
meet stakeholders on dark patterns, image source - pexels
କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ତଥା ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆସନ୍ତା 28 ତାରିଖରେ ନୂଆଦିଲ୍ଲୀଠାରେ ଡାର୍କ ପ୍ୟାଟର୍ଣ୍ଣ ବା ଅନଲାଇନ କ୍ରୟ ସମୟରେ ଗ୍ରାହକଙ୍କୁ ପ୍ରଲୋଭନ ସମସ୍ୟାର ସମାଧାନ ଉପରେ ଏକ ଉଚ୍ଚସ୍ତରୀୟ ଅଂଶୀଦାରମାନଙ୍କ ବୈଠକ କରିବେ। ଡାର୍କ ପ୍ୟାଟର୍ଣ୍ଣକୁ ନେଇ ଗ୍ରାହକଙ୍କ ମଧ୍ୟରେ ରହିଥିବା ଚିନ୍ତା ଦୂର କରିବା ପାଇଁ ଅଧିକ ପ୍ରଭାବଶାଳୀ ସମାଧାନ ଖୋଜିବା ଏହି ବୈଠକର ଉଦ୍ଦେଶ୍ୟ।
ପ୍ରମୁଖ ଶିଳ୍ପ ସଂଗଠନ, ସ୍ୱେଚ୍ଛାକୃତ ଉପଭୋକ୍ତା ସଂଗଠନ (ଭିସିଓ) ଏବଂ ଅଗ୍ରଣୀ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (ଏନଏଲୟୁ) ମଧ୍ୟ ଏହି ବୈଠକରେ ସକ୍ରିୟ ଅଂଶଗ୍ରହଣ କରିବେ। ସେମାନଙ୍କର ଅନ୍ତର୍ଦୃଷ୍ଟି, ଗବେଷଣା ଏବଂ ନିୟାମକ ଦୃଷ୍ଟିକୋଣ ଦୃଢ଼ ଏବଂ କାର୍ଯ୍ୟକାରୀ ସମାଧାନକୁ ରୂପ ଦେବାରେ ମୂଲ୍ୟବାନ ଯୋଗଦାନ ଦେବ।
ଖାଉଟି ଅଧିକାରର ସୁରକ୍ଷା ଏବଂ ସ୍ୱଚ୍ଛ ବାଣିଜ୍ୟ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟର ଖାଉଟି ବ୍ୟାପାର ବିଭାଗ, ଏହାର ଅତୁଟ ପ୍ରତିବଦ୍ଧତାରେ, ଡାର୍କ ପ୍ୟାଟର୍ଣ୍ଣର ଅନ୍ୟାୟପୂର୍ଣ୍ଣ ବାଣିଜ୍ୟ ଅଭ୍ୟାସକୁ ରୋକିବା ନିମନ୍ତେ ସକ୍ରିୟ ଭାବରେ କାର୍ଯ୍ୟ କରୁଛି । ଗ୍ରାହକଙ୍କୁ ବିଭ୍ରାନ୍ତ କରୁଥିବା କିମ୍ବା ଅନିଚ୍ଛାକୃତ ପସନ୍ଦ କିଣିବା ଲାଗି ଅନୈତିକ ଭାବେ ପ୍ରଲୋଭିତ କରୁଥିବା ୟୁଜର୍ ଇଣ୍ଟରଫେସ୍ ଡିଜାଇନ୍ ସମସ୍ୟାର ସମାଧାନ ଦିଗରେ ବିଭାଗ ଗୁରୁତ୍ୱାରୋପ କରିଛି । ଏହି ଅଭ୍ୟାସଗୁଡ଼ିକ ଉପଭୋକ୍ତାଙ୍କ ବିଶ୍ୱାସକୁ ହ୍ରାସ କରିଥାଏ, ନିରପେକ୍ଷ ବଜାର କାରବାରକୁ ବିକୃତ କରିଥାଏ ଏବଂ ଡିଜିଟାଲ ବାଣିଜ୍ୟର ବିଶ୍ୱସନୀୟତା ପ୍ରତି ଏକ ଗୁରୁତର ବିପଦ ସୃଷ୍ଟି କରିଥାଏ।
ଡାର୍କ ପ୍ୟାଟର୍ଣ୍ଣର ମୁକାବିଲା ପାଇଁ ବିଭାଗ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ବ୍ୟାପକ ଅଂଶୀଦାର ପରାମର୍ଶ ପରେ, ବିଭାଗ 30 ନଭେମ୍ବର 2023 ରେ ଡାର୍କ ପ୍ୟାଟର୍ଣ୍ଣକୁ ରୋକିବା ପାଇଁ ବ୍ୟାପକ ମାର୍ଗଦର୍ଶିକା ଜାରି କରିଥିଲା ଯେଉଁଥିରେ ଇ-କମର୍ସର 13 ଟି ପ୍ରମୁଖ ଡାର୍କ ପ୍ୟାଟର୍ଣ୍ଣକୁ ଚିହ୍ନଟ କରାଯାଇଥିଲା। ଏଥିରେ ମିଥ୍ୟା ତତ୍କାଳ ସ୍ଥିତି, ବାସ୍କେଟ୍ ସ୍ନିକିଂ, କନ୍ଫର୍ମ ସେମିଂ, ବଳପୂର୍ବକ କାର୍ଯ୍ୟାନୁଷ୍ଠାନ, ଉପଭୋକ୍ତାଙ୍କୁ ପ୍ରଲୋଭିତ କରି ଫସେଇବା, ଇଣ୍ଟରଫେସ୍ ଇଣ୍ଟରଫରେନ୍ସ, ବେଟ୍ ଏଣ୍ଡ ସୁଇଚ୍, ଡ୍ରିପ୍ ପ୍ରାଇସିଂ, ଛଦ୍ମ ବିଜ୍ଞାପନ, ନ୍ୟାଗିଂ, ଟ୍ରିକ୍ କୋଶ୍ଚିନ, ସାସ୍ ବିଲିଂ ଏବଂ ରଗ୍ ମାଲୱେର ସାମିଲ ରହିଛି।
ବିଭାଗ ବ୍ୟାପକ ଉପଭୋକ୍ତା ସଚେତନତା ଅଭିଯାନ ହାତକୁ ନେଇଛି ଏବଂ ପ୍ରତାରଣା ମୂଳକ ପ୍ରଥାକୁ ଚିହ୍ନଟ କରିବା ଏବଂ ନିରୁତ୍ସାହିତ କରିବା ପାଇଁ ଇ-କମର୍ସ ପ୍ଲାଟଫର୍ମ ଉପରେ ସକ୍ରିୟ ଭାବରେ ନଜର ରଖିଛି। ଇ-କମର୍ସରେ ଉପଭୋକ୍ତା ସୁରକ୍ଷା ପାଇଁ ଏକ ସାମଗ୍ରିକ ଏବଂ ସମାବେଶୀ ଆଭିମୁଖ୍ୟ ସୁନିଶ୍ଚିତ କରିବା ପାଇଁ ବିଭାଗ ଇ-କମର୍ସ ପ୍ଲାଟଫର୍ମ, ପଲିସି ଥିଙ୍କ ଟ୍ୟାଙ୍କ ଏବଂ ଉପଭୋକ୍ତା ସଂଗଠନ ସହିତ ନିରନ୍ତର ଆଲୋଚନା କରୁଛି।
ଗ୍ରାହକ ସୁରକ୍ଷା ଏବଂ ବ୍ୟବସାୟିକ ସୁଗମତା ପରସ୍ପରର ପରିପୂରକ ବୋଲି ବିଭାଗ ଗୁରୁତ୍ୱ ଦେଇଥାଏ। ଏହି ଅଂଶୀଦାର ବୈଠକ ପ୍ରଶାସନ ପ୍ରତି ବିଭାଗର ପ୍ରଗତିଶୀଳ, ଅଂଶଗ୍ରହଣକାରୀ ଆଭିମୁଖ୍ୟର ଉଦାହରଣ ଦିଏ ଯାହାକି ବ୍ୟବସାୟ ପାଇଁ ସମାନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ସହିତ ନିୟାମକ ଢାଞ୍ଚାକୁ ସୁଦୃଢ଼ କରିଥାଏ।
ଏପରି ସରକାରୀ-ଘରୋଇ ସହଭାଗୀତାକୁ ପ୍ରୋତ୍ସାହିତ କରି, ଉପଭୋକ୍ତା ବ୍ୟାପାର ବିଭାଗ ଏକ ଭବିଷ୍ୟତ ନିର୍ମାଣ କରିବାକୁ ଚେଷ୍ଟା କରୁଛି ଯେଉଁଠାରେ ଉପଭୋକ୍ତାଙ୍କ ସୁରକ୍ଷା ସର୍ବୋପରି ହୋଇଥିବ ଏବଂ ଡିଜିଟାଲ୍ ବଜାରଗୁଡ଼ିକ ନିରପେକ୍ଷତା, ସ୍ୱଚ୍ଛତା ଏବଂ ଦାୟିତ୍ୱ ଦ୍ୱାରା ପରିଚାଳିତ ହେବ।
Share your comments