1. କୃଷି ଖବର

ତାଳଚେରରୁ ହେବ ଦ୍ରୁତ କୋଇଲା ପରିବହନ, MCRL ନିର୍ମାଣ କରୁଛି ରେଳ କରିଡର

ତାଳଚେଳ କୋଇଲା କ୍ଷେତ୍ରରୁ ଦ୍ରୁତ ଏବଂ ପ୍ରଭାବୀ କୋଇଲା ପରିବହନ ନିମନ୍ତେ ମହାନଦୀ କୋଇଲା ରେଳବାଇ ଲିଃ (ଏମସିଆରଏଲ) ଅଧୀନରେ ରେଳ କରିଡର ନିର୍ମାଣ କରାଯାଉଛି ।

Shuvanshu Kar
Shuvanshu Kar
Mahanadi Coal Railway Ltd  For Transportation of Coal in Talcher Coalfields

Mahanadi Coal Railway Ltd For Transportation of Coal in Talcher Coalfields

ତାଳଚେଳ କୋଇଲା କ୍ଷେତ୍ରରୁ ଦ୍ରୁତ ଏବଂ ପ୍ରଭାବୀ କୋଇଲା ପରିବହନ(Coal Transportation) ନିମନ୍ତେ ମହାନଦୀ କୋଇଲା ରେଳବାଇ ଲିଃ Mahanadi Coal Railway Ltd (MCRL) ଅଧୀନରେ ରେଳ କରିଡର ନିର୍ମାଣ କରାଯାଉଛି । ତାଳଚେର କୋଇଲା କ୍ଷେତ୍ରରୁ କୋଇଲା ପରିବହନ କ୍ଷେତ୍ରରେ ଏମସିଆରଏଲର ରେଳ କରିଡର ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ ।

ଏହି ରେଳ କରିଡର ଧାମରା ଏବଂ ପାରାଦୀପ ବନ୍ଦରକୁ ଦ୍ରୁତ ଗତିରେ ଅଧିକ ସଂଖ୍ୟାରେ କୋଇଲା ରେକ୍‌ ପରିବହନ ପାଇଁ ଆବଶ୍ୟକ ସୁବିଧା ଯୋଗାଇବ । ଭିଡ଼ମୁକ୍ତ ରେଳ ନେଟୱର୍କ ପ୍ରତିଷ୍ଠା ହେବା ଫଳରେ କୋଇଲା ପରିବହନ ବାବଦ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ । ଅନ୍ୟପଟେ ବନ୍ଦର ନିକଟରେ ସହଜରେ କୋଇଲା ପହଞ୍ଚିବା ଫଳରେ ଜାହାଜ ଯୋଗେ ଦେଶର ଦକ୍ଷିଣ ଏବଂ ପଶ୍ଚିମ କ୍ଷେତ୍ରକୁ ସହଜରେ କୋଇଲା ପଠାଇବା ସମ୍ଭବ ହୋଇପାରିବ । ସାମୁଦ୍ରିକ ମାର୍ଗରେ କୋଇଲା ପରିବହନ ରେଳ ନେଟୱର୍କରେ ପରିବହନ ତୁଳନାରେ ଅପେକ୍ଷାକୃତ ଶସ୍ତା ବିକଳ୍ପ ହେବ ।

ତାଳଚେର କୋଇଲା କ୍ଷେତ୍ରରୁ ପ୍ରଭାବୀ କୋଇଲା ପରିବହନ ନିମନ୍ତେ ଏମସିଆରଏଲ ଅଧୀନରେ ପର୍ଯ୍ୟାୟକ୍ରମେ ରେଳ ଲାଇନ ନିର୍ମାଣ କରାଯାଉଛି । ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଅଧୀନରେ ଉଚ୍ଚ ପ୍ରଭାବଯୁକ୍ତ ପ୍ରକଳ୍ପ ଅଧୀନରେ ଏମସିଆରଏଲ ପର୍ଯ୍ୟାୟ ୧ ଏବଂ ପର୍ଯ୍ୟାୟ ୨ ପ୍ରକଳ୍ପ ନିର୍ମାଣ ପାଇଁ କୋଇଲା ମନ୍ତ୍ରଣାଳୟ ପୂର୍ବରୁ ସ୍ଥାନ ଚିହ୍ନଟ କରିସାରିଛି ।

ଅନ୍ୟପକ୍ଷରେ ୩୧.୦୮.୨୦୧୫ରେ ଏମସିଆରଏଲ ଗଠନ କରାଯାଇଥିଲା । ଏଥିରେ ମହାନଦୀ କୋଇଲାଫିଲ୍ଡସ୍‌ ଲିମିଟେଡ (ଏମସିଏଲ)ର ୬୪%, ଆଇଆରସିଓଏନର ୨୬% ଏବଂ ଓଡ଼ିଶା ଶିଳ୍ପ ଉନ୍ନୟନ ନିଗମ (ଇଡକୋ)ର ୧୦% ଅଂଶଧନ ରହିଛି ।

ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଦେଇ ଏମସିଆରଏଲ ଅଧୀନରେ ରେଳ ଲାଇନ ନିର୍ମାଣ କରାଯାଉଛି । ଭାରତୀୟ ରେଳ ନେଟୱର୍କର ଅନୁଗୁଳ ଏବଂ ଜରପଡ଼ା ଷ୍ଟେସନ ଏହି ପ୍ରକଳ୍ପ ଅଧୀନରେ ଆସୁଛି । ଅନ୍ୟପଟେ ଏମସିଏଲର ତାଳଚେର-ବଳରାମ ଘରୋଇ ସାଇଡିଂ ଅଧୀନରେ ବଳରାମ ଷ୍ଟେସନକୁ ବର୍ତ୍ତମାନର ଲୋଡିଂ ଷ୍ଟେସନ ଭାବେ ସାମିଲ କରାଯାଇଛି ।

ଚଳିତ ବର୍ଷ ସୁଦ୍ଧା ଏମସିଆରଏଲ ପର୍ଯ୍ୟାୟ -୧ (ଅନୁଗୁଳ-ବଳରାମ) ୧୪ କିମି ଲମ୍ବ ରେଳ ଲାଇନ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ । ତାଳଚେର କୋଇଲା ଖଣିରେ ଥିବା ଏମସିଏଲ ଖଣିରୁ ଏହି ରେଳ ଲାଇନ ଜରିଆରେ ୨୫ ନିୟୁତ ଟନ୍‌ କୋଇଲା ପରିବହନ କରାଯିବ ବୋଲି ଆଶା କରାଯାଉଛି ।

ଅନ୍ୟପକ୍ଷରେ ଏମସିଆରଏଲ ପର୍ଯ୍ୟାୟ-୨ ପ୍ରକଳ୍ପ ଅଧୀନରେ ୫୪ କିଲୋମିଟର ଲମ୍ବର ବଳରାମ-ଜରପଡ଼ା-ତେନ୍ତୁଲୋଇ ରେଳ ଲାଇନ ଡିସେମ୍ବର ୨୦୨୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି । ଏହି ପ୍ରକଳ୍ପ ତାଳଚେର କୋଇଲା କ୍ଷେତ୍ରର ଦକ୍ଷିଣ ପାର୍ଶ୍ବ ଏବଂ କେନ୍ଦ୍ରୀୟ ଭାଗରେ ଥିବା ଆବଣ୍ଟିତ କୋଇଲା ଖଣିକୁ ରେଳ ସଂଯୋଗ କରିବ ।

ଦ୍ବିତୀୟ ପର୍ଯ୍ୟାୟ ପ୍ରକଳ୍ପ କାମ ଦ୍ରୁତ ଗତିରେ ଜାରି ରହିଛି, ଜମି ଅଧିଗ୍ରହଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଜଙ୍ଗଲ ମଞ୍ଜୁରି ମିଳିସାରିଛି । ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ତାଳଚେର କୋଇଲା କ୍ଷେତ୍ରରେ ଥିବା ସିଆଇଏଲ ଏବଂ ଅଣ-ସିଆଇଏଲ ୫୮ ନିୟୁତ ଟନ, କୋଇଲା ଖଣିରୁ କୋଇଲା ପରିବହନ ପାଇଁ ସୁବିଧା ମିଳିପାରିବ ।

ସୂଚନା ଯୋଗ୍ୟ ଯେ, ମହାନଦୀ କୋଲ୍‌ ଫିଲ୍ଡସ୍‌ର ତାଳଚେର କୋଇଲା କ୍ଷେତ୍ର ଦେଶର ଅନ୍ୟତମ ବୃହତ କୋଇଲା କ୍ଷେତ୍ର ପାଇଁ ପରିଗଣିତ ହୋଇଥାଏ । ଏଠାରେ ଦେଶର ମୋଟ୍‌ ଆନୁମାନିକ କୋଇଲା ସମ୍ପଦର ୧୫% ଅର୍ଥାତ୍‌ ୫୨ ବିଲିୟନ ଟନ କୋଇଲା ଗଚ୍ଛିତ ହୋଇ ରହିଛି । ତାଳଚେର କୋଇଲା କ୍ଷେତ୍ରରେ ଥିବା ଖଣିଜ ସମ୍ପଦ ମଧ୍ୟରୁ, ୬୩%ରୁ ଅଧିକ (୩୩ ବିଲିୟନ ଟନ) ୩୦୦ ମିଟର ଗଭୀରତା ମଧ୍ୟରେ ରହିଛି, ଫଳରେ ଏଠାରେ ଓପନକାଷ୍ଟ ମାଇନିଂ ଜରିଆରେ କୋଇଲା ଉତ୍ତୋଳନ କରାଯାଇପାରିବ ।

ତାଳଚେର କୋଇଲା କ୍ଷେତ୍ରରେ ଥିବା ମହାନଦୀ କୋଲ ଫିଲ୍ଡସ ଲିମିଟେଡ ଏବଂ ଆବଣ୍ଟିତ କୋଇଲା ଖଣିରୁ ୨୦୨୨ ଆର୍ଥିକ ବର୍ଷରେ ୯୫ ନିୟୁତ ଟନରୁ ଅଧିକ କୋଇଲା ଉତ୍ପାଦନ ହୋଇଥିଲା । ୨୦୨୪-୨୫ ଆର୍ଥିକ ବର୍ଷରେ ୨୦୦ ନିୟତୁ ଟନ ଏବଂ ୨୦୩୦ ଆର୍ଥିକ ବର୍ଷରେ ୩୦୦ ନିୟୁତ ଟନ କୋଇଲା ଉତ୍ପାଦନ ହେବ ବୋଲି ଆଶା କରାଯାଉଛି ।

PM Gati Shakti:ଓଡିଶା ଓ ଝାଡଖଣ୍ଡରେ ନିର୍ମିତ ହେବ 4 ପ୍ରକଳ୍ପ

ପାରାଦୀପ ଉନ୍ନତୀକରଣ ପାଇଁ ଖର୍ଚ୍ଚ ହେବ ୩୦୦୪ କୋଟି

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments