1. କୃଷି ଖବର

ଗଞ୍ଜାମରେ ଧାନର ଅଭାବୀ ବିକ୍ରି ପ୍ରସଙ୍ଗ : ଜୋର୍‌ ଧରିଲା ଚାଷୀ ଆନ୍ଦୋଳନ

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ଧାନ କିଣାକୁ ନେଇ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। ଚାଷୀଙ୍କ ନିକଟରେ କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ବିକ୍ରି ପାଇଁ ରହିଥିବା ବେଳେ ବିଭିନ୍ନ ଆଳ ଦେଖାଇ ଧାନ କିଣିବାରେ ଟାଳଟୁଳ ନୀତି ଆପଣେଇଛି ପ୍ରଶାସନ। ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ପ୍ରାୟ ୬୩ ହଜାର ଚାଷୀଙ୍କ ଠାରୁ ଧାନ କିଣାଯାଇନାହିଁ। ଚାଷୀ ନିଜ କଷ୍ଟାର୍ଜିତ ଧାନକୁ ବିକ୍ରି କରିବା ପାଇଁ ପ୍ୟାକ୍ସ ଠାରୁ ଆରମ୍ଭ କରି ଜିଲ୍ଲା ଅଫିସକୁ ଦୌଡୁଥିବା ବେଳେ ଏବେ ଜିଲ୍ଲା ପ୍ରଶାସନର ଆଭିମୁଖ୍ୟ ଚାଷୀଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଦେଇଛି।

Gyanadutta Behra
Gyanadutta Behra

ଛତ୍ରପୁର  : ଗଞ୍ଜାମ ଜିଲ୍ଲାରେ ଧାନ କିଣାକୁ ନେଇ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। ଚାଷୀଙ୍କ ନିକଟରେ କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ବିକ୍ରି ପାଇଁ ରହିଥିବା ବେଳେ ବିଭିନ୍ନ ଆଳ ଦେଖାଇ ଧାନ କିଣିବାରେ ଟାଳଟୁଳ ନୀତି ଆପଣେଇଛି ପ୍ରଶାସନ। ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ପ୍ରାୟ ୬୩ ହଜାର ଚାଷୀଙ୍କ ଠାରୁ ଧାନ କିଣାଯାଇନାହିଁ। ଚାଷୀ ନିଜ କଷ୍ଟାର୍ଜିତ ଧାନକୁ ବିକ୍ରି କରିବା ପାଇଁ ପ୍ୟାକ୍ସ ଠାରୁ ଆରମ୍ଭ କରି ଜିଲ୍ଲା ଅଫିସକୁ ଦୌଡୁଥିବା ବେଳେ ଏବେ ଜିଲ୍ଲା ପ୍ରଶାସନର ଆଭିମୁଖ୍ୟ ଚାଷୀଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଦେଇଛି। ଧାନ କିଣା ପ୍ରକ୍ରିୟାର ଅଧା ସମୟରେ ପ୍ରଶାସନ ଏକ ବିଚିତ୍ର ଏସ୍‌ଓପି ଜାରି କରିଛି। ଯାହା ଚାଷୀଙ୍କୁ ଅଧିକ ବିବ୍ରତ କରିବା ସହ ପ୍ରଶାସନର ଏଭଳି ଆଭିମୁଖ୍ୟକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଆଜି ଶତାଧିକ ଚାଷୀ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି।

ଚାଷୀଙ୍କ ଧାନ କିଣିବାରେ ପ୍ରଶାସନର ଅବହେଳା ଓ ଟାଳଟୁଳ ନୀତିର ପ୍ରତିବାଦ ସହ ତୁରନ୍ତ ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଧାନ କିଣିବା ଦାବି ନେଇ ଆଜି ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ଧାନ ବସ୍ତା ରଖି ଆନ୍ଦୋଳନ କରିଥିଲେ। ଏଥିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଯୋଗ ଦେଇ ଗଞ୍ଜାମ ଜିଲ୍ଲାରେ ୨ ଲକ୍ଷ ୯୩ ହଜାର ହେକ୍ଟର ଚାଷ ଜମିରେ ଚାଷ କରାଯାଉଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଉଥିବା ବେଳେ ସେହି ଅନୁପାତରେ ଚାଷୀଙ୍କ ଧାନ କିଣିବା ଲାଗି କାହିଁକି ପଦକ୍ଷେପ ନିଆଯାଉ ନାହିଁ ବୋଲି ପ୍ରଶ୍ନ କରିଥିଲେ।

ଜିଲ୍ଲାରେ ଧାନର ଅଭାବୀ ବିକ୍ରି ଚଳିତ ବର୍ଷ ନୂଆ ନୁହେଁ। ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ବ କରୁଥିବା ଗଞ୍ଜାମ ଜିଲ୍ଲାରେ ପ୍ରତିବର୍ଷ ଧାନ ସଂଗ୍ରହ ବେଳେ ଏଭଳି ସମସ୍ୟା ଦେଖାଦେଉଛି। ଏକ୍ଷେତ୍ରରେ ସରକାର କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କାହିଁକି ଆଗୁଆ ପଦକ୍ଷେପ ନିଆଯାଉ ନାହିଁ। ଗତ ୪ ବର୍ଷ ହେଲା ଜିଲ୍ଲାର ୫୦ ହଜାରରୁ ଅଧିକ ପଞ୍ଜୀକୃତ ଚାଷୀଙ୍କ ଠାରୁ ଧାନ କିଣାଯାଉନାହିଁ ବୋଲି  ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି। ଋଷିକୁଲ୍ୟା ରୟତ ମହାସଭାର ମୁଖ୍ୟ ଉପଦେଷ୍ଟା ତଥା ଚାଷୀ ନେତା  ପ୍ରଫୁଲ କୁମାର ସାମନ୍ତରାୟ ଆନ୍ଦୋଳନରେ ସାମିଲ ହୋଇ ଜିଲ୍ଲା ପ୍ରଶାସନ ଉପରେ ବର୍ଷି‌ଥିଲେ। ସେ କହିଥିଲେ ଯେ,  ସୋସାଇଟି ସମ୍ପାଦକ ଓ ମିଲର୍ ମାନେ ବିଭିନ୍ନ ଆଳ ଦେଖାଇ ଚାଷୀଙ୍କ ଧାନ କିଣୁ ନାହାନ୍ତି। ଅନ୍ୟପକ୍ଷରେ ଅଣ ଚାଷୀଙ୍କର ଧାନ କିଣାଯାଉଛି, ପ୍ରକୃତ ଚାଷୀଙ୍କ ଧାନ କିଣା ଯାଉନାହିଁ। କେତେକ ଚାଷୀଙ୍କ ଟୋକନ୍ ଅବଧି ଶେଷ ହୋଇଥିବା ବେଳେ ଅନ୍ୟ କେତେକ ଚାଷୀଙ୍କ ଟୋକନ୍ ଆଦୌ ଆସିନାହିଁ। ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଧାନ କିଣିବା ପାଇଁ ୮ଲକ୍ଷ ମେଟ୍ରିକ୍ ଟନ୍ ଆବଶ୍ୟକ ଥିବା ବେଳେ ମାତ୍ର ୩.୯ ଲକ୍ଷ ମେଟ୍ରିକ୍ ଟନ୍ ଟାଗେର୍ଟ୍ ଆସିଛି। ଅନ୍ୟୁନ ୨ ଲକ୍ଷ ମେଟ୍ରିକ୍ ଟନ୍ ଟାଗେର୍ଟ୍ ଏକାଥରକେ ଦେଲେ ଧାନ କିଣା ଠିକ୍ ସମୟରେ ହୋଇ ପାରିବ ବୋଲି ସେ କହିଥିଲେ।

ଏହି ଆନ୍ଦୋଳନରେ ସମ୍ପାଦକ ସିମା‌ଞ୍ଚଳ ନାହାକ, ସିପିଆଇ ଜିଲ୍ଲା ସହ ସଂପାଦକ ନୀଳକଣ୍ଠ ଦାଶ, ନବନିର୍ମାଣ କୃଷକ ସଂଗଠନର ଇଜୁ ଆମିନ୍ ଖାନ୍, ଦୁର୍ଯୋଧନ ନାହାକ, ରାଜେନ୍ଦ୍ର ନାହାକ, ବିଜୟ ମୁଦୁଲି, ଆଇନଜୀବୀ ସୁମା ଦାସ, ସିପିଆଇ (ଏମ୍ଏଲ୍)  ରେଡ଼୍‌ଷ୍ଟାର ନେତା ଶଙ୍କର ସାହୁ, ନିରଞ୍ଜନ ସ୍ବାଇଁ, ପୂର୍ବତନ ସରପ‌ଞ୍ଚ ଟି.କ୍ରିଷ୍ଣା ରେଡ୍ଡୀଙ୍କ ସମେତ ଜିଲ୍ଲାର ବହୁ ଚାଷୀ ସଂଗଠନ, ଚାଷୀ ଓ ଚାଷୀନେତା ସାମିଲ ହୋଇଥିଲେ।  ଚାଷୀମାନେ ଧାନବସ୍ତା ରଖି ଦୀର୍ଘ ସମୟ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟଫାଟକ ସମ୍ମୁଖରେ ହୋହାଲା କରିବା ସହ ତାଲା ପକାଇ ଦେଇଥିଲେ। ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ଅତିରିକ୍ତ ତହସିଲଦାର ଜସ୍ମିନ୍ ପ୍ରଧାନ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଉମା ଶଙ୍କର ପତି ପ୍ରମୁଖ ଆନ୍ଦୋଳନ ସ୍ଥଳରେ  ପହ‌ଞ୍ଚି ଉତ୍ତ୍ୟକ୍ତ ଚାଷୀଙ୍କୁ ବୁଝାସୁଝା କରିବା ସହ ଟୋକନ ପାଇଥିବା ଚାଷୀଙ୍କ ଧାନ ପର୍ଯ୍ୟାୟ କ୍ରମେ କିଣାଯିବ ବୋଲି ପ୍ରତିଶୃତି  ଦେବା ପରେ ଚାଷୀ ଆନ୍ଦୋଳନରୁ ଓହରିଥିଲେ।

Like this article?

Hey! I am Gyanadutta Behra. Did you liked this article and have suggestions to improve this article? Mail me your suggestions and feedback.

Share your comments