ଭୁବନେଶ୍ଵର ତା ୦୩-୦୯-୨୦୨୪; ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ସ୍ୱାମୀନାଥନ୍ ସମ୍ମିଳନୀ କକ୍ଷରେ; ୨୦୨୪ ବର୍ଷରେ ନାମ ଲେଖାଇଥିବା ଓୟୁଏଟି ପରିସରର ସମସ୍ତ ମହାବିଦ୍ୟାଳୟର ସ୍ନାତକ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ‘ପ୍ରବେଶ ଉତ୍ସବ’ (Pravesh Utsav)ମହାସମାରୋହରେ ଆୟୋଜିତ ହୋଇଅଛି ।
ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନର ପ୍ରତିଷ୍ଠାତା ନିର୍ଦ୍ଦେଶକ ତଥା ସୋଆ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ଡଃ ଅଶୋକ ମହାପାତ୍ର ; ନିଜସ୍ୱ ଅଭିଭାଷଣରେ ; ସମ୍ପ୍ରତି କୃଷି ଶିକ୍ଷାର ସୁଦୂରପ୍ରସାରୀ ସୁଯୋଗ ରହିଛି ଓ ଛାତ୍ରଛାତ୍ରୀମାନେ(students) ଯୋଜନାବଦ୍ଧ ଭାବେ ଅଗ୍ରସର ହେଲେ ସଫଳତା ପ୍ରାପ୍ତ ହୋଇପାରିବେ ବୋଲି ନିଜସ୍ଵ ମତବ୍ୟକ୍ତ କରିଥିଲେ ।
ପବିତ୍ର ଅଶୋକ ବୃକ୍ଷରେ ଅତିଥି ମାନଙ୍କଦ୍ଵାରା ଜଳଦାନପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସ୍ନାତକୋତ୍ତର ଅଧ୍ୟୟନ ବିଭାଗର ଅଧ୍ୟକ୍ଷା ପ୍ରଫେସର କଳ୍ପନା ରାୟଗୁରୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆରକ୍ଷୀ ଉପମହାନିର୍ଦ୍ଦେଶକ (ପୂର୍ବାଞ୍ଚଳ) ଡଃ ସତ୍ୟଜିତ୍ ନାୟକ, ଓଡିଶା ସରକାରଙ୍କ କୃଷି ଓ ସଶକ୍ତିକରଣ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଶୁଭ୍ରାଂଶୁ ମିଶ୍ର, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ବ୍ରହ୍ମପୁରର ଡଃ ସଂଜୟ ସ୍ୱାଇଁ, ଜାତୀୟ ଧାନ ଗବେଷଣା କେନ୍ଦ୍ର, କଟକର ନିର୍ଦ୍ଦେଶକ ଡଃ ଅମରେଶ କୁମାର ନାୟକ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ସାରଦା ପ୍ରସାଦ ମହାନ୍ତି, ସମ୍ମାନିତ ଅତିଥି ଭାବରେ ଯୋଗଦେଇ ନୂତନ ବର୍ଷର ଛାତ୍ରଛାତ୍ରୀଙ୍କ ପ୍ରଥମ ପ୍ରବେଶ ଅବସରରେ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ଦେବା ଅବସରରେ, କୃଷି ବୈଷୟିକ ଶିକ୍ଷାର ସୁଦୂରପ୍ରସାରୀ ସୁଯୋଗ ସମ୍ପର୍କରେ ବିଶେଷ ଆଲୋକପାତ କରିଥିଲେ । ଓୟୁଏଟିର (OUAT) ସମ୍ମାନନୀୟ କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ନବାଗତ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ କୌଶଳଭିଭିକ ଜ୍ଞାନ ଓ ନିରନ୍ତର ପ୍ରଚେଷ୍ଟା ହିଁ ସଫଳତାର ସୂତ୍ର ବୋଲି କହିଥିଲେ ।
ସଭା ଶେଷରେ କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସଞ୍ଜୟ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସମାରୋହରେ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ, ଛାତ୍ର ମଙ୍ଗଳ ଅଧ୍ୟକ୍ଷ, ସମ୍ପ୍ରସାରଣ ଅଧ୍ୟକ୍ଷ, ଗବେଷଣା ଅଧ୍ୟକ୍ଷ ଓ ବିଭିନ୍ନ ବିଭାଗର ନିର୍ଦ୍ଦେଶକଙ୍କ ସମେତ ଶିକ୍ଷକ, ଶିକ୍ଷୟତ୍ରୀ, ବୈଜ୍ଞାନିକ, ବିଶ୍ଵବିଦ୍ୟାଳୟର କର୍ମଚାରୀ, ସାମ୍ବାଦିକ (Journalist), ଅଭିଭାବକ ତଥା ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ ।
ଅଧିକ ପଢ଼ନ୍ତୁ :
ଜାତୀୟ ସ୍ତରରେ କୃଷି ବିଶ୍ୱବିଦ୍ୟାଳୟ ମାନଙ୍କ ମଧ୍ୟରେ ୯ମ ସ୍ଥାନରେ ଓୟୁଏଟି