ଜଗନ୍ନାଥ ସଂସ୍କୃତିର ରାଜ୍ୟ ଓଡ଼ିଶାରେ ବାସ କରୁଥିବା ଜନ ସାଧାରଣ ଆମେ ଓଡ଼ିଆ ଅଟନ୍ତି l ମୌସୁମୀ ଜଳବାୟୁ ପ୍ରବାହିତ ଆମ ରାଜ୍ୟର ମୁଖ୍ୟ ଫସଲ ଧାନ ଅଟେ l ଭୌଗଳିକ ଦୃଷ୍ଟିରୁ ଦେଖିଲେ ଆମ ରାଜ୍ୟର ତିନି ପାଖ ଯଥା:- ଦକ୍ଷିଣ , ପଶ୍ଚିମ ଓ ଉତ୍ତର ଅଞ୍ଚଳ ଗୁଡ଼ିକ ପାହାଡ଼ିଆ ଓ ଢାଲୁ ଅଞ୍ଚଳ , ପୂର୍ବ ପାଖ ନିମ୍ନ ସମତଳ ଅଞ୍ଚଳ l ଆମ ରାଜ୍ୟର ସମସ୍ତ ନଦୀ ଗୁଡ଼ିକ ପଶ୍ଚିମରୁ ବାହାରି ପୂର୍ବ ଦିଗରେ ପ୍ରବାହିତ ହୋଇ ବଙ୍ଗୋପସାଗର ରେ ପଡ଼ିଥାନ୍ତି l ମୌସୁମୀ ଜଳବାୟୁ ,ଆମ ରାଜ୍ୟର ଭୂଖଣ୍ଡ ଓ ବଙ୍ଗୋପସାଗର ର ସମ୍ପର୍କ ଏକ ଅଭେଦ୍ୟ ସମ୍ପର୍କ ଅଟେ l
ଉତ୍ତରରେ ପଶ୍ଚିମବଙ୍ଗ ଠାରୁ ଆରମ୍ଭ ହୋଇ ଦକ୍ଷିଣରେ ଆନ୍ଧ୍ରପ୍ରଦେଶ ସୀମା ପର୍ଯ୍ୟନ୍ତ ଦୀର୍ଘ ୪୮୦ କି.ମି ଅଞ୍ଚଳ ଆମ ରାଜ୍ୟର ସାମୁଦ୍ରିକ ସୀମା ଅଟେ l ମୌସୁମୀ ଆସିଲେ ବଙ୍ଗୋପସାଗର ରେ ଲଘୁଚାପ ସୃଷ୍ଟି ଏବଂ ଲଗୁଚାପ ଜନିତ ବର୍ଷା ଆମ ରାଜ୍ୟ ଓଡ଼ିଶାକୁ ଶସ୍ୟ ଶ୍ୟାମଳ କରିଥାଏ l ବେଳେବେଳେ ଅଧିକ ବର୍ଷା ବନ୍ୟା ଆଣିଥାଏ ତ କେତେବେଳେ ମୌସୁମୀ କାରଣରୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇଥାଏ l ଆମ ପ୍ରଶାସନ ଠାରୁ ଆରମ୍ଭ କରି ଆମ ଜନ ସାଧାରଣଙ୍କ ପର୍ଯ୍ୟନ୍ତ ଆମେ ଉପରୋକ୍ତ ଦୁଇଟି ଶବ୍ଦ ଯଥା ବାତ୍ୟା , ବନ୍ୟା ସାଙ୍ଗରେ ଓତ ପ୍ରୋତ ଭାବେ ଜଡ଼ିତ ଅଟୁ l
ମୁଖ୍ୟତଃ ବର୍ଷକୁ ଆମ ରାଜ୍ୟରେ ଦୁଇଟି ଚାଷ ପାଇଁ ଅନୁକୂଳ ହୋଇଥାଏ l ଯଥା :- ଖରିଫ ଋତୁ ( ଜୁନ ରୁ ନଭେମ୍ବର ) ଏବଂ ରବି ଋତୁ ( ଡିସେମ୍ବର ରୁ ମେଁ ) l ମୌସୁମୀ ବର୍ଷା ଆମ ଚାଷୀକୁ ଜୀବନ ଦେଇଥାଏ l ଉଚ୍ଚ ମଧ୍ୟମ ଖାଲୁଆ ଅଞ୍ଚଳ ଅନୁଯାୟୀ ଆମ ରାଜ୍ୟର ଚାଷୀଭାଇମାନେ ଧାନ ଚାଷ କରିଥାନ୍ତି l ୯୦ ଦିନଠାରୁ ୧୮୦ ଦିନିଆ ଧାନ ପର୍ଯ୍ୟନ୍ତ ଆମ ରାଜ୍ୟରେ ଚାଷ କରାଯାଇଥାଏ l ଧାନ ଚାଷ ଆମ ରାଜ୍ୟରେ ବହୁଳ ଭାବରେ ହେଉଥିବାରୁ ଭାତ ଆମର ପ୍ରଧାନ ଖାଦ୍ୟ ହୋଇଯାଇଛି l
ଭାତରେ ପୁଣି ପଖାଳ ଭାତ ଯାହା ଆମ ରାଜ୍ୟ ବାସୀଙ୍କର ପ୍ରିୟ ଖାଦ୍ୟ ଯାହା ଭାରତର ଅନ୍ୟ ରାଜ୍ୟରେ ଦେଖିବାକୁ ମିଳେ ନାହିଁ l ଏହାର କାରଣ ହେଲା ଆମ ରାଜ୍ୟ ସମ୍ପୂର୍ଣ୍ଣ ଭାବେ ଅଧିକ ଥଣ୍ଡାର ରାଜ୍ୟ ନୁହେଁ କି ଅଧିକ ଗରମ ହେଉଥିବା ରାଜ୍ୟ ନୁହେଁ l ପୁଣି ବଙ୍ଗୋପସାଗର ର ୪୮୦ କି.ମି ସୀମାରେଖା ଯାହା ସମୁଦ୍ରର ପ୍ରଭାବ ଯୋଗୁଁ ଗରମ ଅନୁଭବ ଅନ୍ୟ ରାଜ୍ୟ ତୁଳନାରେ କମ ହୋଇଥାଏ l
ଆଜି ଆମର ସଂସ୍କୃତି ଅସ୍ମିତାରେ ଯୋଡ଼ି ହୋଇଥିବା ପ୍ରିୟ ଖାଦ୍ୟ ପଖାଳ ଭାତକୁ ଯଦି ସାମ୍ନାକୁ ଆଣିବା ତେବେ ଆଜିର ପଖାଳରେ ପୂର୍ବର ବାସ୍ନା ନାହିଁ l ଯାହା ଜିଭ ପାଇଁ ସ୍ୱାଦଯୁକ୍ତ ଓ ଶରୀର ପାଇଁ ରୋଗମୁକ୍ତ ହୋଇଥାଏ l ଏହାର କାରଣ ଆମ ରାଜ୍ୟର ସମସ୍ତ ଚାଷୀଭାଇମାନେ ପୂର୍ବକାଳରେ ଜମିରେ ଖରାଦିନେ ଗୋବର ନେଇ ପକାଉଥିଲେ l
ମାଟିକୁ ମାଆ ବୋଲି ଚାଷୀ ପୂଜା କରୁଥିଲେ l ମାଆ ର ସ୍ୱାସ୍ଥ୍ୟ ଠିକ ରହିଲେ ଆମେ ସ୍ୱାସ୍ଥ୍ୟବାନ ହୋଇପାରିବା ଏ ଭାବନା ସମସ୍ତଙ୍କର ଥିଲା l ଫସଲ ପାଇଁ ସୁଷମ ଖାଦ୍ୟସାର , ଜୈବିକ କୀଟନାଶକ ଫସଲରେ ଖୁସବୁ ଭରୁଥିଲା କିନ୍ତୁ ଆଜି ଓଲଟା ହୋଇଯାଇଛି l ଅଧିକ ଖାଦ୍ୟ ଶସ୍ୟ ଉତ୍ପାଦନ ନାମରେ ରାସାୟନିକ କୀଟନାଶକ ବ୍ୟବହାର କରି ମାଟି ମାଆ ର ସ୍ୱାସ୍ଥ୍ୟକୁ ଖରାପ କରିବା ସହିତ ନିଜ ପାଇଁ ଦୁରାରୋଗ୍ୟ ବ୍ୟାଧିକୁ ନିମନ୍ତ୍ରଣ କରୁଅଛି l
ଆଜିର ପଖାଳରେ ସେ ବାସ୍ନା ନାହିଁ l ଲୋକସଂଖ୍ୟା ବଢ଼ିବା ସହିତ ଚାଷଜମିରେ ସୁଷମ ଖାଦ୍ୟସାର, ଜୈବିକ କୀଟନାଶକର ବ୍ୟବହାର ଆବଶ୍ୟକ ଅତୀତର ପଖାଳ କଂସାରେ ଲୁଣ ଲଙ୍କା ପିଆଜ ଲଗାଇ ଜଣେ ଲୋକ କଂସାଏ ପଖାଳ ଖାଇପାରୁଥିଲା l ଆଜି ପଖାଳ କଂସା ପାଖରେ ୪ ରୁ ୫ ଟି ପ୍ରକାରର ବ୍ୟଞ୍ଜନ ଥିଲେ ମଧ୍ୟ ସେ ପଖାଳର ବାସ୍ନା କି ଏ ବ୍ୟଞ୍ଜନ ଗୁଡ଼ିକରେ ସ୍ୱାଦ ଆଉ ନାହିଁ l
ଆଜି ଦିନରେ ସ୍ୱାଦ କହିଲେ ଖଟା, ଲୁଣିଆ ଓ ରାଗୁଆ ଆଉ କୌଣସି ସ୍ୱାଦ ନାହିଁ l ତେଣୁ, ସେ କାଳ ପଖାଳର ସ୍ୱାଦକୁ ଆଣିବାକୁ ହେଲେ ଆମକୁ ନିମ୍ନଲିଖିତ ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ ପଡ଼ିବ l
- ଧାନ ଚାଷରେ ବହୁଳ ଭାବରେ ଜିଆଖତ ଓ କମ୍ପୋଷ୍ଟର ବ୍ୟବହାର l
- ନିଜ ବାଡ଼ି ବଗିଚାର ଶୁଖିଲା ପତ୍ର ,ବିଭିନ୍ନ ଲଟା , ଫସଲର ଗଛ ପତ୍ର , ଗୋବରକୁ ଏକାଠି କରି ଆମେ ଆମ ବ୍ୟବସ୍ଥାରେ ପ୍ରଚୁର ଜିଆଖତ ବନାଇ ପରିବା l
- ସୁଷମ ଭାବରେ ରାସାୟନିକ ସାରର ପ୍ରୟୋଗ କରିବା l ଅଧିକ ରାସାୟନିକ ସାର ପ୍ରୟୋଗ ଉଭୟ ଗଛ ଓ ମାଟିକୁ କ୍ଷତି ପହଞ୍ଚାଇଥାଏ l
- ଜୈବିକ କୀଟନାଶକର ବ୍ୟବହାର ଯାହାଦ୍ୱାରା ଆମ ଫସଲରେ ଲାଗିଥିବା ଶତ୍ରୁ ପୋକ ମରିଯିବ l ମିତ୍ର ପୋକମାନେ ଜୀବିତ ରହିବେ l ଯାହା ମାଟିକୁ ସବୁ ସମୟରେ ଉର୍ବର କରି ରଖିଥାଏ l
- ଜୈବିକ କୀଟନାଶକର ବ୍ୟବହାରରେ ଆମେ ଗୋଟିଏ ଚାଷଜମିରୁ ଭାତ ଓ ମାଛ ପାଇପାରିବା ଯାହା ଆମର ପ୍ରିୟ ଖାଦ୍ୟ l
- କେନ୍ଦ୍ର ସରକାରଙ୍କ ଦ୍ୱାରା ବଜାରରେ ମିଳୁଥିବା ଲାଲ ଲେବଲ ଯୁକ୍ତ ରାସାୟନିକ ପୋକମରାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଉ l
- କେନ୍ଦ୍ର ସରକାର , ରାଜ୍ୟ ସରକାର , ବିଭିନ୍ନ ସାର ଓ କୀଟନାଶକ ତିଆରି କମ୍ପାନୀ , କୃଷିକି ଜୀବିକା କରୁଥିବା ବୈଜ୍ଞାନିକ , ଅଧ୍ୟାପକ ,କୃଷି ସ୍ନାତକୋତ୍ତର ଛାତ୍ର ଛାତ୍ରୀ , କ୍ଷେତ୍ର କର୍ମଚାରୀ ଓ ଶେଷରେ ଆମ ଚାଷୀ ଭାଇମାନେ ମାଟିକୁ ମାଆ ରୂପରେ ଦେଖିବା ସହିତ ମାଆର ଯେପରି କ୍ଷତି ନ ହୁଏ ସେ ପ୍ରତି ଯଦି ଧ୍ୟାନ ଦିଆଯାଏ ତେବେ ଆମ ଖାଦ୍ୟରେ ପୂର୍ବ ସ୍ୱାଦ ଫେରିବ ସେଥିରେ କିଛି ସନ୍ଦେହ ନାହିଁ l
କ୍ଷେତ୍ରମୋହନ ବେହେରା
ଗୋରଖନାଥ କୃଷକ ମହାସଂଘ, କୃଷକ
Read more:
Share your comments