ଚାଷୀ ପ୍ରସଙ୍ଗକୁ ନେଇ ବଡ଼ ରାଜନୀତି ଚାଲିଥିବା ବେଳେ ଚାଷୀଙ୍କ ମନରେ ଉଠୁଥିବା ପ୍ରଶ୍ନର ଉତର ରଖିବା ପାଇଁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ( Narendra singh tomar ) ପଦ୍ମପୁରକୁ ଆସି ପ୍ରଚାର କାମ ରେ ଯୋଗ ଦେଇଛନ୍ତି । ସେପଟେ ବରଗଡ଼-ନୂଆପଡ଼ା ରେଳପ୍ରକଳ୍ପରେ ରାଜ୍ୟ ସରକାର କେନ୍ଦ୍ରକୁ ଟାର୍ଗେଟ କରୁଥିବା ବେଳେ ରେଳ ପ୍ରସଙ୍ଗ ଉପରେ କେନ୍ଦ୍ରର ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ପଦ୍ମପୁର ରେ ପହଞ୍ଚିଥିଲେ ଅଶ୍ୱିନୀ ବୈଷ୍ଣବ ( Ashwini baishnab ) ।
ପଦ୍ମପୁର ଉପନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇ ଆଜି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଲାଗି ଭୋଟ୍ ମାଗିବା ବେଳେ ରାଜ୍ୟ ସରକାରଙ୍କୁ ସିଧା ସଳଖ ନିଶାନା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଗତକାଲି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ହମଲା ପରେ ଆଜି ପୁଣି ଠାରେ ପାଇକମାଳ ସଭାରେ ବିଜେଡି ସରକାର ଙ୍କ ଉପରେ ବର୍ଷିଛନ୍ତି ଉଭୟ କେନ୍ଦ୍ର ମନ୍ତ୍ରୀ ।
ପଦ୍ମପୁରକୁ ରେଳ ସଂଯୋଗ ପ୍ରସଙ୍ଗରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟ ସରକାରଙ୍କୁ ଦେଇଛନ୍ତି ଖୋଲା ଖୋଲି ଚ୍ୟାଲେଞ୍ଜ୍ । ବରଗଡ଼-ନୂଆପଡ଼ା ଭାୟା ପଦ୍ମପୁର ରେଳପଥ ନେଇ ପୂର୍ବରୁ ମନ୍ତ୍ରୀ ଟୁକୁନି ସାହୁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଥିବାରୁ ଏ ପ୍ରସଙ୍ଗ କୁ ଉଠାଇଥିଲେ କେନ୍ଦ୍ର ରେଳ ମନ୍ତ୍ରୀ । କହିଥିଲେ ରାଜ୍ୟ ସରକାର ଯଦି କାଲି ଯାଗା ଦେବେ , ତା ପରଦିନ ରେଳ କାମ ଆରମ୍ଭ ହେବ । ଏହାସହିତ ଦାଦନ ପ୍ରସଙ୍ଗ ବି ଉଠାଇଥିଲେ କେନ୍ଦ୍ର ରେଳ ମନ୍ତ୍ରୀ ବୈଷ୍ଣବ ।
ସେପଟେ ଚାଷୀଙ୍କୁ ଫସଲ ବୀମା ଇସ୍ୟୁରେ ବିଜେଡି ସରକାରଙ୍କୁ ସିଧା ତୀର ମାରିଥିଲେ କେନ୍ଦ୍ର କୃଷିମନ୍ତ୍ରୀ ତୋମାର । ସେ କହିଥିଲେ, ଫସଲ ବୀମା ଯୋଜନା ଟଙ୍କା ରିଲିଜ୍ ହୋଇସରିଛି ,ହେଲେ ରାଜ୍ୟ ସରକାରଙ୍କ ମନ୍ଥରତା ଯୋଗୁଁ ଚାଷୀ ଟଙ୍କା ପାଇବାରେ ବିଳମ୍ବ ସମସ୍ୟା ସହିତ ହଇରାଣ ହେଉଛନ୍ତି । ସେ ଆହୁରି କହିଛନ୍ତି ବୀମା ଟଙ୍କା ବାବଦରେ ବିଜେଡିର ନେତାମାନେ ଦୁଷ୍ପ୍ରଚାର କରୁଛନ୍ତି । ଅନ୍ୟପଟେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଶାଣିତ ଅଭିଯୋଗର ଜବାବ ରଖିଛନ୍ତି ବିଜେଡିର କିଛି ବରିଷ୍ଠ ନେତା ମାନେ ।
ଦୁଇ କେନ୍ଦ୍ରମନ୍ତ୍ରୀ ପାଇକମାଳ ସଭା ପରେ ପଦ୍ମପୁରରେ ଆୟୋଜିତ ବିଶାଳ ସଧାରଣ ସଭାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ । ଏହି ମଞ୍ଚରେ ରାଜ୍ୟ ବିଜେପିର ସବୁ ତୁଙ୍ଗ ନେତାଙ୍କୁ ଦେଖିବାକୁ ମିଳିଥିଲା । ସେପଟେ ବିଜେଡି ପାଇଁ ପ୍ରଚାରର ମଙ୍ଗ ଧରିଥିଲେ ପୂର୍ବତନ ସାଂସଦ କଳିକେଶ ସିଂଦେଓ, ପ୍ରଦୀପ ମାଝୀ, ସାରଦା ନାୟକ ଓ ଅନ୍ୟ ନେତା । ପ୍ରାର୍ଥୀ ବର୍ଷା ସିଂ ବରିହା ମଧ୍ୟ ପଦ୍ମପୁରରେ ଘର ଘର ବୁଲି ଭୋଟ୍ ମାଗିଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖୁବଶୀଘ୍ର ମୈଦାନକୁ ଓହ୍ଲାଇବା ନେଇ ସଂକେତ ଦେଇଛନ୍ତି ପୂର୍ବତନ ସାଂସଦ କଳୀକେଶ ସିଂଦେଓ । ଏଣେ କଂଗ୍ରେସର ପ୍ରଚାର ସମ୍ଭାଳିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସହ୍ୟ ଅନ୍ୟ ନେତା ।
Share your comments