
importance of soil and water conservation, image source -pexels
କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଆଜି ଆଭାସୀ ମାଧ୍ୟମ ଏକ ଜାତୀୟ ସ୍ତରର ଜନସମ୍ପର୍କ ଅଭିଯାନ ‘‘ଜଳ ବିଭାଜିକା ଯାତ୍ରା’’ର ଶୁଭାରମ୍ଭ କରିଛନ୍ତି। ଏହା ଲୋକଙ୍କ ଅଂଶଗ୍ରହଣ ସୃଷ୍ଟି କରିବା ଏବଂ ପ୍ରକଳ୍ପ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାୟୀ ଯୋଜନାର ଜଳ ଛାୟା ବିକାଶ ଉପାଦାନ (ଡବ୍ଲୁଡିସି - ପିଏମକେଏସୱାଇ) ଅଧୀନରେ କରାଯାଉଥିବା ଜଳ ବିଭାଜିକା ବିକାଶ କାର୍ଯ୍ୟକଳାପ ବିଷୟରେ ସଚେତନତା ସୃଷ୍ଟି କରିବ।
ଏହି ଅବସରରେ କେନ୍ଦ୍ର ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଚନ୍ଦ୍ର ଶେଖର ପେମ୍ମାସାନୀ ଏବଂ ଶ୍ରୀ କମଲେଶ ପାଶ୍ୱାନ ମଧ୍ୟ ଉପସ୍ଥିତ ଥିଲେ ଏବଂ ଜଳ ବିଭାଜିକା ଯାତ୍ରାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସମାବେଶକୁ ସମ୍ବୋଧିତ କରିଥିଲେ। ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ବିଭାଗୀୟ ମନ୍ତ୍ରୀ, ଡବ୍ଲ୍ୟୁଡିସି- ପିଏମକେଏସୱାଇର କାର୍ଯ୍ୟାନ୍ୱୟନ ସହ ଜଡ଼ିତ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ନିଜ ନିଜ ରାଜ୍ୟରେ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିଥିଲେ ଏବଂ ଏକକାଳୀନ ଯାତ୍ରାର ଶୁଭାରମ୍ଭ କରିଥିଲେ। ଜଳ ବିଭାଜିକା ଯାତ୍ରା ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୋଟ 800 ଗ୍ରାମ ପଞ୍ଚାୟତ ଏବଂ ଏକ ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ।
ଯାତ୍ରାର ଶୁଭାରମ୍ଭ ଅବସରରେ ଶ୍ରୀ ଚୌହାନ 2025 ଏବଂ 2026 ବର୍ଷ ପାଇଁ ଡବ୍ଲ୍ୟୁଡିସି- ପିଏମକେଏସୱାଇ 2.0 ଅଧୀନରେ ‘ୱାଟରଶେଡ୍ ବା ଜଳବିଭାଜିକା-ଜନ ଭାଗିଦାରୀ ପ୍ରତିଯୋଗିତା’ ମଧ୍ୟ ଘୋଷଣା କରିଥିଲେ। ସେ ଏହା ମଧ୍ୟ ସୂଚନା ଦେଇଥିଲେ ଯେ ‘ପବ୍ଲିକ୍-ପ୍ରାଇଭେଟ୍-ପିପୁଲ୍ ପାର୍ଟନରସିପ୍ (4ପି)’ କୁ ଅନ୍ତର୍ଭୁକ୍ତ କରି ଗୋଷ୍ଠୀ ନେତୃତ୍ୱାଧୀନ ଜଳବିଭାଜିକା ପରିଚାଳନାର ନୀତି ଉପରେ ଆଧାରିତ ଏହା ଏକ ଅନନ୍ୟ ମଡେଲ। ଏହା ଅଧୀନରେ ପ୍ରକଳ୍ପ କ୍ଷେତ୍ରରେ ସରକାରୀ ପାଣ୍ଠି ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ଦ୍ୱାରା କରାଯାଇଥିବା କାର୍ଯ୍ୟର ରାଜ୍ୟ ସ୍ତରରେ ମୂଲ୍ୟାଙ୍କନ କରାଯିବ ଏବଂ ଉତ୍କୃଷ୍ଟ ତଥା ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ପ୍ରକଳ୍ପଗୁଡ଼ିକୁ ପ୍ରତି ପ୍ରକଳ୍ପ ପାଇଁ ଅତିରିକ୍ତ 20 ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏଥିପାଇଁ ମୋଟ 70.80 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି, ଯାହା ପ୍ରତିବର୍ଷ 177ଟି ପ୍ରକଳ୍ପକୁ ଲାଭାନ୍ୱିତ କରିବ। ଚଳିତ ବର୍ଷର ପ୍ରତିଯୋଗିତା ପାଇଁ ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ ଏପ୍ରିଲ ମାସରେ କରାଯିବ।
କେନ୍ଦ୍ର ମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏହି ପ୍ରତିଯୋଗିତା କେବଳ ବିଭାଗୀୟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ ନାହିଁ, ବରଂ ସାଧାରଣ ଜନତା ମଧ୍ୟ ଶ୍ରମଦାନ ଇତ୍ୟାଦି ମାଧ୍ୟମରେ ସେମାନଙ୍କର କ୍ଷମତା ଅନୁଯାୟୀ ଜଳ ଅମଳ ଢାଞ୍ଚାର ନିର୍ମାଣ ଏବଂ ରକ୍ଷଣାବେକ୍ଷଣରେ ଯୋଗଦାନ କରିବେ। ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମୃତ୍ତିକା ଓ ଜଳ ସଂରକ୍ଷଣ ପାଇଁ ସୁସ୍ଥ ପ୍ରତିଯୋଗିତା, ଜନ ସଚେତନତା, ଜନ ଭାଗିଦାରୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ଆପଣାର ଭାବନା ସୃଷ୍ଟି କରିବା, ଯାହା ଦ୍ୱାରା ଭବିଷ୍ୟତରେ ମଧ୍ୟ ଗ୍ରାମବାସୀମାନେ ଏହି ଢାଞ୍ଚାଗୁଡ଼ିକର ଯତ୍ନ ନେବେ ଏବଂ ସେଗୁଡ଼ିକୁ ସଠିକ୍ ଭାବରେ ପରିଚାଳନା କରିବେ।
Read more
Share your comments