
Dharmendra Pradhan urges to open awaas window to include eligible beneficiaries from odisha
ଆସନ୍ତା ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ବଜେଟ୍ ଏବଂ ସମୟସୀମା । ଏହି ପରିପ୍ରେକ୍ଷୀରେ ଆବାସ ପ୍ଲସ ଓ୍ୱିଣ୍ଡୋ(awaas window ) ଖୋଲାଯାଇ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଓଡ଼ିଶାକୁ ସୁଯୋଗ ଦେବାକୁ କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ(Dharmendra Pradhan ) ।
ଓଡ଼ିଶାର ଗରିବ ଲୋକଙ୍କ ମୁଣ୍ଡ ଉପରେ ପକ୍କା ଘର ସୁନିଶ୍ଚିତ କରିବା ଦିଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶୁକ୍ରବାର ବିଭାଗୀୟ ମନ୍ତ୍ରୀ ସିଂହଙ୍କୁ ଭେଟି ଏ ସମ୍ପର୍କୀତ ଏକ ପତ୍ର ପ୍ରଦାନ କରିଛନ୍ତି । ଧାର୍ମେନ୍ଦ୍ର ତାଙ୍କ ସହ ଆଲୋଚନା କରିବା ସହ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଆବାସ ପ୍ଲସ ଓ୍ୱିଣ୍ଡୋ ଖୋଲାଯାଇ ରୁରାଲ ହାଉସିଂ ପୋର୍ଟାଲରୁ ଯୋଗ୍ୟ ହିତାଧିକାରୀଙ୍କ ତଥ୍ୟକୁ ସ୍ୱଚ୍ଛ ଏବଂ ପାରଦର୍ଶୀ ଭାବରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ପରମାନେଟ୍ ଓ୍ୱେଟିଂ ଲିଷ୍ଟକୁ ସ୍ଥାନାନ୍ତର କରାଯାଉ ଏବଂ ଓଡ଼ିଶାକୁ ସୁଯୋଗ ଦିଆଯାଉ । ଏହା ସହ କିପରି ଭାବରେ ଜଣେ ବି ଯୋଗ୍ୟ ହିତାଧିକାରୀ ବଞ୍ଚିତ ନ ହେବେ ସେ ଦିଗରେ ବ୍ୟାପକ ତଦାରଖ କରିବାକୁ ପ୍ରଧାନ ଅନୁରୋଧ କରିଛନ୍ତି । ଆଲୋଚନା ସମୟରେ ଏ ଦିଗରେ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ପ୍ରତିଶ୍ରୁତି ଦେଇଛନ୍ତି ।
ବିଭାଗୀୟ ମନ୍ତ୍ରୀଙ୍କୁ ଦେଇଥିବା ପତ୍ରରେ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଦେଶର ଗରିବ, ମହିଳା, ଦିବ୍ୟାଙ୍ଗ, ଏସସି, ଏସଟି, ଓବିସି, ସଂଖ୍ୟାଲଘୁ ଏବଂ ଆର୍ଥିକ ଦୁର୍ବଳ ଦୃଷ୍ଟିରୁ ପଛୁଆ ଲୋକଙ୍କୁ ପକ୍କା ଘର ଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନା କରାଯାଇଛି ।
ଏହି ଯୋଜନା ଅନ୍ତର୍ଗତ ୨.୯୫ କୋଟି ଗୃହ ନିର୍ମାଣ କରିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ଅତିରିକ୍ତ ୧.୨୫ ଲକ୍ଷ କୋଟି ଟଙ୍କାର ବଜେଟ୍ ଅନୁଦାନ ସହ ୨୦୨୪ ପର୍ଯ୍ୟନ୍ତ ଏହି ଯୋଜନାର ସମ୍ପ୍ରସାରଣ କରାଯାଇଛି । ବର୍ତ୍ତମାନ ଦେଶରେ ୧.୯ କୋଟି ଘର ନିର୍ମାଣ କରାଯାଇଛି । ସେହିପରି ଓଡ଼ିଶାରେ ପ୍ରାୟ ୨୭ ଲକ୍ଷ ହିତାଧିକାରୀ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ସାମିଲ ଅଛନ୍ତି ।
ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କକୁ ପୁରିଲା 75 ବର୍ଷ, କଣ କହିଲେ କେନ୍ଦ୍ରମନ୍ତ୍ରୀ ?
Share your comments