
Dense fog to cover several odisha districts , image source - pexels
ରାଜ୍ୟରେ ଜାରି ରହିଛି ଶୀତ ଲହରୀ l ଶୀତର ଜାଡରେ ଥରୁଛି ରାଜ୍ୟ ରାଜଧାନୀ l ଆଉ ଏହି ଶୀତଲହରୀ ପାଇଁ ରାଜ୍ୟରେ ଜାରି ରହିଛି ଘନ କୁହୁଡ଼ି। ବର୍ତ୍ତମାନ ରାଜ୍ୟରେ ଶୀତର ପ୍ରକୋପ କମ୍ ରହିଥିବା ଆକଳନ କରାଯାଇଛି l ତେଣୁ ଅଧିକାଂଶ ସ୍ଥାନରେ କୁହୁଡ଼ି ପାଇଁ ପାଗ ଅନୁକୂଳ ରହିଥିବା ଦେଖିବାକୁ ମିଳିଛି । ତେବେ ରାଜ୍ୟରେ ଏହିପରି ସ୍ଥିତି ଆହୁରି ୨ ରୁ ୩ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରି ସୂଚନା ଦେଇଛି ।
ସୂଚନାଯୋଗ୍ୟ ଯେ , ରାଜ୍ୟକୁ ବର୍ତ୍ତମାନ ବଙ୍ଗୋପସାଗରୀୟ ଉଷ୍ଣ ବାୟୁ ପ୍ରବେଶ କରୁଛି । ଏହି କାରଣ ଯୋଗୁଁ ଅଧିକାଂଶ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବା ସହ କୁହୁଡ଼ି ସମସ୍ୟା ଅଧିକ ଦେଖାଯାଉଛି । ତେବେ ପୂର୍ବ ଅପେକ୍ଷା ରାଜ୍ୟରେ ଶୀତର ପ୍ରକୋପ ହ୍ରାସ ପାଇଛି । କିନ୍ତୁ ରାଜ୍ୟରେ ୨ଦିନ ତଳେ ପ୍ରାୟତଃ ୮ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ବେଳେ ଏବେ ଏହି ସଂଖ୍ୟା ହ୍ରାସ ପାଉଥିବା ନଜିର ରହିଛି ।
ଗୋଟିଏ ପଟେ ଶୀତର ହାଡ଼ଭଙ୍ଗା ଜାଡ଼ରୁ ସାମାନ୍ୟ ଆଶ୍ବସ୍ତି ମିଳିଥିବା ବେଳେ ଅନ୍ୟପଟେ ରାଜ୍ୟବାସୀଙ୍କୁ କୁହୁଡ଼ି କଲବଲ କରୁଛି । କୁହୁଡି ଯୋଗୁଁ ରାସ୍ତା ଘାଟରେ ଗାଡି ମଟର ଚଳାଚଳ କରିବାରେ ଅସୁବିଧା ଦେଖାଯାଉଛି l ସୋମବାର ରାତିରୁ ବୁଧବାର ରାତି ପର୍ଯ୍ୟନ୍ତ ଅନେକ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ତେବେ ଏହିପରି ପରିସ୍ଥିତି ଆହୁରି ୨ ରୁ ୩ଦିନ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ରହିଛି। ଗୁରୁବାର ସକାଳ ମଧ୍ୟରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଟକ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଓ ରାୟଗଡ଼ା ଆଦିରେ ଘନ କୁହୁଡ଼ି ଦେଖାଦେବା ନେଇ ପାଣିପାଗ କେନ୍ଦ୍ର କହିଛି ।
ସେହିପରି ଘନ କୁହୁଡ଼ି ହେବାକୁ ଥିବା ବିଭିନ୍ନ ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ସତର୍କ ସୂଚନାକୁ ଆଧାର କରି ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ସତର୍କ ରହିବା ପାଇଁ ସ୍ବତନ୍ତ୍ର ରିଲିଫ୍ କମିସନର୍ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। କୁହୁଡ଼ି ଯୋଗୁଁ ରାଜପଥରେ ଗାଡ଼ି ଚଳାଚଳବେଳେ ଅନେକଲା ସମସ୍ୟା ଦେଖିବାକୁ ମିଳେ l ଏହି ସମୟରେ ଅଧିକ ଦୁର୍ଘଟଣା ମଧ୍ୟ ବଢିଥାଏ l ତେଣୁ ଏ ସମସ୍ତ ସମସ୍ୟାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ଓ ସ୍ଥାନୀୟ ପରିବହନ ବିଭାଗର ଅଧିକାରୀମାନେ ଦୁର୍ଘଟଣା ଏଡ଼ାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
କେବଳ ୨ ରୁ ୩ ଦିନ ନୁହେଁ ଆଗାମୀ କିଛିଦିନ ପର୍ଯ୍ୟନ୍ତ ଉପାନ୍ତରୁ ଉପକୂଳ ସବୁଠି ଘନ କୁହୁଡିର ଆସ୍ତରଣ ଅନୁଭୁତ ହେବ। ଶୀତ ସହିତ କୁହୁଡି ରାଜ୍ୟବାସୀଙ୍କୁ କରିବ କଲବଲ । ଘନ କୁହୁଡି ସମୟରେ ପ୍ରାୟତଃ ୫୦ ମିଟରରୁ କମ୍ ଦୃଶ୍ୟମାନ ଦୂରତା ରହୁଥିବାରୁ ବିଭିନ୍ନ ଦୁର୍ଘଟଣା ଘଟିବାର ସମ୍ଭାବନା ରହୁଛି। ତେଣୁ ବିଭିନ୍ନ ଦୁର୍ଘଟଣା ଜୋନ ଉପରେ ନଜର ରଖିବାକୁ ମଧ୍ୟ କଡ଼ା ପରାମର୍ଶ ଦିଆଯାଇଛି । ରାଜ୍ୟରେ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ବୃଦ୍ଧି ହେଉଥିବା ଯୋଗୁଁ ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ବୃଦ୍ଧି ଘଟିଛି । ତେଣୁ ରାଜ୍ୟରେ ଏହି ସମସ୍ତ କାରଣ ଯୋଗୁଁ ଜାଡ କମିବା ସହ ଘନ କୁହୁଡି ଦେଖାଦେଉଛି ।
Share your comments