ଦୁଇ ତିନି ମାସ ପୂର୍ବରୁ ସପୁରୀ ପଣସର ଅଭାବୀ ବିକ୍ରି ଏବଂ ରାୟଗଡ଼ା ଜିଲ୍ଲାରେ ସପୁରୀ ପଣସ ଚାଷ କରୁଥିବା ଚାଷୀମାନଙ୍କର ସମସ୍ୟା ବିଷୟରେ ବିଭିନ୍ନ ଡିଜିଟାଲ ଗଣମାଧ୍ୟମଗୁଡ଼ିକରେ ଖବର ପ୍ରକାଶ ପାଇଥିଲା l ଏହାର ପ୍ରଭାବ ସ୍ୱରୂପ ବର୍ତ୍ତମାନ ସପୁରୀ ପଣସ ଚାଷୀମାନେ ଉଚିତ ମୂଲ୍ୟରେ ତାଙ୍କର ସପୁରୀ ପଣସକୁ ବିକ୍ରି କରି ପାରୁଛନ୍ତି ଏବଂ ଭଲ ଦୁଇ ପଇସା ପାଇ ପାରୁଛନ୍ତି l
ଏପରିକି, ରାଇପୁର, ରାଞ୍ଚି, ଦିଲ୍ଲୀ ଅଞ୍ଚଳରୁ ବ୍ୟବସାୟୀମାନେ ସେମାନଙ୍କ ଘର ନିକଟରେ ଗାଡି ନେଇ ପହଞ୍ଚି ସପୁରୀ ପଣସ କିଣୁଛନ୍ତି l ନିୟମଗିରି ଅଞ୍ଚଳର ଡଙ୍ଗରିଆ କନ୍ଧମାନେ ସପୁରୀ ପଣସ ଗୋଟା ପିଛା ୨୦ ଟଙ୍କାରୁ ୨୫ ଟଙ୍କା କରି ବିକ୍ରି କରୁଛନ୍ତି l ଯାହାକି ଗତ ବର୍ଷ ଠାରୁ ୧୦ ଟଙ୍କା ଅଧିକ ରହିଛି l ଚଳିତ ବର୍ଷର କୋଭିଡ କଟକଣା ଯୋଗୁଁ ରେଳ ଚଳାଚଳରେ ସମସ୍ୟା ସୃଷ୍ଟି ହୋଇଥିଲା l ସପୁରୀ ପଣସ ଚାଷୀମାନେ ସେମାନଙ୍କର ଉତ୍ପାଦନ ସାମଗ୍ରୀକୁ ହାଟ ବଜାରକୁ ପରିବହନ କରି ନେବାରେ ସମସ୍ୟା ସାମ୍ନା କରିଥିଲେ l ବ୍ୟବସାୟୀମାନେ ସେମାନଙ୍କ ନିକଟରେ ପହଞ୍ଚି ସପୁରୀ ପଣସ କିଣିବା ଦ୍ୱାରା ସେମାନଙ୍କର ପରିବହନ ଖର୍ଚ୍ଚ, ପରିଶ୍ରମ ଏବଂ ସମୟ ମଧ୍ୟ ବଞ୍ଚିଗଲା l ଏହି ସମସ୍ତ ସୁବିଧା ପାଇଁ ରାୟଗଡ଼ା ଜିଲ୍ଲାର କୃଷି ଅଧିକାରୀମାନଙ୍କର ପ୍ରଚେଷ୍ଟା ବେଶ ପ୍ରଶଂସନୀୟ ଅଟେ l ନିୟମଗିରି ଅଞ୍ଚଳର ଜଳବାୟୁ ସପୁରୀ ପଣସ ଚାଷ ପାଇଁ ଅନୁକୂଳ ରହୁଥିବାରୁ ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆ କନ୍ଧମାନେ ପ୍ରାୟ ୭୦୦ ଏକର ଜମିରେ ସପୁରୀ ପଣସ ଚାଷ କରୁଛନ୍ତି l ବିଶେଷକରି ଏମାନେ ଜୈବିକ ଉପାୟରେ ହିଁ ଏହି ସପୁରୀ ପଣସ ଚାଷ କରୁଛନ୍ତି l ନିୟମଗିରି ଅଞ୍ଚଳର ସପୁରୀ ପଣସର ଚାହିଦା ବହୁତ ଭଲ ରହୁଛି l
ସପୁରୀ ପଣସ ଅମଳ ଋତୁରେ ଏକ ଏକର ଜମିରୁ ୮,୦୦୦ ରୁ ୧୦,୦୦୦ ସପୁରୀ ପଣସ ଉତ୍ପାଦନ ହେଉଥିବାର ଜଣେ କୃଷି ଅଧିକାରୀ କହିଛନ୍ତି l କୃଷି ଅଧିକାରୀମାନେ ଜଣାଇଛନ୍ତି ଯେ, ସପୁରୀ ପଣସର ଯେପରି ବିକ୍ରିରେ ଯେପରି କୌଣସି ସମସ୍ୟା ହେବ ନାହିଁ ସେଥି ପ୍ରତି ପ୍ରଶାସନ ସମସ୍ତ ବ୍ୟବସ୍ଥା କରୁଛି l ସପୁରୀ ପଣସରୁ ରସ ବାହାର କରିବା ପାଇଁ ପ୍ରସ୍ତାବିତ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଛି ଏବଂ ସମସ୍ତ ମେସିନେରୀ ସଂଯୁକ୍ତ କରିବା ପାଇଁ ପ୍ରକ୍ରିୟା ଜାରୀ ରହିଛି l ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇପାରିଲେ କୃଷକମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ ଏବଂ ଏହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସ୍ଥାନୀୟ ଅଧିବାସୀ ମତ ପ୍ରକାଶ କରିଛନ୍ତି l
Share your comments