1. କୃଷି ଖବର

ଆଖୁଚାଷୀଙ୍କ ଅସନ୍ତୋଷ !!

ସାରା ଦେଶରେ ଚାଷୀ ଆଉ ଚାଷକୁ ନେଇ ସରଗରମ ରାଜନୀତି ଚାଲିଛି l ହେଲେ ଛୋଟ ଚାଷୀମାନଙ୍କର ଭାଗ୍ୟ ପଥର ତଳେ ରହିଯାଇଛି l ସେମାନଙ୍କ ଗୁହାରି ଶୁଣିବାକୁ ସମସ୍ତେ ଯେପରି କାନରେ ହାତ ଦେଇଛନ୍ତି l ଓଡ଼ିଶାର କ୍ଷୁଦ୍ର ଆଖୁଚାଷୀମାନଙ୍କର ପରିସ୍ଥିତି ହା ହୁତାସ ମଧ୍ୟ ଦେଇ ଗତି କରୁଛି l ଆଖୁ ଅମଳ ସମୟରେ ଗୁଡ଼ର ଅଭାବୀ ବିକ୍ରି ତାଙ୍କ ଉପରେ କୋରଡ ମାଡ଼ ପରି ହେଉଛି l

Sugyan Kumar Nayak
Sugyan Kumar Nayak

ସାରା ଦେଶରେ ଚାଷୀ ଆଉ ଚାଷକୁ ନେଇ ସରଗରମ ରାଜନୀତି ଚାଲିଛି l ହେଲେ ଛୋଟ ଚାଷୀମାନଙ୍କର ଭାଗ୍ୟ ପଥର ତଳେ ରହିଯାଇଛି l ସେମାନଙ୍କ ଗୁହାରି ଶୁଣିବାକୁ ସମସ୍ତେ ଯେପରି କାନରେ ହାତ ଦେଇଛନ୍ତି l ଓଡ଼ିଶାର କ୍ଷୁଦ୍ର ଆଖୁଚାଷୀମାନଙ୍କର ପରିସ୍ଥିତି ହା ହୁତାସ ମଧ୍ୟ ଦେଇ ଗତି କରୁଛି l ଆଖୁ ଅମଳ ସମୟରେ ଗୁଡ଼ର ଅଭାବୀ ବିକ୍ରି ତାଙ୍କ ଉପରେ କୋରଡ ମାଡ଼ ପରି ହେଉଛି l

ଓଡ଼ିଶାର ଆଖୁଚାଷୀମାନେ ବର୍ତ୍ତମାନ ଆଖୁ କ୍ଷେତରେ ବ୍ୟସ୍ତ l ଚିନିକଳକୁ ଆଖୁ ନ ଦେଇ ନିଜେ ଆଖୁରୁ ଗୁଡ଼ ତିଆରି କରୁଥିବା ଚାଷୀମାନଙ୍କର ଅଶାନ୍ତି ବଢ଼ିଚାଲିଛି l ସେମାନେ ନିଜର ଗୁଡ଼କୁ ଉପଯୁକ୍ତ ଦରରେ ବିକିବାକୁ ସମର୍ଥ ହେଉନାହାଁନ୍ତି l ବର୍ଷ ସାରା କଠିନ ପରିଶ୍ରମ କରି ଆଖୁଚାଷରୁ ଦି ପଇସା ପାଇବା ପାଇଁ ଜାନୁଆରୀ-ଫେବୃଆରୀକୁ ଚାହିଁ ବସିଥାଆନ୍ତି ଆଖୁଚାଷୀମାନେ l ବର୍ତ୍ତମାନ ବାହାର ରାଜ୍ୟର ଗୁଡ଼ ସ୍ଥାନୀୟ ବଜାରରେ ପ୍ରବେଶ କରୁଛି ଏବଂ କମ ଦରରେ ମିଳୁଛି l ଯାହା ଫଳରେ ପରୋକ୍ଷରେ ଚାଷୀମାନଙ୍କ ପେଟକୁ ଲାତ ମାରିବା ପରି ଘଟଣା ସୃଷ୍ଟି ହୋଇଛି l

ଯେଉଁ ପରିମାଣରେ ଗୁଡ଼ ବିକ୍ରି ହେବା କଥା ସେହି ପରିମାଣରେ ଗୁଡ଼ ବିକ୍ରି ହେଉନାହିଁ l ଆର୍ଥିକ ଲାଭ ମିଳୁନଥିବାରୁ ଆଖୁଚାଷରୁ ମୁହଁ ଫେରାଉଛନ୍ତି ଚାଷୀମାନେ l ବଜାରରେ ଗୁଡ଼ର ଚାହିଦା ରହିଥିଲେ ମଧ୍ୟ ଗୁଡ଼ର ଦର କମ ରହୁଥିବାରୁ ଆଖୁଚାଷୀମାନଙ୍କ ପାରିଶ୍ରମିକ ଉଠିବା ମଧ୍ୟ କଷ୍ଟକର ହୋଇପଡ଼ିଛି l ଏପରି ପରିସ୍ଥିତିରେ ଚାଷୀମାନେ କମ ଦରରେ ଗୁଡ଼ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି l

ଚାଷୀଙ୍କର କହିବା ଅନୁସାରେ, ଗୋଟିଏ ଏକର ଜମିରେ ନିଜେ ପରିଶ୍ରମ କରି ଆଖୁ କରିବା ପାଇଁ ୭୦ ରୁ ୮୦ ହଜାର ଟଙ୍କା ଖର୍ଚ୍ଚ ହେଉଛି l ଦେଶୀ ଗୁଡ଼ର ଦର ୫୫ ଟଙ୍କାରୁ ୬୦ ଟଙ୍କା ମଧ୍ୟରେ ରହୁଥିବା ବେଳେ ବାହାର ରାଜ୍ୟର ଗୁଡ଼ ୪୫ ଟଙ୍କାରୁ ୫୦ ଟଙ୍କା ମଧ୍ୟରେ ରହୁଛି l ଏହି ଭଳି ଅବସ୍ଥା ଲାଗିରହିଲେ ଆଖୁରୁ ଦେଶୀ ଗୁଡ଼ ପ୍ରସ୍ତୁତ କରିବାର ପରମ୍ପରା ସମ୍ପୂର୍ଣ୍ଣ ଲୋପ ପାଇଯିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି l

ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଆମ୍ବକୁଡ଼ୁଚି ଏବଂ ଗିଲାଜୁଡ଼ି ଗ୍ରାମର ଆଖୁଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ବାଲେଶ୍ୱର, ଜଳେଶ୍ୱର, ବସ୍ତା, ବାଲିଆପାଳ, ଭଦ୍ରକ, ବାରିପଦା, କୋଳିଅଣା ଏବଂ ମୟୁରଭଞ୍ଜକୁ ବହୁ ପରିମାଣର ଗୁଡ଼ ଚାଲାଣ କରାଯାଉଛି ଏବଂ ମିଥ୍ୟାରେ ଏହା ସ୍ଥାନୀୟ ଗୁଡ଼ ବୋଲି ପ୍ରଚାର କରାଯାଉଛି l ପଶ୍ଚିମବଙ୍ଗ ଗୁଡ଼ର ଦର ତୁଳନାତ୍ମକ ଭାବରେ କମ ରହୁଛି l ଏହି ଭଳି ଅନିୟମିତତା ବିରୋଧରେ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହିତ ଦେଶୀ ଗୁଡ଼ର ସୁବ୍ୟବସ୍ଥିତ ଏବଂ ନିୟନ୍ତ୍ରିତ ବିକ୍ରୟ ବ୍ୟବସ୍ଥା କରିବା ନିମନ୍ତେ ସ୍ଥାନୀୟ ଆଖୁଚାଷୀମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments