
PM-Usha Yojana launched in Odisha
ରାଜ୍ୟରେ ନୂଆ ଶିକ୍ଷାନୁଷ୍ଠାନ ସ୍ଥାପନ କରିବା ଏବଂ ଉଚ୍ଚତର ଶିକ୍ଷାନୁଷ୍ଠାନ ଗୁଡିକର ସାମଗ୍ରିକ ବିକାଶ ସହ ଛାତ୍ରଛାତ୍ରୀଙ୍କ ଉନ୍ନତି ଆଣିବା ଲକ୍ଷ୍ୟରେ ଶନିବାର ଭୁବନେଶ୍ୱର ସ୍ଥିତ କୃଷି ଭବନ ଠାରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ(ପିଏମ-ଉଷା)କୁ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି ।
'ସ୍ୱାୟତ୍ତ ଶାସନ ଦିବସ'ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା)କୁ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ-ଉଷା) ନାମରେ ଶୁଭାରମ୍ଭ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନୂଆ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ସମୟରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଶିକ୍ଷା ପ୍ରଦାନ ଦିଗରେ ପିଏମ-ଉଷା କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ୬୦- ୪୦ ଅନୁପାତରେ ପାଣ୍ଠି ସହାୟତାରେ, ଗୁଣାତ୍ମକ ଶିକ୍ଷାଦାନ ଓ ଶିକ୍ଷଣ ପ୍ରକ୍ରିୟାର ବିକାଶ, ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡିକର ସ୍ୱୀକୃତି ଏବଂ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ଡିଜିଟାଲ ଭିତ୍ତିଭୂମି ସୃଷ୍ଟି କରିବା ସହ ବହୁବିଭାଗୀୟ ପାଠ୍ୟକ୍ରମ ମାଧ୍ୟମରେ ନିଯୁକ୍ତି ବୃଦ୍ଧି କରିବା ଏହି ପଦକ୍ଷେପର ଲକ୍ଷ୍ୟ ରହିଛି ।
ନିଜର ରାଜନୈତିକ ପ୍ରତିବାଦକୁ ଜାହିର କରିବା ପାଇଁ ପୂର୍ବ ସରକାର ଏହି ଯୋଜନା ଲାଗୁ ନକରିବା ବିଡମ୍ବନାର ବିଷୟ ଥିଲା । ତେବେ ନୂଆ ଓଡ଼ିଶା ସରକାରଙ୍କ ସହ ଆଜି ଏମଓୟୁ ବ୍ୟକ୍ତିଗତ ଭାବେ ସନ୍ତୋଷର କ୍ଷଣ । ନୂଆ ଶିକ୍ଷାନୁଷ୍ଠାନ ସ୍ଥାପନ କରିବା ଏବଂ ଉଚ୍ଚତର ଶିକ୍ଷାନୁଷ୍ଠାନ ଗୁଡିକର ସାମଗ୍ରିକ ଉନ୍ନତି କରିବା ପିଏମ୍-ଉଷା ଯୋଜନାର ଲକ୍ଷ୍ୟ ରହିଛି । ବିଶେଷ ଭାବରେ ଦୁର୍ଗମ, ଆକାଂକ୍ଷୀ ଜିଲ୍ଲା, ଜନଜାତି ଅଧ୍ୟୁଷିତ, ମାଓ ପ୍ରଭାବିତ ଅଞ୍ଚଳରେ ଉଚ୍ଚତର ଶିକ୍ଷା ପାଇଁ ସୁଯୋଗ ସୃଷ୍ଟି କରିବାର ଉଦ୍ଦେଶ୍ୟ ରହିଛି । ପିଏମ ଉଷା ଯୋଜନାରେ ଓଡ଼ିଶାର ବିଶ୍ୱବିଦ୍ୟାଳୟ, ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜ ଏବଂ ଶିକ୍ଷାନୁଷ୍ଠାନରେ ଶୈକ୍ଷିକ ଓ ପ୍ରଶାସନିକ ସଂସ୍କାର ଇତ୍ୟାଦି ପାଇଁ ପ୍ରାୟ ୫୦୦ କୋଟି ଟଙ୍କା ଅନୁଦାନ ଆସିବ ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ ବଣ୍ତାଘାଟିର ମଙ୍ଗଳା ମୁଦୁଲିଙ୍କ ଉଦାହରଣ ଦେଇଥିଲେ । ମଙ୍ଗଳା ମୁଦୁଲିଙ୍କ ପରି ବଣ୍ଡା, ଗରିବ, ଆଦିବାସୀ ପିଲାମାନେ ଯେପରି ଆଗକୁ ବଢିବେ ସେପରି ଶିକ୍ଷା ବ୍ୟବସ୍ଥାକୁ ପ୍ରାଧାନ୍ୟ ଦେବା ଦରକାର ବୋଲି ବୋଲି ସେ କହିଥିଲେ । ଉଲ୍ଲେଖନୀୟ ଯେ, ପିଏମ୍ ଉଷା ଯୋଜନା ଏମଓୟୁ ସ୍ୱାକ୍ଷର ସମାରୋହରେ ରାଜ୍ୟ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଉପସ୍ଥିତ ଥିଲେ ।
ଅଧିକ ପଢ଼ନ୍ତୁ
Share your comments