1. କୃଷି ଖବର

୨୦୩୦ ସୁଦ୍ଧା କୋଇଲାକୁ ଗ୍ୟାସରେ ପରିଣତ କରିବା ଉପରେ ଗୁରୁତ୍ୱ

କୋଇଲାକୁ ଅଧିକରୁ ଅଧିକ ଗ୍ୟାସରେ ପରିଣତ କରିବାକୁ କେନ୍ଦ୍ର ସରକାର ଯେଉଁ ଗୁରୁତ୍ୱ ଦେଉଛନ୍ତି ତାହାକୁ ଚରିତାର୍ଥ କରିବାକୁ କୋଇଲା ମନ୍ତ୍ରଣାଳୟ ବିଭିନ୍ନ ପ୍ରୟାସ ଆରମ୍ଭ କରିଛି । ୨୦୩୦ ଆର୍ଥିକ ବର୍ଷ ସୁଦ୍ଧା ୧୦୦ନିୟୁତ ଟନ୍ କୋଇଲାକୁ ଗ୍ୟାସରେ ପରିଣତ କରିବାକୁ ମନ୍ତ୍ରଣାଳୟ ଗୁରୁତ୍ୱ ଦେଇ କାମ ଆରମ୍ଭ କରିଛି ।

Tanushree Mahapatra
Tanushree Mahapatra
Focus on Coal Gasification by 2030 , image source - pib

Focus on Coal Gasification by 2030 , image source - pib

କୋଇଲାକୁ ଅଧିକରୁ ଅଧିକ ଗ୍ୟାସରେ ପରିଣତ କରିବାକୁ କେନ୍ଦ୍ର ସରକାର ଯେଉଁ ଗୁରୁତ୍ୱ ଦେଉଛନ୍ତି ତାହାକୁ ଚରିତାର୍ଥ କରିବାକୁ କୋଇଲା ମନ୍ତ୍ରଣାଳୟ ବିଭିନ୍ନ ପ୍ରୟାସ ଆରମ୍ଭ କରିଛି । ୨୦୩୦ ଆର୍ଥିକ ବର୍ଷ ସୁଦ୍ଧା ୧୦୦ନିୟୁତ ଟନ୍ କୋଇଲାକୁ ଗ୍ୟାସରେ ପରିଣତ କରିବାକୁ ମନ୍ତ୍ରଣାଳୟ ଗୁରୁତ୍ୱ ଦେଇ କାମ ଆରମ୍ଭ କରିଛି । ତେବେ କୋଇଲାକୁ ଗ୍ୟାସରେ ପରିଣତ କରି ଅଧିକରୁ ଅଧିକ ସ୍ୱଚ୍ଛ ଇନ୍ଧନ ଉତ୍ପାଦନ କରିବାକୁ ମନ୍ତ୍ରଣାଳୟ ଏକ ବୃହତ ପୂର୍ଣ୍ଣାଙ୍ଗ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ବିଚାର କରୁଛି । 

ଏଥି ପାଇଁ ୬୦୦୦କୋଟି ଟଙ୍କା ବ୍ୟୟ ବରାଦ କରିବାକୁ ଆପାତତଃ ସ୍ଥିର ହୋଇଛି । ତେବେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଏହାର ବୈଷୟିକ ଓ ଆର୍ଥିକ ଦିଗକୁ ବିଚାର କରି କୋଇଲା ମନ୍ତ୍ରଣାଳୟ ଦେଖୁଛି । ଭାରତ ସ୍ୱଚ୍ଛ ତଥା ପ୍ରଦୂଷଣମୁକ୍ତ ଇନ୍ଧନ ଉପରେ ଗୁରୁତ୍ୱ ଦେଉଛି । ସେ ଦୃଷ୍ଟିରୁ କୋଇଲାକୁ ସିଧା ଜାଳେଣୀଭାବେ ବ୍ୟବହାର ନ କରି ଏହାକୁ ଗ୍ୟାସ୍‌ରେ ପରିଣତ କରିବାକୁ ଉଦ୍ୟମ କରାଯାଉଛି । ଭାରତରେ ପ୍ରଚୁର କୋଇଲା ରହିଛି । ତାହାକୁ ଗ୍ୟାସରେ ପରିଣତ କଲେ ଦେଶରେ ସ୍ୱଚ୍ଛ ଇନ୍ଧନ ଆବଶ୍ୟକତା ଅନେକାଂଶରେ ପୂରଣ ହୋଇପାରିବ । ତେବେ ଏହି ଗ୍ୟାସିଫିକେସନ ପ୍ରକିୟା ଅତ୍ୟନ୍ତ ବ୍ୟୟବହୁଳ ଓ ଏହାର ପ୍ରଯୁକ୍ତି ବା ଟେକ୍‌ନୋଲୋଜି ଯଥେଷ୍ଟ ଖର୍ଚ୍ଚ ସାପେକ୍ଷ । 

ଭାରତରେ କୋଇଲା ଗ୍ୟାସିଫିକେସନ ଟେକ୍‌ନୋଲୋଜିର ପ୍ରବର୍ତ୍ତନ ଫଳରେ କୋଇଲା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବ । ଏହା ଦ୍ୱାରା ଆମଦାନୀ ହେଉଥିବା ଗ୍ୟାସ ଉପରୁ ନିର୍ଭରଶୀଳତା କମିବ । ସେହିଭଳି ଦେଶର ମେଥାନଲ୍‌, ଆମୋନିଆ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଆମଦାନୀ ମଧ୍ୟ ହ୍ରାସ ପାଇବ । ଏବେ ଭାରତ ତାହାର ଆବଶ୍ୟକତାର ୫୦ଶତାଂଶ ପ୍ରାକୃତିକ ଗ୍ୟାସ, ୯୦% ମେଥାନଲ ଓ ପ୍ରାୟ ୧୫% ୟୁରିଆ ବିଦେଶରୁ କିଣୁଛି । ତେଣୁ କୋଇଲା ଗ୍ୟାସ ଉତ୍ପାଦିତ ହେଲେ ଭାରତ ଏ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇ ପାରିବ । ଏହା ଦ୍ୱାରା ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ସ୍ୱଚ୍ଛ ଇନ୍ଧନ ବ୍ୟବହାର ଫଳରେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ । 

ସୁତରାଂ କୋଇଲା ମନ୍ତ୍ରଣାଳୟ କୋଇଲାକୁ ଗ୍ୟାସରେ ପରିଣତ କରିବା ପାଇଁ ବିଭିନ୍ନ ପ୍ରକଳ୍ପ ଉପରେ କାମ କରୁଛି । ସେଥି ପାଇଁ ପୂର୍ଣ୍ଣାଙ୍ଗ ନୀତି ପ୍ରସ୍ତୁତ କରାଯାଉଛି । ଏଥିରେ ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରକୁ ସାମିଲ କରିବାକୁ ପ୍ରୟାସ ଚାଲିଛି ଏବଂ ଏଥି ପାଇଁ ମୋଟ ୬୦୦୦ କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା ଆପାତତଃ ଚୂଡାନ୍ତ ହୋଇଛି । ଏହି ଯୋଜନାରେ ପ୍ରଥମେ ଲିଗ୍‌ନାଇଟ୍ କୋଇଲାକୁ ଗ୍ୟାସରେ ପରିଣତ କରିବାକୁ ବିଚାର କରାଯାଉଛି । ଲିଗ୍‌ନାଇଟ କୋଇଲା ଦେଖିବାକୁ ଧୂସର, ନରମ ଏବଂ ଦହନଶୀଳ । ସରକାର ଏହି କାମକୁ ଉଭୟ ରାଷ୍ଟ୍ରାୟତ୍ତଉଦ୍ୟୋଗ ଓ ବେସରକାରୀ ଶିଳ୍ପ ସଂସ୍ଥାକୁ ଦେବାକୁ ଚିନ୍ତା କରୁଛନ୍ତି । ଏଥି ପାଇଁ ଟେଣ୍ଡର ମାଧ୍ୟମରେ ଶ୍ରେଷ୍ଠ ବିଡ୍‌ରଙ୍କୁ ବଛାଯିବ । ଆବଶ୍ୟକ ସ୍ଥଳେ ଟେଣ୍ଡର ପାଇଥିବା ଉଦ୍ୟୋଗ ବା ସଂସ୍ଥାଙ୍କୁ ସରକାର ଆର୍ଥିକ ସହାୟତା ଯୋଗାଇବେ ।

ଅତିକମ୍‌ରେ ଏଭଳି ଏକ ପ୍ରକଳ୍ପକୁ ଟାରିଫ୍ ଭିତ୍ତିରେ ଟେଣ୍ଡର ଦିଆଯିବ । ଏଥି ପାଇଁ ନୀତି ଆୟୋଗ ସହାୟତାରେ ଆବଶ୍ୟକ ନୀତି ନିୟମ ପ୍ରସ୍ତୁତ କରାଯିବ । ଏହାଛଡା କୋଇଲା ଗ୍ୟାସିଫିକେସନ ପ୍ରକଳ୍ପରେ ଦେଶୀ ଟେକ୍‌ନୋଲୋଜି ବ୍ୟବହାରକୁ ସରକାର ବାଧ୍ୟତାମୂଳକ କରିଛନ୍ତି । 

ଆହୁରି ମଧ୍ୟ ଏହି ପ୍ରକଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ବ୍ୟବହୃତ କୋଇଲା ଓ ଉତ୍ପାଦିତ ଗ୍ୟାସ ଉପରେ ଜିଏସ୍‌ଟି ରିହାତି ଦେବେ । ତା’ଛଡା ସମ୍ପୃକ୍ତ କମ୍ପାନୀ ସେସ୍ ବାବଦରେ ସରକାରଙ୍କୁ ଯେଉଁ ଟିକସ ଦେଇଥିବେ ତାହାକୁ ଫେରସ୍ତ ଦିଆଯିବ । ଏସବୁ ଟିକସ ଜନିତ ରିହାତି ସୁବିଧା ବ୍ୟବସାୟିକ ଉତ୍ପାଦନ ଆରମ୍ଭର ୧୦ବର୍ଷ ଯାଏ ଯୋଗାଇ ଦେବାର ବ୍ୟବସ୍ଥା ରହିଛି ।

କୋଇଲା ମନ୍ତ୍ରଣାଳୟ ମଧ୍ୟ କୋଲ ଇଣ୍ଡିଆ ଲିମିଟେଡ ଅଧୀନରେ ଥିବା ମାଟି ଉପରୁ ମିଳୁଥିବା କୋଇଲା ଖଣି ଅଞ୍ଚଳରେ ଗ୍ୟାସିଫିକେସନ କାମ ସହଯୋଗ ଭିତ୍ତିରେ ଆରମ୍ଭ କରିବାକୁ ଭେଲ, ସିଆରଇଏଲ, ଗେଲ୍‌, ଆଇଓସିଏଲ ଆଦିଙ୍କ ମଧ୍ୟରେ୨୦୨୨ରେ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ସେଥି ମଧ୍ୟରୁ ଇସିଏଲ, ଏମ୍‌ସିଏଲ ଓ ଡବ୍ଲ୍ୟୁ ସିଏଲ୍ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ସର୍ଭେ ଆଦି କାମ ଆରମ୍ଭ ହୋଇଛି । ଫିଜିବିଲିଟି ରିପୋର୍ଟ ଆସିବା ପରେ ଗ୍ୟାସିଫିକେସନ ପ୍ରକଳ୍ପ କାମ ଆରମ୍ଭ ହେବ ।

କୋଇଲା ଗ୍ୟାସିଫିକେସନ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ କୋଇଲା ମନ୍ତ୍ରଣାଳୟ ବଦ୍ଧ ପରିକର । ଏହା ଦ୍ୱାରା ଦେଶର ବ୍ୟାପକ ହିତ ସାଧନ ହେବ । ଏଥିରେ ସରକାରୀ ଉଦ୍ୟୋଗ, ରାଷ୍ଟ୍ରାୟତ୍ତ ସଂସ୍ଥା, ଏବଂ ବେସରକାରୀ ଉଦ୍ୟୋଗମାନଙ୍କୁ ସାମିଲ କରିବାକୁ ମଧ୍ୟ ଉଦ୍ୟମ ଅବ୍ୟାହତ ରହିଛି । ପୁଞ୍ଜିନିବେଶ, ଇନୋଭେସନ ଆଦି ପାଇଁ ସରକାର ମଧ୍ୟ ଏ କ୍ଷେତ୍ରରେ କାମ ଜାରି ରଖିଛନ୍ତି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments