
Global road infrastructure will be prepared in Odisha,image source - pexels
କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ଆଜି ଭୁବନେଶ୍ୱର ଠାରେ ୪ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ସଡ଼କ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ମୋଟ୍ ୧୫୪ କିଲୋମିଟର ଲମ୍ବ ଏହି ୧୯ଟି ସଡ଼କ ପ୍ରକଳ୍ପ ରାଜ୍ୟରେ ସଡ଼କ ଯୋଗାଯୋଗକୁ ଉନ୍ନତ କରିବା ସହିତ ଓଡ଼ିଶାର ସମୃଦ୍ଧିରେ ଏକ ନୂତନ ଯୁଗର ଶୁଭାରମ୍ଭ ହେବ। ଏହି ପ୍ରକଳ୍ପ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।
ଆଜି ଲୋକାର୍ପିତ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ବଅଁରପାଳ-ଗୋଡ଼ିବନ୍ଧ ଏବଂ ୧୪୯ ଏବଂ ୫୩ ନମ୍ବର ଜାତୀୟ ରାଜପଥ କାମାକ୍ଷାନଗର ସେକ୍ସନର ୪-ଲେନ୍ ପ୍ରଶସ୍ତିକରଣ ଫଳରେ ଅନୁଗୁଳ, ତାଳଚେର ଏବଂ ଡୁବୁରୀ ମଧ୍ୟରେ ଯୋଗାଯୋଗରେ ସୁଧାର ଆସିବ। ବାଲିକୁଦା, ଶିଖରପୁର ଏବଂ ବଡ଼ଚଣାରେ ବାହନ ଅଣ୍ଡରପାସ୍ ନିର୍ମାଣ ଫଳରେ ଯାତାୟାତ ଅଧିକ ସୁଗମ ହେବ।
ରାଜ୍ୟର ବିକାଶକୁ ନୂଆ ଗତି ଦେବା ଉଦ୍ଦେଶ୍ୟରେ ଆଜି ୧୭ଟି ମହତ୍ୱାକାଂକ୍ଷୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏଥିମଧ୍ୟରୁ ରେତ, ମହାନଦୀ, ତେଲ, ହାତୀ ଏବଂ ଶଗଡ଼ା ନଦୀ ଉପରେ ୬ଟି ସେତୁ ନିର୍ମାଣ କରାଯିବ। ଏନ୍ଏଚ୍-୪୯ର ବାଙ୍ଗିରିପୋଷି ଘାଟ ଖଣ୍ଡରେ ୫ଟି ଇୟୁପି ଏବଂ ୧୪ଟି ଏୟୁପି ନିର୍ମାଣ ହେବା ଦ୍ୱାରା ବନ୍ୟଜନ୍ତୁଙ୍କ ସୁଗମ ଓ ନିରାପଦ ଯାତ୍ରା ଏବଂ ଅତିକ୍ରମ ସୁବିଧା ହେବ। ଜାତୀୟ ରାଜପଥ-୧୬ର କଟକରୁ ଇଚ୍ଛାପୁରମ ମଧ୍ୟରେ ଥିବା ୧୫ଟି ବ୍ଲାକ ସ୍ପଟର ସ୍ଥାୟୀ ସୁଧାର ଦ୍ୱାରା ଦୁର୍ଘଟଣା ହ୍ରାସ ପାଇବ।
ଏହାବ୍ୟତୀତ ଟିଟିଲାଗଡ଼ ଏବଂ ଧର୍ମଗଡ଼ ବାଇପାସ ନିର୍ମାଣ ଦ୍ୱାରା ସହର ମଧ୍ୟରେ ଟ୍ରାଫିକ ଭିଡ଼ ହ୍ରାସ ପାଇବ। ପଳାସୁଣୀ ଠାରେ ଗଙ୍ଗୁଆ ନଦୀ ଉପରେ ଅତିରିକ୍ତ ୨ ଲେନ ବିଶିଷ୍ଟ ସେତୁ ଯୋଗାଯୋଗକୁ ସହଜ କରିବ। ଦାରିଙ୍ଗିବାଡ଼ି ଘାଟୀ ପ୍ରଶସ୍ତିକରଣ ପାଇଁ ୭୨୦ କୋଟି ଟଙ୍କା ନିବେଶ କରାଯିବ। ୫୯ ନମ୍ବର ଜାତୀୟ ରାଜପଥର ଏହି ୨୭ କିମି ଦୀର୍ଘ ମାର୍ଗର ପ୍ରଶସ୍ତିକରଣ ଫଳରେ ଦାରିଙ୍ଗିବାଡ଼ି ପର୍ଯ୍ୟଟନସ୍ଥଳୀକୁ ଯୋଗାଯୋଗ ସୁଧାର ଆସିବ।
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଜାତୀୟ ରାଜପଥ ନିର୍ମାଣ ଦ୍ୱାରା ଓଡ଼ିଶାର ପଞ୍ଚମୁଖୀ ବିକାଶ ଲାଗି ଭାରତ ସରକାର ସଂକଳ୍ପବଦ୍ଧ। ରାଜ୍ୟର ବିକାଶ ପାଇଁ ଜଳ, ଶକ୍ତି, ପରିବହନ ଏବଂ ଯୋଗାଯୋଗ ଭିତ୍ତିଭୂମିର ଉନ୍ନତିକରଣ ଜରୁରୀ। କେନ୍ଦ୍ର ମନ୍ତ୍ରୀ କହିଥିଲେ, ରାଜ୍ୟରେ ବନ୍ଦର, ଖଣିଜ ସମ୍ପଦ, ପର୍ଯ୍ୟଟନ ଆଦି କ୍ଷେତ୍ରରେ ଅପାର ସମ୍ଭାବନା ରହିଛି । ଓଡ଼ିଶାରେ ସବୁ ପ୍ରକାରର ରାଜପଥ ପ୍ରକଳ୍ପର ଖର୍ଚ୍ଚକୁ ଦେଖିଲେ ବର୍ତ୍ତମାନ କେନ୍ଦ୍ର ସରକାର ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ନିର୍ମାଣ କାମ ଜାରି ରଖିଛନ୍ତି । ଏବେ ସୁଦ୍ଧା ପ୍ରାୟ ୬୦ ହଜାର କୋଟି ଟଙ୍କାର ପ୍ରକଳ୍ପ କାମ ଶେଷ ହୋଇଛି।
ବର୍ତ୍ତମାନ ପ୍ରାୟ ୬୦ ହଜାର କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ ପର୍ଯ୍ୟାୟରେ ରହିଛି ଏବଂ ଭବିଷ୍ୟତରେ ପାଖାପାଖି ୭୫ ହଜାର କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା କରାଯାଇଛି। ସେହିପରି ପ୍ରାୟ ୪୦ ହଜାର କୋଟି ଟଙ୍କାର ପ୍ରକଳ୍ପ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତି ଚାଲିଛି । ଏହାଛଡ଼ା ୬୫୦ କିଲୋମିଟର ଦୈର୍ଘ୍ୟ ୨୭ ହଜାର କୋଟି ଟଙ୍କାର ପ୍ରକଳ୍ପ ପାଇଁ ଟେଣ୍ଡର ଦିଆସରିଥିବା ଶ୍ରୀ ଗଡ଼କରୀ ସୂଚନା ଦେଇଥିଲେ। ଆସନ୍ତା ୨ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର କାମ ହେବ ଏବଂ ଓଡ଼ିଶାରେ ବିଶ୍ୱସ୍ତରୀୟ ସଡ଼କ ଭିତ୍ତିଭୂମି ପ୍ରସ୍ତୁତ ହେବ ବୋଲି ସେ କହିଥିଲେ ।
ସଭାରେ କେନ୍ଦ୍ର ସଡ଼କ ଭିତ୍ତିଭୂମି ପାଣ୍ଠି (ସିଆରଆଇଏଫ) ରୁ ଓଡ଼ିଶାକୁ ସଡ଼କ ଉନ୍ନତିକରଣ ପାଇଁ ୮୦୦ କୋଟି ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଗ୍ରହଣ କରି ଶ୍ରୀ ଗଡକରୀ କହିଥିଲେ ଯେ, ଏହାକୁ ତୁରନ୍ତ ମଞ୍ଜୁର କରାଗଲା ଏବଂ ଏହା ସହିତ ତାଙ୍କ ନିଜ ସାଂସଦ ପାଣ୍ଠିରୁ ଆଉ ୨୦୦ କୋଟି ଟଙ୍କା ଦେବେ। ଏ ବାବଦରେ ଓଡ଼ିଶାକୁ ୧୦୦୦ କୋଟି ଟଙ୍କା ମିଳିବ ବୋଲି ସେ କହିଥିଲେ । ଏହା ସହିତ ଓଡ଼ିଶା ପାଇଁ ପ୍ରାୟ ୫ ହଜାର କୋଟି ଟଙ୍କାର ୮ଟି ବାଇପାସ୍ ମଧ୍ୟ ମଞ୍ଜୁର କରିଥିଲେ। ଏହି ବାଇପାସ୍ ଗୁଡ଼ିକ ହେଲା ବ୍ରହ୍ମପୁର, ସମ୍ୱଲପୁର, ବଲାଙ୍ଗୀର, ନୟାଗଡ଼, ଝାରସୁଗୁଡ଼ା, ନବରଙ୍ଗପୁର, ଫୁଲବାଣୀ ଓ ରାୟଗଡ଼ା।
କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ପୂର୍ତ୍ତ ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ, ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ଭୁବନେଶ୍ୱର ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ, ଅନ୍ୟ ସାଂସଦ ଓ ବିଧାୟକମାନେ ଯୋଗ ଦେଇଥିଲେ ।
Read more
Share your comments