
INTERNATIONAL CONFERENCE ON "Building Small Holder Climate Resilience For Achieving sustainable FOOD
ତା ୧୭.୦୯.୨୦୨୪ରିଖ, ଓୟୁଏଟି ପରିସରରେ ନିରନ୍ତର ଖାଦ୍ୟ ସୁରକ୍ଷା ସାଧନ ପାଇଁ କ୍ଷୁଦ୍ରଚାଷୀଙ୍କ ନିମନ୍ତେ ଜଳବାୟୁ ଅନୁକୂଳ କୃଷି ବ୍ୟବସ୍ଥା ସଂପର୍କିତ ଆନ୍ତର୍ଜାତୀୟ ସମ୍ମିଳନୀ (INTERNATIONAL CONFERENCE)ଉଦ୍ଘାଟିତ ହୋଇଯାଇଛି । ନୂଆଦିଲ୍ଲୀ ସ୍ଥିତ ନରୱେର ଜୈବ ଅର୍ଥନୀତି ଗବେଷଣା ଅନୁଷ୍ଠାନ ( ନିବିଓ)ର ରେଜିଲିଏନ୍ସ ପ୍ରକଳ୍ପର ପୃଷ୍ଠପୋଷକତାରେ ଆୟୋଜିତ ଉକ୍ତ ସମ୍ମିଳନୀ ସେପ୍ଟେମ୍ବର ୧୭ ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।
ଉକ୍ତ ସମ୍ମିଳନୀର ଉଦ୍ଘାଟନୀ ସମାରୋହରେ ନରୱେର ଭାରତୀୟ ରାଷ୍ଟ୍ରଦୂତ ଶ୍ରୀମତୀ ମେ-ଏଲିନ୍ ଷ୍ଟିନର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଓୟୁଏଟି ଓ ନିବିଓର ସହଭାଗିତାରେ ଜଳବାୟୁ ଅନୁକୂଳ କୃଷି ସମ୍ବନ୍ଧୀୟ ଗବେଷଣାର ଉଚ୍ଚ ପ୍ରଶଂସା କରିଥିଲେ ଓ ଭବିଷ୍ୟତରେ ମଧ୍ୟ ନରୱେ ସରକାରଙ୍କର ସହଯୋଗର ପ୍ରତିଶୃତି ଦେଇଥିଲେ ।
ଉକ୍ତ ସମ୍ମିଳନୀରେ ନିବିଓର ମହାନିର୍ଦ୍ଦେଶକ ଡଃ ଇଭାର ଏଚ୍ କ୍ରିଷ୍ଟେନ୍ସେନ୍, ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡଃ ମୃତ୍ୟୁଞ୍ଜୟ ମହାପାତ୍ର, ନିବିଓର ଆନ୍ତର୍ଜାତୀୟ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ଡଃ ଉଦୟ ଏସ୍ ନାଗୋଥୁ ତଥା ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ (P. K. Roul)ଙ୍କ ସମେତ ବିଶିଷ୍ଟ ବୈଜ୍ଞାନିକମାନେ ଯୋଗ ଦେଇ ନିରନ୍ତର ଖାଦ୍ୟ ସୁରକ୍ଷା ଲକ୍ଷ୍ୟ ହାସଲ ପାଇଁ ଜଳବାୟୁ ଅନୁକୂଳ କୃଷି ସଂପର୍କିତ ଜ୍ଞାନକୌଶଳ ତଥା ସରକାରୀ ଯୋଜନା ବାବଦରେ ଉପସ୍ଥିତ ଛାତ୍ରଛାତ୍ରୀ, ବୈଜ୍ଞାନିକ ତଥା କୃଷକ ମାନଙ୍କୁ ଅବଗତ କରାଇଥିଲେ ।
ଏତଦ୍ ବ୍ୟତୀତ ତିନିଦିନ ଧରି ହେବାକୁ ଥିବା ଏହି ଆଲୋଚନା ଚକ୍ରରେ ଜଳବାୟୁ ଅନୁକୂଳ କୃଷି ବ୍ୟବସ୍ଥା, ସହଭାଗୀତା ଭିତ୍ତିରେ ପରିବର୍ତ୍ତିତ ଜଳବାୟୁରେ ଚାଷ ହୋଇପାରୁଥିବା ବିହନ ଉତ୍ପାଦନ, ସମନ୍ବିତ ଖାଦ୍ୟସାର ଓ ରୋଗପୋକ ପରିଚାଳନା, ପ୍ରାକୃତିକ ସମ୍ବଳ ସଂରକ୍ଷଣ, କୃଷି କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ତଥା ଖାଦ୍ୟସୁରକ୍ଷା ନିମିତ ଆବଶ୍ୟକୀୟ କୃଷିନୀତି ଇତ୍ୟାଦି ବିଷୟବସ୍ତୁ ଉପରେ ଗବେଷଣାଲବ୍ଧ ଜ୍ଞାନ ବାବଦରେ ଉପସ୍ଥାପନା ମାନ କରାଯିବାର କାର୍ଯ୍ୟକ୍ରମ ରହିଛି ।
ଉକ୍ତ ସମ୍ମିଳନୀରେ ନିବିଓ, ନରୱେର ବୈଜ୍ଞାନିକ; ତାଞ୍ଜାନିଆ ସ୍ଥିତ କୃଷି ଗବେଷଣା ପ୍ରତିଷ୍ଠାନର ବୈଜ୍ଞାନିକ ବୃନ୍ଦ; ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ ଅଧିନରେ ଥିବା ବିଭିନ୍ନ ଗବେଷଣା ପ୍ରତିଷ୍ଠାନର ମୁଖ୍ୟ ତଥା ବିଭିନ୍ନ କୃଷି ବିଶ୍ଵବିଦ୍ୟାଳୟର ଶିକ୍ଷକ (teachers), ଗବେଷକ ତଥା ଅଗ୍ରଣୀ କୃଷକମାନେ ଯୋଗ ଦେଇଛନ୍ତି । ଏହି ସମ୍ମିଳନୀରେ ଦେଶ ବିଦେଶରୁ ପ୍ରାୟ ୫୦୦ ପ୍ରତିନିଧି ଯୋଗ ଦେଇଛନ୍ତି ।
ଉକ୍ତ ସମ୍ମିଳନୀରେ ନରୱେର ବୈଦେଶିକ ମନ୍ତ୍ରଣାଳୟ ଓ ନିବିଓ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହେବା ସହିତ ଏହି ପ୍ରକଳ୍ପଟି ଆସାମ କୃଷି ବିଶ୍ବବିଦ୍ୟାଳୟ, ଜାତୀୟ ଧାନ ଗବେଷଣା କେନ୍ଦ୍ର, କଟକ ଓ ସ୍ଵାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ ସହାୟତାରେ ଆସାମ ଓ ଓଡିଶା ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହି ରେଜିଲିଏନ୍ସ ପ୍ରକଳ୍ପ ଗଞ୍ଜାମ ଜିଲ୍ଲାର ସୁରଡ଼ା ବ୍ଲକ୍ ଅନ୍ତର୍ଗତ ଲାଠିଗଦା ଓ ସୋରିଷାବିଲି; ରଙ୍ଗେଇଲୁଣ୍ଡା ବ୍ଲକ୍ ଅଧିନସ୍ଥ ଚିକରଡ଼ା ଓ ଶାସନପଦର ଗ୍ରାମରେ ୨୦୧୮ ମସିହାରୁ କାର୍ଯ୍ୟକାରୀ ହେଉଥିବା ବେଳେ ଏବେ ଏହା ନୟାଗଡ଼ (nayagarh)ଓ କନ୍ଧମାଳ ଜିଲ୍ଲାରେ ମଧ୍ୟ କାର୍ଯ୍ୟକାରି ହେଉଅଛି ।
ଓୟୁଏଟିରେ ନବାଗତ ସ୍ନାତକ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ ଅନୁଷ୍ଠିତ
ଜାତୀୟ ସ୍ତରରେ କୃଷି ବିଶ୍ୱବିଦ୍ୟାଳୟ ମାନଙ୍କ ମଧ୍ୟରେ ୯ମ ସ୍ଥାନରେ ଓୟୁଏଟି
Share your comments