ଆଇଆଇପିଆର୍ରୁ ଗବେଷଣା ନିମନ୍ତେ ବିହନ ଆସୁଥିଲା
ନୟାଗଡ଼ : ରାଜ୍ୟର ପ୍ରଥମ ତଥା ଏକମାତ୍ର ଡାଲି ଗବେଷଣା କେନ୍ଦ୍ର ନୟାଗଡ଼ ଜିଲ୍ଲାରେ ରହିଛି। ୧୯୬୧ ମସିହାରେ ପ୍ରତିଷ୍ଠିତ ଏହି କେନ୍ଦ୍ର କିନ୍ତୁ ଖୁବ୍ ଶୀଘ୍ର ବନ୍ଦ ହେବାକୁ ଯାଉଛି। ଅନୁଷ୍ଠାନର ମୁଖ୍ୟ ପଦବି ପଲ୍ସ ରିସର୍ଚ୍ଚ ସ୍ପେଶାଲିଷ୍ଟ (ଡାଲି ଗବେଷଣା ବିଶେଷଜ୍ଞ) ଭାବେ ନିଯୁକ୍ତି ପ୍ରଦାନ କିଛି ବର୍ଷ ହେବ ବନ୍ଦ କରିଦିଆଯାଇଥିଲା। ଏବେ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ପଦବି ଉଠାଇ ଦିଆଯାଉଛି। କୌତୂହଳ କଥା ହେଲା, ଏବେ ସ୍ଥିତି ଏମିତି ହେଲାଣି ଯେ ଡାଲି ବିଶେଷଜ୍ଞ ଭାବେ ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟର ସହକାରୀ କୃଷି ଅଧିକାରୀ ଅପର୍ଣ୍ଣା ପ୍ରିୟଦର୍ଶିନୀ ପାତ୍ର ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି। ନାମ ଡାଲି ଗବେଷଣା କେନ୍ଦ୍ର ହୋଇଥିଲେ ହେଁ, ଏଠାରେ ବିଭିନ୍ନ କିସମର ଡାଲି ଗବେଷଣା କରି ଉଦ୍ଭାବନ ବଦଳରେ ଧାନ ବିହନ ଉତ୍ପାଦନ କରାଯାଉଥିଲା। ଚଳିତ ବର୍ଷ ପୁଣି ମୁଗ ବିହନ ଉତ୍ପାଦନ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଗବେଷଣା କାମ ପ୍ରାୟ ଏଠାରେ ହେଉନାହିଁ। ୩୦ ବର୍ଷ ତଳେ ଏହି କେନ୍ଦ୍ରରୁ ସୁଜାତା ଓ ଜ୍ୟୋତି ନାମରେ ଦୁଇଟି ଉନ୍ନତମାନର ନୂତନ ମୁଗ ଡାଲି ବିହନ ଉଦ୍ଭାବନ କରାଯାଇଥିଲା। ଏହା ସାରା ଦେଶର ଚାଷୀଙ୍କ ମଧ୍ୟରେ ଆଦୃତି ଲାଭ କରିଥିଲା। ଏହି ବିହନ ଅଧିକ ଉତ୍ତାପ ଥିବା ମାଟିରେ ମଧ୍ୟ ତିଷ୍ଠି ପାରୁଥିଲା, ଭଲ ଅମଳ ଦେଉଥିଲା।
ଉଲ୍ଲେଖଯୋଗ୍ୟ, ଉତ୍ତର ପ୍ରଦେଶର କାନପୁରର ଥିବା ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପଲ୍ସ ରିସର୍ଚ୍ଚ(ଆଇଆଇପିଆର୍) ଏହା ଏକ ଆଞ୍ଚଳିକ କେନ୍ଦ୍ର ଭଳି କାର୍ଯ୍ୟ କରୁଥିଲା। ସେଠାରୁ ଡାଲି ଜାତୀୟ ବିହନ ନୟାଗଡ଼କୁ ଗବେଷଣା ନିମନ୍ତେ ଆସୁଥିଲା। ତାହା ଗତବର୍ଷଠାରୁ ବନ୍ଦ ହୋଇଯାଇଥିବା ଗବେଷଣା କେନ୍ଦ୍ର ଦାୟିତ୍ବରେ ଥିବା ଅଧିକାରୀ ଶ୍ରୀମତୀ ପାତ୍ର କହିଛନ୍ତି। ନୟାଗଡ଼ ଗବେଷଣା କେନ୍ଦ୍ର କ୍ରମେ ଅକାମୀ ହୋଇପଡ଼ିବା ଯାହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ହେଲେ ନୟାଗଡ଼ ଦୂର ହେଉଥିବାରୁ ଖୋର୍ଦ୍ଧାରେ ଥିବା ଡାଲି ଗବେଷଣା କେନ୍ଦ୍ରକୁ ଆଇଆଇପିଆର୍ରୁ ବିହନ ଗବେଷଣା ନିମନ୍ତେ ଆସୁଥିବା ଶ୍ରୀମତୀ ପାତ୍ର କହିଛନ୍ତି। ଖୋର୍ଦ୍ଧା କାଳେ ନିକଟ ହେଉଥିବାରୁ ଆଇଆଇପିଆର୍ ସେଠାରେ ତା’ର ନୂତନ କେନ୍ଦ୍ର ଖୋଲିଥିବା ଶ୍ରୀମତୀ ପାତ୍ର କହିଛନ୍ତି। ଅପର୍ଣ୍ଣା ପ୍ରିୟଦର୍ଶିନୀ ଏହି ଡାଲି ଗବେଷଣା କେନ୍ଦ୍ରର ଶେଷ ବିଶେଷଜ୍ଞ, ଏହା ପରେ ସରକାର ନୟାଗଡ଼ ଡାଲି ଗବେଷଣା କେନ୍ଦ୍ରରୁ ଏହି ପଦବି ଉଠାଇ ଦେବାକୁ ଯାଉଥିବା ଜଣାପଡ଼ିଛି। ଏକଥା ଶ୍ରୀମତୀ ପାତ୍ର ମଧ୍ୟ ସ୍ବୀକାର କରିଛନ୍ତି। ପୂର୍ବରୁ ନୟାଗଡ଼ର ଏକମାତ୍ର ଶିଳ୍ପ ବା ଏକମାତ୍ର କୃଷିଭିତ୍ତିକ ଶିଳ୍ପ ନୟାଗଡ଼ ସମବାୟ ଚିନି କଳ ବନ୍ଦ ହୋଇସାରିଛି। ଯେଉଁଥି ପାଇଁ ଜିଲ୍ଲାରେ ଆଖୁ ଚାଷ ଲୋପ ପାଇବାକୁ ଲାଗିଲାଣି। ଆଖୁ ଯୋଜନା ଅଧିକାରୀଙ୍କ କାର୍ଯ୍ୟାଳୟ ସାରା ରାଜ୍ୟ ଭଳି ନୟାଗଡ଼ରେ ବନ୍ଦ ହୋଇଯାଇଛି। ଏଭଳି ସ୍ଥିତିରେ ଡାଲି ଗବେଷଣା କେନ୍ଦ୍ର କାର୍ଯ୍ୟ ନ କରିବା ଏବଂ ବନ୍ଦ ହେବାକୁ ଯିବା ଜିଲ୍ଲା ପାଇଁ ଦୁର୍ଭାଗ୍ୟର ବିଷୟ।
Share your comments