ଓଡ଼ିଶାକୁ ମିଳିଛି ୭ଟି ଜିଆଇ ଟ୍ୟାଗ୍ । ତେବେ ଏହା ପାଇବା ପରେ ସମସ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି l ଅନେକ ଦିନରୁ ଏଥିପାଇଁ ଚେଷ୍ଟା ଚାଲିଥିବାବେଳେ ଆଜି ଏହାକୁ ସଫଳତା ମିଳିଛି l ତେବେ ଲାଞ୍ଜିଆ ସଉରାଙ୍କ ଖଜୁରୀ ଗୁଡ଼କୁ ମିଳିଛି ଜିଆଇ ଟ୍ୟାଗ ମାନ୍ୟତା । ସେହିପରି ଗଜପତି ଓ ରାୟଗଡ଼ାର ଲାଞ୍ଜିଆ ସଉରା ପ୍ରସ୍ତୁତ କରନ୍ତି ଏହି ଖଜୁରୀ ଗୁଡ଼ । ଯାହା ଖାଇବାକୁ ଖୁବ ସ୍ୱାଦିଷ୍ଟ l
ସେହିପରି ଡଙ୍ଗରିଆ କନ୍ଧଙ୍କ ଏମ୍ବ୍ରଇଡୋରି ସାଲ୍ କପଡ଼ାଗଣ୍ଡାକୁ ମିଳିଛି ଜିଆଇ ଟ୍ୟାଗ୍ । ରାୟଗଡ଼ା ଓ କଳାହାଣ୍ଡିର ନିୟମଗିରି ପାହାଡ଼ରେ ବସବାସ କରନ୍ତି ଏହି ଡଙ୍ଗରିଆ କନ୍ଧ । ସେହିପରି କୋରାପୁଟର କଳାଜୀରା ଚାଉଳ, ମୟୂରଭଞ୍ଜର ନାଲିକାଇ ଚଟଣି, ଲାଞ୍ଜିଆ ସଉରାଙ୍କ ଚିତ୍ରକଳା ଇଡ଼ିତାଲ ଏବଂ ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣକୁ ମଧ୍ୟ ମିଳିଛି ଜିଆଇ ଟ୍ୟାଗ୍ ମାନ୍ୟତା ।
ତେବେ ପୂର୍ବରୁ ଢେଙ୍କାନାଳର ମଗଜି ଲଡୁକୁ ମଧ୍ୟ ମିଳିଛି ଜିଆଇ ଟ୍ୟାଗ୍ । ତେବେ ଆସୁଥିବା ଆସନ୍ତା ୩ ମାସ ମଧ୍ୟରେ ଏସବୁ ଉତ୍ପାଦ ଉପରେ କୌଣସି ଆପତ୍ତି ଅଭିଯୋଗ ନ ଆସିଲେ, ଏଗୁଡ଼ିକୁ ଜିଆଇ ରେଜିଷ୍ଟ୍ରି ପକ୍ଷରୁ ଟ୍ୟାଗ୍ ମିଳିବ ବୋଲି ସୂଚନା ମିଳିଛି । ଅପରପକ୍ଷେ, ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡ଼ାର ରସାବଳିକୁ ମଧ୍ୟ ଗତ ମେ’ ୩୧ ତାରିଖରୁ ଜିଆଇ ମିଳିବା ନେଇ ତାଲିକାଭୁକ୍ତ କରାଯାଇଛି । ତେବେ ଏହାକୁ ଖୁବ୍ଶୀଘ୍ର ଜିଆଇ ଟ୍ୟାଗ୍ ମାନ୍ୟତା ମିଳିବ ବୋଲି ଆଶା କରାଯାଉଛି ।
ତେବେ ଆଉ ଏକ ଖୁସି ଖବର ହେଉଛି ଯେ, ନୟାଗଡ ଜିଲ୍ଲାର କଣ୍ଟିଲୋ ଅଂଚଳରେ ଉତ୍ପାଦିତ ହେଉଥିବା କୃଷିଜାତ ଦ୍ରବ୍ୟ କଣ୍ଟେଇମୁଣ୍ଡି ବାଇଗଣ GI ଜର୍ଣ୍ଣାଲରେ ସ୍ଥାନ ପାଇବା ପରେ ଏହାର ସ୍ୱତନ୍ତ୍ରତା ଏବେ ବୃଦ୍ଧି ପାଇଛି । ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ ଏହି ବାଇଗଣର ସ୍ୱାଦ ମଧ୍ୟ ଖୁବ ନିଆରା । ଏହା ଶୁଣିବା ପରେ ଏ ନେଇ ନୟାଗଡ଼ ଜିଲ୍ଲାରେ ଖୁସିର ମାହୋଲ ଦେଖିବାକୁ ମିଳିଛି । କିଛି ମାସ ପୂର୍ବରୁ ନୟାଗଡ଼ ଜିଲ୍ଲା ପ୍ରଶାସନଙ୍କ ସହାୟତାରେ କଣ୍ଟିଲୋ ସ୍ଥିତ ନୀଳମାଧବ କୃଷି ସଂଗଠନ ଏହି କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ମାନ୍ୟତା ଦେବାପାଇଁ ଆବେଦନ କରିଥିଲା ।
ଖାଲି ଏତିକି ନୁହେଁ କଳାଜିରା ଧାନକୁ ମଧ୍ୟ ମିଳିଛି ଜି.ଆଇ ଟ୍ୟାଗ୍ ମାନ୍ୟତା । ତେବେ ନାବାର୍ଡ ଏବଂ ଓଡ଼ିଶା ସରକାରଙ୍କ ସହଯୋଗରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଏବଂ କୃଷକ ଉତ୍ପାଦକ କମ୍ପାନି ଜୈବିକ୍ ଏସଆରଆଇ “କୋରାପୁଟ କାଲାଜିରା ଚାଉଳ” ପାଇଁ ଜିଆଇ ଟ୍ୟାଗ୍ ପାଇଲା । ଯାହା ଅତ୍ୟନ୍ତ ଖୁସିର କଥା l ଏହି ଚାଉଳ ଜମି, ସ୍ଥାନୀୟ ସମ୍ପ୍ରଦାୟର ସଂସ୍କୃତି ସହିତ ଜଡ଼ିତ ରହିଛି । ଏହାଛଡ଼ା ପୁଷ୍ଟିକର ଖାଦ୍ୟ, ସୁନ୍ଦର ରନ୍ଧନ ଗୁଣରେ ପୂର୍ଣ୍ଣ ଏବଂ ସୁଗନ୍ଧ ସହିତ ବାୟୋଟିକ୍ ଏବଂ ଆବିଓଟିକ୍ ଚାପ ସହିତ ଖୁବ ଅନୁକୂଳ । ସେହିପରି କୋରାପୁଟ ଜିଲ୍ଲାର କୃଷକମାନଙ୍କ ପାଇଁ ଏହା ହେଉଛି ସ୍ୱୀକୃତି ସଦୃଶ l ଯେଉଁମାନେ ଚାଉଳ ଜୈବ ବିବିଧତା ସଂରକ୍ଷଣ କରିଛନ୍ତି ବା କରୁଛନ୍ତି ଏବଂ ସେମାନଙ୍କର ଆର୍ଥିକ ସୁସ୍ଥତା ପାଇଁ ଏହା ଏକ ଅବଦାନ ମଧ୍ୟ ।
ସେହିପରି ପ୍ରଗତି, କୋରାପୁଟ ନାବାର୍ଡ ଏବଂ ଏଡେଲଗାଇଭ ଫାଉଣ୍ଡେସନର ସହଯୋଗୀତାରେ ୧ ହଜାର ଏକରରେ କଳାଜିରା ଚାଉଳକୁ ପ୍ରୋତ୍ସାହନ ଦିଆଯାଇଛି ଏବଂ ଏଫପିସି ମାଧ୍ୟମରେ କାଲାଜିରା ଚାଉଳର ମୂଲ୍ୟ ବୃଦ୍ଧି, ସଠିକ ବ୍ରାଣ୍ଡିଂ ଏବଂ ମାର୍କେଟିଂକୁ ଉନ୍ନତ କୃଷି ବିଜ୍ଞାନ ମାଧ୍ୟମରେ ପ୍ରୋତ୍ସାହିତ କରାଯାଉଛି । ଏହି ଧାନରେ ଖୁବ ଔଷଧୀୟ ଗୁଣ ରହିଛି ଯାହା ଡାଇବେଟିସ୍ ରୋଗୀଙ୍କ ପାଇଁ ବିଶେଷ ଲାଭ ମିଳୁଥିବା ସୂଚନା ମିଳିଛି । ଏହି ଚାଉଳ ବା ଧାନ ପ୍ରାୟତଃ ୧୪୦ ରୁ ୧୫୦ଦିନ ମଧ୍ୟରେ ଅମଳ ହୋଇଥାଏ l ଏହି ଧାନ କମ ପରିମାଣର ଅମଳ ହୁଏ ରାଜ୍ୟରେ । ଏହା ମୁଖ୍ୟତଃ ଖାଲ ଜମିରେ ହିଁ ଚାଷ ହେଉଥିବା ଦେଖିବାକୁ ମିଳିଥାଏ ।
Share your comments