![Prime Minister Narendra Modi](https://ocdn.krishijagran.com/media/3754/modi.jpg)
Prime Minister Narendra Modi
ପୁଣିଥରେ କେନ୍ଦ୍ର ସରକାର ଆଣିଥିବା କୃଷି ଆଇନ ସପକ୍ଷରେ ମତଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଚାଷୀଙ୍କୁ ବିରୋଧୀ ଭ୍ରମିତ କରିଥିବାରୁ ସେମାନେ ଦିଲ୍ଲୀରେ ୨୦ ଦିନ ହେଲା ଆନ୍ଦୋଳନ କରୁଥିବା କଥା କହିଛନ୍ତି । ତେବେ ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ ଭାରତ ସରକାର ୨୪ ଘଣ୍ଟା ପ୍ରସ୍ତୁତ ଓ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି ବୋଲି ମୋଦି କହିଛନ୍ତି ।ମୋଦି ଗୁଜରାଟର କୁଚରେ ଉଦବୋଧନ ଦେଇ କହିଛନ୍ତି, “ବର୍ତ୍ତମାନ କୃଷି କ୍ଷେତ୍ରର ସଂସ୍କାର ପାଇଁ ଯେଉଁ ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କରେ ଏକାଧିକ କୃଷି ସଂଗଠନ ଓ ବିରୋଧୀ ଦଳଗୁଡ଼ିକ ଦୀର୍ଘବର୍ଷ ହେଲାଣି ଦାବି କରି ଆସୁଥିଲେ । ଭାରତ ସରକାର ସର୍ବଦା ଚାଷୀଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ।
ଆମେ ଚାଷୀଙ୍କ ସମସ୍ତ ପ୍ରକାରର ଦ୍ୱନ୍ଦ୍ୱ ଦୂର କରିବାକୁ ପ୍ରସ୍ତୁତ ରହିଛୁ । ଏବେ ବି ସରକାର ଚାଷୀଙ୍କ ସହ ଆଲୋଚନା କରୁଛନ୍ତି । ହେଲେ ବିରୋଧୀ ଦଳଗୁଡ଼ିକ ସେମାନଙ୍କୁ ଭ୍ରମିତ କରିବାରେ ଲାଗିଛନ୍ତି । ଦିଲ୍ଲୀରେ ଏକାଠି ହୋଇଥିବା ଚାଷୀଙ୍କୁ ମିଥ୍ୟା କୁହାଯାଇ ଷଡ଼ଯନ୍ତ୍ର କରାଯାଇଛି ।
ଚାଷୀଙ୍କୁ କୁହାଯାଇଛି ଯେ ଯଦି ନୂଆ ଆଇନ ଆସିବ, ତା’ହେଲେ ସେମାନଙ୍କ ଜମି ଛଡ଼ାଇ ନିଆଯିବ । ମୁଁ ଏଠି ପ୍ରଶ୍ନ କରିବାକୁ ଚାହେଁ ଯେ ଆପଣ କ୍ଷୀର ବିକ୍ରି କରୁଥିବା ଫାର୍ମ କ’ଣ ଆପଣଙ୍କ ଗାଈ ଓ ମଇଁଷିକୁ ନେଇଯାଉଛି କି?
କ୍ଷମତାରେ ଥିବା ବେଳେ ବିରୋଧୀ ଦଳଗୁଡ଼ିକ କୃଷି କ୍ଷେତ୍ରରେ ସଂସ୍କାର ଆଣିବାକୁ ଚାହୁଁଥିଲେ । ଏହି ସବୁ ଆଇନ ସେମାନେ ପ୍ରଣୟନ କରିବାକୁ ଯୋଜନା କରିଥିଲେ । କିନ୍ତୁ ସେତେବେଳେ ଏହା ସମ୍ଭବ ହୋଇପାରିନଥିଲା । ଏବେ ଆଇନ ଲାଗୁ କରାଯିବାରୁ ବିରୋଧୀ ଦଳଗୁଡ଼ିକ ମିଥ୍ୟା ତଥ୍ୟ ପ୍ରଚାର କରି ଚାଷୀଙ୍କୁ ଭ୍ରମିତ କରୁଛନ୍ତି । ହେଲେ ସେମାନଙ୍କୁ ମନେ ରଖିବାକୁ ହେବ ଯେ ମୋ ସରକାର ୨୪ ଘଣ୍ଟା ଚାଷୀଙ୍କ ସମସ୍ତ ଦ୍ୱନ୍ଦ୍ୱ ଦୂର କରିବାକୁ ପ୍ରସ୍ତୁତ ରହିଛି ।”
Share your comments