Krishi Jagran odia
Menu Close Menu

ବଜାର ଅଭାବରୁ କନ୍ଦମୂଳ ଚାଷ ପାଇଁ ଚାଷୀ ବିମୁଖ

Tuesday, 12 January 2021 10:18 AM

ଢେଙ୍କାନାଳ : ଢେଙ୍କାନାଳ ଜିଲାରେ କନ୍ଦମୂଳ ଚାଷ ପାଇଁ ଚାଷୀଙ୍କ ମଧ୍ୟରେ ଅନେକ ଆଗ୍ରହ ସୃଷ୍ଟି ହୋଇଥିଲା। ଅନେକ ପରିମାଣର କନ୍ଦମୂଳ ଚାଷ ମଧ୍ୟ ଢେଙ୍କାନାଳରେ ହେଉଥିଲା। କନ୍ଦମୂଳ ପାଇଁ ଏଠାକାର ଜଳବାୟୂ ସୁହାଉଥିବାରୁ କନ୍ଦମୂଳ ମଧ୍ୟ ଭଲ ଉତ୍ପାଦନ ହେଉଥିଲା। ଚାଷୀଙ୍କୁ ଉତ୍ସାହିତ କରିବାକୁ ନିୟନ୍ତ୍ରିତ ବଜାର କମିଟି (ଆର୍‍ଏମ୍‍ସି) ପକ୍ଷରୁ ବଜାର ସୁବିଧା କରିବା ପାଇଁ ଯୋଜନା ମଧ୍ୟ ଆରମ୍ଭ କରାଯାଇଥିଲା। ଏଥିପାଇଁ ଗୋଦାମ ଘର ନିର୍ମାଣ କରାଯିବା ସହ ଇ-ମାର୍କେଟିଂ ବ୍ୟବସ୍ଥା ମାଧ୍ୟମରେ ରାଜ୍ୟ ବାହାରକୁ କନ୍ଦମୂଳ ପଠାଇବାର ଯୋଜନା କରାଯାଇଥିଲା। ଅନେକ କିଛି ଯୋଜନା ରହିଥିଲେ ହେଁ ଚାଷୀଙ୍କୁ ଆର୍‍ଏମ୍‍ସି ବଜାର ଯୋଗାଇବାରେ ବିଫଳ ହୋଇଥିଲା। ଫଳରେ ଚାଷୀମାନେ କନ୍ଦମୂଳ ଚାଷ କରି ଅନେକ କ୍ଷତି ସହିଥିଲେ।

ଢେଙ୍କାନାଳରେ କନ୍ଦମୂଳ ଚାଷ ପାଇଁ ୨୦୧୩-୧୪ରେ ରାଷ୍ଟ୍ରୀୟ କୃଷିବିକାଶ ଯୋଜନାରେ ଜିଲା କୃଷି ବିଭାଗ ତରଫରୁ ଏହାର ଚାଷ ଆରମ୍ଭ କରାଯାଇଥିଲା। ଢେଙ୍କାନାଳ ସଦର ଓ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଶଙ୍କରପୁର ନିକଟସ୍ଥ ପରବତିଆ, ରତ୍ନପୁର, ପାମାଳ, କୃଷ୍ଣପ୍ରସାଦ, ଧୀରପାଟଣା, ତେନ୍ତୁଳିପାଟଣା ପ୍ରଭୃତି ଅଞ୍ଚଳର ବହୁପରିମାଣର ଚାଷୀ କନ୍ଦମୂଳ ଚାଷ କରୁଥିଲେ। ସେତେବେଳେ ବିଭିନ୍ନ କିସମଗୁଡ଼ିକ ମଧ୍ୟରେ ୬ଟି କିସମର କନ୍ଦମୂଳ ଚାଷୀଙ୍କୁ ଦିଆଯାଇଥିଲା। ଏଥିରେ ସିଆଇପି, କନକ, କାଞ୍ଚନଗଡ଼ ଓ ଦେଶୀ କିସମ ରହିଥିଲା। କେରଳର କାଞ୍ଚନଗଡ଼ କିସମ ବେଶ୍‍ ଆଦୃତ ହୋଇଥିଲା। ଢେଙ୍କାନାଳର କନ୍ଦମୂଳର ଚାହିଦା ଦେଶ ବିଦେଶରେ ମଧ୍ୟ ଦେଖିବାକୁ ମିଳିଥିଲା। କନ୍ଦମୂଳରେ କ୍ୟାରୋଟିନ୍‍, ଭିଟାମିନ୍‍ ଏ, କାର୍ବୋହାଇଡ୍ରେଡ୍‍ ପ୍ରଭୃତି ରହିଥିବାରୁ ଶିଶୁଙ୍କକ୍ଷେତ୍ରରେ ଏହା ଏକ ଉତ୍ତମ ଖାଦ୍ୟ ଭାବେ ବିବେଚିତ ହେଉଛି। ୨୦୧୩ରେ ଫିଲିପାଇନ୍ସ, ପାକିସ୍ଥାନ, ବଙ୍ଗଳାଦେଶରୁ ବିଶେଷଜ୍ଞମାନେ ଆସି ଗବେଷଣା କରିଥିଲେ। କେନ୍ଦ୍ରୀୟ କନ୍ଦ ଗବେଷଣା କେନ୍ଦ୍ର ଥିରୁଅନନ୍ତପୁରକୁ ଏହାର ପରୀକ୍ଷା ନିରୀକ୍ଷା ପାଇଁ ନିଆଯାଇଥିଲା। ଏହି କନ୍ଦମୂଳ ଶିଶୁଖାଦ୍ୟ ସମେତ ଗ୍ଲୁକୋନ୍‍ ଡି ପ୍ରସ୍ତୁତ ହୋଇପାରିବ ବୋଲି ଜଣାପଡ଼ିଥିଲା। କୋଇମ୍ବାଟୁରକୁ ମଧ୍ୟ କନ୍ଦମୂଳ ପଠାଯାଇ ଅଧିକ ଅମଳ ଓ ଏହାର ପ୍ରୋସେସିଂ ପାଇଁ କାରଖାନା ବସାଇବାକୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଏହା କେବଳ ପ୍ରସ୍ତାବରେ ହିଁ ସୀମିତ ରହିଗଲା। ଚାଷୀ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ଦାମ୍‍ ନ ପାଇବାରୁ କ୍ରମଶଃ ଏହାର ଚାଷକୁ ବନ୍ଦ କରିଦେଇଥିଲେ। କନ୍ଦମୂଳ ଚାଷୀଙ୍କୁ ସେମାନଙ୍କର ବଜାର ସୁବିଧା ଯୋଗାଇବା ନିମନ୍ତେ ନିୟନ୍ତ୍ରିତ ବଜାର କମିଟି (ଆର୍‍ଏମ୍‍ସି) ପକ୍ଷରୁ ଯୋଜନା ଆରମ୍ଭ କରାଯାଇଥିଲା। ଏଥିପାଇଁ ଢେଙ୍କାନାଳ ମହିଷାପାଟଠାରେ ନୂତନ ମାର୍କେଟ୍‍ୟାର୍ଡ ସ୍ଥାପନ କରାଯାଇଥିଲା। ପ୍ରାୟ ୮୫ଲକ୍ଷ ଟଙ୍କା ବ୍ୟୟରେ ୫ଶହ ମେଟ୍ରିକ୍‍ ଟନ୍‍ କ୍ଷମତା ବିଶିଷ୍ଟ ଗୋଦାମଘର, କଭର୍‍ ପିଣ୍ଡି, ଖୋଲାପିଣ୍ଡି, କାର୍ଯ୍ୟାଳୟ, ଗଭୀର ନଳକୂପ, କଂକ୍ରିଟ୍‍ ଚଟାଣ, ଶୌଚାଳୟ, ବିଦ୍ୟୁତ୍‍ ଟ୍ରାନ୍ସଫର୍ମର ରାସ୍ତା ପ୍ରଭୃତି ତିଆରି କରାଯାଇଥିଲା। ୧ ଏକର ୭ଡେସିମିଲି ଜମିରେ ଏହି ମାର୍କେଟ୍‍ ୟାର୍ଡ କରାଯାଇଛି। ଯାହାକି ଏବେ ବନ୍ଦ ପଡ଼ିରହିଛି। କନ୍ଦମୂଳକୁ ଇ-ମାର୍କେଟିଂ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଯୋଜନା କରାଯାଇଥିଲା। ମୁମ୍ବାଇର ନ୍ୟାସ୍‍ନାଲ୍‍ କମୋଡ଼ିଟିଜ୍‍ ଆଣ୍ଡ ଡ଼େରାଭିଟି ଏକ୍ସଚେଞ୍ଜ (ଏନ୍‍ସିଡ଼ିଇଏକ୍ସ) ସହାୟତାରେ କନ୍ଦମୂଳ ଚାଷୀମାନେ ସେମାନଙ୍କର କନ୍ଦମୂଳ ଜାତୀୟସ୍ତରରେ ପ୍ରତିଯୋଗିତା ମୂଲ୍ୟରେ ବିକ୍ରି କରି ସେମାନଙ୍କର ପ୍ରାପ୍ୟ ସିଧାସଳଖ ଏକାଉଣ୍ଟ ମାଧ୍ୟମରେ ପାଇପାରିବାର ଯୋଜନା କରାଯାଇଥିଲା। ଆର୍‍ଏମ୍‍ସିରେ ପଞ୍ଜିକୃତ କରିଥିବା ଚାଷୀଙ୍କଠାରୁ କନ୍ଦମୂଳ କ୍ରୟ କରିବାକୁ ଯୋଜନା କରାଯାଇଥିଲା। ଏନ୍‍ସିଡ଼ିଇଏକ୍ସ ଆର୍‍ଏମ୍‍ସି ସହାୟତାରେ ଏହା କ୍ରୟ କରିବାର ଯୋଜନା ରହିଥିଲା। ଆର୍‍ଏମ୍‍ସି ଚାଷୀ ଓ ବ୍ୟବସାୟୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ବଜାର ବ୍ୟବସ୍ଥା କାର୍ଯ୍ୟ କରିବାର ଥିଲା। ଏନ୍‍ସିଡ଼ିଇଏକ୍ସ ବେପାରୀଙ୍କୁ ପଠାଇ ଏଠାରୁ କନ୍ଦମୂଳ ନେଇଯିବାର ଯୋଜନା ରହିଥିଲା। କନ୍ଦମୂଳକୁ ରକ୍ଷଣାବେକ୍ଷଣ କରିବା, ଗ୍ରେଡ଼ିଂ କରିବା ଏବଂ ବୈଷୟିକ ପରାମର୍ଶ ଦେବା ଏନ୍‍ସିଡ଼ିଇଏକ୍ସର କାମ ରହିଥିବାବେଳେ ଆର୍‍ଏମ୍‍ସି କମ୍ପ୍ୟୁଟର, ଓଜନ ଯନ୍ତ୍ର, ଅନ୍‍ ଲାଇନ୍‍ ମାର୍କେଟିଂ ବ୍ୟବସ୍ଥା କରିବାପାଇଁ ସିସିଟିଭି କ୍ୟାମେରା, ଲାପ୍‍ଟପ୍‍, ଇଣ୍ଟରନେଟ୍‍ ସଂଯୋଗ ଏହି ମାର୍କେଟ୍‍ୟାର୍ଡରେ ପ୍ରସ୍ତୁତ କରିବାର ଥିଲା। କାର୍ଯ୍ୟକ୍ରମ ପାଇଁ ଆର୍‍ଏମ୍‍ସିର ମାର୍କେଟ୍‍ କମିଟି ବସି ଅନୁମୋଦନ ଦିଆଯାଇଥିଲା। ଏଠାରେ ମଧ୍ୟ ଇ-ନିଲାମ କରାଯିବା ଯୋଜନା ରହିଥିଲା। ଓଡ଼ିଶା ରାଜ୍ୟ ବିପ୍ପଣନ ନିଗମ (ଓସମା) ବୋର୍ଡ ସହ ଏନ୍‍ସିଡ଼ିଇଏକ୍ସ ଚୁକ୍ତିନାମା ସ୍ୱାକ୍ଷର କରିଥିଲା। ସେହି ଅନୁସାରେ ୨୦୧୮-୧୯ରେ ଅନେକ ଚାଷୀ କନ୍ଦମୂଳ ଚାଷ ମଧ୍ୟ କରିଥିଲେ। କିନ୍ତୁ ଯୋଜନା କାର୍ଯ୍ୟକାରୀ ନହୋଇ ପାରିବାରୁ ଚାଷୀଙ୍କୁ ସହାୟକ ହୋଇପାରିଲା ନାହିଁ। ଆର୍‍ଏମ୍‍ସି ପକ୍ଷରୁ ନାଗପୁର, ଦିଲ୍ଲୀ ଓ ପଞ୍ଜାବରେ କନ୍ଦମୂଳ ବିକ୍ରି ପାଇଁ ଉଦ୍ୟମ କରାଯାଇଥିଲା। କିନ୍ତୁ ନାଗପୁର ମଣ୍ଡିରେ କନ୍ଦମୂଳ ଚାହିଦା ନଥିବାରୁ ଆର୍‍ଏମ୍‍ସିକୁ ଖାଲି ହାତରେ ଫେରିବାକୁ ପଡ଼ିଥିଲା। ଦିଲ୍ଲୀ ମଣ୍ଡିରେ କନ୍ଦମୂଳ କେଜି ପ୍ରତି ୧୨-୧୩ ଟଙ୍କା ଥିବାବେଳେ ସେମାନେ ଚାଷୀଙ୍କଠାରୁ କେଜି ପ୍ରତି ୮-୧୦ଟଙ୍କାରେ କିଣିବାପାଇଁ ଆର୍‍ଏମ୍‍ସିକୁ ପ୍ରସ୍ତାବ ଦେଇଥିଲେ। ଓଡ଼ିଶାରେ କନ୍ଦମୂଳର ଖୁଚୁରା ବଜାର ଦାମ୍‍ ୨୦-୩୦ଟଙ୍କା ଥିବାରୁ ଚାଷୀମାନେ କମ୍‍ରେ ଦେବାକୁ ରାଜି ହୋଇ ନଥିଲେ। କିନ୍ତୁ ଯେଉଁ ପରିମାଣରେ କନ୍ଦମୂଳ ଉତ୍ପାଦନ ହୋଇଥିଲା, ସେଥିପାଇଁ ସ୍ଥାନୀୟ ବଜାରରେ ସେତିକି ଚାହିଦା ନଥିଲା। ଫଳରେ ଚାଷୀ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟକୁ ବହୁ କଷ୍ଟରେ କମ୍‍ ମୂଲ୍ୟରେ ଦେବାକୁ ବାଧ୍ୟ ହୋଇଥିଲେ। ଏହାପରେ ଅନେକ କନ୍ଦମୂଳ ଚାଷ ପ୍ରତି ଆଗ୍ରହ ପ୍ରକାଶ କରି ନଥିଲେ। ସରକାରଙ୍କର ଯୋଜନା କେବଳ ଯୋଜନାରେ ହିଁ ରହିଗଲା। ଏବେ କେବଳ କନ୍ଦମୂଳ ଘରୋଇ ଚାହିଦା ମେଣ୍ଟାଇବା ପାଇଁ ଉତ୍ପାଦନ କରାଯାଉଛି। ଆଉ କେତେକ ଚାଷୀ ନିଜସ୍ୱ ଉଦ୍ୟମରେ କନ୍ଦମୂଳକୁ କଲକାତାରେ ଥିବା ଏକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ପଠାଉଛନ୍ତି। ସରକାରଙ୍କପକ୍ଷରୁ ପୁନର୍ବାର ବଜାର ସୁବିଧା ପାଇଁ ଉଦ୍ୟମ କରାଯିବା କିମ୍ବା କନ୍ଦମୂଳର ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା କରାଇଲେ ଏହା ଚାଷୀଙ୍କ ପାଇଁ ଲାଭଦାୟକ ହୋଇପାରିବ।

English Summary: Sweet Potato Farming Odisha Chief Minister Agriculture & Empowerment Department Sweet Farmer Farmer

Share your comments


CopyRight - 2021 Krishi Jagran Media Group. All Rights Reserved.