ରୁଷ ଓ ୟୁକ୍ରେନ ଯୁଦ୍ଧ ଆରମ୍ଭ ପରେ ଭାରତ ବିଶ୍ବକୁ ଖାଦ୍ୟ ଯୋଗାଇବାକୁ ପ୍ରସ୍ତୁତ ବୋଲି ଦୃଢତାର ସହିତ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହେଲେ ଚାରିମାସରୁ କମ ସମୟ ମଧ୍ୟରେ ସରକାର ଗହମ ଆମଦାନୀ(wheat import) ଉପରେ ବିଚାର କରିପାରନ୍ତି ।
ଗହମର ହୋଲସେଲ ଏବଂ ଉପଭୋକ୍ତା ମୂଲ୍ୟ ବୃଦ୍ଧି ହେତୁ, ଭାରତକୁ ଏହି ଖାଦ୍ୟ ପଦାର୍ଥର ଆମଦାନୀକୁ କିଛି ମାସ ମଧ୍ୟରେ ଅନୁମତି ଦେବାକୁ ପଡିପାରେ । ଯଦି ଭାରତ ଆମଦାନୀକାରୀ ହୁଏ, ତେବେ ଏହା ଏକ ବଡ଼ ଧରଣର ଓଲଟପାଲଟ ହେବ । ଗ୍ରୀଷ୍ମ ଋତୁରେ ବିଶ୍ବକୁ ଖାଦ୍ୟ ଯୋଗାଇବାକୁ ଇଚ୍ଛୁକ ଭାରତ ଶୀତଋତୁରେ ଅଭାବର ସମ୍ମୁଖୀନ ହୋଇପାରେ ।
ଗତ ବର୍ଷ ତୁଳନାରେ ଯେତେବେଳେ ଭାରତ ପ୍ରାୟ 7.2 ମିଲିୟନ ଟନ୍ ଗହମ ରପ୍ତାନି କରିଥିଲା, ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରପ୍ତାନି 6 ମିଲିୟନ ଟନ୍ ହେବ ବୋଲି ଆକଳନ କରାଯାଇଛି ।
ଖାଦ୍ୟ ଶସ୍ୟର ଘରୋଇ ଉପଲବ୍ଧତା ତଥା ଖାଦ୍ୟ ଦରଦାମ ବୃଦ୍ଧି ଉପରେ ଲଗାମ ଲଗାଇବାକୁ ଭାରତ ଚଳିତ ବର୍ଷ ମେ ମାସରେ ରପ୍ତାନି ପ୍ରତିବନ୍ଧକ ଘୋଷଣା କରିଥିଲା। ହେଲେ ଖାଉଟି ବ୍ୟାପାର ମନ୍ତ୍ରଣାଳୟର ତଥ୍ୟରୁ ଜଣାପଡିଛି ଯେ ଗହମର ମୂଲ୍ୟ ଆକାଶଛୁଆଁ ହେଉଛି । ଅଗଷ୍ଟ6 ରେ, ସାରା ଦେଶରେ ଗହମର ହାରାହାରି ଖୁଚୁରା ଏବଂ ହୋଲସେଲ ମୂଲ୍ୟ ଯଥାକ୍ରମେ 14 ପ୍ରତିଶତ ଏବଂ 19 ପ୍ରତିଶତ ଅଧିକ ଥିଲା।
ଗତ ବର୍ଷ ଅଗଷ୍ଟ ତୁଳନାରେ ଗହମ, ଅଟାର ଖୁଚୁରା ମୂଲ୍ୟ ଦିଲ୍ଲୀରେ 21 ପ୍ରତିଶତ, ମୁମ୍ବାଇରେ 29 ପ୍ରତିଶତ ଏବଂ କୋଲକାତାରେ 46 ପ୍ରତିଶତ ଅଧିକ ଥିଲା। ଅପରପକ୍ଷେ, ଜୁଲାଇରେ ଅନ୍ତର୍ଜାତୀୟ ଗହମର ମୂଲ୍ୟ 14.5 ପ୍ରତିଶତ ହ୍ରାସ ପାଇଛି । ଏହାର କାରଣ କିଛିକାଂଶରେ ଋଷ ଓ ୟୁକ୍ରେନ ମଧ୍ୟରେ କଳା ସାଗର କ୍ଷେତ୍ରରେ ବନ୍ଦରଗୁଡିକୁ ଅବରୋଧ ବୋଲି କୁହାଯାଇପାରେ ।
ଆନ୍ତର୍ଜାତୀୟ ମୂଲ୍ୟ ହ୍ରାସ ହେବା ଏବଂ ଘରୋଇ ମୂଲ୍ୟରେ ବୃଦ୍ଧି ହେତୁ ଭାରତ ଗହମ ଆମଦାନୀକୁ ଅନୁମତି ଦେଇପାରେ ବୋଲି ବ୍ୟବସାୟୀମାନେ ମତ ପ୍ରକାଶ କରିଛନ୍ତି । ଗହମର ସରକାରୀ ଷ୍ଟକ୍ ଖାଦ୍ୟ ସବସିଡି ଯୋଜନା ଏବଂ ରଣନୀତିକ ସଂରକ୍ଷଣ ପାଇଁ ଆବଶ୍ୟକ ଷ୍ଟକ୍ ଠାରୁ ଟିକେ ଅଧିକ । ଜୁଲାଇ 22 ସୁଦ୍ଧା, ଭାରତରେ 27.6 ନିୟୁତ ଟନ୍ ଗହମ ଥିଲା। ବର୍ତ୍ତମାନର ଷ୍ଟକ୍ 14 ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ଅଛି ।