1. କୃଷି ଖବର

ସପୁରି ପଣସ ଅଭାବୀ ବିକ୍ରି, ଚାଷୀ ହନ୍ତସନ୍ତ

ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଏବଂ ବିଷମକଟକ ଅଞ୍ଚଳରେ ଚଳିତ ବର୍ଷ ପ୍ରଚୁର ପରିମାଣର ସପୁରି ପଣସ ଚାଷ କରାଯାଇଛି l

Sugyan Kumar Nayak
Sugyan Kumar Nayak

ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଏବଂ ବିଷମକଟକ ଅଞ୍ଚଳରେ ଚଳିତ ବର୍ଷ ପ୍ରଚୁର ପରିମାଣର ସପୁରି ପଣସ ଚାଷ କରାଯାଇଛି l ବର୍ତ୍ତମାନର କାରଣ ମହାମାରୀ ସମୟରେ ଅଭାବୀ ବିକ୍ରି କାରଣରୁ ପ୍ରଚୁର ପରିମାଣର ସପୁରି ପଣସ ବହୁତ ଅଳ୍ପ ଦାମରେ ବିକ୍ରି ହେଉଛି ଏବଂ ଅନେକ ସପୁରି ପଣସ ପଚି ସଢ଼ି ଯାଉଛି l ମହାଜନ ଠାରୁ ଋଣ କରି ଚାଷ କରିଥିବା ଚାଷୀ ଏବେ ହତାଶରେ ମୁଣ୍ଡରେ ହାତ ଦେଇ ବସିଛି l 

ବିଷମକଟକ ଅଞ୍ଚଳର ଶହ ଶହ ଏକରରେ ସପୁରି ପଣସ ଚାଷ କରାଯାଇଛି l ବର୍ତ୍ତମାନ ସପୁରି ପଣସ କଟାହୋଇ ବିକ୍ରି ହେବାର ସମୟ ଚାଲିଛି l ହିସାବରୁ ଜଣାଯାଇଛି ଯେ, ପାଖାପାଖି ୭୦୦ ଏକର ଜମିରେ ସପୁରି ପଣସ ଚାଷ କରାଯାଇଛି l ଗୋଟିଏ ଏକର ସପୁରି ପଣସ ଚାଷରୁ ଜଣେ ବ୍ୟକ୍ତିଙ୍କୁ ୫୦,୦୦୦ ଟଙ୍କାରୁ ୮୦,୦୦୦ ହଜାର ଟଙ୍କାର ଆୟ ମିଳିଥାଏ l ଏହି ପାହାଡିଆ ଇଲାକାରେ ସେପରି କୌଣସି ଅର୍ଥକାରୀ ଫସଲ ହେଉନଥିବାରୁ ଆଦିବାସୀମାନେ ଏହି ଗୋଟିଏ ଫସଲରେ ନିଜର ପରିବାର ପ୍ରତିପୋଷଣ କରିଥାଆନ୍ତି ଏବଂ ଏହି ଚାଷରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଲାଗିଥାଆନ୍ତି l ବର୍ତ୍ତମାନ ଚାଷୀ ସପୁରି ପଣସର ଅଭାବୀ ବିକ୍ରି ଯୋଗୁଁ ହତାଶ ହୋଇପଡିଛି l ଏ ଦିଗରେ ପ୍ରଶାସନ ଚୁପ ଆଉ ଉଦ୍ୟାନ କୃଷି ବିଭାଗ ହାତ ବାନ୍ଧି ବସିଛି ; ଆନ୍ଧ୍ରପ୍ରଦେଶ, ରାୟପୁର, କଟକ, ଭୁବନେଶ୍ୱର ଭଳି ଅଞ୍ଚଳର ବ୍ୟବସାୟୀମାନେ ଶାଗ ମାଛ ଦରରେ ଗୋଟିକୁ ୧୦ ରୁ ୧୫ ଟଙ୍କା ଦରରେ ସପୁରି ପଣସ ନେଉଛନ୍ତି l ଏଭଳି ପରିସ୍ଥିତିରେ ଚାଷୀ ଏହାକୁ ପାଖରେ ରଖିପାରୁ ନାହିଁ ଏବଂ ବାଧ୍ୟରେ ଅଳ୍ପ ପଇସାରେ ବିକୁଛି l

ସରକାରୀ ଯୋଜନା ଅନୁଯାୟୀ, ରାୟଗଡ଼ା ଏବଂ ବିଷମକଟକ ମଧ୍ୟରେ ଛାଟିକୋଣ ଠାରେ ୨ କୋଟି ଟଙ୍କା ବ୍ୟୟରେ  ଗୋଟିଏ ସପୁରି ପଣସ ରସ ପ୍ରସ୍ତୁତ କାରଖାନା ହେବାର ଯୋଜନା କରାଯାଇଛି l ବର୍ତ୍ତମାନ ସୁଦ୍ଧା ଏହାର ନିର୍ମାଣ ସମ୍ପୂର୍ଣ୍ଣ ହୋଇନଥିବାରୁ ସପୁରି ପଣସ ଚାଷୀମାନେ ନାହିଁ ନଥିବା ସମସ୍ୟାର ସାମ୍ନା କରୁଛନ୍ତି l ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସମାପନ କରି ଏହାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଏଠାକାର ଅଞ୍ଚଳବାସୀ ଦାବି ଜଣାଇଛନ୍ତି l ଯାହା ଫଳରେ ଏଠାରେ ବାସ କରୁଥିବା ଡଙ୍ଗରିଆ କନ୍ଧମାନେ ନିଶ୍ଚିତ ଭାବରେ ଲାଭବାନ ହୋଇପାରିବେ l ସରକାରୀ ସୂତ୍ରରୁ ପ୍ରକାଶ ଯେ, ସପୁରି ପଣସ ରସ ପ୍ରସ୍ତୁତ କାରଖାନାର ନିର୍ମାଣ କାର୍ଯ୍ୟ ସମାପନ ହୋଇଛି l ଆବଶ୍ୟକ ଯନ୍ତ୍ରପାତି ସ୍ଥାପନ ହୋଇସାରିଲେ ଖୁବ ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ l ବର୍ତ୍ତମାନର କୋଭିଡ କଟକଣା ଯୋଗୁଁ ଯନ୍ତ୍ରପାତି ଆସିବାରେ କିଛି ବିଳମ୍ବ ଘଟିଛି l ଏହି କାରଖାନା କାର୍ଯ୍ୟକ୍ଷମ ହୋଇପାରିଲେ ନିଶ୍ଚିତ ଭାବରେ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ସପୁରି ପଣସ ଚାଷୀମାନେ ନିଶ୍ଚିତ ଭାବରେ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ପାଇପାରିବେ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments