
kalia centers to be opened in all districts , image source - twitter
ଚାଷୀଙ୍କୁ ମିଳୁଛି ରାଜ୍ୟରେ କାଳିଆ ଯୋଜନା ଟଙ୍କା l ଆଉ ଏବେ ଏଥିପାଇଁ କିଛି ନୂଆ ନିଷ୍ପତ୍ତି ନେଇଛନ୍ତି ଯାହା ପ୍ରତି ଜିଲ୍ଲାରେ କାଳିଆ ସେଣ୍ଟର କାର୍ଯ୍ୟକ୍ଷମ କରାଯିବ । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉଦ୍ୟମରେ ଏବେ ପ୍ରତି ଜିଲ୍ଲା ମୁଖ୍ୟାଳୟଗୁଡ଼ିକରେ ଗୋଟିଏ ଲେଖାଏଁ କାଳିଆ ସେଣ୍ଟର ଖୋଲିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।
କାଳିଆ ଯୋଜନା ସମେତ ଅନ୍ୟାନ୍ୟ ପ୍ରମୁଖ କୃଷି ଯୋଜନାଗୁଡ଼ିକର ସଫଳ ରୂପାୟନ ଦିଗରେ ପଦକ୍ଷେପ ନେଇ ଏହି ସେଣ୍ଟର କାର୍ଯ୍ୟ କରିବ । ଚାଷୀମାନଙ୍କୁ ସୂଚନା ପ୍ରଦାନ ଓ ସମସ୍ୟାର ସମାଧାନ ଦିଗରେ ଏହା ଏକ ୱାନ ଷ୍ଟପ୍ ସେଣ୍ଟର ଭାବେ କାର୍ଯ୍ୟ କରିବ ବୋଲି ଆଶା ରଖାଯାଇଛି । ଏହି କେନ୍ଦ୍ରରେ କାଳିଆ ଯୋଜନା ସମେତ ଅନ୍ୟାନ୍ୟ କୃଷି ଉଦ୍ୟୋଗ ଯୋଜନା, ଗୋ-ସୁଗମ, ସଫଲ, କୃଷକ ଓଡ଼ିଶା ଆଦିର କାର୍ଯ୍ୟକାରିତା ଦିଗରେ ସହାୟତା ଯୋଗାଇ ଦିଆଯିବ । ଏହି କାଳିଆ ସେଣ୍ଟର ପ୍ରତ୍ୟେକ ସରକାରୀ କାର୍ଯ୍ୟଦିବସ ସକାଳ ୧୦ଟା ଠାରୁ ଆରମ୍ଭ ହୋଇ ଅପରାହ୍ଣ ୫.୩୦ ମିନିଟ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ନିର୍ଦେଶ ଦିଆଯାଇଛି ।
କାଳିଆ ସେଣ୍ଟର ଚାଷୀଙ୍କ ନିମନ୍ତେ କାଳିଆ ସମେତ ମୁଖ୍ୟମନ୍ତ୍ରୀଙ୍କ ତଥା ରାଜ୍ୟ ସରକାରଙ୍କ କୃଷି ଉଦ୍ୟୋଗ ଯୋଜନା, ‘ସଫଳ’, ଗୋ-ସୁଗମ, କୃଷକ ଓଡ଼ିଶା ଆଦି କାର୍ଯ୍ୟକ୍ରମ ନିମନ୍ତେ ୱାନ୍ ଷ୍ଟପ୍ ସେଣ୍ଟର ଭାବେ କାର୍ଯ୍ୟକ୍ଷମ କରିବ l କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏ ନେଇ ସୂଚନା ଦେଇଛନ୍ତି । ଏହା ଦ୍ୱାରା ରାଜ୍ୟରେ ପ୍ରଚଳିତ ଥିବା ଅନେକ ବିଭିନ୍ନ କୃଷି ଯୋଜନାଗୁଡ଼ିକ ଅଧିକ କ୍ରିୟାଶୀଳ ଓ କୃଷକପ୍ରିୟ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଶା ପ୍ରକାଶ କରି କହିଛନ୍ତି । ଚାଷୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟାଳୟର ଏକ ପ୍ରମୁଖ ସ୍ଥାନରେ ଏହି କାଳିଆ ସେଣ୍ଟର ଖୋଲିବ ବୋଲି ଏକ ଉପଯୁକ୍ତ ଗୃହର ବ୍ୟବସ୍ଥା କରିବା ପାଇଁ ଡ. ଅରବିନ୍ଦ କୁମାର ପାଢ଼ୀ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ପତ୍ର ଲେଖି ନିର୍ଦେଶ ଦେଇଛନ୍ତି ।
ରାଜ୍ୟର ସମସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ପ୍ରତ୍ୟେକ ଫସଲ ଋତୁର ଚାଷ କାର୍ଯ୍ୟ ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି lସେହିପରି ସେମାନଙ୍କ ଆୟବୃଦ୍ଧି କରିବା ସହିତ ଭୂମିହୀନ ଚାଷୀଙ୍କ ଜୀବିକାନିର୍ବାହ ପାଇଁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୮ ମସିହାରୁ କାର୍ଯ୍ୟକାରୀ ହେଉଥିବା କାଳିଆ ଯୋଜନା ସର୍ବସାଧାରଣରେ ଉଚ୍ଚ ପ୍ରଶଂସିତ ହୋଇଥିବା ସହିତ ଅନ୍ୟ ରାଜ୍ୟରେ ମଧ୍ୟ ପରିଚୟ ସୃଷ୍ଟି କରିଛି । ଭୂମିହୀନ ଚାଷୀ ପରିବାର ଏବଂ ପ୍ରକୃତ ଭାଗଚାଷୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ଏହାର ଅନ୍ୟତମ ବୈଶିଷ୍ଟ୍ୟ ରହିଛି ।
ତେବେ ରାଜ୍ୟରେ କାଳିଆ ଯୋଜନା ଆରମ୍ଭ ହେବା ଦିନଠାରୁ ଏ ପର୍ଯ୍ୟନ୍ତ ୪୩,୦୪,୮୭୬ କ୍ଷୁଦ୍ର ଓ ନାମମାତ୍ର ଚାଷୀ/ ଏବଂ ୧୭,୭୧,୭୫୬ ଜଣ ଭୂମିହୀନ କୃଷି ପରିବାରଙ୍କୁ ରାଜ୍ୟ ସରକାର ୧୧,୬୦୦ କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ଏଥି ସହିତ ସବୁଠାରୁ ବଡ କଥା ହେଲା କାଳିଆ ହିତାଧିକାରୀ ପରିବାରଙ୍କ ୧୬୨୪ ଜଣ ପିଲାଙ୍କୁ ଉଚ୍ଚଶିକ୍ଷା ପାଇଁ କାଳିଆ ଛାତ୍ରବୃତ୍ତି ବାବଦରେ ୩.୯୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।
Share your comments