1. କୃଷି ଖବର

ମିଲେଟକୁ ପ୍ରୋତ୍ସାହନ ପାଇଁ ମୋଦିଙ୍କ ବଡ ଅପିଲ, ଜନଆନ୍ଦୋଳନର ଦେଲେ ଆହ୍ବାନ

ଭାରତ, ବିଶ୍ୱରେ, ମିଲେଟ୍ସର ସବୁଠୁ ବଡ଼ ଉତ୍ପାଦକ ଦେଶ । ଏଥିପାଇଁ ଏହି ଉଦ୍ୟମକୁ ସଫଳ କରିବାର ବଡ଼ ଦାୟିତ୍ୱ ମଧ୍ୟ ଆମ ଭାରତବାସୀଙ୍କ କାନ୍ଧ ଉପରେ ନ୍ୟସ୍ତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Shuvanshu Kar
Shuvanshu Kar
PM Modi urges farmers to  Adopt millets as preferred crop choice

PM Modi urges farmers to Adopt millets as preferred crop choice

ମନ କୀ ବାତ(Mann Ki Baat) କାର୍ଯ୍ୟକ୍ରମରେ ମିଲେଟ୍ସ ସମ୍ପର୍କରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣଙ୍କର ମନେଥିବ ଯେ ଜାତିସଂଘ ଏକ ପ୍ରସ୍ତାବ ଗୃହୀତ କରି ୨୦୨୩କୁ ଇଂଟରନେସନାଲ୍ ଇୟର୍ ଅଫ୍ ମିଲେଟ୍(International Year of millets)ସ ଘୋଷିତ କରିଛି ।

ଭାରତର ଏହି ପ୍ରସ୍ତାବକୁ ୭୦ରୁ ଅଧିକ ଦେଶର ସମର୍ଥନ ମିଳିଥିଲା । ଆଜି, ସମଗ୍ର ବିଶ୍ୱରେ, ଏହି ମୋଟା ଖାଦ୍ୟାନ୍ନ-ମିଲେଟ୍ସର ଆକର୍ଷଣ ବଢ଼ିବଢ଼ି ଚାଲିଛି । ପ୍ରଧାନମନ୍ତ୍ରୀ, ବିଗତ କିଛି କାଳ ମଧ୍ୟରେ ଭାରତକୁ ଯେତେବେଳେ କୌଣସି ବିଦେଶୀ ଅତିଥି ଆସିଛନ୍ତି, ରାଷ୍ଟ୍ରାଧ୍ୟକ୍ଷ ଭାରତ ଆସିଛନ୍ତି ମୋର ଚେଷ୍ଟା ରହେ ଯେ ଭୋଜନରେ ଭାରତର ମିଲେଟ୍ସ ଅର୍ଥାତ ଆମର ମୋଟା ଖାଦ୍ୟାନ୍ନରୁ ତିଆରି ଭୋଜନ ଯେମିତି ତିଆରି କରାଯିବ । ଏଥିରୁ ଏହି ଅଭିଜ୍ଞତା ହୋଇଛି ଯେ ଏହି ମହାନୁଭବମାନଙ୍କୁ ଏହି ଭୋଜନ ବହୁତ ପସନ୍ଦ ଆସିଥାଏ, ଏବଂ ଆମର ମୋଟା ଖାଦ୍ୟାନ୍ନ ସମ୍ପର୍କରେ, ମିଲେଟ୍ସ ସମ୍ପର୍କରେ, ବହୁତ କିଛି ତଥ୍ୟ ଏକାଠି କରିବାକୁ ସେମାନେ ପ୍ରୟାସ ମଧ୍ୟ କରନ୍ତି ।

ମିଲେଟ୍ସ ତଥା ମୋଟା ଖାଦ୍ୟାନ୍ନ, ପ୍ରାଚୀନ କାଳରୁ ଆମ କୃଷି, ସଂସ୍କୃତି ଓ ସଭ୍ୟତାର ଅଂଶ ହୋଇ ରହିଆସିଛି । ଆମର ବେଦରେ ମିଲେଟସର ଉଲ୍ଲେଖ ରହିଛି ଏବଂ ସେହିପରି ପୁରାଣରୁ ଏବଂ ତୋଲକାପ୍ପିୟମରେ ମଧ୍ୟ ଏହା ସମ୍ପର୍କରେ କୁହାଯାଇଛି । ଆପଣ ଦେଶର ଯେକୌଣସି ଅଂଚଳକୁ ଯାଆନ୍ତୁ, ଆପଣଙ୍କୁ ସେଠାକାର ଲୋକଙ୍କ ଖାଦ୍ୟପେୟରେ ଅଲଗା ଅଲଗା ପ୍ରକାରର ମିଲେଟ୍ସ ନିଶ୍ଚିତ ଦେଖିବାକୁ ମିଳିବ । ଆମର ସଂସ୍କୃତି ଭଳି ମିଲେଟ୍ସରେ ମଧ୍ୟ ବହୁତ ବିବିଧତା ରହିଛି । ଯଅ, ବାଜରା, ମାଣ୍ଡିଆ, ସୁଆଁ, କଙ୍ଗନି, ଚୀନା, କୋଦୋ, କୁଟ୍କି, କୁଟ୍ଟୁ, ଏହିସବୁ ତ ମିଲେଟ୍ସ । ଭାରତ, ବିଶ୍ୱରେ, ମିଲେଟ୍ସର ସବୁଠୁ ବଡ଼ ଉତ୍ପାଦକ ଦେଶ । ଏଥିପାଇଁ ଏହି ଉଦ୍ୟମକୁ ସଫଳ କରିବାର ବଡ଼ ଦାୟିତ୍ୱ ମଧ୍ୟ ଆମ ଭାରତବାସୀଙ୍କ କାନ୍ଧ ଉପରେ ନ୍ୟସ୍ତ ।

ଆମ ସମସ୍ତଙ୍କୁ ମିଳିମିଶି ଏହାକୁ ଜନଆନ୍ଦୋଳନରେ ପରିଣତ କରିବାର ଅଛି ଏବଂ ଦେଶର ଲୋକଙ୍କ ମଧ୍ୟରେ ମିଲେଟ୍ସ ପ୍ରତି ସଚେତନତା ବଢ଼ାଇବାର ଅଛି । ମିଲେଟ୍ସ, ଚାଷୀଙ୍କ ପାଇଁ ମଧ୍ୟ ଲାଭଜନକ ଏବଂ ତା’ ବି ବିଶେଷତଃ ଛୋଟଚାଷୀଙ୍କୁ । ପ୍ରକୃତରେ ବହୁତ କମ୍ ସମୟରେ ଏହି ଫସଲ ପ୍ରସ୍ତୁତ ହୋଇଯାଏ ଏବଂ ଏଥିରେ ଅଧିକ ପାଣିର ଆବଶ୍ୟକତା ମଧ୍ୟ ନଥାଏ । ଆମର ଛୋଟ ଚାଷୀଙ୍କ ପାଇଁ ତ ମିଲେଟ୍ସ ବିଶେଷ ରୂପେ ଲାଭଦାୟକ ।

ମିଲେଟ୍ସର କୁଣ୍ଡାକୁ ଉତ୍ତମ ପଶୁଖାଦ୍ୟ ବୋଲି ମଧ୍ୟ ଧରାଯାଏ । ଆଜିକାଲି ଯୁବପିଢ଼ି ସୁସ୍ଥ ଜୀବନ ଓ ଭୋଜନକୁ ନେଇ ବହୁତ ସଚେତନ । ଏହି ଦୃଷ୍ଟିରୁ ଦେଖିଲେ ମଧ୍ୟ ମିଲେଟ୍ସରେ ପ୍ରୋଟିନ, ଫାଇବର ଓ ମିନେରାଲସ ଯଥେଷ୍ଟ ରହିଛି । କିଛି ଲୋକ ତ ଏହାକୁ ସୁପରଫୁଡ଼ ମଧ୍ୟ କହନ୍ତି । ମିଲେଟ୍ସ ଦ୍ୱାରା ଗୋଟିଏ ନୁହେଁ, ଅନେକ ଲାଭ ମିଳେ । ମେଦବହୁଳତାକୁ କମ୍ କରିବା ସହ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହୃତପିଣ୍ଡ ସମ୍ପର୍କିତ ରୋଗର ବିପଦକୁ ମଧ୍ୟ କମ୍ କରିଥାଏ । ଏଥିସହ ଏହା ପେଟ ଓ ଯକୃତ୍ ରୋଗଗୁଡ଼ିକରୁ ମଧ୍ୟ ରକ୍ଷା କରିବାରେ ସହାୟକ ହୋଇଥାଏ । କିଛି ସମୟ ପୂର୍ବରୁ ହିଁ ଆମେ ପୁଷ୍ଟିହୀନତା ବିଷୟରେ ଆଲୋଚନା କରୁଥିଲେ । ପୁଷ୍ଟିହୀନତା ସହ ଲଢ଼ିବା ପାଇଁ ମଧ୍ୟ ମିଲେଟ୍ସ ବହୁତ ଲାଭଦାୟକ, କାହିଁକି ନା ଏହା ପ୍ରୋଟିନ ସହିତ ଶକ୍ତିରେ ମଧ୍ୟ ଭରିରହିଥାଏ ।

ଦେଶରେ ଆଜି ମିଲେଟ୍ସକୁ ପ୍ରୋତ୍ସାହନ ଦେବାପାଇଁ ବହୁତ କିଛି କରାଯାଉଛି । ଏଥିସହ ସମ୍ପୃକ୍ତ ଗବେଷଣା ଏବଂ ଇନ୍ନୋଭେସନ ଉପରେ ଗୁରୁତ୍ୱ ଦେବା ସହିତ ଏଫପିଓଗୁଡ଼ିକୁ ପ୍ରୋତ୍ସାହିତ କରାଯାଉଛି, ଯେପରିକି ଉତ୍ପାଦନ ବଢ଼ାଯାଇପାରିବ । ମୋର, ନିଜର ଚାଷୀ ଭାଇଭଉଣୀମାନଙ୍କୁ, ମୁଁ କହିବାକୁ ଚାହେଁ ଯେ ମିଲେଟ୍ସ, ଅର୍ଥାତ ମୋଟା ଖାଦ୍ୟାନ୍ନକୁ ଅଧିକରୁ ଅଧିକ ଆପଣାନ୍ତୁ ଏବଂ ଏହାର ଲାଭ ଉଠାନ୍ତୁ । ମୋତେ ଏହା ଦେଖି ବହୁତ ଖୁସି ଲାଗେ ଯେ ଆଜି ଏପରି ଅନେକ ଷ୍ଟାଟ୍-ଅପ୍ସର ଉଦୟ ହୋଇଛି, ଯେଉଁମାନେ ମିଲେଟ୍ସ ଉପରେ କାର୍ଯ୍ୟ କରୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏମାନଙ୍କ ମଧ୍ୟରୁ କେତେକ ମିଲେଟ୍ କୁକିଜ୍ ତିଆରି କରୁଛନ୍ତି ତ ଆଉ କେତେ ମିଲେଟ୍ସ୍ ପାନ୍ କେକ୍ସ ଏବଂ ଦୋସା ମଧ୍ୟ ତିଆରି କରୁଛନ୍ତି । ସେହିପରି କେତେକ ଅଛନ୍ତି, ଯେଉଁମାନେ ମିଲେଟ୍ ଏନର୍ଜି ବାର୍ ଏବଂ ମିଲେଟ୍ ଜଳଖିଆ ପ୍ରସ୍ତୁତ କରୁଛନ୍ତି । ମୁଁ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଲୋକଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି । ପର୍ବପର୍ବାଣୀର ଏହି ଋତୁରେ ଆମେ ଅଧିକାଂଶ, ଭୋଜନରେ ମଧ୍ୟ ମିଲେଟ୍ସର ଉପଯୋଗ କରୁ । ଆପଣ ନିଜ ଘରେ ତିଆରି ହେଉଥିବା ଏପରି ଭୋଜନର ଫଟୋ ସାମାଜିକ ଗଣମାଧ୍ୟମରେ ନିଶ୍ଚୟ ଶେୟାର୍ କରନ୍ତୁ, ଯେପରିକି ଲୋକଙ୍କ ମଧ୍ୟରେ ମିଲେଟ୍ସକୁ ନେଇ ସଚେତନତା ବଢ଼ିବାରେ ସହାୟତା ମିଳିବ ବୋଲି ମୋଦି ନିଜ ସମ୍ବୋଧନରେ ଉଲ୍ଲେଖ କରିଛନ୍ତି ।

ଓଡିଶାରେ ବଢୁଛି ବାଜରା ଚାଷକୁ ପ୍ରୋତ୍ସାହନ, ଆଦିବାସୀ ଅଞ୍ଚଳକୁ ମିଳିବ 2808 କୋଟି

Odisha Cabinet: କୃଷିକୁ ନେଇ 16 ପ୍ରକଳ୍ପ ଉପରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments