Krishi Jagran odia
Menu Close Menu

ଜର୍ବେରା ଚାଷ କରନ୍ତୁ, ମାଲାମାଲ୍ ହୁଅନ୍ତୁ !!

Tuesday, 08 June 2021 05:01 PM , by: Sugyan Kumar Nayak

ଜର୍ବେରା ଫୁଲ ଦେଖିବାକୁ ବହୁତ ଆକର୍ଷଣୀୟ l ଏକ ଆକର୍ଷଣୀୟ ଫୁଲ ଭାବରେ ଜର୍ବେରାର ସ୍ଥାନ ସ୍ଵତନ୍ତ୍ର । ଫୁଲତୋଡ଼ା ଓ ସାଜସଜ୍ଜାରେ ଏହାର ବହୁଳ ବ୍ୟବହାର କରାଯାଉଛି । ଏହି ଜର୍ବେରା ଫୁଲ କେବଳ ଆକର୍ଷଣୀୟ ବୋଲି ଏହାର ଆଦର ବଢୁଛି ତାହା ନୁହେଁ, ଏହା ସହିତ ଏହା ବହୁତ ଦିନ ଧରି ସତେଜ ରହିପାରେ l ଯାହାଫଳରେ ଫୁଲଚାଷୀ କିମ୍ବା ବିକ୍ରେତାଙ୍କୁ କ୍ଷତି ସହିବାକୁ ପଡ଼େ ନାହିଁ l ଏହି ଜର୍ବେରା ଫୁଲର ଆଦର ବଢିବା ସଙ୍ଗେ ସଙ୍ଗେ ଓଡ଼ିଶାରେ ଯଦିଓ ଏହା ଚାଷ ଧୀରେ ଧୀରେ ବୃଦ୍ଧି ଘଟୁଛି ତେବେ ଏହା ଯଥେଷ୍ଟ ନୁହେଁ l ବର୍ତ୍ତମାନ ମଧ୍ୟ ବାହାର ରାଜ୍ୟରୁ ଜର୍ବେରା ଫୁଲ ଓଡ଼ିଶା ବଜାରରେ ବିକ୍ରି ହେଉଛି l ଓଡିଶାରେ ଜର୍ବେରାର ଚାହିଦା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଅଧିକାଂଶ ଚାଷୀ ବ୍ୟବସାୟିକ ଭିତ୍ତିରେ ଜର୍ବେରା ଚାଷ କରୁଥିବା ପରିଲକ୍ଷିତ ହେଉଛି । ହେଲେ ବ୍ୟବସାୟିକ ଚାଷ ପାଇଁ ଖୋଲା ସ୍ଥାନ ଅପେକ୍ଷା “ଗ୍ରୀନ୍ ହାଉସ୍ ବା ସବୁଜ ଗୃହର ଆବଶ୍ୟକତା ରହିଛି । ଉନ୍ନତ ପ୍ରଣାଳୀରେ ଗ୍ରୀନ୍ ହାଉସ୍‌ରେ ଜଣେ ଜର୍ବେରା ଚାଷ କରି ବେଶ୍ ଲାଭବାନ ହୋଇପାରିବ । ଓଡିଶାରେ ଜର୍ବେରାର ବ୍ୟବସାୟିକ ଚାଷ ଦିନକୁ ଦିନ ବଢୁଥିବାର ଦେଖିବାକୁ ମିଳୁଛି ।  ଜର୍ବେରାର ବୃନ୍ତ ସିଧା, ଅଧିକ ଲମ୍ବା ଏବଂ ଅଧିକ ଦିନ ପର୍ଯ୍ୟନ୍ତ ସତେଜ ମଧ୍ୟ ରହୁଥିବାରୁ ଏହାର ଚାହିଦା ଅଧିକ । ଲାଲ, ହଳଦିଆ, ଗୋଲାପି, ବାଇଗଣୀ, ନାରଙ୍ଗୀ ରଙ୍ଗର ଜର୍ବେରା ଦେଖିବାକୁ ମଧ୍ୟ ବେଶ୍ ମନୋଲୋଭା । ଖୋଲା ସ୍ଥାନରେ କିମ୍ବା ଖାଲି ମାଟିରେ ଏହାର ବ୍ୟବସାୟିକ ଚାଷ କରାଯାଏ ନାହିଁ । ଏଥିପାଇଁ ‘ଗ୍ରୀନ୍ ହାଉସ୍'ର ଆବଶ୍ୟକତା ରହିଛି ।

ବ୍ୟବସାୟିକ ଭିତ୍ତିରେ ଚାଷ କରାଯାଉଥିବା ଜର୍ବେରା କିସମଗୁଡ଼ିକ ହେଉଛନ୍ତି; ରେଡଷ୍ଟାର,ଜାଲିସେ, କାସିଆନା, ହାର୍ମେନୀ, ଆସ୍କୀ, ଟେକ୍କା, ସନ୍ଏଲୋ, କୋଚ, ବ୍ଲେସିଂ, ରୁବିରେଡ୍, ସାଙ୍ଗିଆ, ଆଲ ସମୀରା, ପପୁଲାର, ପିଙ୍କଷ୍ଟାର, ରେଡମୋନାର୍କ, ଏବଂ ଲିଣ୍ଡେସା ।

ସମତଳ ତଥା ପାର୍ବତୀୟ ଅଞ୍ଚଳରେ ଜର୍ବେରା ଚାଷ କରାଯାଇପାରିବ । ତାପମାତ୍ରା ୧୭ ଡିଗ୍ରୀ ସେଣ୍ଟିଗ୍ରେଡ ଏବଂ ଆର୍ଦ୍ରତା ୮୦ ରୁ ୮୫ ପ୍ରତିଶତ ହେଲେ ବର୍ଷସାରା ଫୁଲ ମିଳିପାରିବ । ସବୁଜ ଗୃହ ସମ୍ପୂର୍ଣ୍ଣ ଭାବରେ ତାପମାତ୍ରା ଓ ଆର୍ଦ୍ରତା ନିୟନ୍ତ୍ରଣ କରାଯାଇ ନପାରିଲେ ମଧ୍ୟ ଶତକଡା ୫୦ ଭାଗ ଛାଇଥିବା ନେଟ୍ ଏବଂ ମିଷ୍ଟିଂ ପାଇଁ ବନ୍ଦୋବସ୍ତ କଲେ କିଛି ପରିମାଣର ତାପମାତ୍ରା ଓ ଆର୍ଦ୍ରତା ନିୟନ୍ତ୍ରଣ କରାଯାଇପାରିବ। ଜର୍ବେରା ପାଇଁ ଦୋରସା, ବାଲି, ଖତ, କୋକୋପିଟ୍ ଓ ଜିଆଖତକୁ ନେଇ ଏକ ମିଶ୍ରଣ ତିଆରି କରାଯାଏ । ମୃତ୍ତିକା ମିଶ୍ରଣର ଅମ୍ଳତ୍ଵ ୫.୫ ଓ ୬.୫ ପର୍ଯ୍ୟନ୍ତ ରହିବା ଉଚିତ୍ । ଏଥିରୁ ଅମ୍ଳତ୍ଵ କମ୍। ରହିଲେ ଲୌହ ଓ ମାଙ୍ଗାନିଜ୍‌ର ଅଭାବ ଦେଖାଯାଏ । ଟିସୁ କଲଚର ଜର୍ବେରା ଗଛକୁ ବୈଜ୍ଞାନିକ ଉପାୟରେ ବ୍ୟବସାୟିକ ଭିତିରେ ଚାଷ କଲେ ଉତ୍ତମମାନର ଫୁଲ ଫୁଟିବା ସହିତ ଅମଳ ଅଧିକ ହୁଏ । ପୁଆ ଦ୍ଵାରା ମଧ୍ୟ ବଂଶ ବିସ୍ତାର କରାଯାଏ । ଟିସୁ କଲଚର ଗଛ ସୁସ୍ଥ ନିରୋଗ ଓ ଅଧିକ ଅମଳକ୍ଷମ ହୋଇଥିବା ସହିତ ଏହା ମାଆ ଗଛର ସମସ୍ତ ଗୁଣ ବହନ କରିଥାଏ ।

ପଲି ହାଉସ୍ ମାଧ୍ୟମରେ ମୃତ୍ତିକା ମିଶ୍ରଣକୁ ଭଲ ଭାବରେ ଗୁଣ୍ଡ କରାଯାଏ ଏବଂ ଏହାକୁ ଜୀବାଣୁ ମୁକ୍ତ କରିବା ନିହାତି ଆବଶ୍ୟକ । ଜର୍ବେରା ସାଧାରଣତଃ ୧ ମିଟର ଓସାର ତଥା ୩୦ ସେମି ଉଚ୍ଚତା ବିଶିଷ୍ଟ ଶଯ୍ୟାରେ ଲଗାଯାଏ  । ପାଣି ନିଷ୍କାସନ ହେବର ସମସ୍ୟା ଥିଲେ। କୁଣ୍ଡରେ ମୃତ୍ତିକା ମିଶ୍ରଣ ନେଇ ମଧ୍ୟ ଜର୍ବେରା ଚାଷ କରାଯାଏ । ଶଯ୍ୟାରେ ଗଛକୁ ଗଛ ୩୦ ସେମି ଧାଡିକୁ ଧାଡି ୪୦ ସେମି ଦୂରତାରେ ଟିସୁ କଲଚର ଚାରା ଲଗାଯାଏ । ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହ ଜର୍ବେରା ଲଗାଇବାର ଉପଯୁକ୍ତ ସମୟ ଅଟେ । ପ୍ରାୟ ହଜାର ବର୍ଗ ମି.ସବୁଜଗୃହ ପାଇଁ ୬ ହଜାର ଚାରା ଲଗାଯାଏ ।

ଜର୍ବେରା ଟିସୁ କଲଚର ଲଗାଇବାର ପ୍ରଥମ ତିନି ମାସ ମଧ୍ୟରେ ବର୍ଗମିଟର ପ୍ରତି ୧୦ ଗ୍ରାମ୍ ଯବକ୍ଷାରଯାନ, ୧୫ ଗ୍ରାମ୍, ଫସଫରସ୍ ଓ ୨୦ ଗ୍ରାମ୍ ପଟାସ୍ ସାର ପ୍ରୟୋଗ କରନ୍ତୁ । ପ୍ରାୟ ଚତୁର୍ଥ ମାସ ପରଠାରୁ ପ୍ରତି ୬ ମାସ ବ୍ୟବଧାନରେ ବର୍ଗ ମିଟର ପ୍ରତି ୧୫ ଗ୍ରାମ୍ ଯବକ୍ଷାରଯାନ, ୧୦ ଗ୍ରାମ୍ ଫସଫରସ, ଓ ୩୦ ଗ୍ରାମ୍ ପଟାସ୍ ସାର ପ୍ରୟୋଗ କଲେ। ଅଧିକ ଅମଳ ହୁଏ । ଗଛ ଲଗାଇବାର ୭-୮ ସପ୍ତାହ ପରେ ଫୁଲ ଫୁଟିବା ଆରମ୍ଭ ହୁଏ । କିସମ ଅନୁସାରେ ଗଛ ପ୍ରତି ୩୫ରୁ ୫୫ଟି ଫୁଲ ଅମଳ ହୋଇଥାଏ ।

English Summary: Continue Gerbera Farming, Make profit Gerbera Farming Demand of Gerbera Gerbera Flower
Krishi Jagran odia Magazine Subscription Online Subscription




CopyRight - 2021 Krishi Jagran Media Group. All Rights Reserved.