ କରି ଚକ ଅଖ ଜାମ୍ କରିଦେବ। ଆଜି ବିଜେପି ବିଧାୟକଙ୍କ ଜୟ ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦଳ ଏଭଳି ଚରମ ନିଷ୍ପତ୍ତି ନେଇଛି।
ଏପଟେ ରାଜଧାନୀରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସରକାରଙ୍କୁ ପାଞ୍ଚଟି ପ୍ରଶ୍ନ ପଚାରି ଜବାବ ମାଗିଛନ୍ତି। ଏଯାଏ ଧାନ କିଣା ପ୍ରସଙ୍ଗରେ ଚୁପ୍ ଥିବା ଖାଦ୍ୟ ଯୋଗାଣ ମନ୍ତ୍ରୀ କିନ୍ତୁ ତଥ୍ୟ ରଖି କହିଛନ୍ତି ଯେ ଯେଉଁମାନେ ଆନ୍ଦୋଳନ କରୁଛନ୍ତି, ସେମାନେ ଅନ୍ତତଃ ମାର୍ଚ୍ଚ ୩୧ ତାରିଖ ଯାଏ ଅପେକ୍ଷା କରନ୍ତୁ। ବିଜେପି ଦୁଇଟି ଦଫାରେ ରାଜ୍ୟ ସରକାରଙ୍କୁ ଘେରିଥିଲା। ବିଜେପି ସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଧାନ ଧରି ରାଜରାସ୍ତାରେ ବସିଛନ୍ତି। ରାଜ୍ୟ ସରକାର ଚାଷୀଙ୍କ ଧାନ ଉଠାଉ ନାହାନ୍ତି। କେନ୍ଦ୍ର ସରକାର ଧାନ ମଣ୍ଡିଗୁଡିକରେ ଭିତିଭୂମି, ପାନୀୟ ଜଳ, ଧାନ ଅଖା, ସୁତୁଲି ଏବଂ ଯିବା ଆସିବା ଖର୍ଚ୍ଚ ପାଇଁ ପର୍ଯ୍ୟାପ୍ତ ଅର୍ଥ ଦେଉଥିବାବେଳେ ବିଭିନ୍ନ ଆର୍ଏମ୍ସି, ପାକ୍ସ, ଲାମ୍ପ୍ସ ପାଖରେ କୋଟି କୋଟି ଟଙ୍କା ପଡିରହିଛି। ଏ ଟଙ୍କା ଚାଷୀ ପାଉନି। ହେଲେ କାହା ପକେଟକୁ ଗରମ କରୁଛି ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ। ଓଡିଶାର ଚାଷୀ ପଚାରିଲେଣି ଧାନ କିଣୁଛି କିଏ? ଯୋଗାଣ ବିଭାଗ ନା ମିଲର୍ ? ଲାଭଖୋର ମିଲର ଧାନ କିଣାର ସବୁ ନିୟମ କାନୁନ ଭାଙ୍ଗି ଚାଷୀଙ୍କୁ ଶୋଷଣ କରୁଛନ୍ତି। ସରକାରଙ୍କ କାନକୁ ଏ କଥା ପହଞ୍ଚୁଛି ନା ନାହିଁ? ପ୍ରଧାନମନ୍ତ୍ରୀ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ୧୮୬୮ ଟଙ୍କା କ୍ବିଣ୍ଟାଲ ପିଛା ପ୍ରଦାନ କରୁଛନ୍ତି। ଚାଷୀଙ୍କ ପେଟରୁ କିଏ ଏହି ଟଙ୍କା କାଟି ଖାଉଛି? ମଣ୍ଡିରେ କଟ୍ନି –ଛଟ୍ନି କାହା ନିର୍ଦ୍ଦେଶ ଓ ସମ୍ମତିରେ ହେଉଛି?
ଏହି ଅବସରରେ ଶ୍ରୀ ମହାନ୍ତି ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ ପଚାରିଛନ୍ତି। କେତେ ଚାଷୀଙ୍କୁ କାଳିଆ ଯୋଜନାରେ ପ୍ରଥମ କିସ୍ତିରେ ଅର୍ଥ ପ୍ରଦାନ କରାଯାଇଥିଲା ଏବଂ ଏହି ସଂଖ୍ୟା ଏବେ କେତେରେ ପହଞ୍ଚିଛି? ଏବେ ମଣ୍ଡିରେ ପଡିଥିବା ଚାଷୀର ଧାନ କଣ୍ଟିଜେନ୍ସି ଫଣ୍ଡରୁ ଅର୍ଥ ଆଣି ତୁରନ୍ତ କିଣିବା ପାଇଁ ବ୍ୟବସ୍ଥା କରିବେ କି? ପ୍ରଧାନମନ୍ତ୍ରୀ କିଷାନ ନିଧିରେ ପ୍ରଥମ କିସ୍ତିରେ ରାଜ୍ୟର ୩୮ ଲକ୍ଷ ଚାଷୀ ଲାଭବାନ ହୋଇଥିଲେ ଏହି ସଂଖ୍ୟା ୭ମ କିସ୍ତିକୁ ୯ ଲକ୍ଷକୁ ଖସି ଆସିଛି। ଓଡିଆ ଚାଷୀଙ୍କୁ ଟଙ୍କା ଦେବା ପାଇଁ ମୋଦୀ ବ୍ୟବସ୍ଥା କରିଛନ୍ତି। ମାତ୍ର ରାଜ୍ୟ ସରକାରଙ୍କର ଚାଷୀ ସଂଖ୍ୟା ଏବେ ଚତୁର୍ଥାଂଶରୁ କାହିଁକି କମ୍ ହୋଇଛି? ରାଜ୍ୟର ପ୍ରତି ବ୍ଲକକୁ ସର୍ବନିମ୍ନ ୩୫ ପ୍ରତିଶତ ଜଳସେଚନ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ଥିଲା । ସରକାର ଏଥିରେ କାହିଁକି ବିଫଳ ହୋଇଛନ୍ତି? ୨ ହଜାର ମସିହାରେ ରାଜ୍ୟରେ ଯେତିକି ଶୀତଳ ଭଣ୍ଡାର ଥିଲା ଏବେ ବି ରାଜ୍ୟରେ ସେତିକି ଶୀତଳ ଭଣ୍ଡାରର ସଂଖ୍ୟାରେ ସୀମିତ କାହିଁକି? ପ୍ରତି ବ୍ଲକରେ ଶୀତଳ ଭଣ୍ଡାର କୁଆଡ଼େ ଗଲା?
ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପସଭାପତି ଭ୍ରୁଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ ଯୋଗାଣ ମନ୍ତ୍ରୀ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ଗତବର୍ଷ ତୁଳନାରେ ବର୍ତ୍ତମାନ ସୁଦ୍ଧା ୨୦ ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଛି। ମାର୍ଚ୍ଚ ୩୧ ସୁଦ୍ଧା ଲକ୍ଷ୍ୟ ପୂରଣ ହେବ। ବର୍ତ୍ତମାନ ସୁଧା ମୋଟ ୪୦ ଲକ୍ଷ ୬୬ ହଜାର ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି। ଯେଉଁମାନେ ଆନ୍ଦୋଳନ କରୁଛନ୍ତି ସେମାନେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ସରକାର ଚାଷୀଙ୍କୁ ସମ୍ମାନ ଦେଉଛନ୍ତି, ହେଲେ ମଧ୍ୟସ୍ଥିକୁ ନୁହେଁ। ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆହୁରି କହିଛନ୍ତି ଯେ ଯେଉଁ ଚାଷୀଙ୍କର ଟୋକନ୍ ଅବଧି ଶେଷ ହେଉଛି ଓ ସେମାନେ ଧାନ ବିକ୍ରି କରି ପାରୁନାହାନ୍ତି ସେମାନେ ଜିଲ୍ଲା ସ୍ତରୀୟ ଧାନ କିଣା ପାଇଁ ଗଠନ ହୋଇଥିବା କମିଟିର ଦୃଷ୍ଟି ଆକର୍ଷଣ କଲେ, ଏହାର ସମାଧାନ ହେବ।
ଏହାପରେ ବିଜେପି ନେତାଗୋଲକ ମହାପାତ୍ର ପୁଣି ଗଣମାଧ୍ୟମକୁ କହିଛନ୍ତି, ଏବର୍ଷ ଧାନକିଣା ପାଇଁ କେନ୍ଦ୍ର ସରକାର ୧୮ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦେଇଥିଲେ। ହେଲେ ଅଦ୍ୟାବଧି ଅଧା ଜିଲ୍ଲାରେ ଧାନମଣ୍ଡି ଖୋଲିନାହିଁ। ଅଥଚ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅଧିକ ଧାନ କିଣିଛନ୍ତି କହି ଓଡିଶାବାସୀଙ୍କୁ ଭ୍ରମିତ କରୁଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି, ଜାନୁଆରି ୨୪ ତାରିଖ ସୁଦ୍ଧା ରାଜ୍ୟରୁ ମାତ୍ର ୪୫.୫% ଚାଷୀଙ୍କ ଠାରୁ ସରକାର ଧାନ ସଂଗ୍ରହ କରିଛନ୍ତି। ସମଗ୍ର ରାଜ୍ୟରେ ରାଜ୍ୟ ସରକାର ୧୪ଲକ୍ଷ୯୯ ହଜାର ୬୬୧ ଚାଷୀଙ୍କ ମଧ୍ୟରୁ ୬ ଲକ୍ଷ ୮୨ ହଜାର ୪୪୧ ଚାଷୀଙ୍କ ଧାନ କିଣିଛନ୍ତି। ବାକି ୮ ଲକ୍ଷ ୧୭ହଜାର ୨୨୦ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯାଇନାହିଁ। ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲାରେ ୧ଲକ୍ଷ ୩୯ ହଜାର ୬୪୮ ଚାଷୀଙ୍କ ମଧ୍ୟରୁ ୩୫ ହଜାର ୯୩ ଚାଷୀଙ୍କ ଧାନ ସଂଗ୍ରହ କରାଯାଇଛି, ଯାହା ମାତ୍ର ୨୫% ରହିଛି। ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ କଟକ ଜିଲ୍ଲାରେ ୬୨,୨୯୮ ଚାଷୀଙ୍କ ମଧ୍ୟରୁ ମାତ୍ର ୧୬,୪୩୭ ଚାଷୀଙ୍କ ଧାନ କିଣାଯାଇଛି,ଯାହା ମାତ୍ର ୨୬ ପ୍ରତିଶତ ରହିଛି। ଖାଦ୍ୟ ଯୋଗାଣ ମନ୍ତ୍ରୀ ନିଜ ଜିଲ୍ଲାର ଚାଷୀଙ୍କ ଠାରୁ ପ୍ରଥମେ ଧାନ ଉଠାନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
Share your comments