1. କୃଷି ଖବର

ଧାନ ଫସଲର କୀଟ ପରିଚାଳନା

ଓଡ଼ିଶାର ଚାଷୀଭାଇମାନେ ଧାନ ବୁଣାବୁଣି ଆରମ୍ଭ କରିଦେଇଛନ୍ତି l କିଛି କିଛି ଅଞ୍ଚଳରେ ଅଳ୍ପ କିଛି ଜମି ବୁଣିବାକୁ ବାକି ଅଛି l ଏହି ସମୟରେ ଧାନ ଫସଲରେ ବାରମ୍ବାର ଆକ୍ରମଣ କରୁଥିବା କିଛି ପୋକଗୁଡ଼ିକ ବିଷୟରେ ଚାଷୀଭାଇମାନେ ଜାଣି ରଖିବା ଦରକାର l

Sugyan Kumar Nayak
Sugyan Kumar Nayak
Paddy

Paddy

ଓଡ଼ିଶାର ଚାଷୀଭାଇମାନେ ଧାନ ବୁଣାବୁଣି ଆରମ୍ଭ କରିଦେଇଛନ୍ତି l କିଛି କିଛି ଅଞ୍ଚଳରେ ଅଳ୍ପ କିଛି ଜମି ବୁଣିବାକୁ ବାକି ଅଛି l ଏହି ସମୟରେ ଧାନ ଫସଲରେ ବାରମ୍ବାର ଆକ୍ରମଣ କରୁଥିବା କିଛି ପୋକଗୁଡ଼ିକ ବିଷୟରେ ଚାଷୀଭାଇମାନେ ଜାଣି ରଖିବା ଦରକାର l  ସେହି ପୋକଗୁଡ଼ିକ ସମ୍ପର୍କରେ ଏଠାରେ ଏକ ବିଶେଷ ଆଲୋଚନାର ଉପସ୍ଥାପନ କରୁଛୁ l

ଧାନ ଫସଲରେ ବିଶେଷ କ୍ଷତି କରୁଥିବା ଯେଉଁ କୀଟମାନଙ୍କର ନିରାକରଣ ପାଇଁ ଚାଷୀ ଭାଇମାନଙ୍କୁ ବିଭିନ୍ନ ପ୍ରକାର ବିଷାକ୍ତ କୀଟନାଶକ ଔଷଧ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇ ଥାଏ । କେବଳ କୀଟନାଶକ ଔଷଧ ପ୍ରୟୋଗ ଦ୍ଵାରା କୀଟମାନଙ୍କୁ ସମ୍ପୁର୍ଣ୍ଣ ଭାବରେ ଦମନ କରିବା ଆଉ ସମ୍ଭବ ହେଉନାହିଁ । କୀଟନାଶକ ଔଷଧଗୁଡ଼ିକର ବହୁଳ ବ୍ୟବହାର ତଥା ଅନେକ ସମୟରେ ଅପବ୍ୟବହାର ଦ୍ଵାରା କୀଟମାନଙ୍କ ଠାରେ ଔଷଧ ପ୍ରତିରୋଧ ଶକ୍ତି ଉତ୍ପନ୍ନ ହୋଇ ଔଷଧଗୁଡ଼ିକ ଆଉ ଭଲ କାମ କରୁନାହିଁ । ଅଧିକରୁ ଅପକାରୀ କୀଟମାନଙ୍କୁ ଖାଇ ବଞ୍ଚିଥିବା ଉପକାରୀ କୀଟମାନେ ଔଷଧ ପ୍ରଭାବରେ ମରିଯାଉଥିବାରୁ କ୍ଷତିକାରକ, କୀଟମାନଙ୍କ ବଂଶ ବଢ଼ିବାରେ ସୁବିଧା ହେଉଛି । କୀଟନାଶକ ଔଷଧ ବହୁଳ ବ୍ୟବହାର ମନୁଷ୍ୟ ଓ ଗୃହପାଳିତ ପଶୁପକ୍ଷୀ ତଥା ଜଳଚର ଜୀବନମାନଙ୍କ ପ୍ରତି ବିପଦ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ପ୍ରକୃତି ଓ ପରିବେଶକୁ ମଧ୍ୟ ବିଷାକ୍ତ କରୁଛି । ତେଣୁ ଏହି ସବୁ ବିଷୟ ପ୍ରତି ଦୃଷ୍ଟି ଦେଇ ବର୍ତ୍ତମାନ ବିଜ୍ଞାନୀମାନେ କେବଳ କୀଟନାଶକ ଔଷଧ ପ୍ରୟୋଗ ଦ୍ଵାରା କୀଟମାନଙ୍କ ସମ୍ପୂର୍ଣ୍ଣ ନିରାକରଣ କରିବା ପରିବର୍ତ୍ତେ ସମନ୍ଵିତ କୀଟ ନିୟନ୍ତ୍ରଣ ଯୋଜନା ଉପରେ ଅଧିକ ଗୁରୁତ୍ଵ ଦେଉଛନ୍ତି । ଏକାଧିକ କୀଟ ନିୟନ୍ତ୍ରଣ ପଦ୍ଧତିକୁ ସମ୍ମିଳିତ ଭାବେ ପ୍ରୟୋଗ କରି ପୋକଙ୍କ ସଂଖ୍ୟା ସୀମା ଭିତରେ ଆବଦ୍ଧ କରି ରଖିବା ଉପାୟକୁ ସମନ୍ଵିତ କୀଟ ନିୟନ୍ତ୍ରଣ ପଦ୍ଧତି କୁହାଯାଏ । ଏଥିରେ ପ୍ରାକୃତିକ ଉପାୟରେ କୀଟ ନିୟନ୍ତ୍ରଣ ଏବଂ ଅଣ-ରାସାୟନିକ ପଦ୍ଧତିରେ କୀଟ ନିୟନ୍ତ୍ରଣ ଉପାୟ ମାନଙ୍କ ଉପରେ ବିଶେଷ ଗୁରୁତ୍ଵ ଦିଆଯାଏ । ଜୈବିକ ନିୟନ୍ତ୍ରଣ ପଦ୍ଧତି ଏହାର ଏକ ମୁଖ୍ୟ ଉପାଦାନ ଅଟେ । କିନ୍ତୁ ଆବଶ୍ୟକ ପଡ଼ିଲେ କୀଟନାଶକ ଔଷଧର ପ୍ରୟୋଗ ମଧ୍ୟ କରିବାକୁ ପଡ଼ିଥାଏ । କୀଟ ପ୍ରତିରୋଧ ଶକ୍ତି ଥିବା ବିହନର ବ୍ୟବହାର ଦ୍ୱାରା ମଧ୍ୟ କୀଟମାନଙ୍କୁ କିଛି ମାତ୍ରାରେ ନିୟନ୍ତ୍ରଣ କରିହୁଏ l ଏହା ଏକ ଶାସ୍ତା, ସରଳ ଓ ଲାଭଦାୟକ ଉପାୟ । ଏଥିପାଇଁ ଚାଷୀ ଭାଇଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼େ ନାହିଁ ଓ ଏହା ଅନ୍ୟ ସମସ୍ତ କୀଟ ନିୟନ୍ତ୍ରଣ ପଦ୍ଧତି ସହ ସୁସଙ୍ଗତ ଉପାୟରେ ବ୍ୟବହାର କରାଯାଇପାରେ । ଯେଉଁ ଅଞ୍ଚଳରେ କୀଟଙ୍କ ପ୍ରାଦୁର୍ଭାବ ବାରମ୍ବାର ଦେଖାଦେଇଥାଏ ସେଠାରେ ଏ ପ୍ରକାର ବିହନ ବ୍ୟବହାର କରିବା ନିତ୍ୟନ୍ତ ଆବଶ୍ୟକ ।

ନଳୀ ପୋକ

ପୂର୍ଣ୍ଣାଙ୍ଗ ପ୍ରାପ୍ତ କୀଟଟି ଆକାରରେ ଛୋଟ ଓ ଧଳା । ଏହାର ଡେଣା ଉପରେ ମାଟିଆ ରଙ୍ଗର ଦାଗ ଥାଏ । ଏହାର ଶୂକ ପୋକ ଗୁଡ଼ିକ ଦେଖିବାକୁ ଫିକା,ସବୁଜ ରଙ୍ଗର ଓ ସଦାବେଳେ ପତ୍ରନଳୀ ଭିତରେ ଥାଆନ୍ତି । ଏମାନେ ଡିମ୍ବରୁ ବାହାରିବା ପରେ ଧାନ ପତ୍ରର ଅଗ୍ରଭାଗକୁ କାଟି ଛୋଟ ଛୋଟ ନଳୀ ତିଆରି କରନ୍ତି । ଶୂକ ନଳୀ ଭିତରେ ଲୁଚି ରହି ଧାନ ପତ୍ରରୁ ସବୁଜ ଅଂଶ କୋରି ଖାଇଯାଆନ୍ତି । ଫଳରେ ପତ୍ରରେ ଚଉଡ଼ା ଧଳା ଦାଗ ଦେଖିବାକୁ ମିଳେ । ଆକ୍ରାନ୍ତ କିଆରୀଟି ଧଳା ଦେଖାଯାଏ ଓ ପତ୍ରର ଅଗ୍ର ଅଂଶ କଇଁଚିରେ କଟାଯାଇଥିବା ପରି ମନେ ହୁଏ । ଶୂକ ଗୁଡ଼ିକର ଆକାର ବଢ଼ିବା ସଙ୍ଗେ ସଙ୍ଗେ ସେମାନେ ପୁରୁଣା ନଳୀଗୁଡ଼ିକୁ ଛାଡ଼ି ନୂଆ ନଳୀ ସବୁ ତିଆରି କରନ୍ତି । ନଳୀ ଗୁଡ଼ିକ ପାଣିରେ ଭାସି ପାରେ । ତେଣୁ ନଳୀ ଭିତରେ ଥାଇ ପାଣିରେ ଭାସି ଗୋଟିଏ ଗଛରୁ ଅନ୍ୟ ଗଛକୁ ବା ଗୋଟିଏ କିଆରୀରୁ ଅନ୍ୟ କିଆରୀକୁ ଯିବା ଏହି ପୋକମାନଙ୍କ ପକ୍ଷରେ ଖୁବ୍ ସହଜ ହୋଇପଡ଼େ । ଏହି ପୋକ ଆକ୍ରମଣରେ ଧାନ ଗଛର ବୃଦ୍ଧି ବିଶେଷ ଭାବରେ ବାଧାପ୍ରାପ୍ତ ହୁଏ । ଶୂକ ଗୁଡ଼ିକ ଜଳରୁ ଅମ୍ଳଜାନ ସଂଗ୍ରହ କରନ୍ତି । ତେଣୁ ଜଳ ସହିତ ଏମାନଙ୍କ ସମ୍ପର୍କ ଖୁବ୍ ନିବିଡ଼ । ଜଳ ନିଷ୍କାସନର ସୁବିଧା ନ ଥିବା ଜମିରେ ଏହି ପୋକମାନଙ୍କର ପ୍ରାଦୁର୍ଭାବ ବେଶୀ ଦେଖାଯାଏ । ଆକ୍ରାନ୍ତ କିଆରୀରୁ ଜଳ ନିଷ୍କାସନର ବ୍ୟବସ୍ଥା କଲେ ଏବଂ ଜଳଥିବା ଅବସ୍ଥାରେ କିଛି କିରୋସିନି ମିଶାଇ କିଆରୀ ଉପରେ ଗୋଟିଏ ରସି ଚଲାଇ ନେଲେ ନଳୀ ଗୁଡ଼ିକ କିରୋସିନି ମିସା ପାଣିରେ ଖସି ପଢ଼ନ୍ତି ଓ ଅମ୍ଳଜାନ ଅଭାବରେ ନଳୀ ଭିତରେ ଥିବା ଶୂକଗୁଡ଼ିକ ମରିଯାନ୍ତି । ଶୂକ ଅବସ୍ଥାରେ ୧୫-୩୦ ଦିନ ପର୍ଯ୍ୟନ୍ତ ରହି ନଳୀ ପୋକ ଫସଲର କ୍ଷତି କରନ୍ତି । ଏମାନଙ୍କ ଜୀବନ ଚକ୍ର ଶେଷ ହେବାକୁ ୨୦ -୩୫ ଦିନ ସମୟ ଲାଗେ ।

ପତ୍ର ମାଛି

ଏହି ଛୋଟ ମାଛିର ଶୂକ ଗୁଡ଼ିକ ଧାନ ପତ୍ର ସନ୍ଧିରେ ପଶି ନୂଆ ହୋଇ ବାହାରୁଥିବା ଧାନପତ୍ରର ଧାରଗୁଡ଼ିକ ଖାଇଯାଆନ୍ତି । ଫଳରେ ପତ୍ରଧାରଗୁଡ଼ିକ ଧଳା ପଡ଼ିଯାଏ ଓ ଆକ୍ରାନ୍ତ ପତ୍ରରେ କଣା ଦେଖାଯାଏ । ଫସଲର ଡାଳି ଅବସ୍ଥାରୁ ଆରମ୍ଭ କରି ପିଲା ଅବସ୍ଥା ଶେଷ ହେବା ପର୍ଯ୍ୟନ୍ତ ଏହି ପୋକ ଉପଦ୍ରବ ଲାଗି ରହିଥାଏ । ଯେଉଁ ଅଞ୍ଚଳରେ ବାରମ୍ବାର ଧାନ ଚାଷ କରାଯାଏ ସେଠାରେ ଏମାନେ ସହଜରେ ବଂଶ ବଢ଼ାଇ ଫସଲର ବିଶେଷ କ୍ଷତି କରନ୍ତି । ଏମାନଙ୍କ ଆକ୍ରମଣ ଦ୍ଵାରା ଗଛର ବୃଦ୍ଧିରେ ବାଧା ଆସେ । ଏହି ପୋକର ଜୀବନ ଚକ୍ର ପ୍ରାୟ ୧ ମାସ ମଧ୍ୟରେ ଶେଷ ହୁଏ ।

ବିରିହା ପୋକ

ଏହି ପୋକର ଆକାର ଛୋଟ ଓ ଦେହର ରଙ୍ଗ କଳା । ଉପର ଡେଣା ଦୁଇଟି ଟାଣ ଖୋଳପା ପରି ଦେହକୁ ଘୋଡ଼ାଇ ରଖିଥାଏ ଓ ତାହା ଉପରେ ଛୋଟ ଛୋଟ କଣ୍ଟାଥାଏ । ଏହି ପୋକ ଉଭୟ ପୂର୍ଣ୍ଣାଙ୍ଗ ଓ ଭୁଙ୍ଗ ଅବସ୍ଥାରେ ଧାନଗଛର ପତ୍ରକୁ ଖାଇ ନଷ୍ଟ କରନ୍ତି । ଭୁଙ୍ଗଗୁଡ଼ିକ ଖୁବ୍ ଛୋଟ ଓ ଏମାନେ ଧାନପତ୍ର ଭିତରକୁ ସୁଡ଼ଙ୍ଗ କରି ପଶନ୍ତି ଏବଂ ସବୁଜ ଅଂଶକୁ ଖାଇଯାଆନ୍ତି । ଏହାଦ୍ଵାରା ପତ୍ର ଉପରେ ମାଟିଆ ରଙ୍ଗର ଫୋଟକା ଦାଗ ଦେଖାଯାଏ । ଫୋଟକାକୁ ଚିରିଲେ ତହିଁରୁ ପୋକ ଥିବା ଦେଖାଯାଏ । ମାତ୍ର ପୂର୍ଣ୍ଣାଙ୍ଗ ପୋକ ଉପରେ ଅନେକ ଗୁଡ଼ିଏ ଲମ୍ବା ଓ ସମାନ୍ତରାଳ ଧଳା ରଙ୍ଗର ଦାଗ ଦେଖାଯାଏ । ଆକ୍ରାନ୍ତ ପତ୍ର ଶୁଖିଯାଏ । ବିରିହା ପୋକର ଜୀବନ ଚକ୍ର ୩-୪ ସପ୍ତାହ ଭିତରେ ସମ୍ପୂର୍ଣ୍ଣ ହୁଏ ।

ଦହିଆ ପୋକ

ଏହି କ୍ଷୁଦ୍ର ଶୋଷକ କୀଟଗୁଡ଼ିକର ରଙ୍ଗ ଇସତ ଲାଲ୍ । ଏମାନଙ୍କର ଆକାର ଅଣ୍ଡା ଭଳି ଓ ଦେହଟି ମାଂସଳ । ଦେହ ଉପରେ ଦହିପରି ଧଳା ରଙ୍ଗର ଅଠାଳିଆ ଆବରଣ ଥାଏ । ପୂର୍ଣ୍ଣାଙ୍ଗ ପୋକ ଓ ତାହାର ଅର୍ଭକ ପତ୍ର ମୁଳ ସନ୍ଧି ଭିତରେ ବହୁ ସଂଖ୍ୟାରେ ରହି ରସ ଶୋଷି ଖାଆନ୍ତି । ଫଳରେ ପତ୍ର ଗୁଡ଼ିକ ହଳଦିଆ ପଡ଼ି ଶୁଖି ଆସେ ଓ ଗଛ ଦବିଯାଏ । କିଆରୀର ବିଭିନ୍ନ ସ୍ଥାନରେ ଅରା ଅରା ହୋଇ ଦୁର୍ବଳ ଓ ରୋଗା ଗଛ ଦେଖାଯାଏ । ଶୁଖିଲା ପାଗ ଲାଗି ରହିଲେ ଏ ପୋକ ଲାଗି ରହିଥିବା ଫସଲ ଅଧିକ କ୍ଷତିଗ୍ରସ୍ତ ହୁଏ । ସାଧାରଣ ଭାବେ ଢିପ ଧାନ ଜମିରେ ଏହି ପୋକ ଲାଗେ । ଦହିଆ ପୋକର ଜୀବନ ଚକ୍ର ଶେଷ ହେବା ପାଇଁ ୧୭-୩୭ ଦିନ ସମୟ ଲାଗେ ଓ ଗୋଟିଏ ବର୍ଷରେ ଏହା ପ୍ରାୟ ୧୦-୧୨ ଥର ବଂଶବୃଦ୍ଧି କରେ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments