1. କୃଷି ଖବର

କେନାଲକୁ ଆସୁନି ପାଣି, ଚାଷ କାର୍ଯ୍ୟ ବାଧାପ୍ରାପ୍ତ

ମରାମତି, ସଫେଇ ଅଭାବରୁ ପିତାମହଲ ଡ୍ୟାମ୍‌କୁ ସଂଯୋଗ କେନାଲ ବ୍ୟବହାର ଅନୁପଯୋଗୀ ହୋଇ ପଡିଛି। ତାହା ଅଧିକାଂଶ ଚାଷୀଙ୍କ କାମରେ ଆସୁନାହିଁ। ଆବଶ୍ୟକ ପାଣି ଅଭାବ ଯୋଗୁ ବର୍ତ୍ତମାନ ପ୍ରତିବର୍ଷ ଚାଷୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଚାଷୀଙ୍କୁ ନେଇ ଗଠିତ ପାଣି ପଞ୍ଚାୟତଙ୍କ କଥା ମଧ୍ୟ ବିଭାଗୀୟ ଅଧିକାରୀ ଶୁଣୁ ନାହାନ୍ତି। ଏପରି ଅଭିଯୋଗ କରିଛନ୍ତି କଲୁଙ୍ଗା ଅଞ୍ଚଳର ଅନେକ ଚାଷୀ। କେନାଲ ଯୋଗୁଁ କିଛି ବର୍ଷ ତଳେ ସ୍ଥାନୀୟ ଚାଷୀମାନେ ଧାନ ବ୍ୟତୀତ ବର୍ଷ ସାରା ଅନ୍ୟାନ୍ୟ ଫସଲ କରି ବେଶ୍‌ ଲାଭବାନ୍‌ ହେଉଥିଲେ। ଶହ ଶହ ଏକର କ୍ଷେତରେ ବାରମାସ ଫସଲ ହେଉଥିଲା। ହଜାର ହଜାର ଚାଷୀ ବାରମାସୀ ଫସଲ କରି ବେଶ୍‌ ଭଲ୍‌ ଦି’ ପଇସା ରୋଜଗାର କରୁଥିଲେ।

KJ Staff
KJ Staff
Canal Photo

Canal Photo

ମରାମତି, ସଫେଇ ଅଭାବରୁ ପିତାମହଲ ଡ୍ୟାମ୍‌କୁ ସଂଯୋଗ କେନାଲ ବ୍ୟବହାର ଅନୁପଯୋଗୀ ହୋଇ ପଡିଛି। ତାହା ଅଧିକାଂଶ ଚାଷୀଙ୍କ କାମରେ ଆସୁନାହିଁ। ଆବଶ୍ୟକ ପାଣି ଅଭାବ ଯୋଗୁ ବର୍ତ୍ତମାନ ପ୍ରତିବର୍ଷ ଚାଷୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଚାଷୀଙ୍କୁ ନେଇ ଗଠିତ ପାଣି ପଞ୍ଚାୟତଙ୍କ କଥା ମଧ୍ୟ ବିଭାଗୀୟ ଅଧିକାରୀ ଶୁଣୁ ନାହାନ୍ତି। ଏପରି ଅଭିଯୋଗ କରିଛନ୍ତି କଲୁଙ୍ଗା ଅଞ୍ଚଳର ଅନେକ ଚାଷୀ। କେନାଲ ଯୋଗୁଁ କିଛି ବର୍ଷ ତଳେ ସ୍ଥାନୀୟ ଚାଷୀମାନେ ଧାନ ବ୍ୟତୀତ ବର୍ଷ ସାରା ଅନ୍ୟାନ୍ୟ ଫସଲ କରି ବେଶ୍‌ ଲାଭବାନ୍‌ ହେଉଥିଲେ। ଶହ ଶହ ଏକର କ୍ଷେତରେ ବାରମାସ ଫସଲ ହେଉଥିଲା। ହଜାର ହଜାର ଚାଷୀ ବାରମାସୀ ଫସଲ କରି ବେଶ୍‌ ଭଲ୍‌ ଦି’ ପଇସା ରୋଜଗାର କରୁଥିଲେ। କିନ୍ତୁ କେନାଲ ତଦାରଖ ଦାୟିତ୍ବରେ ଥିବା କିଛି ଅଧିକାରୀଙ୍କ ଅବହେଳା ଯୋଗୁଁ  ଗତ କିଛି ବର୍ଷ ଧରି ଚାଷୀମାନେ କେବଳ ଧାନ ଚାଷ ହିଁ କରୁଛନ୍ତି। ପାଣି ଅଭାବରୁ ଅନ୍ୟ ଫସଲ କରିବାକୁ ସାହସ କରୁ ନାହାନ୍ତି। କଲୁଙ୍ଗାର ଗୋପପାଲି, କାଲୁକୁଦର, ଲୁଙ୍ଗେଇ, କଲୁଙ୍ଗା, କଲିଙ୍ଗା, ବଲଣ୍ଡା,ଗୋଇଭଙ୍ଗା, କଲୁଙ୍ଗା ଓ ଆଇଡିସି ଆଦି ଅଞ୍ଚଳରେ ଶହ ଶହ ଚାଷୀ କେନାଲ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ପିତାମହଲ ଡ୍ୟାମ୍‌ରୁ ଛଡା ଯାଉଥିବା ପାଣି କେନାଲ ଦେଇ ସବୁ ଜାଗାରେ ପହଞ୍ଚି ପାରୁନାହିଁ। କେତେକ ସ୍ଥାନରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଜମା ହୋଇଛି ତ ପୁଣି କେଉଁଠି ପାଣିର ଗତି ପଥକୁ ଶିଳ୍ପାଞ୍ଚଳର କିଛି ଲୋକ ବନ୍ଦ କରି ଦେଇଛନ୍ତି। ପୁଣି କେତେକ ସ୍ଥାନରେ  ତାହା ପୋତି ହୋଇଗଲାଣି। ଅଳିଆ ଆବର୍ଜନା ସଫା ଓ କେନାଲ ମରାମତି ପାଇଁ  ଲକ୍ଷ ଲକ୍ଷ ଟଙ୍କା ବିଭାଗରୁ ଆସୁଛି। କିନ୍ତୁ ଠିକ୍‌ ବିନିଯୋଗ ହେଉ ନଥିବାରୁ ଅଧିକାଂଶ ସ୍ଥାନକୁ ପାଣି ଯାଇ ପାରୁନାହିଁ। ଫଳରେ ଚାଷୀମାନେ ସବୁଦିନିଆ ଫସଲ କରିବାରୁ ବଞ୍ଚିତ ହେଉଛନ୍ତି।

ପିତାମହଲ ଡ୍ୟାମ୍‌ରୁ କଲୁଙ୍ଗା ଅଞ୍ଚଳରେ ବସବାସ କରୁଥିବା ଚାଷୀଙ୍କ କ୍ଷେତକୁ ପାଣି ଯୋଗାଣ ପାଇଁ ପ୍ରାୟ ୩୦ କି.ମି. ପର୍ଯ୍ୟନ୍ତ କେନାଲ ଖୋଳାଯାଇଛି। ଧାନ ଚାଷ ବ୍ୟତୀତ ବିରି, କୋଳଥ, ମୁଗ, କୋଳଥ ସମେତ ବାରମାସି ଫସଲ ପାଇଁ ଡ୍ୟାମ୍‌ରୁ ପ୍ରତ୍ୟେକ ବର୍ଷ ଡିସେମ୍ବର ମାସ ବ୍ୟତୀତ ଅନ୍ୟ ସମୟରେ କେନାଲକୁ ପାଣି ଛଡାଯାଇଥାଏ। ଏଥିପାଇଁ ଅଧିକାଂଶ ଗାଁର ଚାଷୀମାନଙ୍କୁ ନେଇ ପାଣି ପଞ୍ଚାୟତ ଗଠିତ ହୋଇଛି।‌ ସେମାନେ ପାଣି ସମସ୍ୟା ସଂକ୍ରାନ୍ତରେ ପିତାମହଲ ଡ୍ୟାମ୍‌ ଦାୟିତ୍ବରେ ଅଧିକାରୀଙ୍କ ସହ ଆଲୋଚନା କରନ୍ତି। ଏଥିସହ ବିଭାଗର କନିଷ୍ଠ ଯନ୍ତ୍ରୀମାନେ ମଧ୍ୟ ପାଣି ପଞ୍ଚାୟତକୁ ଆସି ଚାଷୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା କଥା। ତେବେ ସରକାରଙ୍କ ନୀତି ନିୟମ ଅନୁଯାୟୀ ଏସବୁ ଯେମିତି ହେବା କଥା, ତା’ ହେଉ ନଥିବା କହିଛନ୍ତି କାଲୋକଦୁରର ଜଣେ ଚାଷୀ ଦଶରୁ କିସାନ। ସେ କହିଛନ୍ତି, ପାଣିପଞ୍ଚାୟତ ଅଭିଯୋଗକୁ ବିଭାଗୀୟ ଅଧିକାରୀ ଆାଦୌ କର୍ଣ୍ଣପାତ କରୁ ନାହାନ୍ତି। କେନାଲର ସବୁ ସ୍ଥାନକୁ ପାଣି ଯାଇ ପାରୁ ନଥିବାରୁ ଚାଷୀମାନେ ଅନେକ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ଚାଷୀ ନିରଞ୍ଜନ କିସାନ, ଲୁଙ୍ଗେଇର ବିଜଲ କୁଜୁର ଓ ବନ୍ଧନା ଟପ୍ପୋ ପ୍ରମୁଖ ସେହି ସମାନ ଅଭିଯୋଗ କରିଛନ୍ତି। ପ୍ରତିବର୍ଷ କେନାଲକୁ ମରାମତି ସହ ଅଳିଆ ଆବର୍ଜନା ସଫେଇ ‌ହେଲେ ଚାଷୀମାନେ ଠିକ୍‌ ଭାବେ ପାଣି ପାଇପାରନ୍ତେ। ବିଡମ୍ବନା, ଏଥିପ୍ରତି ବିଭାଗୀୟ ଅଧିକାରୀ ଯେତିକି ଧ୍ୟାନ ଦେବା କଥା ତା’ ହେଉ ନାହିଁ। ସେମିତି ଗୋପପାଲିର ଅନ୍ୟ ଜଣେ ଚା‌ଷୀ ସିମନ ଟପ୍ପୋ କହନ୍ତି, ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ଏଥିପ୍ରତି ବିଭାଗୀୟ ଉଚ୍ଚ ଅଧିକାରୀ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଉ କିଛି  ଚାଷୀ ବିଭାଗ ତାଙ୍କ ସମସ୍ୟା ନ ଶୁଣିଲେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ଏ ସଂକ୍ରାନ୍ତରେ ପିତାମହଲ ଡ୍ୟାମ୍‌ ପରିଚାଳନା ଦାୟିତ୍ବରେ ଥିବା ଏସ୍‌ଡିଓ ଜି. ଶତପଥୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍‌ ଉଠାଇ ନଥିଲେ। ତେବେ କନିଷ୍ଠ ଯନ୍ତ୍ରୀ ଆର୍‌.କେ. ମିଶ୍ର ଚିରାଚରିତ ମନ୍ତବ୍ୟରେ କହିଛନ୍ତି, ‘‘ପାଣି ସମସ୍ୟାକୁ ନେଇ ଚାଷୀମାନଙ୍କ ସହ ଆଲୋଚନା କରା ଯାଉଛି। ପ୍ରତିଟି କ୍ଷେତକୁ ପାଣି ଯାଉଛି। ମରାମତି ପାଇଁ ପ୍ରତ୍ୟେକ ବର୍ଷ ପାଣ୍ଠି ଆସୁ ନାହିଁ। ଯଦି ଚାଷୀମାନେ ଏଭଳି ଅଭିଯୋଗ କରୁଛନ୍ତି, ଆମେ ଅନୁଧ୍ୟାନ କରିବୁ।’’

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments