1. କୃଷି ଖବର

କୃଷିର ସର୍ବାଙ୍ଗୀନ ବିକାଶରେ ଓୟୁଏଟିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ: ମୁଖ୍ୟମନ୍ତ୍ରୀ

OUAT ର ୧୦୦୮ ଆସନ ବିଶିଷ୍ଟ ପ୍ରେକ୍ଷାଳୟ “ କୃଷି ଶିକ୍ଷା ସଦନ " ଉଦ୍‌ଘାଟନ !

Tanushree Mahapatra
Tanushree Mahapatra
OUAT will play an important role in overall development of agriculture

OUAT will play an important role in overall development of agriculture

ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଏହାର ୬୩ତମ ପ୍ରତିଷ୍ଠା ଦିବସ ୨୪ ଅଗଷ୍ଟ ୨୦୨୪ ତାରିଖରେ ପାଳନ କରିଛି । ଏହି ଅବସରରେ, ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନବ ନିର୍ମିତ ୧୦୦୮ ଆସନ ବିଶିଷ୍ଟ ପ୍ରେକ୍ଷାଳୟ “ କୃଷି ଶିକ୍ଷା ସଦନ " କୁ ଉଦ୍‌ଘାଟନ କରିଥିଲେ l

ଆମ ରାଜ୍ୟରେ କୃଷିର ସର୍ବାଙ୍ଗୀନ ବିକାଶରେ ଓୟୁଏଟିର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଓୟୁଏଟି ଦ୍ଵାରା ଅନେକ ନୂତନ କିସମର ବିକାଶ ଆମପାଇଁ ଏକ ଆହ୍ଵାନ ସୃଷ୍ଟି କରିବା ସହିତ ଆଗାମୀ ଦିନରେ ଚାଷୀର ଆୟ ଦ୍ଵିଗୁଣିତ କରିବାରେ ସହାୟକ ହେବ । ଓଡିଶା ରାଜ୍ୟ ଧାନ ଫସଲରେ ଯେପରି ସ୍ବାବଲମ୍ବୀ ହୋଇଛି ; ତୈଳବୀଜ, ଆଳୁ, ଫଳ, ମାଛ ଓ ଅଣ୍ଡା ଉତ୍ପାଦନରେ ମଧ୍ୟ ଆମକୁ ସ୍ବାବଲମ୍ବୀ ହେବାକୁ ପଡିବ ତଥା ଜଳବାୟୁ ଉପଯୋଗୀ କିସମ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ କୃଷି ବୈଜ୍ଞାନିକମାନଙ୍କୁ ଆହ୍ଵାନ ଦେଇଥିଲେ ।

ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଓଡିଶାର ମାନ୍ଯବର ଉପମୁଖ୍ୟମନ୍ତ୍ରୀ ଏବଂ କୃଷି ଓ କୃଷକ ସଶକ୍ତିକରଣ ଓ ଶକ୍ତି ବିଭାଗର ମନ୍ତ୍ରୀ ତଥା ଓୟୁଏଟିର ଉପକୂଳାଧିପତି ଶ୍ରୀଯୁକ୍ତ କନକବର୍ଦ୍ଧନ ସିଂହ ଦେଓ ଓଡିଶାର କୃଷିକୁ ସମୃଦ୍ଧ କରିବା ପାଇଁ ଜଳସେଚନର ଅଧିକ ସୁଯୋଗ ସୃଷ୍ଟି କରିବା ସହିତ, ଜୈବିକ କୃଷି ଓ ପରିବେଶ ଉପଯୋଗୀ କୃଷି ପଦ୍ଧତି ଉପରେ ଗୁରୁତ୍ଵ ଆରୋପ କରିଥିଲେ । ଉକ୍ତ ଉତ୍ସବରେ ଭାରତ ସରକାରଙ୍କ କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ତଥା ଭାରତୀୟ କୃଷି ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଡଃ ହିମାଂଶୁ ପାଠକ ସ୍ବତନ୍ତ୍ର ଅତିଥି ଭାବରେ ଯୋଗଦେଇ ଓଡିଶାରେ କୃଷିର ବିକାଶରେ ଓୟୁଏଟିର ଗରୁତ୍ବପୂର୍ଣ୍ଣ ଭୁମିକା ସମ୍ପର୍କରେ ସୂଚନା ଦେଇଥିଲେ l ଓୟୁଏଟି, ଆଇ.ସି.ଏ.ଆର୍‌ ଓ ଓଡିଶା ସରକାରଙ୍କ ଅଧିନରେ ଥିବା ଅନୁଷ୍ଠାନ ଗୁଡିକ ମଧ୍ୟରେ ସହଭାଗିତା ଭିତ୍ତିରେ କାର୍ଯ୍ୟ କରିବାକୁ ଗୁରୁତ୍ବ ଦେଇଥିଲେ ।

ଏହା ବ୍ୟତୀତ, ଭୁବନେଶ୍ବର ଏକାମ୍ରର ମାନ୍ଯବର ବିଧାୟକ ଶ୍ରୀ ବାବୁ ସିଂ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ରହି ଆମ ରାଜ୍ଯରେ କୃଷିର ଭବିଷ୍ଯତକୁ କୃଷି ଛାତ୍ରଛାତ୍ରୀମାନେ ନିଜର ଦାୟିତ୍ବ ଭାବରେ ଗ୍ରହଣ କରନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବରେ ଓଡିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢୀ ଉପସ୍ଥିତ ରହି ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଜଳବାୟୁ ଅନୁକୂଳ କୃଷି ଉପଯୋଗରେ ଭାରତ, ସାରା ବିଶ୍ଵରେ ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଛି ବୋଲି ମତ ପ୍ରକାଶ କରିଥିଲେ ।

ଏହି ଉତ୍ସବରେ ବିଶ୍ବବିଦ୍ଯାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ପୌରହିତ୍ୟ କରି ଜାତୀୟ ସ୍ତରର କୃଷି ବିଶ୍ବବିଦ୍ୟାଳୟ ମାନଙ୍କ ମଧ୍ୟରେ ଓୟୁଏଟି ନବମ ସ୍ଥାନରେ ରହିଥିବା ତଥା ବିଗତ ବର୍ଷରେ ଶିକ୍ଷକ ବୈଜ୍ଞାନିକ ମାନଙ୍କ ଦ୍ଵାରା ୪୮୪ଟି ଗବେଷଣା ନିବନ୍ଧ ପ୍ରକାଶ ପାଇଥିବା ସୂଚନା ଦେଇଥିଲେ । ବିଗତ ବର୍ଷ ୮୬ ଜଣ ଛାତ୍ରଛାତ୍ରୀ ଓ  ୨୪ଜଣ ଶିକ୍ଷକ ବିଦେଶରେ ତାଲିମପ୍ରାପ୍ତ ହୋଇଥିବା ବେଳେ ଓୟୁଏଟିର ୨ଟି ଧାନ କିସମ ଚନ୍ଦ୍ରଗିରି ଓ ମହେନ୍ଦ୍ରଗିରି ତଥା ମାଣ୍ଡିଆ କିସମ ଶ୍ରୀପ୍ରଭାକୁ କେନ୍ଦ୍ରୀୟ କିସମ ବିକାଶ ଅନୁମୋଦନ ମିଳିଥିବା ପ୍ରକାଶ କରିଛନ୍ତି ।

ଉକ୍ତ ଅବସରରେ ଅଗ୍ରଣୀ କୃଷକ ଉତ୍ପାଦକ ସଂଗଠନ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ବ୍ୟତୀତ ବିଶ୍ଵବିଦ୍ୟାଳୟର ଶ୍ରେଷ୍ଠ ଛାତ୍ରୀ ଓ ଛାତ୍ର; ଶ୍ରେଷ୍ଠ କର୍ମଚାରୀ (ବୈଷୟିକ ଓ ଅଣ ବୈଷୟିକ); ଶ୍ରେଷ୍ଠ ଶିକ୍ଷକ ; ବୈଜ୍ଞାନିକ ; ସମ୍ପ୍ରସାରଣ ବୈଜ୍ଞାନିକ ; ମହିଳା ବୈଜ୍ଞାନିକ ; ଶ୍ରେଷ୍ଠ ସର୍ବଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ; ଶ୍ରେଷ୍ଠ କୃଷି ବିଜ୍ଞାନ କେନ୍ଦ୍ର ତଥା ଶ୍ରେଷ୍ଠ ବିହନ ଓ ଚାରା ଉତ୍ପାଦନ କେନ୍ଦ୍ର ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଉତ୍ସବରେ ବିଶ୍ବବିଦ୍ୟାଳୟର ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ଡଃ ପ୍ରସନ୍ନଜିତ ମିଶ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଓ କୂଳସଚିବ ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l  ଏହି ଭବ୍ୟ ଉତ୍ସବରେ ଓୟୁଏଟି ପରିଚାଳନା ପରିଷଦ ଓ ଶୈକ୍ଷିକ ପରିଷଦର ସଦସ୍ଯଗଣ,ବୈଜ୍ଞାନିକ, ଅଧ୍ୟାପକ, ସଂପ୍ରସାରଣ ଅଧିକାରୀ, ଛାତ୍ରଛାତ୍ରୀ, ବିଶ୍ବବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ,ନିର୍ଦ୍ଦେଶକ, ବିଭିନ୍ନ କେନ୍ଦ୍ରୀୟ ଅନୁଷ୍ଠାନର ପ୍ରାକ୍ତନ ନିର୍ଦ୍ଦେଶକ, ପ୍ରାଧ୍ୟାପକଗଣ ତଥା ରାଜ୍ୟର ୩୦ଟି ଜିଲ୍ଲାରୁ କୃଷକ ୩୩ଟି କୃଷି ଉତ୍ପାଦକ ସଂଘର ସଦସ୍ଯ କୃଷକ ଓ କୃଷିଜିବୀ ମହିଳା ମାନେ ଯୋଗଦାନ କରିଥିଲେ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ