1. କୃଷି ଖବର

ବଫର ଷ୍ଟକ ପାଇଁ ଚାଷୀଙ୍କଠାରୁ ସର୍ବାଧିକ ୨. ୫୦ ଲକ୍ଷ ଟନ୍ ପିଆଜ କିଣିଲେ ସରକାର

ଭବିଷ୍ୟତରେ ଆବଶ୍ୟକତା ପୂରଣ କରିବାକୁ ୨୦୨୨-୨୩ ଆର୍ଥିକ ବର୍ଷରେ ଚାଷୀଙ୍କଠାରୁ ୨.୫୦ଲକ୍ଷ ଟନ୍ ପିଆଜ ସଂଗ୍ରହ କରିଛନ୍ତି କେନ୍ଦ୍ର ସରକାର ।

Shuvanshu Kar
Shuvanshu Kar
Highest procurement of Onions of 2.50 lakh tons for buffer stock done from farmers in 2022-23

Highest procurement of Onions of 2.50 lakh tons for buffer stock done from farmers in 2022-23

ଅତୀତର ସବୁ ରେକର୍ଡ ଭଙ୍ଗିଲା କେନ୍ଦ୍ର । ୨୦୨୨-୨୩ ଆର୍ଥିକ ବର୍ଷରେ ଚାଷୀଙ୍କଠାରୁ ୨.୫୦ଲକ୍ଷ ଟନ୍ ପିଆଜ(Onions) ସଂଗ୍ରହ କରିଛନ୍ତି କେନ୍ଦ୍ର ସରକାର । ଭବିଷ୍ୟତରେ ଆବଶ୍ୟକତା ପୂରଣ କରିବାକୁ ଏହି ପିଆଜକୁ ବଫର ଷ୍ଟକ(buffer stock) ଜରିଆରେ ମହଜୁଦ ରଖାଯାଇଛି ।

୨୦୨୧-୨୨ରେ ୨ଲକ୍ଷ ଟନ୍ ପିଆଜ(Onions) ମହଜୁଦ ରଖିଥିଲେ କେନ୍ଦ୍ର ସରକାର । ଚଳିତବର୍ଷ ଏହାକୁ ଆଉ ୦.୫୦ଲକ୍ଷ ଟନ୍ ବୃଦ୍ଧି କରାଯାଇଛି । ଏଥର ରବି ଋତୁରେ ଅମଳ ହୋଇଥିବା ପିଆଜକୁ ସଂଗ୍ରହ କରି ସରକାର ଏହାର ମୂଲ୍ୟ ସ୍ଥିର ରଖିବାକୁ ଏହି ମହଜୁଦ ବ୍ୟବସ୍ଥା କରିଛନ୍ତି । ଜାତୀୟ ଭାରତୀୟ କୃଷି ସମବାୟ ବିପଣନ ସହଯୋଗ ମହାସଂଘ ବା ନାଫେଡ ସହାୟତାରେ କୃଷକ ଉତ୍ପାଦନ ସଂଗଠନ(ଏଫ୍‌ପିଓ) ମାଧ୍ୟମରେ ଏହି ପିଆଜ ସବୁ ସରକାର ମହାରାଷ୍ଟ୍ର, ଗୁଜରାଟ ଓ ମଧ୍ୟପ୍ରଦେଶ ଭଳି ପିଆଜ ଉତ୍ପାଦନକାରୀ ରାଜ୍ୟର ଚାଷୀଙ୍କଠାରୁ କିଣିଛନ୍ତି ।

ଆସନ୍ତା ଅଗଷ୍ଟରୁ ଡିସେମ୍ବର ପର୍ଯ୍ୟନ୍ତ ପିଆଜ ଉତ୍ପାଦନ ପ୍ରାୟତଃ କମ୍ ରହିବ । ଏହି ନିଅଣ୍ଟିଆ ସମୟରେ ମହଜୁଦ ରହିଥିବା ଏହି ପିଆଜକୁ ବିଭିନ୍ନ ରାଜ୍ୟ ଓ ସରକାରୀ ସଂସ୍ଥାଙ୍କୁ ଆବଶ୍ୟକତା ଅନୁସାରେ କେନ୍ଦ୍ର ଯୋଗାଇବା ସହିତ ଖୋଲା ବଜାରରେ ବିକ୍ରି ପାଇଁ ଯୋଗାଇ ଦିଆଯିବ । ତିରୋଟ ବା ନିଅଣ୍ଟିଆ ସମୟରେ ପିଆଜର ମୂଲ୍ୟ ଯେପରି ଅସ୍ୱାଭାବିକ ଭାବେ ଅତି ଅଧିକ ନ ରହେ ସେଥି ପାଇଁ ସରକାର ଦେଶର ବିଭିନ୍ନ ବଡ ବଡ ମଣ୍ଡି ଏବଂ ଅନ୍ୟାନ୍ୟ ଖୁଚୁରା ବିକ୍ରୟ କେନ୍ଦ୍ର ମାଧ୍ୟମରେ ସୁଲଭ ମୂଲ୍ୟରେ ପିଆଜ ଖୋଲା ବଜାରକୁ ଛାଡିବେ ।

ଏହି ମହଜୁଦ(ବଫର ଷ୍ଟକ) ଦ୍ୱାରା ଦୁଇଟି ପ୍ରମୁଖ ଉଦ୍ଦେଶ୍ୟ ସାଧିତ ହେବ । ପ୍ରଥମତଃ ଚାଷୀଙ୍କଠାରୁ ଲାଭଦାୟକ ମୂଲ୍ୟରେ ସରକାର ପିଆଜ ସଂଗ୍ରହ କରିବା ଦ୍ୱାରା ସେମାନେ ଉପକୃତ ହେବେ । ଦ୍ୱିତୀୟତଃ ସମଗ୍ର ଦେଶର ଖାଉଟିଙ୍କୁ ମଧ୍ୟ ସୁଲଭ ମୂଲ୍ୟରେ ପିଆଜ ମିଳିବ । ପିଆଜ ଏକ ପଚାସଢା ସାମଗ୍ରୀ ଏବଂ ଏହା ଅଧିକ ଦିନ ରହେ ନାହିଁ । ଏହା ଶୁଖିଯିବା ଫଳରେ ଓଜନ କମିଯାଏ, ଗଜା ହୋଇଯାଏ ଓ ପ୍ରାୟତଃ ପଚିସଢି ଯାଇଥାଏ ।

ରବିଋତୁରେ ପିଆଜ ଏପ୍ରିଲରୁ ଜୁନ ମାସ ମଧ୍ୟରେ ଅମଳ ହୋଇଥାଏ । ଏହି ସମୟରେ ଭାରତର ମୋଟ ପିଆଜ ଚାହିଦାର ୬୫% ଉତ୍ପାଦିତ ହୋଇଥାଏ ଏବଂ ଏହା ଖରିଫ ପିଆଜ ଅମଳ ହେବା ପର୍ଯ୍ୟନ୍ତ ଅକ୍ଟୋବର - ନଭେମ୍ବର ଯାଏ ବଜାର ଆବଶ୍ୟକତା ପୂରଣ କରେ । ଅତଏବ ନିୟମିତ ପିଆଜ ଯୋଗାଣ ପାଇଁ ଏହାର ଉପଯୁକ୍ତ ସଂରକ୍ଷଣ ଓ ଭଣ୍ଡାରଣ ବିଶେଷ ଗୁରୁତ୍ୱପୂର୍ଣ୍ଣ ।

ପିଆଜ ଅମଳ ପରବର୍ତ୍ତୀ କ୍ଷତିକୁ ଯଥାସମ୍ଭବ ହ୍ରାସ କରିବାକୁ କେନ୍ଦ୍ର ଖାଉଟି କଲ୍ୟାଣ ବିଭାଗ ଟେକ୍‌ନୋଲୋଜି ବିକଶିତ କରିବାକୁ ବିଭିନ୍ନ ସମ୍ପୃକ୍ତ ପକ୍ଷଙ୍କୁ ପ୍ରସ୍ତାବ ଦେବା ସହିତ ଏ କ୍ଷେତ୍ରରେ ଆଗେଇ ଆସିବାକୁ ଆହ୍ୱାନ ଜଣାଇଛି । ଏଥିରେ ପିଆଜର ପ୍ରାଥମିକ ପ୍ରକ୍ରିୟାକରଣ, ଭଣ୍ଡାରଣ ଓ ମୂଲ୍ୟ ବର୍ଦ୍ଧନକୁ ଗୁୁରୁତ୍ୱ ଦିଆଯାଇଛି । ଅମଳ ପରବର୍ତ୍ତୀ କ୍ଷତିକୁ କମାଇବା ପାଇଁ କି ପ୍ରକାର ସମ୍ଭାବ୍ୟ ଉପାୟ ଓ ଟେକ୍‌ନୋଲୋଜି ବାହାର କରାଯାଇପାରିବ ସେଥିପାଇଁ ଖାଉଟି କଲ୍ୟାଣ ବିଭାଗ ୟୁଜି/ପିଜି/ସ୍ତରର ବିଦ୍ୟାର୍ଥୀ, ଗବେଷକ ଓ ଷ୍ଟାର୍ଟଅପଗୁଡିକ ସହ କଥାବାର୍ତ୍ତା କରୁଛି । ଏବେ ଯେଉଁ ଭଣ୍ଡାରଣ ଢାଞ୍ଚା ରହିଛି ତାହାର ବିକାଶ, ପ୍ରାକ୍ ଅମଳ ସ୍ତରର ଯତ୍ନ ଓ ନଷ୍ଟ ହେଉଥିବା ପିଆଜ ବର୍ଜ୍ୟବସ୍ତୁର ଉପଯୋଗ କରିବା ଉପରେ ଗବେଷଣା କରି ଉପାୟ ବାହାର କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

କାହିଁକି 52,460 ଟନ ପିଆଜ କିଣିଲା କେନ୍ଦ୍ର ? ଜାଣନ୍ତୁ...

ଖରିଫ ଋତୁରେ ପିଆଜ ଫସଲ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ !!

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments