1. କୃଷି ଖବର

ଭାରତକୁ ବାର୍ଷିକ ୧୫ଲକ୍ଷ ମେଟ୍ରିକ ଟନ ପଟାସ ଯୋଗାଇବ କାନାଡାର Canpotex

କାନପୋଟେକ୍ସ ସଂସ୍ଥା ଭାରତକୁ ତିନିବର୍ଷ ପାଇଁ ବାର୍ଷିକ ୧୫ଲକ୍ଷ ମେଟ୍ରିକ ଟନ୍ ଲେଖାଏଁ ପଟାସ ଯୋଗାଇବ । ଏହି ପଟାସକୁ ଭାରତୀୟ ସାର ଉତ୍ପାଦନକାରୀ କମ୍ପାନୀମାନେ ବ୍ୟବହାର କରିପାରିବେ ।

Shuvanshu Kar
Shuvanshu Kar
Canpotex, Canada will supply up to 15 LMT of Potash annually for 3 years

Canpotex, Canada will supply up to 15 LMT of Potash annually for 3 years

ଦେଶରେ ରାସାୟନିକ ସାରର ଉପଲବ୍ଧତା ବୃଦ୍ଧି ଏବଂ ଏ କ୍ଷେତ୍ରରେ ଦୀର୍ଘକାଳୀନ ଯୋଗାଣ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଭାରତୀୟ ସାର କମ୍ପାନୀଗୁଡିକ ବିଶ୍ୱର ସର୍ବବୃହତ୍ ପଟାସ ଯୋଗାଣକାରୀ ସଂସ୍ଥା କାଡାନାର କାନପୋଟେକ୍ସ କମ୍ପାନୀ ସହିତ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ସେପ୍ଟେମ୍ବର ୨୭ରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

ଭାରତୀୟ ସାର କମ୍ପାନୀ କରମଣ୍ଡଳ ଇଣ୍ଟରନ୍ୟାସନାଲ, ଚମ୍ବଲ ଫର୍ଟିଲାଇଜର ଓ ଇଣ୍ଡିଆନ ପଟାସ ଲିମିଟେଡ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି । କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡବୀୟଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । କାନାଡାର କାନପୋଟେକ୍ସ ବିଶ୍ୱର ସର୍ବବୃହତ୍ ପଟାସ ରପ୍ତାନୀକାରୀ/ଯୋଗାଣକାରୀ ସଂସ୍ଥା । ଏହା ବାର୍ଷିକ ୧୩୦ଲକ୍ଷ ମେଟ୍ରିକ ଟନ୍‌ ପଟାସ ଓ ପଟାସ ଜାତୀୟ ସାର ଏବଂ ଅନ୍ୟାନ୍ୟ ଉର୍ବରକ ସାମଗ୍ରୀ ରପ୍ତାନୀ କରିଥାଏ । ସ୍ୱାକ୍ଷରିତ ଚୁକ୍ତି ଅନୁସାରେ କାନପୋଟେକ୍ସ ଭାରତକୁ ମ୍ୟୁରେଟ ଅଫ ପଟାସ ସାର ଯୋଗାଇବ ।

ଏହି ଚୁକ୍ତିକୁ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡବୀୟ ସ୍ୱାଗତ କରିଛନ୍ତି । ଏହାକୁ ଏକ ଐତିହାସିକ ପରିପେକ୍ଷ ଭାବେ ବର୍ଣ୍ଣନା କରି ସେ କହିଛନ୍ତି ଯେ ଏହି ଚୁକ୍ତି ଫଳରେ ଭାରତରେ ପଟାସ ସାରର ଅଭାବ ଓ ମୂଲ୍ୟ ଅସ୍ଥିରତାର ଅବସାନ ଘଟିବ ଏବଂ ଚାଷୀକୂଳ ଏହା ଦ୍ୱାରା ବିଶେଷଭାବେ ଉପକୃତ ହେବେ । ଦୀର୍ଘକାଳୀନ ଭିତ୍ତିରେ କାନ୍ସପୋଟେକ୍ସ ଭାରତକୁ ପଟାସ ସାର ଯୋଗାଇବା ଦ୍ୱାରା ଦେଶରେ ପଟାସ ଯୋଗାଣ ଓ ଉପଲବ୍ଧତା ବଢିବ ଏବଂ ଏହାର ମୂଲ୍ୟ ସ୍ଥିର ରହିବ ।

ସାର ଯୋଗାଣ ବ୍ୟବସ୍ଥାକୁ ସୁସଂହତ ଓ ସୁଦୃଢ କରିବାକୁ ଭାରତୀୟ କମ୍ପାନୀମାନଙ୍କୁ ସରକାର ପ୍ରୋତ୍ସାହିତ କରୁଛନ୍ତି । ଏହାର ସୁଯୋଗ ନେଇ ସମ୍ପୃକ୍ତ କମ୍ପାନୀମାନେ ସାର ଯୋଗାଣ ଶୃଙ୍ଖଳାକୁ ସୁଦୃଢ କରିବା ଆବଶ୍ୟକ । ଏଥିପାଇଁ ସେମାନେ ସମ୍ବଳବାନ ରାଷ୍ଟ୍ରଙ୍କ ସହିତ ଅଂଶୀଦାରୀ ଭିତିରେ କାମ କରି ଆଗେଇ ଆସିବା ଉଚିତ ।

ମନ୍ତ୍ରୀ କହିଛନ୍ତି ଯେ ରାସାୟନିକ ସାର ଓ ଏହାର କଞ୍ଚାମାଲ ପାଇଁ ଭାରତ ବିଦେଶ ବଜାର ଉପରେ ଅଧିକ ନିର୍ଭରଶୀଳ । ତେଣୁ ଭାରତୀୟ କମ୍ପାନୀମାନେ ଏହାର ଆମଦାନୀ ବ୍ୟବସ୍ଥାକୁ ସୁସଂହତ କରିବା ପାଇଁ ସମ୍ବଳବାନ ଦେଶଙ୍କ ସହିତ ଅଂଶୀଦାରୀ ଭିତ୍ତିରେ କାମ କଲେ ଭାରତର କୃଷି ଓ କୃଷକଙ୍କୁ ଲାଭ ମିଳିବ । ଏହା ଦ୍ୱାରା ମଧ୍ୟ ସାର ଅଭାବ ଦୂର ହୋଇ ମୂଲ୍ୟ ସ୍ଥିର ରହିବ ଏବଂ ଯୋଗାଣ ଚାହିଦା ମଧ୍ୟରେ ଉପଯୁକ୍ତ ଭାରସାମ୍ୟ ରକ୍ଷା କରି ହେବ ।

ମନ୍ତ୍ରୀ ମାଣ୍ଡବୀୟ ଆହୁରି କହିଛନ୍ତି ଯେ ବୁଝାମଣାପତ୍ର ଅନୁସାରେ କାନପୋଟେକ୍ସ ସଂସ୍ଥା ଭାରତକୁ ତିନିବର୍ଷ ପାଇଁ ବାର୍ଷିକ ୧୫ଲକ୍ଷ ମେଟ୍ରିକ ଟନ୍ ଲେଖାଏଁ ପଟାସ ଯୋଗାଇବ । ଏହି ପଟାସକୁ ଭାରତୀୟ ସାର ଉତ୍ପାଦନକାରୀ କମ୍ପାନୀମାନେ ବ୍ୟବହାର କରିପାରିବେ । ସେମାନେ ଆବଶ୍ୟକ କଞ୍ଚାମାଲ ଓ ଅନ୍ୟାନ୍ୟ ଖଣିଜ ନିୟମିତ ଭାବେ ଚାହିଦା ମୁତାବକ ପାଇଲେ ଦେଶରେ ପଟାସ ସାରର ଅଭାବ ରହିବ ନାହିଁ । ଯୋଗାଣ ବଢିଲେ ଏହି ସାରର ମୂଲ୍ୟ ମଧ୍ୟ ସ୍ଥିର ରହିବ ଏବଂ ଅଭାବ ଜନିତ ମୂଲ୍ୟ ଅସ୍ଥିରତା ଦୂର ହୋଇପାରିବ । ଏହି ଚୁକ୍ତି ଦ୍ୱାରା ଦେଶର କୃଷକ ସମାଜ ବିଶେଷ ଉପକୃତ ହେବା ସହ ସେମାନଙ୍କର କଲ୍ୟାଣ ସାଧିତ ହେବ । ଏହାଦ୍ୱାରା କୃଷି ଉତ୍ପାଦନ ବଢିବ ଏବଂ ଦେଶର ଖାଦ୍ୟ ନିରାପତ୍ତା ବ୍ୟବସ୍ଥା ସୁଦୃଢ ହୋଇପାରିବ । ଏହି ଚୁକ୍ତି କାନାଡା-ଭାରତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ନିବିଡ କରିବ ବୋଲି ମନ୍ତ୍ରୀ ମାଣ୍ଡବୀୟ ଆଶା ପ୍ରକାଶ କରିଛନ୍ତି।

ରୁଷିଆ, ଇସ୍ରାଏଲ ଓ ଅନ୍ୟ କେତେକ ରାଷ୍ଟ୍ରଙ୍କ ସହିତ ପଟାସ ଯୋଗାଣ ପାଇଁ ଭାରତ ଦୀର୍ଘମିଆଦି ଚୁକ୍ତି ସ୍ୱାକ୍ଷରିତ କରିବାକୁ ଉଦ୍ୟମ କରୁଛି ବୋଲି ସେ କହିବା ସହିତ ଏହାର ଆମଦାନୀକୁ ହ୍ରାସ କରିବାକୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା କହିଥିଲେ । ମୋଲାସେସ୍‌ରୁ ପଟାସ ଉତ୍ପାଦନ ସହିତ ଏନ୍‌ବିଏସ୍ ଯୋଜନାରେ ଦେଶରେ ଦେଶୀ କାରିଗରୀ ଜ୍ଞାନ କୌଶଳ ଉପଯୋଗ କରି ବିଭିନ୍ନ ପ୍ରକାର ପଟାସ ଜାତୀୟ ସାର ଉତ୍ପାଦନ କରିବାକୁ ରସାୟନ ଓ ସାର ମନ୍ତ୍ରଣାଳୟ ଉଦ୍ୟମ ଆରମ୍ଭ କରିଛି ବୋଲି ମନ୍ତ୍ରୀ କହିଛନ୍ତି ।

କୃଷି ବିପ୍ଳବର ପରବର୍ତ୍ତୀ ପଦକ୍ଷେପ ନାନୋ ୟୁରିଆ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments