1. କୃଷି ଖବର

ଓଡ଼ିଶାକୁ ଅଣାଯିବ ନୂତନ କିସମର ଧାନ ବିହନ !!

ଏ ବର୍ଷ ରାଜ୍ୟର ବଲାଙ୍ଗୀର, କେନ୍ଦୁଝର, ବୌଦ୍ଧ, ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି ଧାନ ଫସଲ। ସ୍ଥିତି ଏଭଳି ହୋଇଛି ଯେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇରେ ମଧ୍ୟ ନୂଆଁ ଧାନ ମିଳିପାରି ନାହିଁ।

Sugyan Kumar Nayak
Sugyan Kumar Nayak
Paddy Seed

Paddy Seed

ଏ ବର୍ଷ ରାଜ୍ୟର ବଲାଙ୍ଗୀର, କେନ୍ଦୁଝର, ବୌଦ୍ଧ, ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି ଧାନ ଫସଲ। ସ୍ଥିତି ଏଭଳି ହୋଇଛି ଯେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇରେ ମଧ୍ୟ ନୂଆଁ ଧାନ ମିଳିପାରି ନାହିଁ। ଏଥି ଯୋଗୁଁ ବର୍ତ୍ତମାନ ସଅଳ କିସମ ନୁହେଁ; ୮୦ ଦିନିଆ ବିହନକୁ ବାହାର ରାଜ୍ୟରୁ ଆଣି ଓଡ଼ିଶାରେ ବିକ୍ରି ଯୋଗ୍ୟ କରିବା ଦିଗରେ ପ୍ରସ୍ତୁତ କରାଯାଉଥିବା କହିଛନ୍ତି ବିହନ ନିଗମ କର୍ତ୍ତୃପକ୍ଷ l ଅନ୍ୟଦିଗରେ ଓୟୁଏଟି ପକ୍ଷରୁ ମଧ୍ୟ ଅଧିକ ଉତ୍ପାଦନ ଯୋଗ୍ୟ ଉଭୟ ମରୁଡ଼ି ଏବଂ ରୋଗପୋକ ସହଣୀ ବିହନ ପ୍ରସ୍ତୁତ ପାଇଁ ଗବେଷଣା କରାଯାଉଥିବା କହିଛନ୍ତି ଓୟୁଏଟିର ବିଶେଷଜ୍ଞମାନେ l

ସୂଚନା ଅନୁଯାୟୀ ରାଜ୍ୟରେ ୫ ରୁ ୭ ଲକ୍ଷ ଏକର ଢିପ ଜମି ରହିଛି; ଯେଉଁଠି କମ୍‌ ପାଣିର ଆବଶ୍ୟକତା ଥିବା ୧୦୫ରୁ ୧୧୦ ଦିନିଆ ମରୁଡ଼ି ସହଣୀ କିସମ ବିହନରେ ଚାଷ କରାଯାଏ। ବିହନ ନିଗମ ପକ୍ଷରୁ ଏଭଳି କିସମର ସମୁଦାୟ ୫୦ ହଜାର କ୍ବିଣ୍ଟାଲ ବିହନ ଯୋଗାଣ ହୋଇଛି। ଯେଉଁଠି ସାଧାରଣ ବିହନ ଏକର ପିଛା ୧୫ରୁ ୨୦ କ୍ବିଣ୍ଟାଲ ଧାନ ହୁଏ, ଏହି କିସମ ବିହନରୁ ୭ ରୁ ୮ କ୍ବିଣ୍ଟାଲ ଧାନ ଉତ୍ପାଦିତ ହୁଏ। ମାତ୍ର ସ୍ବଳ୍ପ ବର୍ଷାରେ ମଧ୍ୟ ସହଭାଗୀ, ଡିଆର୍‌୪୨, ୪୩, ୪୫ ଭଳି ବିହନ ବିଶେଷ ପ୍ରଭାବିତ ହୁଏ ନାହିଁ। ଚାଷୀ ଯେତିକି ଖର୍ଚ୍ଚ କରିଥାଏ ସେହି ଅନୁଯାୟୀ ତାକୁ ଉତ୍ପାଦନ ମିଳିଯାଏ। କିନ୍ତୁ ଚଳିତ ବର୍ଷ ଏତେ କମ୍‌ ବର୍ଷା ହେଲା ଯେ ଏହି ବିହନରେ କରାଯାଇଥିବା ଚାଷ କ୍ଷତିଗ୍ରସ୍ତ ହେଲା। ତେଣୁ ବର୍ତ୍ତମାନ ବିହନ ନିଗମ ୭୫ରୁ ୮୦ ଦିନିଆ ବିହନ କୋଏମ୍ବାଟୁର କିମ୍ବା ଦିଲ୍ଲୀରୁ ଆଣିବା ପାଇଁ ପ୍ରସ୍ତୁତ ହେଉଛି। ଏପରି ବିହନ ଓଡିଶାକୁ ଆସିପାରିଲେ ମରୁଡ଼ି ମୁକାବିଲା ପାଇଁ ସହଜ ହେବ ବୋଲି କହିଛନ୍ତି ବିହନ ନିଗମ ନିର୍ଦେଶକ।

ତେବେ ମରୁଡ଼ି ମୁକାବିଲା କରିପାରୁଥିବା ସଅଳ କିସମ ବିହନର ଆଉ ଏକ ସମସ୍ୟା ହେଲା, ଯେଉଁ ବିହନ ଯେତେ କମ୍‌ ଦିନରେ ଉତ୍ପାଦନ ଦିଏ, ଏହାର ଉତ୍ପାଦନ ପରିମାଣ ମଧ୍ୟ ସେତେ କମ୍‌ ଥାଏ। ତେଣୁ ଚାଷୀ ଏହାକୁ ଗ୍ରହଣ କରେ ନାହିଁ। ସ୍ବାଭାବିକ ସମୟରେ ସାଧାରଣ ବିହନରୁ ହେକ୍ଟର ପିଛା ୫୦ରୁ ୫୫ କ୍ବିଣ୍ଟାଲ ଧାନ ଉତ୍ପାଦନ ହୋଇଥାଏ। ତେଣୁ ଚାଷୀ ସ୍ବଳ୍ପ କିସମ ଧାନ ନେବାକୁ ପସନ୍ଦ କରନ୍ତି ନାହିଁ। ୧୨ ବର୍ଷ ପୂର୍ବରୁ ଗବେଷଣା କେନ୍ଦ୍ର ପକ୍ଷରୁ ୯୦ରୁ ୯୫ ଦିନ ମଧ୍ୟରେ ଉତ୍ପାଦନକ୍ଷମ ହେଉଥିବା ଶୁଖା ବିହନ ପ୍ରସ୍ତୁତ କରାଯାଇଥିଲା। ବିହନ ନିଗମ ଏହାକୁ ଚାଷୀଙ୍କୁ ମଧ୍ୟ ବିକ୍ରୟ କରିଥିଲା। କିନ୍ତୁ ସମୟ କ୍ରମରେ ଏହା ଏତେଟା ଆଦୃତି ଲାଭ କଲାନାହିଁ। ଏବେ ବିହନ କମ୍ପାନିଗୁଡ଼ିକ ଅଧିକ ପାଣିର ଆବଶ୍ୟକତା ଥିବା ଉଚ୍ଚ ଉତ୍ପାଦନ ଯୁକ୍ତ ହାଇବ୍ରିଡ ବିହନ ଦେଉଛନ୍ତି। ଓୟୁଏଟି ଅଧ୍ୟପକ ମିହିର ରଂଜନ କହିଛନ୍ତି ଯେ ବର୍ତ୍ତମାନ ଓୟୁଏଟି ପକ୍ଷରୁ ୧୦୫ ଦିନର ମନ୍ଦାକିନୀ, ଖଣ୍ଡଗିରି, ସହଭାଗୀ, ବନ୍ଦନା ନାମକ ୪ଟି ସଅଳ କିସମ ବିହନ ପ୍ରଦାନ କରାଯାଉଛି। ଏକ ହଜାର ମିଲିମିଟର ବର୍ଷା ମଧ୍ୟରେ ଏହି ବିହନ ଉତ୍ପାଦନ ଦେଇଥାଏ। କିନ୍ତୁ ଏଥିରେ ରୋଗପୋକ ଲାଗିବାର ଆଶଙ୍କା ରହିଛି। ବିଭିନ୍ନ ଜିଲ୍ଲାର ପାଣିପାଗ ସ୍ଥିତି ଅନୁଯାୟୀ, ବିହନ ପ୍ରଦାନ କରାଯାଏ। ଯଥା ଖଣ୍ଡଗିରି କୋରାପୁଟ ଜିଲ୍ଲା ପାଇଁ ଭଲ କିନ୍ତୁ ଅନ୍ୟ ଜିଲ୍ଲାରେ ଏହାର ଚାହିଦା ନାହିଁ। ବର୍ତ୍ତମାନ ଯେଉଁଭଳି ପାଣିପାଗ ପରିବର୍ତ୍ତନ ହୋଇଛି, ଚାଷୀଙ୍କ ପାଇଁ ରୋଗପୋକ ମୁକାବିଲା କରିବାକୁ ଥିବା ବିହନ ଆବଶ୍ୟକ। ଏଥିସହିତ ଚାଷୀ କେବଳ ମରୁଡ଼ି ମୁକାବିଲା ନୁହେଁ; ସେ କରୁଥିବା ପରିଶ୍ରମ ଅନୁଯାୟୀ ଭଲ ଉତ୍ପାଦନ ଦେଉଥିବା ବିହନ ମଧ୍ୟ ଖୋଜିଥାଏ। ତେଣୁ ଏହାକୁ ଦୃଷ୍ଟିରେ ରଖି ୧୧୦ରୁ ୧୨୦ ଦିନିଆ ୪ରୁ୫ ପ୍ରକାର ବିହନ ପ୍ରସ୍ତୁତ କରାଯାଉଛି। ଏହା ସଫଳ ହେଲେ ସାଧାରଣ ବିହନ ଭଳି ହେକ୍ଟର ପିଛା ୫୦ରୁ ୬୦ କ୍ବିଣ୍ଟାଲ ଧାନ ଦେବା ସହିତ ମରୁଡ଼ି ଏବଂ ରୋଗପୋକର ମୁକାବିଲା କରିବ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments