ଆଜି ପବିତ୍ର ମହାବିଷୁବ ବା ପଣା ସଂକ୍ରାନ୍ତି ।ପଣାସଂକ୍ରାନ୍ତିକୁ ହନୁମାନ ଜୟନ୍ତୀ ଭାବରେ ମଧ୍ୟ ପାଳନ କରାଯାଏ । ଏହିଦିନଠାରୁ ନୂଆ ପାଞ୍ଜି ପ୍ରଚଳନ ହୁଏ। ପୃଥିବୀର କ୍ରାନ୍ତି ପଥକୁ ୧୨ ଭାଗ ବା ୧୨ ମାସ ଓ ୧୨ ରାଶିରେ ବିଭକ୍ତ କରାଯାଇଥାଏ । ତେଣୁ ମେଷ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ଦିନ ବୋଲି ଗ୍ରହଣ କରାଯାଏ। ଏହି ଦିନଠାରୁ ସୂର୍ଯ୍ୟ ବିଷୁବରେଖା ଉପରେ ଅବସ୍ଥାନ କରି କର୍କଟକ୍ରାନ୍ତି ଆଡ଼କୁ ଗମନ କରନ୍ତି।
ଓଡ଼ିଆ ପଞ୍ଜିକା ଗଣନା ଅନୁସାରେ, ମହାବିଷୁବ ସଂକ୍ରାନ୍ତି ହେଉଛି ବର୍ଷର ପ୍ରଥମ ସଂକ୍ରାନ୍ତି। ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହେଉଥିବାରୁ ସୂର୍ଯ୍ୟକିରଣ ପ୍ରଖର ହେବା ସହ ହଜମ ଶକ୍ତି ବୃଦ୍ଧି ପାଇଥାଏ। ଧର୍ମଶାସ୍ତ୍ରଗୁଡ଼ିକରେ ଉଲ୍ଲେଖ ଅଛି, ସୂର୍ଯ୍ୟଙ୍କ ଉତ୍ତରାୟଣ କାଳରେ ମଣିଷର ମୃତ୍ୟୁ ଘଟିଲେ ମୋକ୍ଷ ପ୍ରାପ୍ତି ହୁଏ। ତେଣୁ ସୂର୍ଯ୍ୟଙ୍କର ଉତ୍ତରାୟଣ କାଳ ହେଉଛି ଅତ୍ୟନ୍ତ ପବିତ୍ର ସମୟ।
ଓଡ଼ିଆ ଜନଜୀବନରେ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିର ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସଂକ୍ରାନ୍ତି ଦିନଠାରୁ ବୃକ୍ଷଜଗତ ଓ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହାକୁ ଅନ୍ୟ ଭାବରେ କେହି କେହି ଜଳ ସଂକ୍ରାନ୍ତି ବୋଲି କହିଥା’ନ୍ତି। ଏହି ଦିନରୁ ବାୟୁର ଗତି ପ୍ରଖର ହୋଇଥାଏ ଏବଂ କିଛି ଆଧ୍ୟାତ୍ମିକ ଶ୍ରଦ୍ଧାଳୁ ବ୍ରାହ୍ମଣ ବା ଯାଚକମାନଙ୍କୁ ସୂର୍ଯ୍ୟଦେବଙ୍କ କୋପରୁ ରକ୍ଷା କରିବା ପାଇଁ ସେମାନଙ୍କୁ ତାଳପତ୍ରରେ ତିଆରି ଛତ୍ର ବା କଠଉ ପାଦୁକା ପ୍ରଦାନ କରିଥାଆନ୍ତି।
ଏହି ସଂକ୍ରାନ୍ତିର ଆଉ ଏକ ବିଶେଷତ୍ୱ ହେଉଛି ଆମ ରାଜ୍ୟରେ ପବିତ୍ର ଝାମୁବ୍ରତର ଉଦ୍ଯାପନ ହୋଇଥାଏ, ଯାହାକି ଏକ ମାସ ପୂର୍ବରୁ ବ୍ରତଚାରୀମାନେ ଅତ୍ୟନ୍ତ ନିଷ୍ଠାର ସହିତ ପାଳନ କରିଥା’ନ୍ତି। କେବଳ ଓଡ଼ିଶା ନୁହେଁ, ଭାରତର ଉତ୍ତର ଭାଗରେ ମହାବିଷୁବ ସଂକ୍ରାନ୍ତିକୁ ଭିନ୍ନ ଭିନ୍ନ ଆଧ୍ୟାତ୍ମିକ ଭାବନାରେ ପାଳନ କରାଯାଇଥାଏ। ମହାବିଷୁବ ସଂକ୍ରାନ୍ତିଠାରୁ ଧାନ୍ୟ, ଲବଣ, ଭୋଗ, ରୂପ, ତେଜ, ସୌଭାଗ୍ୟ, ତାମ୍ବୁଳ, ମନୋରଥ, ଅଶୋକ, ଆୟୁ ଏବଂ ଧନ ସଂକ୍ରାନ୍ତି ବ୍ରତ ଶ୍ରଦ୍ଧାଳୁମାନେ ଆରମ୍ଭ କରନ୍ତି।
ପଣା ସଂକ୍ରାନ୍ତି ଅବସରରେ ଆଜିଠାରୁ ନୂତନ ପଞ୍ଜିକା ଓଡ଼ିଶାରେ ଲାଗୁ ହେଉଥିବାରୁ ଏହାକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଉଛି। ଦୋଳ ପୂର୍ଣ୍ଣିମାରେ ନୂତନ ପଞ୍ଜିକା ମହାପ୍ରଭୁଙ୍କ ଠାରେ ପୂଜା ପାଇଁ ଲାଗି ହୋଇଥିଲା। ତେଣୁ ନୂତନ ପଞ୍ଜିକା ଅନୁଯାୟୀ ଆଜିଠାରୁ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ସମେତ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ନେଇ ଧାର୍ଯ୍ୟ ହୋଇ ଥିବା ଦିବସ ଅନୁଯାୟୀ ସବୁ ସାମାଜିକ କାର୍ଯ୍ୟ ହୋଇଥାଏ।