ଆରମ୍ଭ ହୋଇଛି ପାର୍ବଣ ଋତୁ l ଏହି ପାର୍ବଣ ଋତୁରେ ପରିବା ବଜାରରେ ଲାଗିଛି ନିଆଁ। ପାର୍ବଣ ବେଳେ ପରିବା ଦର ବୃଦ୍ଧି ଗ୍ରାହକଙ୍କୁ ଚିନ୍ତାରେ ପକାଇଛି l କାରଣ ଏହା ତାଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକେଇଛି । ପରିବା ଦର ଅଧିକ ହେବା ସହିତ ଟମାଟୋ ଦର ସେଞ୍ଚୁରି ମାରିଛି । ଅନ୍ୟ ପନିପରିବା ସହିତ ଯେମିତି କି ପିଆଜ ଦର ମଧ୍ୟ ବଢ଼ି ଲାଗିଛି । ୬୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ଦର ହଠାତ୍ ୧୦୦ ଟଙ୍କାରେ ପହଞ୍ଚିଛି ।
ସଠିକ ବର୍ଷା ନ ହେବା ଯୋଗୁଁ ଟମାଟୋ ଯୋଗାଣ ଓଡ଼ିଶାକୁ ବାଧାପ୍ରାପ୍ତ କରିଛି । ଏଥିଯୋଗୁଁ ଦରବୃଦ୍ଧି ଘଟିଥିବା ବ୍ୟବସାୟୀମାନେ କହିଛନ୍ତି l ପାର୍ବଣ ସମୟରେ ଆକାଶଛୁଆଁ ପାନିପରିବା ଦର ଖାଉଟିଙ୍କୁ ଚିନ୍ତାରେ ପକାଇଛି । ବେଙ୍ଗାଲୁରୁରୁ ଓଡିଶାକୁ ଟମାଟୋ ଆସୁଛି। ବର୍ଷା ପାଇଁ ସେଠାରେ ମଧ୍ୟ ଟମାଟୋ ଅମଳ ପ୍ରଭାବିତ ହୋଇଛି । ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରୁ ଟମାଟୋ ଆସିବା କଥା ଯାହା ଏ ପର୍ଯ୍ୟନ୍ତ ଆସିନାହିଁ । ତେଣୁ ଟମାଟୋ ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ଯେ ପର୍ଯ୍ୟନ୍ତ ନୂଆ ଟମାଟୋ ନ ଆସିଛି ସେ ପର୍ଯ୍ୟନ୍ତ ଦର କମିବା ସମ୍ଭାବନା ନାହିଁ l
ଅନ୍ୟପଟେ ଆଜିକୁ ପ୍ରାୟ ୧୫ ଦିନରୁ ଅଧିକ ହେବ ପରିବା ଦର ଆକଶ ଛୁଆଁ ହୋଇରହିଛି । ବାଇଗଣ ୬୦ରୁ ୮୦ ଟଙ୍କା ରହିଛି l ସେହିପରି ପୋଟଳ, ଭେଣ୍ଡି, ବିନ୍, ଝୁଡ଼ଙ୍ଗ , କଖାରୁ ଓ କାଙ୍କଡ଼ ଭଳି ପରିବା ଦର ଅଧିକ ରହିଛି ।
ସ୍ଥାନୀୟ ଅଞ୍ଚଳରେ ପନିପରିବା ନଥିବାରୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି l ପିଆଜ, ଆଳୁ, ଅଦା ଏବଂ ରସୁଣ ଦରରେ ମଧ୍ୟ ଲଗାମ ନାହିଁ । ହୁ ହୁ ହୋଇ ଦର ବଢିଚାଲିଛି ଯାହା ଲୋକଙ୍କ ମଧ୍ୟରେ ଅସନ୍ତୋଷକୁ ବଢ଼ାଇଛି । ପରିବା ଦର ନିୟନ୍ତ୍ରଣ କରିବାକୁ ସରକାରଙ୍କୁ ନିବେଦନ କରାଯାଇଛି l
ଅଧିକ ପଢ଼ନ୍ତୁ