ଘଣ୍ଟ ଘଣ୍ଟା ହୁଳହୁଳିରେ ପ୍ରକମ୍ପିତ ଶୀକ୍ଷେତ୍ର । ଚାରିଆଡେ ଭକ୍ତିମୟ ପରିବେଶ । ସିଂହ ଦୁଆରରେ ଲାଗିଥିଲା ଗହଳି । ବଡ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଶୀମନ୍ଦିର ଭିତରକୁ ପ୍ରବେଶର ମିଳିସାରିଥିଲା ଅନୁମତି । ବାହାରେ ରହିଥିଲେ ବିଶ୍ବନିୟନ୍ତା । ରୋଷରେ ଅଭିମାନରତ ଥିଲେ ମା' ଲକ୍ଷ୍ମୀ ସାଆନ୍ତଣୀ । କେମିତି ମନାଇବେ ? କିଭଳି ହସାଇବେ ? ଚିନ୍ତାରତ ଥିଲେ ଚିନ୍ତାମଣି । ସାରା ବିଶ୍ବ ଦେଖିଲା ଦାମ୍ପତ୍ୟ କଳହର ଅପରୂପ ଦୃଶ୍ୟ । ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରିବିଜେ(Niladribije) । ନବଦିନାତ୍ମକ ଯାତ୍ରା ଶେଷ କରି ନୀଳକନ୍ଦରର ରତ୍ନବେଦୀକୁ ଫେରିଛନ୍ତି ନୀଳାଦ୍ରିନାଥ ।
ଅମୃତମୟ ନୈସର୍ଗିକ ଅନୁଭବ ଭିତରେ ଅଭିମାନଭରା ଆଖି ହଳକ ଥିଲେ ଅପେକ୍ଷାରତ । ଚାଲିଥିଲା ମାନ ଭଞ୍ଜନର ଅନନ୍ୟ ଦୃଶ୍ୟ । ରୋମାଞ୍ଚିତ ରାତିର ଭିଡ ଭିତରେ ଆଶ୍ବିନ ଆକାଶ ପରି ଫର୍ଚ୍ଚା ଚକା ଆଖି ହଳକ ଅପଲକ ନୟନରେ ଚାହିଁଥିଲେ ପ୍ରାଣ ପ୍ରିୟାଙ୍କ ମୁହଁକୁ । ବିଷ୍ଣୁପ୍ରିୟାଙ୍କ ମୁହଁରେ ଥିଲା ମହଣ ମହଣର ଅଭିମାନ ।
ଏପଟେ ରହସ୍ୟର ଚୋରାବାଲି ପରି କଳା ଶ୍ରୀମୁଖରେ ନାଲି ଅଧରର ହସ ବିଞ୍ଚୁଥିଲା ପ୍ରେମର ସନ୍ଦେଶ । ଏତେ ଦିନ ବିଚ୍ଛେଦରେ ରହିଥିବା ବିଷ୍ଣୁପ୍ରିୟାଙ୍କ ମାନ ଭଞ୍ଜିବା ପାଇଁ ସାଥିରେ ରସଗୋଲା ଆଣିଥିଲେ ରାଧାମୋହନ ।
ଲକ୍ଷ୍ମୀଙ୍କୁ ଆଡ କରି ଆଡପ ମଣ୍ଡପକୁ ବିଜେ କରିଥିଲେ ମହାପ୍ରଭୁ । ସେଠାରୁ ବାହୁଡି ସ୍ବର୍ଣ୍ଣ ଅଳଙ୍କାରରେ ଆଭୁଷିତ ହୋଇଥିଲେ ଶ୍ରୀଜୀଉ । ଅଧରଣ ପଣା ପାନ କରି ଅଶରୀରୀ ମୁକ୍ତ ପରେ ଶ୍ରୀମନ୍ଦିରକୁ ଫେରିଛନ୍ତି ନିଳାଦ୍ରୀ ଶିରୋମଣି । ଅଶ୍ରୁଶିକ୍ତ ନୟନରେ ନୀଳାଦ୍ରୀ ବିଜେ ପାଇଁ ମହାପ୍ରଭୁଙ୍କୁ ମେଲାଣି ଦିଆଯାଇଛି । କୋଟି କୋଟି ଭକ୍ତଙ୍କ ଅବଚେତନ ପ୍ରାଣକୁ ଛୁଉଁଛି ଧୂପ ଦୀପ ଅଗୁର ଚନ୍ଦନ ଦୟଣା ତୁଳସୀର ସ୍ବର୍ଗୀୟ ବାସ୍ନା ।