1. କୃଷି ଖବର

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା

ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏହି ଦିନ ମହାପ୍ରଭୁଙ୍କ ଜନ୍ମତିଥି । ଏହି ପବିତ୍ର ସ୍ନାନ ପୂର୍ଣ୍ଣମା ରୀତିନୀତି ପରେ ସ୍ନାନମଣ୍ଡପରେ ଶ୍ରୀଜୀଉ ଗଜାନନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ ।

Tanushree Mahapatra
Tanushree Mahapatra
Today is debasnana Purnima  , image source - twitter

Today is debasnana Purnima , image source - twitter

ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏହି ଦିନ ମହାପ୍ରଭୁଙ୍କ ଜନ୍ମତିଥି । ଏହି ପବିତ୍ର ସ୍ନାନ ପୂର୍ଣ୍ଣମା ରୀତିନୀତି ପରେ ସ୍ନାନମଣ୍ଡପରେ ଶ୍ରୀଜୀଉ ଗଜାନନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ । ସାଧାରଣତଃ, ବର୍ଷରେ ଥରଟିଏ ଶ୍ରୀଜଗନ୍ନାଥ ନିଜ ୩ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରିଥାନ୍ତି ଏହି ଦିନ l ଅନ୍ୟ ସାଧାରଣ ଦିନ ମାନଙ୍କରେ ମନ୍ତ୍ରସ୍ନାନ କରାଯାଏ । ଏହି ପବିତ୍ର ଦିନକୁ ଶ୍ରୀଜଗନ୍ନାଥ ଙ୍କ ଜନ୍ମଦିନ ରୂପେ ମଧ୍ୟ ପାଳନ କରାଯାଏ ।

ଦାରୁବ୍ରହ୍ମଙ୍କ ଲୀଳାକ୍ଷେତ୍ର ମହାପ୍ରଭୁଙ୍କ ସ୍ନାନଉତ୍ସବ ଏକ ଶାସ୍ତ୍ରୀୟ ଭିତ୍ତ ଭୂମି ଉପରେ ଆଧାରିତ ଯାହାକୁ ପ୍ରତିବର୍ଷ ଅପେକ୍ଷା କରି ରହନ୍ତି ଭକ୍ତ । ମହାପ୍ରଭୁଙ୍କ ଆବିର୍ଭାବ ସମୟରେ ପ୍ରଥମେ ଏହି ସ୍ନାନ ହୋଇ ଥିବାରୁ ଏହା ଦାରୁବ୍ରହ୍ମଙ୍କ ଆଦ୍ୟଲୀଳା କୁହାଯାଏ । ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ପରେ ମହାରାଜା ଇନ୍ଦ୍ରଦ୍ୟୁମ ତାଙ୍କୁ ପ୍ରଥମେ ମଙ୍ଗଳମୟ ମୁହୂର୍ତ୍ତରେ ସ୍ନାନଲୀଳା କରାଇଥିଲେ । ସେତେବେଳେ ସ୍ନାନମଣ୍ଡପ ନଥିଲା ଯେଉଁଥିପାଇଁ ଏକ କାଠର ମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ସ୍ନାନବିଧି ସମାପନ କରାଯାଇଥିଲା । ସେଥିପାଇଁ ଅନେକ ଶାସ୍ତ୍ରରେ ଏହାକୁ ମଞ୍ଚସ୍ନାନ ବୋଲି ଉଲ୍ଲେଖ କରାଯାଇଛି । ଶାସ୍ତ୍ରମତ ଅନୁଯାୟୀ, ୧୦୮ ସୁନା କଳସରେ ପବିତ୍ର ଜଳରେ ଦାରୁବ୍ରହଙ୍କ ଆଦ୍ୟଲୀଳା ସମାପନ ହୋଇଥିଲା ।

ସେହି ଶାସ୍ତ୍ରୀୟ ମତକୁ ଅନୁସରଣ କରି ଆଜି ମଧ୍ୟ ସେହିପରି ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି । ସୂଚନାଯୋଗ୍ୟ ଯେ, ଶାସ୍ତ୍ର ମତରେ ଜ୍ୟେଷ୍ଠ ପୂର୍ଣ୍ଣିମା ଦିବସରେ ହିଁ ମହାପ୍ରଭୁଙ୍କ ଆବିର୍ଭାବ ହୋଇଥିଲା । ମହାପ୍ରଭୁଙ୍କ ଏହି ଲୀଳାକୁ ପତିତପାବନ ଲୀଳା ମଧ୍ୟ କୁହାଯାଏ । ସ୍ନାନ ପୂର୍ଣ୍ଣିମା ଠିକ ପୂର୍ବଦିନ ସାଧାରଣ ଦିନ ପରି ଶ୍ରୀମନ୍ଦିରରେ କବାଟ ଫିଟା ନୀତି ଠାରୁ ଆରମ୍ଭ କରି ପାହାନ୍ତିଆ ଅବକାଶ, ଗୋପାଳ ବଲ୍ଲଭ, ସକାଳଧୂପ, ଦ୍ଵିପ୍ରହର ଧୂପ ଆଦି ସମସ୍ତ ନୀତିର ସମାପନ କରାଯାଏ l  ସ୍ଵଳ୍ପସମୟ ପାଇଁ ପହୁଡ଼ ହୁଏ ଏବଂ ପରେ ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହେଇଯାଏ ଶ୍ରୀମନ୍ଦିରରେ । ଏହିଦିନ କୋଠ ସିଆଁସିଆ ମନ୍ଦିରରେ ପ୍ରବେଶ କରିଥାନ୍ତି  ଓ ପହଣ୍ଡି ପାଇଁ ଚାରମାଳ ବାନ୍ଧନ୍ତି ମନ୍ଦିରରେ l ସେହିଦିନ ପ୍ରଭୁଙ୍କର ସେନାପଟା ଓ ବାହୁଟିନାଗି ହୁଏ ।

ଦଇତାମାନେ ପହଣ୍ଡି କରାଉଥିବା ବେଳେ ମଦନମୋହନଙ୍କୁ କେବଳ ମହାଜନ ସେବକମାନେ ହିଁ ବିଜେ କରାଇଥାନ୍ତି ।  ଦେବସ୍ନାନ ପୂର୍ଣ୍ଣିମାର ପୂର୍ବ ଦିନ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରର ସୁନା କୂଅରୁ ୧୦୮ କଳସ ଜଳ ସଂଗ୍ରହ କରାଯାଏ । ବିଶ୍ୱାସ କରାଯାଏ ଯେ ଏହି ସୁନା କୂଅଟି ଶୀତଳା ଠାକୁରାଣୀ ଓ ତାଙ୍କ ବାହାନ ସିଂହଙ୍କ ମଧ୍ୟରେ ଅବସ୍ଥିତ ରହିଛି । ତେବେ ଏହି କୂଅ କୁ ନେଇ ଅନେକ ବିଶ୍ୱାସ ରହିଛି ଲୋକଙ୍କ ମଧ୍ୟରେ ଯେପରି  କୂଅର ବ୍ୟବହାର ବର୍ଷସାରା ନଥିବାରୁ ଏହାକୁ ଅଣତୁଠ ପାଣି ବୋଲି ଗ୍ରହଣ କରାଯାଏ ।

ଏହି ଆଜି ମହାସ୍ନାନ ଜଳରୁ ୩୫ ଗରା ଶ୍ରୀଜଗନ୍ନାଥଙ୍କୁ, ୩୩ ଗରା ଶ୍ରୀବଳଭଦ୍ରଙ୍କୁ, ୨୨ ଗରା ମା’ ସୁଭଦ୍ରାଙ୍କୁ ଓ ୧୮ ଗରା ସୁଦର୍ଶନଙ୍କୁ ସ୍ନାନ କରାଯାଇଥାଏ । ଏହାକୁ “ପ୍ରତ୍ୟେକ୍ଷ ଅବକାଶ” ବୋଲି କହନ୍ତି । ସ୍ନାନ ପରେ ମହାପ୍ରଭୁଙ୍କୁ ଏହି ଦିନ ଗଜାନନ ବେଶ କରାଯାଏ । ଏହି ଦିନ ପବିତ୍ର ରାଘବଦାସ ମଠ ପକ୍ଷରୁ ଦେବୀ ସୁଭଦ୍ରାଙ୍କୁ ଫୁଲଚୂଳ, ଚନ୍ଦ୍ରିକା ଓ ଛତ୍ରି ନାଗି କରାଯାଇ ବେଶ କରାଯାଏ ।  ଏହି ପବିତ୍ର ସ୍ନାନସରିଲା ପରେ ପରେ ଦିନ ତିନି ଧୂପ ବଦଳରେ ଗୋଟିଏ ଧୂପ ଦିଆଯାଏ l ଏହା ପରେ ପରେ ଠାକୁରମାନେ ଶ୍ରୀମନ୍ଦିରକୁ ଗୋଟି ପହଣ୍ଡିରେ ଫେରିଥାନ୍ତି । ଭିତର କାଠପାଖ ଅଣସର ପିଣ୍ଡିରେ ଠାକୁରମାନେ ବିଜେ କରିବାପରେ ସେଠାରେ ତାଟି ବନ୍ଧାଯାଏ ଓ ନୀତି ଅନୁଯାୟୀ ପଟିମୂର୍ତି ସ୍ଥାପନା କରାଯାଏ । ଏହା ପରେ ଏହି ଚତୁର୍ଧାମୂର୍ତ୍ତି ସ୍ନାନପୂର୍ଣ୍ଣିମା ଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦିର୍ଘ ପ୍ରାୟ ୧୫ ଦିନ ଧରି ଜ୍ଵରରେ ପଡ଼ନ୍ତି ଏବଂ ଆରମ୍ଭ କରିଥାନ୍ତି ଶରୀର ସୁସ୍ଥ ହେବା ପର୍ଯ୍ୟନ୍ତ । ଏହାକୁ ଅଣସର ବୋଲି କୁହାଯାଏ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments